Unknown

 

 

 

 

 

 

 

 

 

୧୧୮ତମ ସଂଖ୍ୟା କୋଣାର୍କ ୨୦୦୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଉମାଶଙ୍କର ପଣ୍ଡା

ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି

ଡକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

 

ଶ୍ରୀ ଅଶ୍ୱିନୀ କୁମାର ମିଶ୍ର

ପରିଚାଳନା ସମ୍ପାଦକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ / ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁମତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱମତ ।

 

ବିଷୟ ସୂଚୀ

ପ୍ରବନ୍ଧ

ଓଡ଼ିଆ ଚରିତ ସାହିତ୍ୟରେ ଲୋକ ଉପାଦାନ

:

ଡକ୍ଟର ଲାବଣ୍ୟ ନାୟକ

କବି ହୋଇ କରୁଥିବ

:

ଡ. ଗିରିବାଳା ମହାନ୍ତି

ତପସ୍ୱିନୀର ଗଠନ କୌଶଳ

:

ଡ. କୁମୁଦ ରଂଜନ ପାଣିଗ୍ରାହୀ

ମୁଦ୍ରିତ କବିତାର ବିଷୟବସ୍ତୁ ଓ

ସାଧାରଣ ମଣିଷ

:

ଶ୍ରୀ ଭାଗୀରଥି ମିଶ୍ର

ବିଜ୍ଞାନ ଓ ବୈଷେୟିକ ବିଦ୍ୟାର ପରିବର୍ତ୍ତିତ

ପୃଷ୍ଠଭୂମିରେ ସମକାଳୀନ କବିତାର ସ୍ୱରୂପ

:

ଡ. ଚିତ୍ତରଞ୍ଜନ ମିଶ୍ର

ପ୍ରାକ୍‌ ଭଞ୍ଜୀୟ ରୀତିକାବ୍ୟରେ

ମନସ୍ତାତ୍ତ୍ୱିକ ଚିତ୍ର

:

ଡ. ଗୌରାଙ୍ଗ ଚରଣ ଦାଶ

ଗଙ୍ଗାଧରଙ୍କ କାବ୍ୟକୃତିରେ

ସଂଯୋଜକ ଚରିତ୍ର

:

ଡ. ଅଶୋକ କୁମାର ତ୍ରିପାଠୀ

 

 

 

ଅନୁବାଦ ସାହିତ୍ୟ

ସୁଇଡିସ୍‍ କବିତା ମାଳା

ମୂଳଲେଖା

:

ପାର୍‍ଲାଗର୍‍ଭିସ୍ତ

ଉପସ୍ଥାପନା ଓ ଅନୁସୃଜନ

:

ସୀତାକାନ୍ତ ମହାପାତ୍ର

ମେଘମାଳା ପରି

 

 

ଶୂନ୍ୟତା

 

 

ତୁମ ହାତରେ

 

 

ରେଳପଥ

 

 

ଗୋଧୂଳିରେ ସବୁଦିଶେ ସୁନ୍ଦର...ସୁନ୍ଦର

 

 

(ଅନୁବାଦ : ଡକ୍ଟର ଶକୁନ୍ତଳା ବଳିୟାର ସିଂହ)

 

 

 

 

 

ସୁଇଡିସ୍‍ କଥା ସାହିତ୍ୟ

ପବିତ୍ର ଭୂମି

:

ପାର୍‍ଲାଗର୍‍ଭିସ୍ତ

 

 

ଅନୁସୃଜନ-କ୍ଷୀରୋଦ ପରିଡ଼ା

ସୁଇଡିସ୍‍ ସାହିତ୍ୟରେ ନୋବେଲ ବିଜେତା

:

ଶ୍ରୀ ରାହୁଲ ଗୌତମ

 

 

 

ନୂଆବହି

ବିଷାଦ (ଓ)

:

 

ସଂଗ୍ରାମ ଜେନା

:

ରବୀନ୍ଦ୍ର କୁମାର ସ୍ୱାଇଁ

 

 

 

ଆମାର ମେୟେ ବେଲା (ବେଙ୍ଗଲୀ)

 

 

ରସଲିମା ନାସରିନ୍‍

:

ଡକ୍ଟର କୁଳମଣି ଜେନା

ହାଏ ଟାଇଡ଼୍‍ ଏବ୍‍ ଟାଇଡ୍‍ (ଇଂ)

 

 

ବିକ୍ରମ କେଶରୀ ଦାସ

 

ଅଶ୍ୱିନୀ କୁମାର ମିଶ୍ର

 

 

 

ସାକ୍ଷାତକାର

ବୀଣାପାଣି ମହାନ୍ତି

:

ଡକ୍ଟର ବିଜୟାନନ୍ଦ ସିଂହ

ଏକାଡେମୀ ସମାଚାର

 

 

 

***

 

ସଂପାଦକୀୟ

କବିତାର କଥା

 

କେବଳ ଓଡ଼ିଆ ଭାଷା ସାହିତ୍ୟରେ ନୁହେଁ, ଯେ କୌଣସି ପ୍ରତିବେଶୀ ଭାଷା ସାହିତ୍ୟ ଅବଲୋକନ କଲେ କବିତାର ବିସ୍ତୃତ ସୀମା ହିଁ ଦୃଷ୍ଟିଗୋଚର ହେବ । ପ୍ରତି ଭାଷାରେ କବି ଅନେକ-। କବିତା ଅନେକ । କାଳିଦାସଙ୍କ ଭାଷାରେ କବିତା ତ ପାର୍ବତୀ ପରମେଶ୍ୱରୀ, ଆଳଙ୍କାରିକର ଭାଷାରେ ଅପୃଥଗ୍‌ ଯତ୍ନନିର୍ବଚ୍ୟ । କିନ୍ତୁ କବିତା ଓ ତା’ର ରସଗ୍ରାହୀ ପାଠକ ଓ ବିବୁଧ ଶ୍ରୋତାମାନଙ୍କର ମୁହାମୁହିଁ ହେବାର ବୋଧହୁଏ ଏକ ନିର୍ଦ୍ଧାରିତ ଲଗ୍ନ ଅଛି, କ୍ଷଣ ଅଛି, କାଳ ଅଛି, ଋତୁ ଅଛି । ଏକ ଏକ କୋମଳ ବିଷର୍ଣ୍ଣ ଏବଂ ଏକାକୀତ୍ୱର ନୀରବ ମୁହୂର୍ତ୍ତରେ କବିତା ଓ ତା’ର ପ୍ରାଜ୍ଞ ପାଠକମାନଙ୍କ ହଠାତ୍‌ ସଂଘଟିତ ହୁଏ ସେହି ଯୋଗାଯୋଗ ଯାହା ବହୁଭାବରେ ବର୍ଣ୍ଣନା କଲେବି ସେ ମର୍ମ ଅନୁଭୂତିକୁ ଠିକ୍‌ ଭାବରେ ବ୍ୟାଖ୍ୟା କରିବା ଆଦୌ ସମ୍ଭବ ନୁହେଁ । ଯଦିଓ ରୋମାଞ୍ଚିତ ଶରୀର, ସ୍ପନ୍ଦିତ ଓଷ୍ଠାଧର ଓ ସମ୍ମୋହିତ ଆଖି ନେଇ କିଛିଟା ଆୟୁଷ୍ମାଳ ସମୟର ଉଜାଣି ସ୍ରୋତରେ ବହିଯାଏ ଅବଶ୍ୟ ।

 

ଯେ କୌଣସି ଭାଷାର କବିତା ମଧ୍ୟରେ ଯେଉଁ ଶୁଦ୍ଧ ଶିଳ୍ପରୂପ ବିଦ୍ୟମାନ ତାହା ଭାଷା ସାହିତ୍ୟର, ସକଳ ସୃଜନକର୍ମର ସର୍ବାପେକ୍ଷା ପରିଚ୍ଛନ୍ନ ଓ ପରିଶୀଳିତ ରୂପ, ଶବ୍ଦମୟ ଓ ଇଙ୍ଗିତମୟ ଏ ବର୍ଣ୍ଣାଢ଼୍ୟ ଆଲୋକଚିତ୍ର । ଏକ ମଧୁମୟ ତାରସପ୍ତକର ସ୍ୱରଝଙ୍କାର ସଦୃଶ ଯାହା ଏକଇ ଶବ୍ଦର ଅନୁଷଙ୍ଗରେ ଅନୁଋଣିତ ହୁଏ କେତେ ଶବ୍ଦ ଶୃଙ୍ଗାରରେ କେତେବେଳେ ହଂସଧ୍ୱନିରେ ତ କେତେବେଳେ ବୈରାଗୀ-ବେହାଗରେ, କେତେବେଳେ ଶବ୍ଦ-ସାରଙ୍ଗରେ ତ କେତେବେଳେ କୋମଳ ଗାନ୍ଧାରରେ ଏବଂ ସେହି ଶବ୍ଦ ଓ ଧ୍ୱନିର ଅତ୍ୟାର୍ଶ୍ଚର୍ଯ୍ୟ ଅପୂର୍ବ କୁହୁକ, ମଣିଷ ଅଭ୍ୟନ୍ତରର କେତେ ସୁପ୍ତି, କେତେ ଅନୁଭୂତିକୁ ଜାଗ୍ରତ କରି ତୋଳେ ମୁହୁର୍ମୁହୁ । ଝରେଇ ଦେଇଯାଏ କେତେ ଅଲିଭା ଅଭୁଲା ସ୍ମୃତିର ଝରାପତ୍ର । ଉଡ଼େଇ ନେଇଯାଏ କେତେ ସୁଗନ୍ଧିତ ରୁମାଲ । ପ୍ରାଣରେ ଜାଗ୍ରତ ହୋଇ ଉଠେ କେତେ ଅନୁଚ୍ଚାରିତ ଶବ୍ଦ, କେତେ ସ୍ପର୍ଶ, କେତେ ଘ୍ରାଣ, କେତେ ବର୍ଣ୍ଣ । ଗୋଟିଏ ଗୋଟିଏ ସଫଳ କବିତା-ସର୍ଜନୀର ପ୍ରେକ୍ଷାପଟରେ ଏମିତି ଥାଏ କେତେ ନିରନ୍ନ ନିର୍ଲୋଭ ତଦ୍‌ଗତପ୍ରାଣ କବିର ଆତ୍ମସତ୍ତାର ନିର୍ଯାସ । ଶହ ଶହ ଖସଡ଼ା ନଷ୍ଟ ହେବାପରେ ରୂପ ପରିଗ୍ରହ କରେ ସେହି କଳ୍ପିତ ଶବ୍ଦ ପ୍ରତିମା । କବି ବିନୋଦ ନାୟକଙ୍କ ଭାଷାରେ କବିତା ପରମେଶ୍ୱରୀ, ଯାହାର ନିର୍ମାଣ ପରେ ସ୍ୱୟଂ କବି ହିଁ ବୁଝିପାରେନା ବେଳେବେଳେ । ସତ୍‌କବିତାର ଜନ୍ମ ହୁଏ ଏମିତି ଏକ ପ୍ରଚଣ୍ଡ ଉଦ୍‌ବେଳନ ମଧ୍ୟରେ ଯେଉଁଠି ଶବ୍ଦ ଛନ୍ଦ ଧ୍ୱନି ଅଳଙ୍କାର ବିଷୟ ବୈଚିତ୍ର ଓ ନିର୍ମାଣ କୌଶଳ ସବୁ ଏକାକାର ହୋଇଯାଏ କାରଣ କବିତା ରଚନା କାଳରେ କବି ଆଉ ମର୍ତ୍ତ୍ୟର ମଣିଷ ହୋଇନଥାଏ, ଅନ୍ନମୟ କୋଷରୁ ବହୁ ଉର୍ଦ୍ଧ୍ୱରେ ଆନନ୍ଦମୟ କୋଷରେ ସେତେବଳେ ତା’ର ଅବସ୍ଥାନ । ଗୋଟାଏ ଘୋର, ନିଶା ସ୍ୱପ୍ନ ଅଥବା ଧ୍ୟାନରେ ସେ ନିବିଷ୍ଟ । ସିଏହିଁ ତ ତୃତୀୟ ଜଗତ । ତେଣୁ ମାଲାର୍ମେ କହିଛନ୍ତି ଏହା ଏକ ମିସ୍ତ୍ରିକ ଅଭିଜ୍ଞତା । ରାବୋଁ କହିଛନ୍ତି – କବି ଭୟୋଁ (Voyant) ଅର୍ଥାତ୍‌ ଆର୍ଷ ଦର୍ଶକ । କୋଲରିଜ ନିଶାରେ ଆଚ୍ଛନ୍ନ ହୋଇ ଲେଖିଥିଲେ ‘କୁମଲାଇ ଖାନ୍‌’ । ସାରଳାଦାସ, ଉପେନ୍ଦ୍ର ଭଞ୍ଜ ପ୍ରଭୃତି ପ୍ରାଚୀନ କବିମାନଙ୍କ ମଧ୍ୟରୁ ଅନେକେ ହିଁ କାବ୍ୟ ରଚନା କରିଛନ୍ତି ସ୍ୱପ୍ନାଦେଶରେ, ସେ ଝଙ୍କଡ଼ବାସିନୀ ମା ସାରଳାଙ୍କର ହେଉ ଅଥବା ରାମଚାରକ ମନ୍ତ୍ର ସିଦ୍ଧ କରି ହେଉ ।

 

କବିତା ଜ୍ଞାନଲବ୍‌ଧ ନୁହେଁ ଧ୍ୟାନଲବ୍‌ଧ । ଶବ୍ଦ ହିଁ ଈଶ୍ୱରୀ ଏବଂ ସେହି ପରମେଶ୍ୱର ହିଁ କବିର ସତ୍‌ ଚିତ୍‌ ଓ ଆନନ୍ଦକୁ ଆଚ୍ଛନ୍ନ କରି ଅନୁସରଣ କରନ୍ତି । ପ୍ରତୀତ ହୁଏ ଶବ୍ଦ ହିଁ ବ୍ରହ୍ମା । ଯେଉଁ କବିର ଶବ୍ଦ ଜ୍ଞାନ ଯେତେ ପ୍ରଖର, ଯେତେ ନିପୁଣ ତା’ର କବିତା ସେତେ ହିଁ ସୁନ୍ଦର, ସେତେ ହିଁ ଉଜ୍ଜ୍ୱଲ । ଶବ୍ଦ ଦର୍ପଣ ସଦୃଶ । ତହିଁରେ ହିଁ ପ୍ରତିବିମ୍ୱିତ ହୁଏ କବିର ବ୍ୟକ୍ତିତ୍ୱ, ବୈଦଗ୍ଧ୍ୟ, ଦୃଷ୍ଟିଭଙ୍ଗୀ ଓ ଯୁଗଚେତନା ।

 

ତେବେ କ’ଣ ଧରିନେବାକୁ ହେବ ୟେ ହିଁ କବି ଓ କବିତାର ଶେଷ କଥା ?

 

ନା ନୁହେଁ । ଏହା ପରେତ କେତେ ତରଙ୍ଗ କବି ଚେତନାର ବିସ୍ତୀର୍ଣ୍ଣ ବାଲୁକା ବେଳାକୁ ସିକ୍ତ ଓ ମଥିତ କରି ଚାଲିଯାଇଛି ଓ ପ୍ରଯୁକ୍ତି ବିଦ୍ୟା ଆମ ଜୀବନଧାରାରେ ଆଣି ଦେଇଛି ଆମୂଳ ପରିବର୍ତ୍ତନ ।

ଆମର ପ୍ରଥାସିଦ୍ଧ ଚିନ୍ତାକୁ ପ୍ରଥମ ପାହାଚରେ ହିଁ ଓଲଟ ପାଲଟ କରି ଦେଇଛନ୍ତି ଦୁଇଜଣ ବିଶିଷ୍ଟ ଚିନ୍ତାନାୟକ ଫ୍ରୟେଡ଼ ଓ ମାର୍କ୍ସ । ଫ୍ରୟେଡ଼ର ଅବଚେତନ ଓ ମାର୍କ୍ସର ସମାଜ ଚେତନା କବିକୁ ନୂତନ ଭାବରେ ଚିନ୍ତା କରିବାକୁ ବାଧ୍ୟ କରିଛି । ତା’ ସହିତ ଦୁଇଟି ବିଶ୍ୱଯୁଦ୍ଧର ଭୟାବହ ବିଭୀଷିକା, ନରସଂହାର, ରକ୍ତପାତ, ଧର୍ଷଣ ଓ ପାଶବିକତା କବିର ମନକୁ କରିଛି କ୍ଲାନ୍ତ, ଅବସନ୍ନ ଓ ଗଭୀର ଗ୍ଳାନି ଓ ଅବସାଦରେ ଆଚ୍ଛନ୍ନ । ସେହି କ୍ଳାନ୍ତି ବିଷଣ୍ଣତାର ଦୀର୍ଘ ଓ ନିବିଡ଼ ଛାୟା ପଡ଼ିଛି କବିତାରେ । ତା’ପରେ କେତେ ଇଜିମ୍‌ ମଗ୍ନ ଚୈତନ୍ୟ ଭିତରେ କେତେ ସ୍ୱପ୍ନ କେତେ ଦୁଃସ୍ୱପ୍ନ, କେତେ ଅନୁଷଙ୍ଗ । ତା’ ସହିତ ବୋଧବାଦୀ ଓ ଯୁକ୍ତିବାଦୀ ଚିନ୍ତାଧାରା । ସାମ୍ୟବାଦ ନେଇ ଆସିଛି ସାମାଜିକ ସମସ୍ୟା ଆଉ ତା’ ସହିତ ଆପେ ଆପେ ଆସିଛି ଦ୍ୱନ୍ଦାତ୍ମକ ବସ୍ତୁବାଦ । ଏକ ଉଦାର ସ୍ୱର ଉଚ୍ଚାରିତ ହୋଇଛି ଆତ୍ମାର ମୁକ୍ତି ପାଇଁ, ଘୁଞ୍ଚେଇବାକୁ ହେବ ଅର୍ଥନୈତିକ ଦାସତ୍ୱ ଏବଂ ସେଥିପାଇଁ ଲୋଡ଼ା ଶ୍ରେଣୀସଂଗ୍ରାମ, ସର୍ବହରାର ବିପ୍ଲବ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧର ଧ୍ୱଂସସ୍ତୂପରେ ହଜିଯାଇଛି ମଣିଷର ବିଶ୍ୱାସ, ପ୍ରୀତି, ଆଶା ମମତା ସବୁକିଛି ଏବଂ ସେହି ସ୍ତୂପରୁ ହିଁ ପୁନରାୟ ଜନ୍ମ ନେଇଛି କାମ୍ୟୁ ଓ ସାର୍ତ୍ତ୍ରେର ଅସ୍ତିତ୍ୱବାଦ ମଣିଷର ଲଢ଼େଇ ଆଜି ତା’ର କେବଳ ବଞ୍ଚିବା ପାଇଁ ଏବଂ ସେହି ଅସ୍ତିତ୍ୱ ରକ୍ଷାପାଇଁ ହିଁ ସେ ସଦାସର୍ବଦା ଉଦ୍‌ବିଗ୍ନ । ଏହାର ପଶ୍ଚାଦ୍‌ପଟରେ ରହିଛି ତା’ର ମୃତ୍ୟୁଭୟ, କାରଣ ଏକମାତ୍ର ମୃତ୍ୟୁ ହିଁ ନାଶ କରିପାରେ ଅସ୍ତିତ୍ୱକୁ । କୌଣସି ପ୍ରକାରେ ହିଁ ଆମେ ଜାଣି ପାରୁନା ଜନ୍ମ କାହିଁକି ? ବସ୍ତୁ କ’ଣ ସତ୍ତା କ’ଣ ? ପୃଥିବୀରେ ତ କେବଳ ଅଭିଜ୍ଞତାର ଆକସ୍ମିକତା ଅଯୌକ୍ତିକତା ଆଉ ଅର୍ଥହୀନତା ସତେ ଯେମିତି ଏକ ବିଶାଳ ଅସ୍ମିତା ଓ ଅଜ୍ଞେୟତା ଭିତରେ ଆମେ ପରିତ୍ୟକ୍ତ । ତେଣୁ ଅନ୍ତଃଜୀବନରେ ଆମେ ନିଃସଂଗ । ସାର୍ତ୍ତ୍ରେ ତେଣୁ କହିଛନ୍ତି ମଣିଷର ଚୈତନ୍ୟ ହିଁ ଯେତେବେଳେ ଏକମାତ୍ର ଆଶ୍ରୟ ସେତେବେଳେ କି ଦରକାର ଭଗବତ୍‌ ବିଶ୍ୱାସରେ ? ମଣିଷ ହିଁ ସବୁକିଛିର ସ୍ରଷ୍ଟା ଏବଂ ଏହି ସୃଜନ ଦାୟିତ୍ୱ ଯେଉଁ ଉଦ୍‌ବେଗ ସୃଷ୍ଟିକରେ ତହିଁରୁ ତା’ର ନିସ୍ତାର ନାହିଁ । ମଣିଷ ତେଣୁ ଚିରବିଷଣ୍ଣ ।

 

କିଏ ନ ଜାଣେ ସାଂପ୍ରତିକ ଓଡ଼ିଆ କବିତା ଦୁର୍ବୋଧ୍ୟ ବୋଲି ଏକ ପ୍ରଚଣ୍ଡ ଝଡ଼ ଉଠିଥିଲା ଦିନେ । ଆଜି ସେ ଝଡ଼ ଅବଶ୍ୟ ସ୍ତିମିତ । କବିତା ଅବୁଝା ରହିଯିବାର କାରଣ ଏହି ଦଶକର କବିତାରେ ନିର୍ମାଣର ଆର୍ତ୍ତ ଅଛି, ପୂର୍ଣ୍ଣତାର ବ୍ରହ୍ମ ନାହିଁ ସେହି ଶିଳ୍ପର ଶରୀରରେ । ତେବେ ଓଡ଼ିଆ କବିତା କ୍ଷେତ୍ରରେ ଏକ ରୋମାଣ୍ଟିକ କାବ୍ୟଧାରା ନିରବଛିନ୍ନ ଭାବରେ ପ୍ରବହମାନ । ତାହାହିଁ ବିଶ୍ୱାସ, ଆବେଗ ଓ ପ୍ରେମକୁ ଧରି ରଖିଛି ଚିରକାଳ । ତେଣୁ ଦୁର୍ବୋଧ୍ୟତାକୁ ଏକ ଧାରାବାହିକ ପ୍ରଥା ହିସାବରେ ଗ୍ରହଣ କରାଯାଇନପାରେ । ଜୀବନ ଉଜାଣି ଲାଗେ । ବନ୍ଧା ପଡ଼ିଥାଏ ଯେ ମୁକାଳି ଦେବାର ଯୁ ନଥାଏ କାହାରି । (ଶୂନ୍ୟବାସ : ସୂର୍ଯ୍ୟମିଶ୍ର) । ଓଟର ଗ୍ରୀବାପରି ନିସ୍ତବ୍ଧତା, ଛାଇର ନିଷ୍କପଟ ମଲାଟ, ପକ୍ଷୀର ନୀଡ଼ପରି ଆଖି, କି ଉଜ୍ଜୟିନୀର ରାତିପରି କେଶ’ର ପଂକ୍ତି ଭିତରେ କିଛି ବୁଝିବାର ନଥାଏ ଅନେକ କିଛି ଅନୁଭବି ନେବାର ଉଦ୍‌ବେଗ ଥାଏ ତା’ଭିତରେ, ଠିକ୍‌ ଭଙ୍ଗା ଲଣ୍ଠନର ଆଲୋକ ଶିଖା ପରି ମ୍ଲାନ ଅଥବା ଚନ୍ଦ୍ରମାର ଚୁଡ଼ିପରି ରୁଣୁଝୁଣୁ ବାଜଣା ।

 

ଓଡ଼ିଶାରେ କୁଆଡ଼େ କବିଙ୍କ ସଂଖ୍ୟା ଏତେ ବେଶୀ ଯେ ଗୋଡ଼ିଟିଏ ଫିଙ୍ଗିଦେଲେ କୌଣସି କବିଦେହରେ ହିଁ ବାଜେ । ଏ କଥାର ସତ୍ୟାସତ୍ୟ ଅବଶ୍ୟ ତର୍କ ଓ ବିଚାର ସାପେକ୍ଷ କିନ୍ତୁ ଏହି ଅତିଶୟୋକ୍ତି (!) ହିଁ ପ୍ରମାଣ କରେ ଯେ କବିତାର ବ୍ୟାପକ ମନସ୍କତା ବିଦ୍ୟମାନ ଓଡ଼ିଆ ସାହିତ୍ୟରେ ।

 

ଆଜି କାଲି ଯେ କୌଣସି ସାହିତ୍ୟ ସମାରୋହରେ କବିତା ପାଠୋସ୍ତବ ଏକ ଆକର୍ଷଣୀୟ ଆବଶ୍ୟକ ଅଙ୍ଗ ଓ ସାମୟିକ ପତ୍ରପତ୍ରିକାରେ କବିତାର ସଂଖ୍ୟା ଦେଖିଲେ ଅବାକ୍‌ ହେବାକୁ ହୁଏ ଅନେକ ସମୟରେ । କେତେ ବର୍ଣ୍ଣମୟୀ ସେ କବିତା ଏବଂ ସବୁଠାରୁ ସୁଖର କଥା ଯେ ଏଣ୍ଟି-ପୋୟେଟ୍ରି ବା ‘ପ୍ରତି-କବିତା’ର ନୂତନ ଧାରଣା ଏଯାବତ୍‌ ଓଡ଼ିଆ କବିତାର ମୂଳସ୍ରୋତକୁ ସ୍ଥାନଚ୍ୟୁତ କରିପାରିନାହିଁ ।

 

ମହାପାର୍ବଣ :

କେତେ ଆଶ୍ୱିନ ଆସେ କେତେ ଆଶ୍ୱିନ ଚାଲିଯାଏ । କାଶତଣ୍ଡିର ଚାମର ଦୋଳି ଉଠେ ଦିଗବିଦିଗେ । ଆମେ ପାରେଇ ଆସୁ କେତେ ରୁଦ୍ଧଶ୍ୱାସ ପ୍ରହର, ଯାହାର ଗୋଟିଏ ଦିଗରେ ପରମାଣିକ ପ୍ରଳୟର କୁଟିଳ ଭୃକୁଟି ଅନ୍ୟଦିଗରେ ବିପର୍ଯ୍ୟୟ, ମୁହୁର୍ମୁହୁ ଦୁର୍ଘଟଣା, ବର୍ଣ୍ଣ ବିଦ୍ୱେଷ, ଅବର୍ଣ୍ଣନୀୟ ଦାରିଦ୍ର୍ୟ, ପ୍ରବଳ ଜନସ୍ଫୀତି ଏବଂ ଆର୍ଥରାଜନୀତିର ଦୈରଥ ମଣିଷର ଅସ୍ତିତ୍ୱକୁ ବିପନ୍ନ କରି ତୋଳିଛି । ରାଷ୍ଟ୍ରନୀତି ଓ ଉଗ୍ରବାଦର କୁଚକ୍ରରେ ଯେତେବେଳେ ବିପନ୍ନ ଗଣତନ୍ତ୍ର ସେତେବେଳେ ଭାରତବର୍ଷର ଆବାଳ ବୃଦ୍ଧବନିତା ସ୍ୱପ୍ନ ଦେଖୁଛି ସେହି ଆଲୋକମୟ ସକାଳର । ସେହି ମହାଲଗ୍ନର । ଆବାହନ କରୁଛି ସେହି ବିଶ୍ୱରୂପା ମା’ ଜଗଜ୍ଜନନୀଙ୍କର, ଯିଏ କାଳପ୍ରତିମା ସ୍ୱଦେଶ ପ୍ରତିମା ମା ଭୁବନେଶ୍ୱରୀ । ତାଙ୍କର ଅଜରୂପହିଁ ଭାସ୍ୱର ହୋଇଉଠେ ଆମ ଶାରଦୋତ୍ସୋବର ଆଗମନୀରେ । ମାତୃବୋଧନରେ ଜାଗରୁକ ହୋଇଉଠେ ମହାବୋଧ, ସେହି ଚଳଚ୍ଛନ୍ଦରୂପୀ ଆନନ୍ଦଧାରା ଯାହା ମୂର୍ତ୍ତିରୁ ବିମୂର୍ତ୍ତିରେ, ରୂପରୁ ଅରୂପରେ ନିତ୍ୟ ବିଦ୍ୟମାନ । ଯିଏ ଧ୍ୟାନ ଜ୍ଞାନ ଆଚରଣରେ ଧ୍ରୁବ କରି ତୋଳେ ଆମର ସକଳ ସାଧନା, ନିରାଜନା ।

 

ହେ ମା ମହିଷାସୁର ମର୍ଦ୍ଦିନୀ ! ତୁମେ ଶିଳ୍ପୀର ନିରଞ୍ଜନ ରଙ୍ଗରେ ଭାସ୍ୱର ହୋଇ ଉଠ, କବି ଓ କଥାଶିଳ୍ପୀ କଲମରେ ଭରି ଦିଅ କାଳାନ୍ତରର କାଳି ।

 

ତମରି ପାଇଁ ହିଁ ଧୂପହୀନ ନୈବେଦ୍ୟର ସମ୍ଭାର ସଜାଡ଼ି ରଖିଛୁ ।

ତୁମେ ଭୁବନ ଆଲୋକ କରି ଆସ ମା ଭୁବନମୋହିନୀ ।

 

ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଲାଭ କରିଛନ୍ତି ବିଶିଷ୍ଟ ଚୀନା ଲେଖକ ଗାଓ ଜିଙ୍ଗ୍‌ଜିଆନ୍‌ । ୧୯୮୭ରେ ଚୀନ୍‌ ଦେଶ ଛାଡ଼ି ଫ୍ରାନ୍‌ସର ପ୍ୟାରିସ୍‌ ସହରରେ ବସବାସ କରୁଥିବା ଏହି ଲେଖକଙ୍କୁ ପ୍ରଥମ ଥର ପାଇଁ ଏଭଳି ସର୍ବୋଚ୍ଚ ସାହିତ୍ୟ ସମ୍ମାନରେ ଭୂଷିତ କରାଯାଇଥିବାରୁ ସେ ନିଜେ ମଧ୍ୟ ଏଥିପାଇଁ ନିଜର ବିସ୍ମୟ ପ୍ରକଟ କରିଛନ୍ତି । ସେ ଜଣେ ସଫଳ ଅନୁବାଦକ, ନାଟ୍ୟକାର ତଥା ଚିତ୍ରଶିଳ୍ପୀ ମଧ୍ୟ । ନିଜ ସୃଜନଶୀଳ ଲେଖନୀ ମାଧ୍ୟମରେ ସିଏ ସ୍ୱର ଉତ୍ତୋଳନ କରିଛନ୍ତି ଚୀନ୍‌ର ସାମ୍ୟବାଦୀ ଅନୁଶାସନ ବିରୁଦ୍ଧରେ । ତେଣୁ ତାଙ୍କର ଅଧିକାଂଶ ଲେଖା ଏବେ ସୁଦ୍ଧା ଚୀନ୍‌ରେ ନିଷିଦ୍ଧ ।

 

ଜିଙ୍ଗ୍‌ଜିଆନ୍‌ଙ୍କ ଫରାସୀ ଭାଷାରେ ମଧ୍ୟ ଯଥେଷ୍ଟ ବ୍ୟୁତ୍ପତ୍ତି ରହିଛି । ଫ୍ରାନ୍‌ସର ନାଗରିକତ୍ୱ ବରଣ କରିଥିବା ଏହି ମହାନ୍‌ ଲେଖକଙ୍କ ପାଇଁ ଆଜି ସମସ୍ତ ସାହିତ୍ୟପ୍ରେମୀ ବେଶ୍‌ ଗର୍ବିତ । ଏହି ଐତିହାସିକ ସମ୍ମାନ ପାଇଁ ସିଏ ଆମ ସମସ୍ତଙ୍କ ପାଇଁ ବିଶେଷ ଧନ୍ୟବାଦାର୍ହ । ‘କୋଣାର୍କ’ ତାଙ୍କର ‘ସୋଲ୍‌ ମାଉଣ୍ଟେନ୍‌’ ଭଳି ଅନବଦ୍ୟ କୃତି ପାଇଁ ଅଭିନନ୍ଦନ ଜଣାଉଛି ।

 

ଉମା ଶଙ୍କର ପଣ୍ଡା

 

***

 

(କବି ମନମୋହନ ମିଶ୍ରଙ୍କ କେତୋଟି କବିତା)

ବିଜୟୀ

 

ବିଜୟୀ.......

ବିଜୟ ତୋ ହୋଇନି ପୂରା

ଘନ ଘଟା ଯାଏ ଡାକି, ଆହୁରି ରହିଛି ବାକି

ଭାଇ ବୁକେ ଭାଇ ହାଣେ, ଭଗାରି ଛୁରା.....

ବିଜୟ ତୋ ହୋଇନି ପୂରା. ।

 

ସେତୁବନ୍ଧ ବାନ୍ଧିଛୁ ତୁ ରାବଣପୁରେ

ଯହିଁ ରାଜୁଡ଼ା ରାଜୁତି, ଭୋକି ଆହାର ଜୁରେ

ଯହିଁ ମାତାଲ ହସୁଛି ପିଇ ଶୋଷଣ ସୁରା

ବିଜୟ ତୋ ହୋଇନି ପୂରା. ।

 

ଏକ ଦିଗେ ଏକ ହୁଏ କୋଟି ପରାଣି

ଡାକଘର କର୍ମଚାରୀ ଛୋଟ କିରାଣୀ

ଜାଗେ ରେଳବାଇ, ଜାଗେ ପାଣି ସେନାନୀ

ହିନ୍ଦୁ ବା ମୁସଲିମ୍‌ ବନ୍ଧ ବାଧା ନ ମାନି

 

କ୍ରାନ୍ତି ପଟୁଆରେ ହୁଏ ସେ ଆଗତୁରା

ମୁକ୍ତି ପଟୁଆରେ ହୁଏ ସେ ଆଗତୁରା

ବିଜୟ ତୋ ହୋଇନି ପୂରା. ।

 

ଅନ୍ୟ ଦିଗେ ଦିଲ୍ଳୀ ବହୁଦୂରେ

କଙ୍କାଳ ଭୋକରେ ପୁରେ

କାଶ୍ମୀର ବୁଡ଼େ ଲହୁରେ

ରକତ ମାଖିଛି ଧୋବ ହିମାଦ୍ରୀ ଚୂଡ଼ା

ବିଜୟ ତୋ ହୋଇନି ପୂରା. ।

 

ଆସ ଭାଇ ହିନ୍ଦୁ ଆସ ମୁସଲମାନ

ଆସରେ କଂଗ୍ରେସ ଆସ ଲିଗ୍‌ ଜବାନ

ଆସ ମଧ୍ୟବିତ୍ତ ଆସ କୁଲି ନିଶାନ

ମୁକତି ମିଳିଛି କାହିଁ ବିନା କୁର୍ବାନ

ବିନା ରକତେ କି ବାନ୍ଧେ ଦୌପଦୀ ଜୁଡ଼ା

ବିଜୟ ତୋ ହୋଇନି ପୂରା. ।

 

ଶୋଷକର ସଙ୍ଗୀତରେ ଆଖି ନ ବୁଜ

ବିପ୍ଲବୀ ଦେଶର ଯେତେ ବୀର ଫଉଜ

ଗୋରା ପଲଟଣ ମାରି ଅଛି ମଉଜ

ତା ରକତେ ରଙ୍ଗା ତୋର ନିଶାଣ ଉଡ଼ା

ବିଜୟ ତୋ ହୋଇନି ପୂରା. ।

 

***

 

କେତେଦୂରେ ତୋର ଓଡ଼ିଶା ମାଟିରେ

 

କେତେ ଦୂରେ ତୋର             ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି

ଗୋରା ସରକାର             ଦାଉରୁ ଏ ଦେଶେ

ଆସିଲୁ ଭୋକି ପରାଣୀ ।

 

ନ ଥିଲା କି ତୋର            ପାହାଡ଼େ କାଠରେ

ନ ଥିଲା କି ବିଲେ ଧାନ

ନ ଥିଲା କି ତୋର            ପାଣିରେ ମାଛରେ

ଝାଳ ବୁହା ଅରଜନ ।

 

ସବୁ ଅରଜନ            କାହା ପାଶେ ଦେଲୁ,

ସେ କଥା ନ ପାରୁ ଜାଣି,

ଆରେ ଭାଇ ସେ କଥା ନ ପାରୁ ଜାଣି

କେତେ ଦୂରେ ତୋର ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି ।

 

ଖଳାରୁ ତୋ’ ଧାନ             ରଜା ନେଲା ଅଧେ

ଅଧେ ନେଲା ସାହୁକାର

ସାହା ହେଲା ତାକୁ             ବିଲାତି ବନ୍ଧୁକ

ସଇତାନ ସରକାର

 

ବଡ଼ ଦେଉଳରେ             କାନ୍ଦେ ତୋ’ ଠାକୁର

କାନ୍ଦେ ଲକ୍ଷ୍ମୀ ଠାକୁରାଣୀ

ଆରେ ଭାଇ କାନ୍ଦେ ଲକ୍ଷ୍ମୀ ଠାକୁରାଣୀ,

କେତେ ଦୂରେ ଚୋର            ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି ।।

 

ପଚାରଇ ଥରେ            ଚା’ ବାଗାନରେ

ପରବାସୀ ମୋର ଜାତି,

ପେଟ ଲାଗି ପରା            ଛାଡ଼ିଲୁ ତୋ ଜାଗା

ଛାଡ଼ିଲୁ ତୋ ଭୀଟାମାଟି ।।

 

ପାଞ୍ଚ ଅଣା ରୋଜେ             ପୂରେକି ପେଟରେ

ମିଳେ କି ବାସୀ ତୋରାଣୀ,

ପଚାରଇ ତୋର                  ଧଉଳି ପାହାଡ଼

ନେଳିଆ ଚିଲିକା ପାଣି

କେତେ ଦୂରେ ତୋର             ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି ।।

 

ଯେ ଭଗାରୀ ଲାଗି                   ଦେଶ ଛାଡ଼ିଥିଲୁ

ହୋଇଥିଲୁ ପରବାସୀ

ବିଲାତି ସର୍କାର                  ଗୋରା ମାଲିକର

ପଲଟଣ ଚପରାଶୀ ।।

 

ତୋ ଦେହୁ ରକତ                  ମାଉଁସ ନିଗାଡ଼ି

ଖାଇନିକି ସେହୁ ଟାଣି

ଆରେ ଭାଇ ଖାଇନିକି ସେହୁ ଟାଣି

କେତେଦୂରେ ତୋର            ଓଡ଼ିଶା ମାଟିରେ

କାହିଁ ମହାନଦୀ ପାଣି ।।

 

***

 

ମୁହିଁ ହିନ୍ଦୁସ୍ଥାନ

 

ଟେକିଲି ଏ ବଳିୟାର ଭୁଜ

ଏ ଉଦ୍ୟତ ବାହୁ

ସନ୍ଧାନିଲି ଶେଷ ଶରାସନ

ଅକ୍ଷୟ ତୂଣୀରୁ ଫିଟେ ଏକଘ୍ନି କମାଣ

ଉଦ୍ଧତ ଏ ମାଟିର ଜବାନ

ପ୍ରାଣେ ଭରେ ସଚ୍ଚାଳିଶ କୋଟି ପରମାୟୁ

 

ହୁଅ ସାବଧାନ

ଯକ୍ଷ, ରକ୍ଷ, ରାକ୍ଷସ ଦନୁଜ

ଟେକିଲି ଏ ବଳିୟାର ଭୁଜ....

 

ମାନବର ଆଦିମାତା, ମୁହିଁ ହିନ୍ଦୁସ୍ଥାନ

ଏକତାର ସମଚାର ଅମୃତ ନିଶାଣ

ମୋହରି ଲାଳନେ ଝଳେ ଦୁର୍ବାର ବସୁଧା

ଶିହରଇ ଗିରିଶୀର୍ଷେ ବାଦଲ ପରଦା

ଧ୍ୟାନ-ରତ ପରବତୁ ଫିଟିପଡ଼େ ମହାନଦୀ ଗଙ୍ଗା

ତରଙ୍ଗିତ ଜନସିନ୍ଧୁ ଇନ୍ଦ୍ରଧନୁ ରଙ୍ଗା

ଭାଜିଯାଏ ଭେଦର ବୁରୁଜ

ଟେକିଲି ମୁଁ ବଳିୟାର ଭୁଜ...............

 

ବରାଭୟ ଏହି ଭୁଜ, ବୁଦ୍ଧର ତପସ୍ୟା

ଗାନ୍ଧୀର ଅହିଂସା

ଲେନିନ୍‌ର ଆଶା ଆଉ ନାନକର ଭାଷା.........

ଏହି ଭୁଜ କରେ ଏକାକାର

ଯିଶୁର ମମତା ଆଉ କବୀର ପିପାସା

ନିପୀଡ଼ିତ କ୍ରାନ୍ତିର ଏ ମହା କର୍ଣ୍ଣଧାର

ଅନନ୍ତ ପ୍ରହରୀ

ଏହି ଭୁଜେ ଅବତରେ ଶଙ୍କରର

ଆନନ୍ଦ ଲହରୀ

 

ହଜରତ୍‌ ମହମ୍ମଦ ମହିମା କୋରାନ

ଆଭେଷ୍ଟ ଓ ଗୀତା

ଏହି ଭୁଜ ସଂଘର ସଂହିତା ।

ବାଳୁତ ଦରୋଟି, କୋଟି ଜନତାର ଆୟୁ

ରକ୍ଷକ ଏ ଭୁଜ ମହାବାହୁ

 

ତୀର୍ଥଭୂମି ନୀଳାଚଳ କୁତବମିନାର

ପ୍ରତିଧ୍ୱନି ମୁଖରିତ ‘ଆଜାନିତ’ ଜୁମା ମସ୍‌ଜିତ

ଏ ବାହୁର ବରାଭୟେ ହୁଏ ସଂଜୀବିତ

ପ୍ରକୃତିର ଗନ୍ତାଘରୁ ଯେତେ ରତନ ଧାତବ ଖନିତ

ଏହି ବାହୁ କରିଅଛି ଦୂର

ହିନ୍ଦୁକୁଶ ହିମାଚଳେ ଏହି ବାହୁ କରିଛି ମଞ୍ଜୁର !

 

ଏହି ବାହୁ

କୋଟି କୋଟି ଜନପ୍ରାଣେ ବାୟୁ

ଶତ ଭାଷା, ହଜାର ବିଶ୍ୱାସ

ଅୟୁତ ପୀଡ଼ିତ ପ୍ରାଣ ଗଭୀର ଆଶ୍ୱାସ

 

ତୁଚ୍ଛ କରି ଅତ୍ୟାଚାରୀ ବିଭେଦକ କୂଟ

ଏହି ବାହୁ କରେ ଏକ ଯୁଟ ।

କୁମାରୀକା, ମାନସରୋବର

ଏ ବାହୁ କମ୍ପନେ ଥରେ ବିଶ୍ୱ ଚରାଚର

ଟେକିଲି ଏ ବଳିୟାର ଭୁଜ ।।

 

ଛତ୍ରପତି ମୁହିଁ ଏ ଭାରତ

ଆସ ବିଶ୍ୱବାସୀ ଆସ ସକଳ ମନୁଜ

ମୁକ୍ତହାର ସ୍କନ୍ଧ୍ୱାର

କରଇ ସ୍ୱାଗତ

ଛତ୍ରପତି ମୁଁ ମହାଭାରତ !

 

ଆସ ହେ ହୁସେନ୍‌, ଆସ ପଦ୍ମାର ଘାଟିଆ

କାଲିମ୍ପଙ୍ଗ ଜନପଥେ ହେ ଶେରପା ଗୁରୁଖା ମୋଟିଆ

 

ଶୀତଳ ନଡ଼ିଆମାଳେ ଝୋଟବିଲେ, ଦ୍ରାକ୍ଷାବଣେ ଉଭା

କଲିଆରି ଖାଦାନର ଅଳନ୍ଧୁ ହେ ଶ୍ରମଜୀବୀ ଯୁବା ।

ମୁହିଁ ଘୋଷେ ତୁମ ଜୟକାର୍‌

ବିଶ୍ୱର ମାନବ ପ୍ରାଣେ ଜଗାଇଛି ଅପୂର୍ବ ଝଂକାର....

 

ତାଜର ମହଲ ଲାଗି ମାନସିଂହ ହୋଇବ ସହିଦ,

ଗୁରୁଦ୍ୱାର ଫାଟକରେ ପ୍ରହରୀ ସେ ଅବଦୁଲା ହମିଦ,

ଘାଲିବ ଗଜଲ ପାଇଁ ପ୍ରାଣଦିଏ ଖୋରଧା ପାଇକ,

ସଭିଙ୍କ ଜବାନ୍‌ ଲାଗି ଆମେ ସର୍ବେ ସାକୁଁ ସଇନିକ

ଏ ଐତିହ ଏଡ଼ିକି ନିବିଡ

ବହୁଜନ ମୁଖରିତ ବିପୁଳ ଏ ହିନ୍ଦୁସ୍ଥାନୀ ନୀଡ଼

କରିଅଛି ଭିଡ଼

ଆଦିବାସୀ ଆର୍ଯ୍ୟ ଓ ଦ୍ରାବିଡ଼

ଅଦ୍‌ଭୁତ ଏ ଅଭିନ୍ନତା ନାହିଁ ପଟାନ୍ତର

ଦକ୍ଷିଣର ଭାଷା ଯେବେ ନ ବୁଝେ ଉତ୍ତର

ପୂରୁବ ଉଦୟଗିରି ପଶ୍ଚିମରେ ଚାହିଁ

ଦେଖେ ଦୁଇ ସୀମାନ୍ତରେ କିଛି ମେଳ ନାହିଁ

ତଥାପି ଉଦିଛି ଏଥି ଆଚମ୍ୱିତ ଏକତା ସୂରୁଜ

ସେ ଆଲୋକେ ଝଲସିଛି

ଦୀପ୍ତ ମୋର ବଳିୟାର ଭୁଜ.........।।

 

କୁରୁକ୍ଷେତ୍ର ଗୟାଗଙ୍ଗା ନର୍ମଦା କାବେରୀ

ଚତୁର୍ଦ୍ଦିଗେ ଗର୍ଜେ ଏକାଭଳି ରଣଭେରୀ

ଲୁହା, ଶିସା, ତମ୍ୱା, ରୂପା ଅସୁମାରୀ ଧାତୁ

ଏକାଠି ଆଉଟା ହୋଇ ଗଢ଼ା ଏଇ ସେତୁ

ଇତିହାସ ଥକିଲାଣି ଖୋଜିୟାର ହେତୁ

ଶାନ୍ତିରେ କପୋତ ଲୟେ ଯୁଦ୍ଧେ କାଳକେତୁ ।

 

ଅଦ୍‌ଭୁତ ଏ ରାଶିର ବନ୍ଧନ

ପଞ୍ଚୁବର୍ଣ୍ଣୀ ଏ ଜାତି-ମୁରୁଜ

ତାରେ ସ୍ମରି ଟେକିଲି ମୁଁ ବଳିୟାର ଭୁଜ

ଶବ୍ଦଭେଦୀ ବ୍ୟୋମଚାରୀ ଝଡ଼ର ତନୁଜ

 

ମହାବଳ ଟ୍ୟାଙ୍କ ଯେତେ ମୃତ୍ୟୁ ସହୋଦର

ସବୁ ଏଠି ହୋଇଛି ଖାରଜ

(ଯେଣୁ) ଧାତୁ ଏଥି ଧାତବ ମିଶା

ବହୁଜାତି, ଏକକ ନିଶାଣ

ଅପୂର୍ବ ଆଶ୍ଚର୍ଯ୍ୟ

(ତେଣୁ) ୟାର ପରାଭବ ନୁହଁଇ ସମ୍ଭବ

ଦୁନିଆଁରେ ଯେତେ ଶକ୍ତି ଏହାସାଥେ ଯୁଝ....

ଅଜେୟ ଏ ବଳିୟାର ଭୁଜ ।।

 

***

 

ପ୍ରବନ୍ଧ

Unknown

ଓଡ଼ିଆ ଚରିତ ସାହିତ୍ୟରେ ଲୋକ ଉପାଦାନ

ଡକ୍ଟର ଲାବଣ୍ୟ ନାୟକ

 

ଓଡ଼ିଆ ଚରିତ ସାହିତ୍ୟରେ ଲୋକ ଉପାଦାନ ପ୍ରସଙ୍ଗ ଆଲୋଚନା କରିବାବେଳ ପ୍ରଥମେ ଚରିତ ସାହିତ୍ୟ ଓ ଲୋକ ଉପାଦାନ ସମ୍ପର୍କରେ କିଛି ସୂଚନା ଦେବା ପ୍ରାସଙ୍ଗିକ ମନେହୁଏ ।

 

ସାଧାରଣ ଅର୍ଥରେ ଜୀବନ ଚରିତ କହିଲେ ଜଣଙ୍କର ଜୀବନ କଥା ବା ଜୀବନ କାହାଣୀକୁ ବୁଝାଯାଏ । କିନ୍ତୁ ଜୀବନ କଥାକୁ ଚରିତ ସାହିତ୍ୟର ଅଭିଧାନରେ ଚିହ୍ନିତ କରିବା ପାଇଁ ହେଲେ କେବଳ ବୃତ୍ତାନ୍ତ କଥନ ଯଥେଷ୍ଟ ନୁହେଁ । ବୃତ୍ତାନ୍ତ କଥନର ସିଦ୍ଧି ନିର୍ଭର କରେ ରଚୟିତାଙ୍କର ସଂଗତିପୂର୍ଣ୍ଣ ଓ ରୁଚିକର ଭଙ୍ଗୀ ଉପରେ । ଚରିତ ନାୟକଙ୍କର ଚରିତ୍ର ଜରିଆରେ ଲେଖକଙ୍କର ଆତ୍ମପ୍ରକାଶ, ଚରିତ୍ର ସହିତ ଭାବାତ୍ମକ ସମ୍ପର୍କ ଏବଂ ଏହାର ସଂଗତିସହ କଳାତ୍ମକ ଚିତ୍ରଣ ହିଁ ବ୍ୟକ୍ତିର ଜୀବନ ବୃତ୍ତାନ୍ତକୁ ସାହିତ୍ୟଗୁଣରେ ଗୁଣୀ କରେ । ପୁନଶ୍ଚ ବ୍ୟକ୍ତି ଚରିତ୍ରର ଅକୃତ୍ରିମ ଓ ନିର୍ଗୋପନୀୟ ପ୍ରକାଶ ଉପରେ ଚରିତ ଲେଖାର ସଫଳତା ନିର୍ଭର କରେ । କଥିତ ବ୍ୟକ୍ତି ଚରିତ୍ର ସହିତ ଲେଖକଙ୍କର ଘନିଷ୍ଠତା ହିଁ ଏହାକୁ ରସବନ୍ତ କୃତିରେ ପରିଣତ କରେ । ଏପରି ବିରଳ ସୃଷ୍ଟିକୁ ବ୍ୟକ୍ତି ସଂପର୍କପୁଷ୍ଟ ଚରିତ ରଚନା ବା Personal Biography କୁହାଯାଇପାରେ । ଚରିତ ନାୟକଙ୍କର ନୀତିବାଦୀ ଓ ଆଦର୍ଶବ୍ୟକ୍ତିତ୍ୱଦ୍ୱାରା ପାଠକ ଉଦ୍‌ବୁଦ୍ଧ ହେଉଥିବାରୁ ଏହା ଚରିତ ରଚନା ପାଇଁ ଅନିବାର୍ଯ୍ୟ ବୋଲି ଅନେକ ସମାଲୋଚକ ମତବ୍ୟକ୍ତ କରଥାନ୍ତି । ମାତ୍ର ସମାଲୋଚକମାନଙ୍କ ଆଧୁନିକ ଓ ମାନବବାଦୀ ଦୃଷ୍ଟିଭଙ୍ଗୀରେ ଆଦର୍ଶ, ଅଭିଜାତ ବ୍ୟକ୍ତି ସହିତ ଅନ୍ତ୍ୟଜ ବ୍ୟକ୍ତି ମଧ୍ୟ ସମଆସନ ଦାବି କରୁଛି । ସାଧାରଣ ବ୍ୟକ୍ତିର ଜୀବନଚର୍ଯ୍ୟା ମଧ୍ୟ ଲେଖକର କଳାଶକ୍ତି ବଳରେ ଏପରି ମୂର୍ତ୍ତିମନ୍ତ ହୋଇ ଉଠେ ଯେ ତାହା ଆମର ଅନୁଭୂତି ଓ ଅଭିଜ୍ଞତାକୁ ପ୍ରସାରିତ କରେ । ତେଣୁ ସାଧାରଣ ବା ଅସାଧାରଣ ଚରିତ୍ର ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ଚରିତ ରଚନାର ବିଷୟବସ୍ତୁ ହୋଇପାରନ୍ତି । ଚରିତ ନାୟକଙ୍କର ଅନ୍ତର୍ଲୋକ-ଉନ୍ମୀଳନ ଏବଂ ସେହି ପରିପ୍ରେକ୍ଷୀରେ ସମାଜ ବା ମାନବ ଜୀବନକୁ ସ୍ପର୍ଶ କରିବାର ଶକ୍ତି ଯୋଗୁଁ ତାହା ସଫଳତା ଲାଭ କରେ । ଏପରି ଅନେକ ଜୀବନୀ, ଆତ୍ମଜୀବନୀ ଆଦି ରଚିତ ହୋଇ ଓଡ଼ିଆ ଚରିତ ସାହିତ୍ୟର ଅଭିବୃଦ୍ଧି ସାଧନ କରିଛନ୍ତି ।

 

ଚରିତ ରଚନାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଲେଖକ ଚରିତ ନାୟକଙ୍କ ସମସାମୟିକ ସମାଜ, ରାଜନୀତି, ବିଶିଷ୍ଟ ବ୍ୟକ୍ତିମାନଙ୍କ ବିଷୟ ସହିତ ଜନଶ୍ରୁତି, ଆଲୋଚ୍ୟ ଚରିତ୍ରଙ୍କର ବାଲ୍ୟସ୍ମୃତି ଓ କିଛି ରୋମାଞ୍ଚକର ଘଟଣାକୁ ସ୍ଥାନ ଦିଅନ୍ତି । ପୁନଶ୍ଚ ଶିଷ୍ଟ ଭାଷା ସହିତ ଲୋକଭାଷା ଲୋକ ଉପାଦାନର ସମନ୍ୱୟ ଘଟାଇ ରଚନାକୁ ଆହୁରି ସରସ କରିଥାନ୍ତି । ଏଇ ପରିପ୍ରେକ୍ଷୀରେ ଲୋକ ସାହିତ୍ୟର ମୌଳିକ ଉପାଦାନ ଓ ଓଡ଼ଆ ଚରିତ ସାହିତ୍ୟରେ ତାହାର ପ୍ରୟୋଗ ପ୍ରସଙ୍ଗକୁ ଆଲୋଚନାର ଅନ୍ତର୍ଭୁକ୍ତ କରାଯାଇପାରେ ।

 

ସାମନ୍ତବାଦୀ ଯୁଗରେ ସାହିତ୍ୟ କହିଲେ କେବଳ ପଣ୍ଡିତ ବା ବିଦଗ୍ଧମାନଙ୍କର ସାହିତ୍ୟକୁ ଗ୍ରହଣ କରାଯାଉଥିଲା । ଗ୍ରାମୀଣ ସାହିତ୍ୟ ତଥା ଲୋକ ସାହିତ୍ୟକୁ ଅପାଂକ୍ତେୟ କରି ରଖାଯାଇଥିଲା । ସାହିତ୍ୟ ଭାବରେ ତାକୁ କେହି ଗ୍ରହଣ କରୁନଥିଲେ । ଗ୍ରାମ୍ୟତାକୁ ସାହିତ୍ୟର ଏକ ତ୍ରୁଟି ଭାବରେ ନିର୍ଦ୍ଦେଶ କରାଯାଉଥିଲା । ବିଦଗ୍ଧ ସାହିତ୍ୟକୁ ସେତେବେଳେ ରାଜା, ଜମିଦାର, ଧନୀ ଲୋକମାନେ ଯେପରି ପୃଷ୍ଟପୋଷକତା ପ୍ରଦାନ କରୁଥିଲେ ଲୋକସାହିତ୍ୟ ଭାବରେ ସେ ଯୁଗରେ ମିଳିବା ବିଡ଼ମ୍ୱନା ଥିଲା । ତଥାପି ଲୋକସାହିତ୍ୟ ସ୍ୱକୀୟ ଜୀବନୀ ଶକ୍ତିରେ ବଞ୍ଚି ରହିଥିଲା-। ସେ ଧନୀମାନଙ୍କୁ ଖୁସି କରିବା ପାଇଁ ବରାଦୀ ସାହିତ୍ୟ ନଥିଲା କିମ୍ୱା ଜଣକ ସୃଷ୍ଟି ଅନ୍ୟନାମରେ ଭଣିତା ହେଉନଥିଲା । ନିଜେ ରଚୟିତା ନିଜର ନାଁକୁ ବଞ୍ଚାଇ ରଖିବାକୁ ମଧ୍ୟ ପ୍ରୟାସ କରୁନଥିଲା । ଲୋକସାହିତ୍ୟ ନିଜର ପରିବେଷ୍ଟନୀ ପାଇଁ ହିଁ ସୃଷ୍ଟି ହୋଇଥିଲା ଓ ଚିତ୍ତରଞ୍ଜନ ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଲୋକ ସାହିତ୍ୟ ମୁଖରୁ ମୁଖକୁ ପ୍ରସାରିତ ହେଉଥିବାରୁ ଏହାକୁ ମୌଖିକ ସାହିତ୍ୟ ବୋଲି ନିର୍ବିଚାରରେ କହିଦେବା ମଧ୍ୟ ସୀମାଚୀନ ନୁହେଁ । ତା’ହେଲେ ବିଦଗ୍ଧ ସାହିତ୍ୟିକମାନଙ୍କର ମୌଖିକ ଆଲୋଚନା ଓ ଭାଷଣ ଇତ୍ୟାଦି ମଧ୍ୟ ଲୋକ ସାହିତ୍ୟର ଅନ୍ତର୍ଭୁକ୍ତ ହୋଇଯିବ । ଅପର ପକ୍ଷରେ ଜଣେ ଗ୍ରାମ୍ୟ ସାହିତ୍ୟିକଙ୍କ ସୃଷ୍ଟିକୁ ଛପା ଅକ୍ଷରରେ ଦେଖି ତାକୁ ବିଦଗ୍ଧ ସାହିତ୍ୟ କହିପାରିବା କି ? ଅଳ୍ପ ପାଠ ପଢ଼ିଥିବା ପ୍ରସିଦ୍ଧ ଦସ୍ୟୁ ବିହାରୀ ନାୟକ ଆତ୍ମଜୀବନୀକୁ ଲେଖି ଛାପିଥିଲେ ମଧ୍ୟ ତାହାର ଅନ୍ତଃସ୍ୱର ଲୋକଧର୍ମୀ ନୁହେଁ ।

 

ବିଦଗ୍ଧ ସାହିତ୍ୟ ଯେପରି ଏକ ସାଂସ୍କୃତିକ ଭିତ୍ତିଭୂମି ଓ ଭାବ ଉପରେ ଦଣ୍ଡାୟମାନ ଲୋକସାହିତ୍ୟର ମଧ୍ୟ ସେହିପରି ଏକ ବଳିଷ୍ଠ ପୃଷ୍ଠଭୂମି ରହିଛି । ଏହାର ମଧ୍ୟ କଳ୍ପନା, ଆଦର୍ଶବାଦ, ବାସ୍ତବଧର୍ମତା, ମନସ୍ତତ୍ତ୍ୱ, ବ୍ୟକ୍ତିତ୍ୱ ଏବଂ ରୂପକ ପ୍ରତୀକ ସମ୍ୱଳିତ ନିର୍ଦ୍ଦିଷ୍ଟ ଏକ ଭାଷା ଓ ପ୍ରସାରଧର୍ମତା ରହିଛି ।

 

ଲୋକମାନଙ୍କର ସମାଜ, ଶିକ୍ଷା, ସଂସ୍କୃତି, ସଭ୍ୟତା, ଚାଲିଚଳଣି ଓ ଧର୍ମବିଶ୍ୱାସ, ସଂସ୍କାର ଇତ୍ୟାଦିକୁ ଲୋକ ସାହିତ୍ୟର ଅନ୍ତର୍ଭୁକ୍ତ କରାଯାଇପାରେ । ତେଣୁ ଯେଉଁ ସାହିତ୍ୟର ଅନ୍ତଃସ୍ୱରରେ ଲୋକଧର୍ମତା ରହିଛି ତାହା ହିଁ ଲୋକ ସାହିତ୍ୟ ଏବଂ ଏହା ଏକ ସ୍ୱତନ୍ତ୍ର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ ହୋଇଥିବାରୁ ଏହାକୁ ନିରକ୍ଷର ଓ ଅଶିକ୍ଷିତମାନଙ୍କ ରଚନା କହି ଏଡ଼ାଇ ଦେବାର ତାତ୍ପର୍ଯ୍ୟ ଆଦୌ ନାହିଁ ।

 

ଲୋକ ସାହିତ୍ୟର ମୌଖିକତା ଭାଷାକୁ ଯେପରି ସରଳ କରେ ଭାବକୁ ମଧ୍ୟ ସେହିପରି ହୃଦୟରୁ ହୃଦୟକୁ ସଞ୍ଚରି ଯିବାରେ ସାହାଯ୍ୟ କରେ । ତେଣୁ ବର୍ତ୍ତମାନ ବିଦଗ୍ଧ ସାହିତ୍ୟିକମାନେ ଲୋକ ସାହିତ୍ୟର ଭାଷା ଶୈଳୀ ଦ୍ୱାରା ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଲୋକସାହିତ୍ୟର ବିଭିନ୍ନ ଉପାଦାନକୁ ଲେଖକମାନେ ନିଜ ସୃଷ୍ଟିରେ ସ୍ଥାନ ଦେଇ ନିଜର କୃତିକୁ ଆହୁରି ସରସ ସୁନ୍ଦର କରିବାର ପ୍ରୟାସ କରୁଛନ୍ତି ।

 

ଲୋକସାହିତ୍ୟ ସମଗ୍ର ଲୋକଜୀବନ ଉପରେ ଆଧାରିତ । ଲୋକମାନେ ଅନେକ କୁସଂସ୍କାର ଦ୍ୱାରା ପ୍ରଭାବିତ ହୋଇ ଭଲମନ୍ଦ ବିଚାର ନିର୍ବିଶେଷରେ ସେସବୁକୁ ଗ୍ରହଣ କରିଥାନ୍ତି । ସହରୀ, ଶିକ୍ଷିତ, ପାଠୁଆ ଲୋକମାନେ ମଧ୍ୟ ବେଳେବେଳେ ସେପରି ଅନ୍ଧବିଶ୍ୱାସ ଆଚ୍ଛନ୍ନ ହୋଇନଥାନ୍ତି ଏପରି ନୁହେଁ । ତେବେ ଗାଁର ଳୋକମାନଙ୍କ ଆଚରଣରେ ଏହା ଅଧିକ ଲକ୍ଷ୍ୟ କରାଯାଏ । ପିଲାଟିଏ ଜନ୍ମ ହୋଇ ମରିଗଲେ ତା’ପରେ ଜନ୍ମ ହେବା ପିଲାଟିକୁ ଅପର୍ତ୍ତିଆଣି କହି ତା ନାଁ ଝାଟୁଆ, ନିମ ଇତ୍ୟାଦି ଦିଅନ୍ତି ଏବଂ ତା’ର ନାକ କାନ ମଧ୍ୟ ଫୋଡ଼ି ଦିଅନ୍ତି । ଏପରି କଲେ ଯମ ସେ ଛୁଆକୁ ଆଉ ନିଏନାହିଁ ବୋଲି ଲୋକଙ୍କର ବିଶ୍ୱାସ । ଫକିର ମୋହନଙ୍କ ବଡ଼ ଭାଇ ଜନ୍ମ ପରେ ମରିଯାଇଥିବାରୁ ତାଙ୍କ ବାମ କାନ ଫୋଡ଼ି ଦିଆଯାଇଥିବା ବିଷୟ ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ ଅଛି ।

 

ପିଲାଛୁଆ ହେଉନଥିବା ସ୍ତ୍ରୀଲୋକମାନେ ଏବେ ମଧ୍ୟ ବେଳେବେଳେ ବିଶ୍ୱାସ କରନ୍ତି ଯେ ତୀର୍ଥ ଜଳରେ ସ୍ନାନ କଲେ କିମ୍ୱା ନିର୍ଦ୍ଦିଷ୍ଟ କୌଣସି ମାଟିଗଦା ବା ଗଛକୁ ପୂଜା କଲେ ସନ୍ତାନବତୀ ହେବେ । ଚିତ୍ରିତ ମୃତ୍ତିକା ସ୍ତୂପକୁ ଜାଗୁଳେଇ ରୂପେ ପରିକଳ୍ପନା କରିବା, ବଣଦେବୀକୁ ପୂଜା କଲେ ସାପ କାମୁଡ଼ାରୁ ମୁକ୍ତ ହେବା ଇତ୍ୟାଦି ବହୁ କୁସଂସ୍କାରର ଦୃଷ୍ଟାନ୍ତ ଲୋକରତ୍ନ ଡଃ କୁଞ୍ଜବିହାରୀ ଦାଶଙ୍କ ଆତ୍ମଜୀବନୀ ‘ମୋ କାହାଣୀ’ (୧୯୭୬)ରୁ ମିଳିଥାଏ । ଯଦିଓ ଲେଖକଙ୍କର ଜଣେ ସମ୍ପର୍କୀୟ ମାମୁ ସାପ କାମୁଡ଼ାରେ ହିଁ ମରିଥିଲେ ।

 

ହଇଜା, ବସନ୍ତକୁ ଠାକୁରାଣୀ ମନେକରି ପୂଜା କରିବା ଅଭ୍ୟାସ ଏବେ ମଧ୍ୟ ସହରୀ ଲୋକଙ୍କ ମନରୁ ଦୂର ହୋଇନାହିଁ । ଲୋକମାନଙ୍କର ଏହା ଏକ ବଦ୍ଧମୂଳ ବିଶ୍ୱାସରେ ପରିଣତ ହୋଇଛି । ‘ମୋ କାହାଣୀ’ରେ ଲେଖକ କହନ୍ତି ତାଙ୍କ ମାମୁଘର ଗାଁରେ ଏକକାଳୀନ ମାମୁ ଓ ମାଉସୀ ବସନ୍ତ ଦ୍ୱାରା ଆକ୍ରାନ୍ତ ହେବାରୁ ମାଇଁ ବସନ୍ତ ରୂପକ ଠାକୁରାଣୀଙ୍କ ପାଖରେ ମାଉସୀଙ୍କୁ ପାଣି ଛଡ଼େଇ ଦେଲେ । ମାଇଁଙ୍କର ବିଶ୍ୱାସ ଏଇ ପାଣି ଛଡ଼େଇବା ଅର୍ଥାତ୍‌ ଅର୍ପଣ କରିବା ଯୋଗୁଁ ମାମୁ ରୋଗମୁକ୍ତ ହେଲେ ଓ ମାଉସୀ ମୃତ୍ୟୁବରଣ କଲେ । ପୁନଶ୍ଚ ସେଇ ଗାଁରେ ଥିବା ହଟକେଶ୍ୱର ଉଷ୍ମପ୍ରସ୍ରବଣରେସ୍ନାନ କରିବା ପରେ ସ୍ତ୍ରୀଲୋକମାନେ ଆଖିବୁଜି ପାଣିକୁ ଦରାଣ୍ଡି ଯାହା ପାଆନ୍ତି ତାକୁ ଭକ୍ଷଣ କରନ୍ତି । ଏପରି କଲେ ବନ୍ଧ୍ୟା ନାରୀ ସନ୍ତାନବତୀ ହେବାର ବିଶ୍ୱାସ ଲୋକଙ୍କର ଥିଲା । ସେମାନେ ପାଣିରୁ ଗେଣ୍ଡା କୋଚିଆ ପାଇ ତାକୁ ମଧ୍ୟ ଗିଳୁଥିବାର ଅସନା ଦୃଷ୍ଟାନ୍ତ ସବୁ ରହିଛି । (ମୋ କାହାଣୀ)

 

ଏପରି ବିଶ୍ୱାସ ଆଦିବାସୀଙ୍କ ଠାରେ ଅଧିକ ଥିବା ଲକ୍ଷ୍ୟ କରାଯାଏ । ତାଙ୍କ ସଂସ୍କୃତିରେ ବୃକ୍ଷ ପୂଜାର ବିଶିଷ୍ଟ ସ୍ଥାନ ରହିଛି । କୌଣସି କାମରେ କେହି ଗାଁ ବାହାରକୁ ଗଲେ ସେହି ବୃକ୍ଷକୁ ମନାସି କରି ଯାଆନ୍ତି । (ଭାଗବତ ଲେଙ୍କା- ‘ଭଞ୍ଜଭୂମିର କ୍ରାନ୍ତିବୀର’ (ରଘୁନାଥ ହେମ୍ୱ୍ରମଙ୍କ ଜୀବନୀ)- (୧୯୯୬) ।

 

ଶାଶୁ, ଶ୍ୱଶୁର, ଦେଢ଼ଶୁର, ମଳାଶୁର ଇତ୍ୟାଦି ମାନ୍ୟ ଲୋକମାନଙ୍କର ନାଁ ବୋହୂମାନେ ତୁଣ୍ଡରେ ଧରିଲେ ନର୍କଗାମୀ ହେବା କିମ୍ବା ପେଚା ହୋଇ ଜନ୍ମ ହେବାର କୁସଂସ୍କାରାଚ୍ଛନ୍ନ ମନୋଭାବ ଲୋକମାନଙ୍କର ରହିଛି । ଏପରି ମାନ୍ୟଗଣ୍ୟ କେତେଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସ୍ପର୍ଶ କରିବା ତ ଦୂରର କଥା ସେମାନଙ୍କ ସାମ୍‌ନାକୁ ନଆସି ଲୁଚି ରହିବା ଚଳଣି ସେମାନଙ୍କର ରହିଛି । ସମାଜ ସେବିକା ରମାଦେବୀଙ୍କ ମା’ ତାଙ୍କ ଦେଢ଼ଶୁର ଅର୍ଥାତ୍‌ ମଧୁବାବୁଙ୍କ ସହିତ ଭାଇଭଉଣୀ ପରି ଚଳୁଥିଲେ । ମଧୁବାବୁ ମଧ୍ୟ ତାଙ୍କୁ ନାଁ ଧରି ‘ପାଲି’ ବୋଲି ଡାକୁଥିଲେ । ତାଙ୍କ ମା’ ଅତି ଯତ୍ନରେ ରାନ୍ଧିବାଢ଼ି ପରଷୁଥିଲେ ଓ ମଧୁବାବୁ କହୁଥିଲେ, ‘‘ପାଲି ! ତୁ ଯଦି ଖୁସି ହେବୁ ତ ତେବେ ମୋ ପେଟ ପୂରିଲେ ମଧ୍ୟ ଗୋଟିଏ ସନ୍ଦେଶ ଖାଇବି ।’’ କିନ୍ତୁ ଅନ୍ୟ ସ୍ତ୍ରୀଲୋକମାନେ କହନ୍ତି, ଏପରି ଚଳଣି ଯୋଗୁ ସେ ମଲାପରେ ପେଚା ହୋଇ ଜନ୍ମ ହେବେ । (‘ଜୀବନ ପଥେ’ – ରମାଦେବୀଙ୍କ ଆତ୍ମଜୀବନୀ – ୧୯୮୪) । କାର୍ତ୍ତିକରେ ମଲେ ସ୍ୱର୍ଗପ୍ରାପ୍ତି (ଅର୍ଦ୍ଧଶତାବ୍ଦୀର ଅନୁଭୂତି) ପଛରୁ ଡାକିଲେ ଯାତ୍ରା ବିଫଳ (ମାଟିର ନଳିନୀ) – ଏପରି ଅନେକ କୁସଂସ୍କାରପୂର୍ଣ୍ଣ ବିଶ୍ୱାସର କଥାଚରିତ ଗ୍ରନ୍ଥରେ ଉଲ୍ଳେଖ ଅଛି ।

 

କାଳିଦାସଙ୍କଠାରୁ ଆରମ୍ଭ କରି ସାରଳା ଦାସଙ୍କ ପର୍ଯ୍ୟନ୍ତ ବହୁ ଲେଖକ ଐଶ୍ୱରିକ ଆଶୀର୍ବାଦ ପାଇ ଲେଖା ଆରମ୍ଭ କରିଥିବା ବିଷୟରେ ଜନଶ୍ରୁତି ରହିଛି । ଆଧୁନିକ ଯୁଗର କବି ଲେଖକମାନଙ୍କ ମଧ୍ୟରୁ ଅନେକ, ଏପରି ଆଶୀର୍ବାଦ ଲାଭ କରିଥିବା କଥା ନିଜେ ସ୍ୱୀକାର କରିଛନ୍ତି-। ବିନୋଦ ବିହାରୀ ବୈଷ୍ଣବ ପାଣିଙ୍କୁ ଶକ୍ତି ଦେଇଥିବା ବିଷୟ ନିଜେ କବି ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି । (ପାଣି କବିଙ୍କ ଆତ୍ମଜୀବନୀ - ୧୯୫୫) । ହଳ କରୁଥିବା ବେଳେ ଦେବୀ ସାରଳା, ସାରଳା ଦାସଙ୍କୁ କବିତ୍ୱ ପ୍ରଦାନ କରିଥିଲେ । (ଶାରଳା ଚରିତ, ମୃତ୍ୟୁଞ୍ଜୟ ରଥ -୧୯୧୧) ଯେତେବଡ଼ ଲେଖକ ହେଲେ ମଧ୍ୟ ଏମିତି ବେଳେବେଳେ ହୁଏ ଯେ ଲେଖକ ପାଦେ ବି ଆଗକୁ ଯାଇପାରନ୍ତି ନାହିଁ । ଆଲୋକର ପଥ ଦେଖାଯାଏ ନାହିଁ । ଅନ୍ଧକାର ଗୁମ୍ଫା ଭିତରେ ରହି ଦରାଣ୍ଡି ହେଉଥାନ୍ତି । ପୁଣି ସେମାନେ ହଠାତ୍‌ ଅନୁଭବ କରନ୍ତି ସତେ ଯେପରି ଅନ୍ଧକାର ଗୁମ୍ଫାର ଦ୍ୱାର ଉନ୍ମୁକ୍ତ ହୋଇଯାଉଛି । ତା’ପରେ ଆଡ଼କୁ ମାଡ଼ି ଯିବା ସହଜ ହୁଏ । ଆଧୁନିକ ଯୁଗର ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତି ଏହି ମର୍ମରେ ‘ପଥ ଓ ପୃଥିବୀ’ରେ (୧୯୮୬) ଉଲ୍ଲେଖ କରିଛନ୍ତି-। ଏହି ଅନୁଭୂତି ଲୋକ ବିଶ୍ୱାସରେ କିନ୍ତୁ ଦେବତାଙ୍କ ଆଶୀର୍ବାଦ ଭାବରେ ଗୃହୀତ ହୋଇଛି ।

 

ଭୂତ, ପ୍ରେତ, ଗୁଣି ଗାରେଡ଼ି ଲୋକ ବିଶ୍ୱାସରେ ଆସ୍ଥାନ ଜମେଇ ବସିଥାନ୍ତି । ଭୂତମାନେ କେତେବେଳେ ବ୍ରହ୍ମଦୈତ୍ୟ, କେତେବେଳେ ଷଣ୍ଢ, କେତେବେଳେ ପୁଣି କେବଳ ଗୋଟିଏ ମାଦଳ ରୂପରେ ଦେଖା ଦିଅନ୍ତି । ଫତୁରାନନ୍ଦଙ୍କ ଆତ୍ମଜୀବନୀ ‘ମୋ ଫୁଟା ଡଙ୍ଗାର କାହାଣୀ’ରୁ ଦୃଷ୍ଟାନ୍ତ ସ୍ୱରୂପ ଗୋଟିଏ ଘଟଣା ଏଠାରେ ଉଲ୍ଲେଖ କରାଯାଇପାରେ । ଗୁଣିଆମାନେ କାଳେ ଭୂତପ୍ରେତଙ୍କ ସହିତ କଥାବାର୍ତ୍ତା ହୁଅନ୍ତି । ଗୁଣିଆ ରାଉତ ବୁଢ଼ା ସମ୍ପର୍କରେ ଲେଖକ କହନ୍ତି – ‘‘ହଠାତ୍‌ ସେ (ରାଉତ) ଦେଖିଲା ବଡ଼ ଏକ କଖାରୁ ଭଳିଆ କ’ଣ ଗୋଟାଏ ତା’ରି ଆଡ଼କୁ ଗଡ଼ି ଗଡ଼ି ଆସୁଛି । ଟିକିଏ ଆଗେଇ ଯାଇଁ ରାଉତ ବୁଢ଼ା ତାକୁ ଚାହିଁଲା । ପଟ୍‌କିନା ଚିହ୍ନିଦେଲା ଯେ ସେଇଟା ଗୋଟେ ମାଦଳ ମୁଣ୍ଡା । ତାକୁ ଶୁଣାଇ କହିଦେଲା, ଆରେ ବଦ୍‌ମାସ, ଆଉ କିଏ ହୋଇଥିଲେ ସିନା ତା’ ଦୁଇଗୋଡ଼ ଭିତରେ ପଶି ପଳାଇ ଯାଇଥାନ୍ତୁ । ସିଏ ବିଚରା ଗୋଟିଏ ଝାଡ଼ା ଆଉ ଗୋଟିଏ ବାନ୍ତିରେ ସେଇଠି ଟଳି ପଡ଼ିଥାନ୍ତା । ରାଉତ ବୁଢ଼ା ଆଗରେ ଫେଚକାମି ଚଳିବ ନାହିଁ । ସେ ସଙ୍ଗେ ସଙ୍ଗେ ତା’ କୁଞ୍ଚଟା ତଳକୁ ଝୁଲାଇ ମାଟିରେ ଲଗାଇ ଦେଲା । ଆଉ ମନ୍ତ୍ରଟା ମନେ ମନେ ବୋଲିଦେଲା । ମାଦଳା ମୁଣ୍ଡା ଆଉକି ପାଖକୁ ଆସେ । ଗିଡ଼ି ଗିଡ଼ି ପଳାଇ ଯାଇ କୁଆଡ଼େ ଉଭାଇ ଗଲା ।’’(ପୃ-୫୭) ଉଦୟନାଥ ଷଡ଼ଙ୍ଗୀ ନିଜ ଅନୁଭୂତିରୁ କହନ୍ତି, ହାଣ୍ଡିଦିଆ ବରଗଛ ବାଟ ଦେଇ ଖରାବେଳଟାରେ ଆସିବାବେଳେ ତାଙ୍କୁ ଭୂତ ଲାଗିଲା । ସେ ଖାଲି ଅବାନ୍ତର କଥାଗୁଡ଼ାଏ ଗପିଲେ-। ଗୁଣିଆ ଝଡ଼ାରେ ସେ ଗଲାନାହିଁ । ଘୁଷୁରିଆ ଆସି ଧୂଆଁ ଦେଇ ଝାଡ଼ିଲା ପରେ ଭୂତ ଛାଡ଼ିଲା । (ଗାନ୍ଧି ମହାରାଜାଙ୍କ ଶିଷ୍ୟ – ପୃ ୧୫-୧୯୮୧)

 

ଆଦିବାସୀଙ୍କ ଦୃଷ୍ଟିକୋଣ ଗ୍ରାମଲୋକଙ୍କ ଦୃଷ୍ଟିକୋଣ ଠାରୁ ଆହୁରି ସୀମିତ । ତାଙ୍କର ଭୂତପ୍ରେତ, ଗୁଣିଗାରେଡ଼ି ଇତ୍ୟାଦି ଉପରେ ବିଶ୍ୱାସ ଅଧିକ । ଗ୍ରାମ୍ୟ ସଂସ୍କୃତି ଅପେକ୍ଷା ଆଦିବାସୀ ସଂସ୍କୃତିରେ କାଳିଶି ଲାଗିବା, ବଳିଦେବା ଇତ୍ୟାଦିର ଚଳଣି ଅଧିକ । ଜ୍ୟେଷ୍ଠ ମାସରେ ମାଟିପୂଜା ଓ ବିହନ ବୁଣିବା ପର୍ବରେ କଳାକାନ ଥିବା ମେଣ୍ଢା ଓ ବୋଦା ବଳି ଦିଆଯାଏ । ଦର୍ପଣ ଖଞ୍ଜା ହୋଇଥିବା କଳା ଘାଗରା ପିନ୍ଧି, ବେକରେ ମନ୍ଦାର ମାଳ ଲମ୍ୱାଇ ହାତରେ କଞ୍ଚା ଲୁହାର ମୁନିଆଁ ତ୍ରିଶୂଳ ଧରି ଝାକର ଜାନି ପୂଜା ଆରମ୍ଭ କରେ । ‘ଜାନି ବୁଢ଼ାର ଅଙ୍ଗ ପ୍ରତ୍ୟଙ୍ଗ ଥରୁଥିଲା, ଆଉ ତା’ର ସାରା ଦେହ ଦୋହଲୁଥିଲା । ତା’ ଦେହରେ ମଙ୍ଗଳା ଠାକୁରାଣୀ ବିଜେ କରିଥିଲେ । ଆଖିବୁଜି ଝୁଲି ଝୁଲି ଉପରକୁ ଡାହାଣ ହାତର ପାପୁଲି ଟେକି କହୁଥିଲା, ‘‘ଆରେ ପୂଜାରୀ............ହୁଁ ......ହୁଁ ....ତୁ ମତେ ଚିହ୍ନିଲୁନିରେ....ହୁଁ .....ହୁଁ....ବେଖାତିର କଲୁ । ମୋତେ ବୈଶାଖ ମାସରେ ଖାଇବାକୁ ଦେବାର ଥିଲା, ପିଇବାକୁ ଦେବାର ଥିଲା, ତୁ ଟାଳଟୁଳ କରି ବର୍ଷାଦିନକୁ ଆସିଲୁ, ହୁଁ.......ହୁଁ......ଏବେ ବି ତୋର ଖାତିର ନାହିଁ....ସୂର୍ଯ୍ୟ ଉଇଁବା ଆଗରୁ ମତେ ମୁକୁଟ ବାଲା ଚଢ଼େଇ ଦେବାର ଥିଲା...ହୁଁ.......ହୁଁ.....ଦେଲୁନି । ଦେଖିବୁରେ ମୋର ପ୍ରତାପ...ହୁଁ.....ହୁଁ..’’ (ଗାଁର ଡାକ – ଭୁବନେଶ୍ୱର ବେହେରା – ପୃଷ୍ଠା ୪୮ – ୧୯୯୭) । ତା’ପରେ ପୂଜାକୁ ଆସିଥିବା ଖୁସି ହେଇଗଲେ ବୋଲି ସେମାନଙ୍କର ହୃଦ୍‌ବୋଧ ହେଲାପରେ ମାଂସକଟା ହୁଏ । ଗୀତ, ବାଦ୍ୟ, ଖେଳ, ତାମସା ଓ ବଣଭୋଜିର ଧୁମ୍‌ ଚାଲେ ।

 

ଭୂତ ପ୍ରେତ ପରି ସ୍ୱପ୍ନ କଥାକୁ ଦେବଦେବୀମାନଙ୍କର ନିର୍ଦ୍ଦେଶ ବୋଲି ମନେ କରିବା ଲୋକସଂସ୍କୃତିର ଏକ ମାମୁଲି କଥା । ଫ୍ରୟେଡ଼୍‌ଙ୍କ ପରି ମନସ୍ତତ୍ତ୍ୱବିତ୍‌ମାନଙ୍କ ମତ ଅନୁସାରେ ମାନବର ଅବଚେତନ ମନର ପ୍ରତିଫଳନ ଯେ ସ୍ୱପ୍ନରେ ହୋଇଥାଏ ଏହାକୁ ବୁଝିବା ପରି ମାନସିକତା ଏମାନଙ୍କର ନଥାଏ । ଅନେକ ସମୟରେ କାକତାଳିକ ନ୍ୟାୟରେ ଘଟୁଥିବା ଦ୍ୱାରା ସେମାନଙ୍କ ମନର ବିଶ୍ୱାସ ଆହୁରି ଦୃଢ଼ୀଭୂତ ହୁଏ । ଗୋପୀନାଥ ମହାନ୍ତିଙ୍କ ଭାଉଜ ଥରେ ଦ୍ୱିପହରେ ସ୍ୱପ୍ନ ଦେଖିଲେ ଗୋଟିଏ କାଳୀ ଭୁଷୁଣ୍ଡୀ ଭୟଙ୍କର ଚେହେରାର ସ୍ତ୍ରୀ ଲୋକ ଆସି ହାତ ବଢ଼ାଇ ତାଙ୍କଠୁ ଝିଅକୁ ନେବାକୁ ମାଗୁଛି । ଝିଅଟି କିନ୍ତୁ ଭୟରେ ତାଙ୍କୁ କୁଣ୍ଡାଇ ଧରିଥାଏ । କିନ୍ତୁ ସେ ଝିଅଟିକୁ ଓଟାରି ନେଲା । ସେ ନିଦରେ ଚିତ୍କାର କରି ଉଠିପଡ଼ି ଝିଅକୁ ଖୋଜିଲେ । ଠିକ୍‌ ସେହି ସମୟରେ ଝିଅର ଧଳା ପାଣି ପରି ଝାଡ଼ା ହୋଇଯିବା ଖବର, ତାକୁ ବୁଲାଇ ନେଇଥିବା ଚାକରଟି ଆସି ଜଣାଇଲା । ବହୁ ଚେଷ୍ଟା ସତ୍ତ୍ୱେ ଦୁଇଦିନ ପରା ସେ ବିଦାୟ ନେଲା । ଯଦିଓ ଡାକ୍ତର କଲେରା ହେଲା ବୋଲି କହିଲେ ତେବେ ଏମାନଙ୍କ ମଧ୍ୟରୁ ଅନେକଙ୍କ ମନରେ ଚଣ୍ଡୀଚାମୁଣ୍ଡା ପରି ଦୁଷ୍ଟଶକ୍ତି ପିଲାକୁ ନେଇଯିବା ଧାରଣା ହୋଇଥିବ ଏବଂ ସ୍ୱପ୍ନରେ ଥିବା ସେମାନଙ୍କ ବିଶ୍ୱାସ ଆହୁରି ବଳିଷ୍ଠ ହୋଇଥିବ (ସ୍ରୋତସ୍ୱତୀ, ୨ୟ ଭାଗ-ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀ – ପୃ ୨୮୯-୯୦, ୧୯୯୯)

 

ଶିକ୍ଷାହୀନତା ଲୋକ ତଥା ଆଦିବାସୀ ସମାଜକୁ ଜ୍ଞାନ ରାଜ୍ୟଠାରୁ ବିଚ୍ଛିନ୍ନ କରିରଖିଥାଏ । ସେମାନେ ତାଙ୍କ ମନ ରାଜ୍ୟର ପଞ୍ଜୁରି ମଧ୍ୟରେ ଅନେକ ଅଜ୍ଞତାକୁ ପୋଷି ପାଳି ବଢ଼ାଇଥାନ୍ତି । ନିଜ ଅଜ୍ଞତା ସହିତ ସେମାନେ ଏତେ ନିବିଡ଼ ଭାବରେ ଜଡ଼ିତ ଯେ ଅନ୍ୟ କେହି ଆଲୋକର ପଥ ଦେଖାଇଲେ ମଧ୍ୟ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଡଃ କୁଞ୍ଜବିହାରୀ ଦାଶଙ୍କ ଜେଜେମା (ସୁନା ମା) କହନ୍ତି ଆଗକାଳରେ ଧାନ ଗଛରେ ଚାଉଳ, କପା ଗଛରେ ଲୁଗା ଫଳୁଥିଲା । ପାପର ଭାର ବଢ଼ିବାରୁ ଏବେ ଆଉ ତାହା ହେଉନାହିଁ । (ମୋ କାହାଣୀ)

 

ମାଟିବଂଶ ଅବଧାନ ଓଝାମାନେ ଖଡ଼ି ପାଠରେ ଏତେ ଟାଣ ଯେ, ଲୀଳାବତୀ ସୂତ୍ରଦ୍ୱାରା ଗଛର ପତ୍ର ଓ ଉଡ଼ୁଥିବା ପକ୍ଷୀର ପର ଗଣି ଦେଇପାରନ୍ତି ବୋଲି ଲୋକମାନଙ୍କର ଅଟଳ ବିଶ୍ୱାସ-। (ଫ.ମୋ.ଆ.ଚ.) ମୁଁ ପଚାରେ ଗୋଟିଏ ଗଛ ବା ପକ୍ଷୀକୁ ଆଣି, ପତ୍ର ବା ପର ଗଣି ତାହାର ସତ୍ୟାସତ୍ୟ କେହି ପରୀକ୍ଷା କରନ୍ତି କି ?

 

ବର୍ତ୍ତମାନ ସମୟରେ ସହରୀ ଓ ଗ୍ରାମ୍ୟ ସଂସ୍କୃତି ମଧ୍ୟରେ ଥିବା ପାର୍ଥକ୍ୟର ସୀମାରେଖା ସଂକୁଚିତ ହୋଇଗଲାଣି । ବିଜ୍ଞାନ ଅର୍ପିତ ବିଜୁଳି ଆଲୋକ ଉଭୟଙ୍କ ଜୀବନ ଧାରଣ ପଦ୍ଧତି ଓ ଚଳଣିକୁ ଏକା ପରି କରିଦେଲାଣି । ଶହେବର୍ଷ ତଳେ ଲୋକମାନଙ୍କ ପାଇଁ ଇଂରାଜୀ ସ୍କୁଲଟିଏ ନଥିଲା । ଚାଟଶାଳୀରେ ଅବଧାନଙ୍କ ପାଖରେ ଗ୍ରାମ୍ୟ ଲୋକଙ୍କ ପିଲାମାନେ ପାଠ ପଢ଼ୁଥିଲେ । ପାଠପଢ଼ା ରୀତି ମଧ୍ୟ ଥିଲା ପୃଥକ । ଚାଟଶାଳୀକୁ ଯିବାରେ ବିଳମ୍ୱ ହେଲେ ଛାତ୍ରମାନଙ୍କୁ ଶୂନଚାଟି ଶାସ୍ତି ଦିଆଯାଉଥିଲା । ଅନ୍ୟାନ୍ୟ ଶାସ୍ତିର ସ୍ୱରୂପ ଥିଲା ବେତ୍ରାଘାତ । ଏକଗୋଡ଼ିଆ ଠିଆ, ମଢ଼ୁଆଶାଙ୍କୋଳ (ତାଳପତ୍ର ଶିରାରେ ତିଆରି ଫାଶରେ ଅବାଧ୍ୟ ପିଲାଙ୍କ ପାଦ ଓ ବେକକୁ ବାନ୍ଧି ଦଣ୍ଡ ଦେବା) ନାକବାକ ଧରିବା, ଆଣ୍ଠୁଗୋପାଳ, ଚୌକି ବସିବା ଇତ୍ୟାଦି । (ମୋ.କା. ଏବଂ ଫ.ଆ.ଚ.) ସବୁଠାରୁ ମଜାକଥା ହେଉଛି, ଅବଧାନମାନେ ଘର ଘର ବୁଲି ପିଲାଙ୍କୁ ଡାକିନିଅନ୍ତି । ଅବଧାନଙ୍କୁ ଘରେ ଦେଖିଲେ କିମ୍ୱା ଚାଟଶାଳୀରେ ଶାସ୍ତି ପାଇବା ଆରମ୍ଭ ହେଲେ ପିଲାମାନେ ଆସି ରୋଷେଇ ଘରେ ଭାତହାଣ୍ଡିକୁ ଧରି ବସିଯାଆନ୍ତି । ଉଦ୍ଦେଶ୍ୟ ଅବଧାନେ ରୋଷେଇ ଘରେ ପଶି ଭାତହାଣ୍ଡି ଧରିଥିବା ଛାତ୍ରକୁ ନେଇପାରିବେ ନାହିଁ । ଅବଧାନେ ତ ଛାଡ଼ିବା ଲୋକ ନୁହନ୍ତି । ସାଙ୍ଗରେ ଗୋଟାଏ ଦୁଇଟା ପିଲାଥାଆନ୍ତି । ତାଙ୍କୁ ଆଦେଶ ଦିଅନ୍ତି ଲଙ୍ଗଳା ହୋଇ ସେ ପିଲାକୁ ଟାଣିଆଣିବା ପାଇଁ । ଗ୍ରାମ୍ୟ ସଂସ୍କୃତିରେ ଲୁଗା ହେଉଛି ସବୁ ଅଛୁଆଁର ମୂଳ । ଲୁଗା ଦେହରେ ନଥିଲେ ଅଛୁଆଁ ବ୍ୟାଧି ଆଉ ସେମାନଙ୍କୁ ଗ୍ରାସ କରେନାହିଁ କି ହାଣ୍ଡି ମାରାହୁଏ ନାହିଁ ।

 

ଗାଁର ଦୃଶ୍ୟ, ଗାଁର ପର୍ବପର୍ବାଣୀ, ସେମାନଙ୍କ ବେଶଭୂଷା, ଯାନିଯାତ୍ରା ଇତ୍ୟାଦି ହେଉଛି ଲୋକ ସାହିତ୍ୟର ଉପାଦାନ । ଲୋକ ସଂସ୍କୃତି ପ୍ରତି ଆଗ୍ରହୀ ଲେଖକମାନେ ସେମାନଙ୍କ ଗ୍ରନ୍ଥରେ ସେସବୁ ସ୍ଥାନ ଦେଇଛନ୍ତି । ଗାଁ ଖଳାର ଦୃଶ୍ୟ, କଖାରୁ, ଜହ୍ନି, କାକୁଡ଼ି ଲଟା, ବହୁ ପ୍ରକାର ଟୁଣୁକା ଓଷଦ ଥିବା ବୈଦ୍ୟର ପୁଟୁଳି, ଶିକାରେ ଟଙ୍ଗା ହୋଇଥିବା କଖାରୁ, ଏମିତି କେବେ କେତେ ଦୃଶ୍ୟ, ଷଠୀଓଷା, ଦୁତିଆ ଓଷା, ବାଟ ଓଷା ଓ ଚଇତି ଘୋଡ଼ାନାଚ, ଦୋଳ ଦଶରା ଯାତ୍ରା ଇତ୍ୟାଦିର ବର୍ଣ୍ଣନା ରହିଛି ଚରିତ ଗ୍ରନ୍ଥଗୁଡ଼ିକରେ (ମୋ କାହାଣୀ) । ଏପରି ଦୃଶ୍ୟ ‘ଅଙ୍ଗେ ଯାହା ଲିଭାଇଛି’ ପରି ଆହୁରି ଅନେକ ଚରିତ ଗ୍ରନ୍ଥରେ ମଧ୍ୟ ଦେଖିବାକୁ ମିଳେ ।

 

ଚରିତ ସାହିତ୍ୟ କହିଲେ କେବଳ ଜୀବନୀ ବା ଆତ୍ମଜୀବନକୁ ବୁଝାଏ ନାହିଁ । ଚରିତ ନାୟକଙ୍କର ସ୍ମୃତିଚିତ୍ର, ତାଙ୍କର ଚିଠିପତ୍ର ଓ ଦିନଲିପି (ଡାଏରୀ)କୁ ମଧ୍ୟ ଏହାର ଅଙ୍ଗୀକୃତ କରାଯାଇଥାଏ । କାନ୍ତକବିଙ୍କୁ ସ୍ମୃତିରଚନା, ଶୈଶବ ସ୍ମୃତି, ବାଲ୍ୟସ୍ମୃତି, କୈଶୋର ସ୍ମୃତି, ଯୌବନ ପଥେ, ନବବସନ୍ତର ସମ୍ଭାଷଣ, ମଙ୍ଗଳ ମହୁରୀରେ ନଈକୂଳ, ବାଲିଘର, ତୋଟାମାଳ, ଗାଁ ମନ୍ଦିର, ଗାଁ ପ୍ରକୃତିର ବର୍ଣ୍ଣନାରୁ ଲେଖକଙ୍କ ପ୍ରକୃତି ପ୍ରୀତି ସହିତ ଲୋକ ସଂସ୍କୃତି ପ୍ରତିଥିବା ମମତ୍ୱବୋଧର ପ୍ରମାଣ ମିଳିଥାଏ ।

 

ବର୍ତ୍ତମାନର ସହରୀ ସଭ୍ୟତା ସହିତ ଅତୀତର ଲୋକ ସଂସ୍କୃତିକୁ ତୁଳନା କଲେ ସେମାନଙ୍କ ବେଶ ପୋଷାକର ଯଥେଷ୍ଟ ପାର୍ଥକ୍ୟ ଆଖିରେ ପଡ଼େ । ଗାଁର ସ୍ତ୍ରୀ ଲୋକମାନଙ୍କ ଦେହରେ ଅଳଙ୍କାରର ସାଜସଜ୍ଜା ଏହିପରି ଥିଲା । ‘ନାକରେ ପିଲାଙ୍କ ଶଗଡ଼ ଚକ ପରି ନୋଥ, କନିଅର କଢ଼ି ପରି ଲମ୍ୱା ଗୁଣା, କାନରେ ନାହୁଲ, ବେକରେ ସୁନାରୂପା ମିଶା ଛେଚା କଣ୍ଠି ଓ ମହୁଡ଼, ହାତରେ ତାଡ଼, ବିଦ, ବଟଫଳ, ରସୁଣିଆ ମାଳ, ଅମୃତ ପାଣି ଲାଲ କାଚ, ଅଣ୍ଟାରେ ତିନିସରିଆ ଅଣ୍ଟାସୂତା, ଗୋଡ଼ରେ ଖଡ଼ୁ, ପିନ୍ଧା ପେଡ଼ି ଲୁଗା ଖଣ୍ଡିଏ ଛିଟ ।’’ (ମୋ କାହାଣୀ) ଲେଖକ ତାଙ୍କ ବୋଉଙ୍କର ଗହଣା, ଶାଢ଼ୀର ଯେଉଁ ବର୍ଣ୍ଣନା ଦେଇଛନ୍ତି ତାହା ସମଗ୍ର ଓଡ଼ିଆ ଗ୍ରାମ୍ୟ ନାରୀଙ୍କ ବେଶ ପୋଷାକର ପରିଚୟ ଦିଏ । ଶୈଳୀର ମାଧୁର୍ଯ୍ୟ ହିଁ ଲୋକ ସାହିତ୍ୟକୁ ପ୍ରସାରଣଶୀଳ କରେ । ତା’ ନହେଲେ ପଲ୍ଲୀ ବିଷୟକ ଯେ କୌଣସି ରଚନାକୁ ଲୋକସାହିତ୍ୟ ଭାବରେ ଗ୍ରହଣ କରାଯାଇପାରନ୍ତା । ଏହା ଉପଲବ୍ଧି କରି ବିଦଗ୍ଧ ସାହିତ୍ୟିକମାନେ ମଧ୍ୟ ଯେପରି ଶୈଳି ଅବଲମ୍ୱନ କରୁଥିବା ଳକ୍ଷ୍ୟ କରାଯାଏ । ଏହାର ଏକ ଦୃଷ୍ଟାନ୍ତ ଏଠାରେ ଗ୍ରହଣୀୟ । ଚାଟଶାଳୀରେ ପାଠ ଆରମ୍ଭ ବେଳେ ଏବଂ ଗୋଟିଏ ପାଠ ସାରି ଆଉ ଗୋଟିଏ ନୂଆ ପାଠ ଶିଖିବା ବେଳେ ପୂଜା ଦେବାର ପଦ୍ଧତି ପ୍ରଚଳନ ଥିଲା । ଅବଧାନମାନେ କିପରି ଚାଟଙ୍କୁ ଶୋଷଣ କରୁଥିଲେ ତାହା ଲକ୍ଷ୍ୟ କରିବାର ବିଷୟ । ‘ପୂଜା ଥାଳିରେ ଥାଏ ଚାଉଳ’ ଗୋଟିଏ ପଇସା, ଗୋଟିଏ ଗୁଆ, ଫୁଲଚନ୍ଦନ, ସିନ୍ଦୂର, ଦୂବ, ବରକୋଳି ପତ୍ର, ଠୋଲାଏ ପଞ୍ଚୁବର୍ଣ୍ଣୀ ଭୋଗ ଏବଂ ଖଣ୍ଡେ ଦୁଇଖଣ୍ଡ ପାନ । ଅବଧାନେ ପୂଜା କରି ନୂଆ ପାଠ ଲେଖିଦିଅନ୍ତି । ସମସ୍ତ ପଦାର୍ଥ ଅବଧାନଙ୍କର । କେବଳ ଭୋଗ ପୋଟଳାଟି ଶିଷ୍ୟମାନଙ୍କ ମଧ୍ୟରେ ବଣ୍ଟିତ ହୁଏ । ଅବଧାନେ ଅର୍ଦ୍ଧାଂଶ ମାତ୍ର ଗ୍ରହଣ କରନ୍ତି । ତାହା ସୁଦ୍ଧା ସର୍ବତ୍ର ନୁହେଁ । କୌଣସି କୌଣସି ଶିଷ୍ୟବତ୍ସଳ ଗୁରୁ ନିଜେ ସମସ୍ତ ଶିଷ୍ୟର ପ୍ରତିନିଧି ହୋଇ ଠୋଲାଟି ଯାକ ଉଦରସାତ କରନ୍ତି ।’’ (ଜୀବନ ପଞ୍ଜିକା-ଚିନ୍ତାମଣି ମହାନ୍ତିଙ୍କ ଆତ୍ମଜୀବନୀ – ପୃ ୬.୧୯୭୦) । ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ସହିତ ସହଜ ସରଳ ପ୍ରକାଶଭଙ୍ଗୀ ବର୍ଣ୍ଣିତ ବିଷୟକୁ ରସଗର୍ଭକ କରିବାରେ ସମର୍ଥ ହୋଇଛି । ଏହି ପ୍ରକାର ଶୈଳୀ ଲୋକ ସାହିତ୍ୟକୁ ବିଦଗ୍ଧ ସାହିତ୍ୟ ଠାରୁ ପୃଥକ ଭାବରେ ଚିହ୍ନାଇ ଦିଏ । ଏପରି ବର୍ଣ୍ଣନା ଆମ ଚରିତ ରଚନାରେ ଅପ୍ରତୁଳ ନୁହେଁ । ‘ଗାଁର ଡାକ’ରେ ଗାଁ ମହାଜନ, ଫକିର ମୋହନଙ୍କ ‘ଆତ୍ମ ଜୀବନ ଚରିତ’ରେ ଅବଧାନ ଓ ‘ଅଙ୍ଗେ ଯାହା ଲିଭାଇଛି’ରେ କାଚରା ଓ ପାଟରାଙ୍କ ପରିଧାନ, ପାଠକଙ୍କ ମନରେ ନିର୍ଦ୍ଦିଷ୍ଟ ଏକ ଚିତ୍ର ଆଙ୍କିଦିଏ । କାଚରାର ବେଶ ଏହିପରି । ‘ମୁଣ୍ଡରେ ଚୁଟି, କାନରେ ସୁନା ନୋଳି, ନାକ ତଳେ ନିଶ, ବାହାରେ ରୂପା ଅନନ୍ତ, ହାତରେ ଛେଚା ଖଡ଼ୁ । କାନ୍ଧରେ ଖଣ୍ଡେ ଚିକ୍କଣ ବାହୁଙ୍ଗୀ, ଦି’ ପଟେ ଝୁଲୁଥାଏ ଦୁଇଟି ଟୋକେଇ ଭର୍ତ୍ତି ନାନାରଙ୍ଗର ଆଖି ଝଲସା କାଚର ବୋଝ’’ । କାଳିଚରଣ ପଟ୍ଟନାୟକ ଓ ବୈଷ୍ଣବ ପାଣି ଯାତ୍ରାଭିନୟ ଉଦ୍ଦେଶ୍ୟରେ ଗାଁ ଗାଁ ବୁଲୁଥିଲେ । ଡଃ କୁଞ୍ଜବିହାରୀ ଦାଶ ମଧ୍ୟ ଲୋକ କାହାଣୀ ଓ ଗୀତ ସଂଗ୍ରହ କରିବା ସମୟରେ ଲୋକ ଚରିତ୍ର ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ । ତେଣୁ ସେମାନଙ୍କ ଲେଖାର ଶୈଳୀ ଅନେକ ସ୍ଥଳରେ ଲୋକଧର୍ମୀ । ଓଡ଼ଗାଁ ଯିବା ବାଟରେ ବୈଷ୍ଣବ ପାଣି ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ତାହାକୁ ସେ ଯାତ୍ରା ଶେଷ ଦିନରେ ରାଜାଙ୍କୁ ପଦ୍ୟାକାରରେ ଶୁଣାଇଥିଲେ ।

 

‘ନୂଆଗଡ଼କୁ ଆସି ହେଲି କୁଆବୁଆ’

ଜଟଣୀ ଠାରୁ ଛାଡ଼ି ଆସିଲି ରେଳଗାଡ଼ି, ତହୁଁ ପଡ଼ିଲା ଚୁଡ଼ା ପାଣିପିଆ ।

ଖୋରଧା ବାଘମାରୀ ଯହିଁ ହୋଇଲି ପାରି ରହିଲି ଯାଇ ପିଚୁକୁଳି ଗାଆଁ ।

ରାତ୍ରକୁ ଖାଇ ମୁଢ଼ି ସେଠାରେ ଗଲୁ ପଡ଼ି ଚୋର ଦେଖି ଉଠିଲେ ଶଗଡ଼ିଆ

ଅଭିନା ଚପରାଶି ଅଟେ ଏମନ୍ତ ଦୋଷୀ ନଦେଲା ଖଣ୍ଡେ ଗାଡ଼ି ମଲେଛୁଆ

ବୋଲଗଡ଼ରେ ଏକା ମହାରାଜାଙ୍କ ଦେଖା, କରି ଛୁଟିଲୁ ଆମ୍ଭେ ଖରାମୁହାଁ ।

(ପାଣିକବିଙ୍କ ଆତ୍ମକାହାଣୀ – ପୃ ୧୪ – ୧୯୫୫)

 

ଏପରି କବିତା ଶୁଣି ରାଜା ପାଣିକବିଙ୍କ ଉପରେ କ୍ରୋଧାନ୍ୱିତ ହେବା ସ୍ୱାଭାବିକ । କିନ୍ତୁ ରାଜା କବିଙ୍କ ଭାଷା ଶୈଳୀରେ ସନ୍ତୁଷ୍ଟ ଥିବାରୁ ଆଣିବାକୁ ଯାଇଥିବା ଲୋକପ୍ରତି ରୁଷ୍ଟ ହୋଇ ୫ଟଙ୍କା ଜୋରିମାନା ଓ ୧୫ ଦିନ ସସ୍‌ପେଣ୍ଡ କରିଥିଲେ । ଅବଶ୍ୟ ପରେ କବିଙ୍କ ଅନୁରୋଧରେ ରାଜା ତାକୁ ଦଣ୍ଡରୁ ମୁକ୍ତ କରିଥିଲେ । ଅଳ୍ପ ଶିକ୍ଷିତ କିମ୍ୱା ଲେଖାପଢ଼ାରେ ପାରଙ୍ଗମ ହୋଇ ନଥିବା ହେତୁ ଲୋକ ସାହିତ୍ୟର ଲେଖକମାନଙ୍କ ଲେଖାରେ ବ୍ୟାକରଣ ତ୍ରୁଟି ରହିଥାଏ ବୋଲି ମନେକରିବା ଉଚିତ ନୁହେଁ । ଏପରିକି ଅପାଠୁଆ ବ୍ୟକ୍ତିଙ୍କ ରଚନା ପୂରାପୂରି ମୌଖିକ ହେଲେ ବି ସେଥିରେ ମଧ୍ୟ ବ୍ୟାକରଣ ଦୋଷ ନଥାଏ । ଉପମା, ରୂପକ, ଯମକ, ଅନୁପ୍ରାସ ଇତ୍ୟାଦି ଅଳଙ୍କାରର ସଂଯୋଜନା, ସରଳ ବାକ୍ୟ ଓ ସୁବୋଧ୍ୟ ଶବ୍ଦ ପ୍ରୟୋଗ ଯୋଗୁଁ ତାହା ସାହିତ୍ୟର ନାନ୍ଦନିକ ଗୁଣର ମଧ୍ୟ ଅଧିକାରୀ ହୋଇଥାଏ ।

 

ଲୋକସାହିତ୍ୟର ନାନ୍ଦନିକତା ରକ୍ଷା କରିବା ଦିଗରେ ଲୋକ ପ୍ରଚଳିତ ଢଗଢମାଳି, ଡାକବଚନ, କାନ୍ଦଣା ଇତ୍ୟାଦିରେ ମଧ୍ୟ ପ୍ରୟୋଗ ହୋଇଥାଏ । କାରଣ ଓଡ଼ିଶାର ଲୋକସଂସ୍କୃତିରେ ଢଗଢମାଳିର ପ୍ରୟୋଗ ଅପ୍ରତୁଳ ନୁହେଁ । ଢଗଢମାଳିଗୁଡ଼ିକର ବ୍ୟଞ୍ଜନାତ୍ମକ ଅର୍ଥ ସହିତ ଲେଖକଙ୍କ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀର ପରିପ୍ରକାଶ ଘଟୁଥିବାରୁ ତାହା ସୃଷ୍ଟିକୁ ରସଗର୍ଭକ କରିଥାଏ । ତେଣୁ ବିଦଗ୍ଧ ସାହିତ୍ୟିକମାନେ ମଧ୍ୟ ଢଗଢମାଳିର ଉପାଦେୟତା ଅନୁଭବ କରି ନିଜ ସୃଷ୍ଟିରେ ତାହାକୁ ପ୍ରୟୋଗ କରିଛନ୍ତି । ନୀଳମଣି ରାଉତରାୟଙ୍କ ଆତ୍ମ ଜୀବନୀ ସ୍ମୃତି ଓ ଅନୁଭୂତି’’ (୧୯୮୬)ରେ ଖାଣ୍ଟି ଓଡ଼ିଆ ଢଗ ଅନୁସାରେ ଗୋଟିଏ ଗୋଟିଏ ପରିଚ୍ଛେଦର ନାମକରଣ କରିଛନ୍ତି । ଯେପରି ‘ପେଟରେ ଭୋଗ ମୁହଁରେ ଲାଜ’, ‘ଅଣ୍ଟି ଛୁରୀ ତଣ୍ଟିରେ’, ‘ବୁଝିବାକୁ ଖମ୍ୱ ଆଳୁ’, ଇତ୍ୟାଦି । ବିଭିନ୍ନ ପୁରାଣ, ଲୋକକଥା ଓ କବିଙ୍କ ଲେଖାର ବହୁ ପ୍ରଚଳିତ ଉକ୍ତିକୁ ମଧ୍ୟ ନେଇ ପରିଚ୍ଛେଦର ନାମକରଣ କରାଯାଇଛି ‘ଝିମିଟି ଖେଳରୁ ମହାଭାରତ’, ‘ମୂଳୁ ମାଇଲେ ଯିବ ସରି’, ‘ଜନେ ହସିବେ ତହୁଁ ଏହି ଫଳ’ ଇତ୍ୟାଦିକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ କେବଳ ନାମକରଣ ନୁହେଁ, କଥା ପ୍ରସଙ୍ଗରେ ମଧ୍ୟ ବହୁ ବିଦଗ୍ଧ ଲେଖକ ଏହା ପ୍ରୟୋଗ କରିଥିବା ଲକ୍ଷ୍ୟ କରାଯାଏ । ‘ଆଗ ମାଇପକୁ ଚଅଡ଼ ଚାପଡ଼ ପଛ ମାଇପକୁ ସାବଧାନ’ (ମୋ, କା) ‘ବିରାଡ଼ି କପାଳକୁ ଶିକା ଛିଣ୍ଡିବା’ (ମାଟିର ନନ୍ଦିନୀ), ‘ନେଡ଼ିଗୁଡ଼ କହୁଣୀକୁ ବୋହିଯିବା’ (ଅଙ୍ଗେ ଯାହା ଲିଭାଇଛି), ‘ଘଇତା ପଛକେ ମରୁ ସଉତୁଣୀ ରାଣ୍ଡ ହେଉ’ (ଆରବ ସାଗରରୁ ଚିଲିକା ହରେକୃଷ୍ଣ ମହତାବ - ୧୯୮୭) ଇତ୍ୟାଦି ତାହାର ଉଦାହରଣ । ଗାଁ ସ୍ତ୍ରୀଲୋକମାନଙ୍କ କାର୍ତ୍ତିକ ମାସରେ ଗାଆନ୍ତି, ‘ଭାତ ହେଲେ ନକେଇ ଦହି ଦେଇ ଖାଇବା, ମହାକାର୍ତ୍ତିକ ସରି ଯାଉଛି ଆଉ କାହୁଁ ପାଇବା ।’ (କସ୍ତୁରୀ ମୃଗ ସମ – ମ. ମୋ. ଚୌଧୁରୀ - ୧୯୯୫) । ଗାଁର ପିଲାମାନେ ବଗ ଉଡ଼ିଗଲେ ଗୀତ ଗାଆନ୍ତି ‘‘ବଁଗୁଲ ବଁଗୁଲ ଦାଁ ଦେ, ମେ ନଖରେ ପାଁ ଦେ’’ (ଗାଁର ଡାକ) ଖୋଜି ବସିଲେ ଭୂରି ଭୂରି ଉଦାହରଣର ଅଭାବ ରହିବ ନାହିଁ । ଗାଁ ଲୋକଙ୍କର ନାଁ ସାଧାରଣତଃ ବୁରୁନ୍ଦା, ସଦେଇ, ଉଚ୍ଛବା ଏବଂ ପଶ୍ଚିମାଞ୍ଚଳର ଗାଁ ଲୋକ ଓ ଆଦିବାସୀମାନଙ୍କର ନାଁ ପ୍ରାୟ ଧୁସା, ମଙ୍ଗୁଳୁ, ସୋମବାରୁ ହୋଇଥିବା ଲକ୍ଷ୍ୟ କରାଯାଏ । ଗ୍ରାମୀଣ ଭାଷା ଓ ଶବ୍ଦ ସଂଯୋଜନାରେ ସ୍ୱାତନ୍ତ୍ର୍ୟ ଥିବା ଲକ୍ଷ୍ୟ କରାଯାଏ । ମାତ୍ର ସହରୀ ସଭ୍ୟତାର ସ୍ୱର୍ଶରେ କ୍ରମେ ତାହାର ବ୍ୟବହାର ହ୍ରାସ ପାଇଲାଣି । ସନ୍ଦେହ ହୁଏ କିଛି ବର୍ଷ ପରେ ତାହା ଅଚଳ ମୁଦ୍ରାର ଦଶା ଭୋଗିପାରେ । ଆଗାମୀ ପୀଢ଼ିର ଲୋକଙ୍କ ପାଇଁ ଏଗୁଡ଼ିକ ଦୁର୍ବୋଧ ହୋଇ ରହିଯିବ । କେତେଗୁଡ଼ିଏ ଗ୍ରାମୀଣ ଶବ୍ଦର ଉଦାହରଣରୁ ବୁଝିହେବ ଯେ ଏଗୁଡ଼ିକ ଆମଠାରୁ କେତେ ଦୂରକୁ ଚାଲିଗଲେଣି । ଦୋରସ୍ତ (ଅଭ୍ୟସ୍ତ) କଣିବାଡ଼ (ବାଉଁଶର ସରୁ ଡାଳରେ ତିଆରି ବାଡ଼), ଆଡ଼ତି (ଘର ପାଇଟି), ଗୋରୁ ମୁହାଁଇବା (ଗୋରୁଙ୍କୁ ଖୁଆଇବା) କୋଡ଼ମଇ ପେଟ (ଡୋଲି ପରି ବଡ଼ ପେଟ), କୋତେଇ ନ ଥାଏ, (ହିସାବ ନଥାଏ) ଇତ୍ୟାଦି ବହୁ ଶବ୍ଦ ଦୃଷ୍ଟିକୁ ଆସେ । କଇଁଚ ପିଠିଆ ଜମି ବା ପିହାଣିଆ ଜମି, ପାହି ପଡ଼ିଆ, ଗଳିଆ ପଡ଼ିବା ବା ଗଳିଆ ବୁଜିବା ଏବଂ ଚାଷ ଉପଯୋଗୀ ଉପକରଣ ଓ ଚାଷ ସମ୍ୱନ୍ଧୀୟ ବହୁ ଶବ୍ଦ ଯାହା ଗାଁ ଲୋକଙ୍କ ଦ୍ୱାରା ବହୁଳ ପ୍ରୟୋଗ ହୁଏ । ସେଗୁଡ଼ିକ ସହରୀ ଶିକ୍ଷିତମାନଙ୍କ ‘ସୀମା ସ୍ପର୍ଶ କରି ପାରନ୍ତି ନାହିଁ । କିନ୍ତୁ ଡକ୍ଟର ଦାଶଙ୍କ ପରି ବହୁ ଶିକ୍ଷିତ ଚରିତକାର ଏପରି ଶବ୍ଦ ପ୍ରୟୋଗ କରି ଲୋକ ଭାଷାକୁ ସଜୀବ ରଖି ପାରିଛନ୍ତି । ଚିତ୍ତରଞ୍ଜନ ଦାସଙ୍କ ‘ଜୀବନ ବିଦ୍ୟାଳୟ’ ଓ ‘ରୋହିତର ଡାଏରୀ’ରେ ବାସି ହେବା, ମାଦଳ ଏବଂ କୋଚେଇ (ଗା.ମ. ଶିଷ୍ୟରେ) ପରି ବହୁ ଶବ୍ଦ ଅନ୍ୟାନ୍ୟ ଅନେକ ଚରିତରେ ଦେଖିବାକୁ ମିଳେ ।

 

ଚିଠି ପତ୍ରଗୁଡ଼ିକର ଭାଷା, ଶୈଳୀ ଲୋକଧର୍ମୀ ହେବା ଅଧିକ ସ୍ୱାଭାବିକ । କାରଣ ଲେଖକ ଚିଠି ଲେଖିବାବେଳେ ନିଜକୁ ଜଣେ ସାହିତ୍ୟିକ ମନେ କରି ସଚେତନ ଭାବରେ ଚିଠି ଲେଖେ ନାହିଁ । ଚିଠିର ଭାଷା ସାଧାରଣତଃ ମୌଖିକ ଭାଷା ହୋଇଥାଏ । ଅଳ୍ପ ଶିକ୍ଷିତ ଓ ବିଦଗ୍ଧ ଲେଖକଙ୍କ ମୌଖିକ ଭାଷାରେ ପାର୍ଥକ୍ୟ କିଛି ରହିଥିଲେ ହେଁ ତାହା ମୁଖ୍ୟତଃ ମୌଖିକ ହୋଇଥାଏ-। ତେଣୁ ସେଥିରେ ଲୋକ ଉପାଦାନ ମିଳିବା ସ୍ୱାଭାବିକ । ‘ପତ୍ରଭାରତୀ’ (ସଂ. ଅସିତ କବି - ୧୯୬୪), ‘କବିଲିପି’ (ସଂ-ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ - ୧୯୫୭) । ‘ଡେନ୍‌ମାର୍କ ଚିଠି’ ଲେଖକ –ଚିତ୍ତରଞ୍ଜନ – ୧୯୫୬ କୁ ଏହି ପର୍ଯ୍ୟାୟଭୁକ୍ତ କରାଯାଇ ପାରେ ।

 

ଅନେକଙ୍କ ମନେ କରନ୍ତି ଲୋକସାହିତ୍ୟ ଫସିଲ ହୋଇଗଲାଣି । ଏବେ ଆଉ ତାହା ରଚିତ ହେଉ ନାହିଁ ବା ହେବା ସମ୍ଭବ ନୁହେଁ । କିନ୍ତୁ ଏପରି ଧାରଣା ପ୍ରମାଦମୁକ୍ତ ନୁହେଁ । ଅତୀତରେ ବହୁ ବିଦଗ୍ଧ ସାହିତ୍ୟିକ ଲୋକଧର୍ମୀ ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି । ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’, ‘ସୁଆଙ୍ଗ’, ବିଶ୍ୱନାଥ ଖୁଣ୍ଟିଆଙ୍କ ‘ରାମାୟଣ’, ବ୍ରଜନାଥ ବଡ଼ଜେନାଙ୍କ ‘ଗୋପୀ ବୋଲି’ ଇତ୍ୟାଦିକୁ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଲୋକସାହିତ୍ୟ ନ କହି ଲୋକପ୍ରିୟ ସାହିତ୍ୟ ବା ନକଲି ଲୋକ ସାହିତ୍ୟ (Fakelone) କୁହାଯାଏ ବୋଲି ମନ୍ତବ୍ୟ ଦେଇଛନ୍ତି । ତେଣୁ ଯାହା କେବଳ ମୌଖିକ ସୃଷ୍ଟି ହୁଏ ବା ଯାହା ଲୋକମାନଙ୍କ ଦ୍ୱାରା ରଚିତ ତାହାକୁ କେବଳ ଲୋକସାହିତ୍ୟ କହିବା ସମୀଚୀନ ନୁହେଁ । ଯେଉଁ ସାହିତ୍ୟ ଲୋକଧର୍ମୀ ତାହାହିଁ ଲୋକସାହିତ୍ୟ ।

 

ଲୋକ ବିହନ ସମାଜର ସ୍ଥିତି ଯେପରି ସମ୍ଭବ ନୁହେଁ, ଲୋକ ସାହିତ୍ୟକୁ ଛାଡ଼ି ବିଦଗ୍ଧ ସାହିତ୍ୟ ସୃଷ୍ଟି କରିବା ମଧ୍ୟ ସେପରି ସହଜ ନୁହେଁ । ଏହା ଅନୁଭବ କରି ଔପନ୍ୟାସିକ, ଗାଳ୍ପିକ, ଚରିତକାର ଇତ୍ୟାଦି ଲେଖକଗଣ ଭାଷା, ଶବ୍ଦ ପ୍ରୟୋଗ, ଶୈଳୀ ଦୃଷ୍ଟିରୁ ତାଙ୍କ କୃତିକୁ ଲୋକଧର୍ମୀ କରିବାର ପ୍ରୟାସ କରୁଛନ୍ତି । ତେଣୁ ଓଡ଼ିଆ ଚରିତସାହିତ୍ୟରେ ଲୋକ ଉପାଦାନ ନିର୍ଣ୍ଣୟ କରିବା ଦୂରୁହ ବ୍ୟାପାର ନୁହେଁ ।

 

ସହାୟକ ଗ୍ରନ୍ଥ

୧.

ଡକ୍ଟର ଲାବଣ୍ୟ ନାୟକ – ଓଡ଼ିଆ ଚରିତ ସାହିତ୍ୟ – ଫ୍ରେଣ୍ଡସ୍‌ ପବ୍ଲିସର୍ସ – ୧୯୮୮

୨.

ଶ୍ରୀ ରବୀନ୍ଦ୍ରନାଥ ସାହୁ – ‘ଲୋକ ସାହିତ୍ୟର ପାରମ୍ପାରିକ ସଂଜ୍ଞା ଲୋକବିରୋଧୀ କି ? – ଏଷଣା ୧୩ଶ ଖଣ୍ଡ । ଡିସେମ୍ୱର, ୧୯୮୬ ।

୩.

ଶ୍ରୀ ରବିନ୍ଦ୍ର ନାଥ ସାହୁ – ଲୋକ ସାହିତ୍ୟ – କୋଣାର୍କ ପବ୍ଲିଶର୍ସ – ୧୯୯୮

୪.

ଓଡ଼ିଆ ଲୋକସାହିତ୍ୟ – ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ର – ଗ୍ରନ୍ଥମନ୍ଦିର – ୧୯୯୫

୫.

ଡକ୍ଟର କଇଲାଶ ପଟ୍ଟନାୟକ – ଲୋକ ସାହିତ୍ୟ ଚର୍ଚ୍ଚା – କଟକ ଟ୍ରେଡ଼ିଂ କମ୍ପାନୀ, ୧୯୮୯

 

 

ସାରସ୍ୱତ ନିଳୟ

ଶ୍ରୀ ଅରବିନ୍ଦ ନଗର

ମଧୁପାଟଣା, କଟକ – ୧୦

 

***

 

କବି ହୋଇ କରୁଥିବ..................

ଗିରିବାଳା ମହାନ୍ତି

 

ପ୍ରାଚୀନ କାଳରେ କବି ସ୍ରଷ୍ଟାଙ୍କର ସଂଖ୍ୟାଥିଲା ଅତ୍ୟନ୍ତ ସୀମିତ । କେବଳ ନବନବୋନ୍ମେଷମାଳିନୀ ପ୍ରଜ୍ଞାର ଅଧିକାରୀ ହିଁ କବି ହେବାର ଯୋଗ୍ୟତା ଅର୍ଜନ କରି ପାରୁଥିଲେ । କବି ଥିଲେ ଜ୍ଞାନୀ, ଜ୍ଞାନାନ୍ୱେଷୀ, ରସଜ୍ଞ, ଶାସ୍ତ୍ରବେତ୍ତା । କାବ୍ୟ ରଚନା ପୂର୍ବରୁ ରସ-ବ୍ୟାକରଣ-ଶାସ୍ତ୍ରାଦି ଅଧ୍ୟୟନଜନିତ ବିଧବତ୍ତାର ଆବଶ୍ୟକତା ଥିଲା ଅନିବାର୍ଯ୍ୟ । ପ୍ରାଚୀନ ଲୁହାର ଲେଖନୀ ଓ ତାଳପତ୍ରର ବ୍ୟବହାର ମଧ୍ୟରେ ଆଜିର କାଳି-କଲମ-କାଗଜର ବ୍ୟବହାରଗତ ସ୍ୱାଧିନତା ନଥିବାରୁ କାବ୍ୟରଚନା ପୂର୍ବରୁ ପର୍ଯ୍ୟାପ୍ତ ମାନସିକ ପ୍ରସ୍ତୁତିର ତଥା ଏକାଗ୍ରତାର ଆବଶ୍ୟକତା ପଡ଼ୁଥିଲା । ଈଶ୍ୱରଦତ୍ତ ଜନ୍ମଜାତ ପ୍ରତିଭା ସହ ବ୍ୟୁପତ୍ତି ଓ ଅଧ୍ୟବସାୟର ସଂଯୋଗରୁ ଉତ୍ସାରିତ ହେଉଥିଲା ରସାତ୍ମକ ବାକ୍ୟ-କାବ୍ୟ, ଯାହା ମହାକାଳରୁ ପ୍ରେକ୍ଷାପଟରେ ଉଜ୍ଜ୍ୱଳହୋଇ ପ୍ରତିଭାତ ହେଉଥିଲା । ସର୍ବାଧିକ ବାକ୍‌ସଂଯମୀ, ମିତଭାଷୀ, ସ୍ଥିତପ୍ରଜ୍ଞ, ଇସାଧ୍ୟାୟୀ, ବହୁପାଠୀ, ପ୍ରଜ୍ଞାବାନ୍‌ ବ୍ୟକ୍ତିରୂପେ ପରିଗଣିତ ଓ ପ୍ରଶଂସିତ ହେଉଥିଲା କବି ।

 

ଜଣେ ସାର୍ଥକ କବି ଜଣେ ମନ୍ତ୍ରଦ୍ରଷ୍ଟା ଋଷିତୁଲ୍ୟ । ତା’ର ଅନ୍ତରର ଶାନ୍ତ, ସମାହିତ, ଧ୍ୟାନସ୍ଥ ଅବସ୍ଥା ମଧ୍ୟରୁ ହିଁ ଉସ୍ଥାରିତ ହୋଇଥାଏ କବିତା । ସେ କବିତା ଶାନ୍ତି ବା ବିପ୍ଲବର ମନ୍ତ୍ର ହୋଇପାରେ, ହୋଇପାରେ ଶୋକ ବା ଉତ୍ସାହର ବାଣୀ – ମହାଭାରତ, ରସକଲ୍ଲୋଳ, ଚମ୍ପୂ, ଚନ୍ଦ୍ରଭାଗା ବା ବାଜିରାଉତ – ମାତ୍ର ତା’ର କାଳୋତ୍ତୀର୍ଣ୍ଣତା ପଛରେ ଆମୂର୍ତ୍ତ କବିର ସମାହିତ ଚିନ୍ତନ-। ଗୋଟିଏ କାଳୋତ୍ତୀର୍ଣ୍ଣ କବିତା ରଚନା ପଛରେ କବିର ଯେଉଁ ଶ୍ରମ, ଅଧ୍ୟବସାୟ, ମନନ, ଚିନ୍ତନ ଇତ୍ୟାଦି ଅନ୍ତରୀଣ, ତାହାକୁ କେବଳ ସମଧର୍ମୀ କବି ବା ଗୁଣଗ୍ରାହୀ ପ୍ରମାଣ ହିଁ ହୃଦୟଙ୍ଗମ କରିପାରେ; ରସକୃପଣ, ବାଗୀଶ, ଜ୍ଞାନାହତ, ମୋହ-ମୋଦ-ସମ୍ମତ, ଶିଶୁ, ପଶୁ, ମହାଫଣୀତୁଲ୍ୟ ବ୍ୟକ୍ତି ପକ୍ଷରେ କବିତା ପଶ୍ଚାତ୍‌ନିଷ୍ଟ ଏ ସାଧନାକୁ ଉପଲବ୍ଧ କରିବା କଦାପି ସମ୍ଭବ ହେବନାହିଁ । (୧)

 

ସମକାଳରେ ସାକ୍ଷରତାର ପ୍ରସାର, ନିରକ୍ଷରତାର ଦୂରୀକରଣ, ଲେଖନ ପ୍ରକ୍ରିୟାର ଉପାଦାନଗତ ସୁଲଭତା, ସହଜ ମୁଦ୍ରଣ ପନ୍ଥା ଇତ୍ୟାଦି ସାହିତ୍ୟ ସାଧନାର ମାର୍ଗକୁ ଅନର୍ଗଳ କରି ଦେଇଥିବା ଏକ ଶୁଭ ଲକ୍ଷଣ । ଅପର ପକ୍ଷରେ ଏହି ସୁଯୋଗରେ ସାହିତ୍ୟକର୍ମ ‘ଉତ୍ପାଦନ ପ୍ରକ୍ରିୟା’ରେ ରୂପାନ୍ତରିତ ହୋଇପଡ଼ିଥିବା ଯେ କୌଣସି କାଳର କଳାସାଧନା ପ୍ରତି ଏକ ଅଭିଶାପ ତୁଲ୍ୟ । ସାହିତ୍ୟ ଉତ୍ପାଦନ ପ୍ରକ୍ରିୟାରେ ବର୍ତ୍ତମାନ କବିତା ସବୁଠାରୁ ସୁଲଭତମ ଉତ୍ପାଦିତ ‘ମାଲ’ । ବିଚାର କଲେ ସହଜରେ ଅନୁଭବ କରି ହେବ ଯେ ସୂକ୍ଷ୍ମତା ଅପେକ୍ଷା ପରିମାଣ ହିଁ ଆଜି କବିତା ସୃଷ୍ଟିର ମାପକାଠି । ସାଙ୍ଗୀତିକତା ଓ କାବ୍ୟଛନ୍ଦର ଶୃଙ୍ଖଳାରୁ ମୁକ୍ତ ହୋଇ ଗଦ୍ୟଛନ୍ଦ ଓ ମୁକ୍ତ ଛନ୍ଦର ସ୍ୱାଚ୍ଛନ୍ଦ୍ୟ ଲାଭ କଲା ଦିନରୁ କବିତା ଉତ୍ପାଦକଙ୍କର ସଂଖ୍ୟା କ୍ରମବର୍ଦ୍ଧିଷ୍ଣୁ । ଏହି ଉତ୍ପାଦିତ କବିତା ଗୁଡ଼ିକରେ ଆଙ୍ଗିକ ଓ ଆତ୍ମିକର ଗୁରୁତ୍ୱ ତଥା ପାରସ୍ପର୍ଯ୍ୟ ଅପେକ୍ଷା କେବଳ ଶବ୍ଦର ଆଡ଼ମ୍ୱର, ଶବ୍ଦର ଛନ୍ଦଣୀ ମନ୍ଦଣୀ ହିଁ ହୋଇପଡ଼ିଛି ଗୁରୁତ୍ୱପୂର୍ଣ୍ଣ । ‘Spontaneous overflow of powerful feelings’ର ନୂତନ ଅର୍ଥାନ୍ତର ହୋଇଛି ହୃଦୟର ସକଳବୋଧକୁ ବନ୍ୟାବେଗରେ ଉଛୁଳାଇ ଦେବା । ‘ମିତଜ୍ଞ ସାରଞ୍ଚ ବଚହି ବାଗ୍ମିତା’ ନୁହେଁ ‘ବ୍ରହ୍ମା ବିଳିବଳେଇଲେ ହିଁ ବେଦ’ । କବିତା ରଚନା ଓ କାବ୍ୟ-ରସାସ୍ୱାଦନର ଅର୍ଥ ହୋଇ ଉଠିଛି ‘ଅହୋ ରୂପମ୍‌ଽହୋଧ୍ୱନି’ – ପରସ୍ପର ପ୍ରଶଂସା ।

 

(ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସାହିତ୍ୟ ପରିଷଦ, ଜଳେଶ୍ୱରଙ୍କ ମିଳିତ ଆନୁକୂଳ୍ୟରେ ୧୯୯୫ ମସିହାରେ ଜଳେଶ୍ୱରଠାରେ ଦୀନକୃଷ୍ଣ ଜୟନ୍ତୀରେ ପଠିତ)

 

ଏକଥା ସତ୍ୟ ଯେ ସବୁକାଳରେ ସୁକବି ଓ ସୁକବିତା ପରି ସୁରସିକଙ୍କର ସଂଖ୍ୟା ସୀମିତ-। ଏଇ ସୀମିତ ସଂଖ୍ୟକ ସୁରସିକ ହିଁ କିନ୍ତୁ କବି ଓ ତା’ର କବିତାକୁ କାଳକାଳାନ୍ତର ଯାଏଁ ଜୀଆଁଇ ରଖିଥାନ୍ତି । ତେଣୁ କବି ସବୁକାଳରେ ତା’ର ‘ସମାନଧର୍ମା’କୁ ଲୋଡ଼ିଥାଏ । ‘ସମାନଧର୍ମା’ – ଯିଏ କବି-ଅନ୍ତର ମନ୍ଥନ କରି ଉଠି ଆସିଥିବା ଅମୃତକୁ ଚିହ୍ନିବ, ପାନ କରିବ, ସମଭାବୀ ସମବୋଧୀ ହେବ । କବି ବିଜ୍ଞାନୀ, ତା’ର ସମଧର୍ମୀ, ରସଜ୍ଞ ପାଠକମଧ୍ୟ ସମକକ୍ଷ ବିଜ୍ଞାନୀ । ଅରସିକ କଦାପି ରସ-ଭାଗର ଅଧିକାରୀ ହୋଇପାରେ ନାହିଁ । ଜଳରେ ଥାଇ ସୁଦ୍ଧା ପଦ୍ମ ଜଳଦ୍ୱାରା ନତିନ୍ତିଲା ପରି ଛଦ୍ମକାବ୍ୟାର୍ଥୀ କଦାପି କାବ୍ୟ-ରସ-ସିକ୍ତ ହୁଏନାହିଁ; ବରଂ ବାହାରେ ନିଜକୁ ନାନା ଭେକରେ ଚିତ୍ରିତ କରି ଛଦ୍ମ ବୈଷ୍ଣବ ଭିତରର ପାପକୁ ଢାଙ୍କିବା ଚେଷ୍ଟା କଲାପରି, ଅରସିକ, ଅକବି ଆପଣା ଅନ୍ତରର ଅବିଦ୍ୟା ଓ ମୂଢ଼ତାକୁ ଢାଙ୍କିବା ନିମନ୍ତେ ବାହାରେ ‘ପଣ୍ଡିତମନ୍ୟମାନା’ ରୂପ ପ୍ରକଟ କରିଥାଏ ।

 

(୧)

 

ଏଇ ସବୁ ସମସ୍ୟାର ପରିପ୍ରେକ୍ଷୀରେ କବିର କବିତ୍ୱ, ତା’ର କାବ୍ୟଚିନ୍ତନ, କବିତାର ସ୍ୱରୂପ, କାବ୍ୟର ଆଙ୍ଗିକ ଓ ଆତ୍ମିକର ଗୁରୁତ୍ୱ ତଥା ପାରସ୍ପର୍ଯ୍ୟ, କବିର ରସଚେତନା, ବ୍ୟାକରଣ ଜ୍ଞାନ, ତା’ର ପ୍ରତିଭା ଓ ବ୍ୟୁତ୍ପତ୍ତି, ରସଜ୍ଞ ପ୍ରମାଣର ସ୍ୱରୂପ, କାବ୍ୟ-ରସାସ୍ୱାଦନରେ ପ୍ରମାଣର ଭୂମିକା, କବିଠାରେ ତାହାର ମହତ୍ତ୍ୱ । ମନ୍ଦ କବିଯଶ ପ୍ରାର୍ଥୀ ଅକବି ତଥା ଅରସିକର ସ୍ୱରୂପ, ସଂସାରର ନାନାକଷଣ-ବଳୟ ମଧ୍ୟରେ କବିର ଦୟନୀୟ ଅବସ୍ଥା, କବିବ୍ୟକ୍ତିତ୍ୱର ପରାକାଷ୍ଠା ଇତ୍ୟାଦି ବହୁ ଜଟିଳ ବିଷୟରେ କବି ଦୀନକୃଷ୍ଣ ତାଙ୍କର କାବ୍ୟ ରସକଲ୍ଲୋଳ (୨)ରେ ପୁଙ୍ଖାନୁପୁଙ୍ଖ ରୂପେ ଅବତାରଣା କରି ଯାଇଛନ୍ତି । ଦୀନକୃଷ୍ଣଙ୍କର ଏହି କାବ୍ୟଚିନ୍ତନର ସର୍ବକାଳୀନ ଅନିବାର୍ଯ୍ୟ ସତ୍ୟର କଷଟିରେ ମହତ୍‌ କବି ଏବଂ କବିତା ସହ ମନ୍ଦକବି ଯଶପ୍ରାର୍ଥୀ ଅକବି, ଅରସିକର ସ୍ୱରୂପ ତଥା ଉଭୟର ବ୍ୟବଧାନକୁ ପ୍ରାଞ୍ଜଳ କରାଯାଇପାରେ ।

 

ଓଡ଼ିଆ ସାହିତ୍ୟରେ ରସଗ୍ରାହୀ ସମାଲୋଚକଗଣ ଦୀର୍ଘକାଳଧରି ରସକଲ୍ଲୋଳର ମୂଲ୍ୟାୟନ କରି ଆସୁଥିବା ବେଳେ, ପୁନଶ୍ଚ ସେ ସଂମ୍ପର୍କରେ ଏ ଆଲୋଚନା ଆବଶ୍ୟକତା ହୁଏତ ନଥିଲା । ମାତ୍ର ସମକାଳର କବିତା-ମଗ୍ନ ନବୀନଗଣ ହୁଏତ ଏହି ଚର୍ଚ୍ଚା ଦ୍ୱାରା ଉପକୃତ ହେବେ ଏବଂ ବେଳେବେଳେ ଆମେ ଭୁଲି ଯାଇଥିବା ବିଷୟକୁ ମନେପକାଇ ଦେବା ଜରୁରୀ ସେଥିପାଇଁ ଏ ଆଲୋଚନାର ବିନମ୍ର ଅବତାରଣା । ଦୀନକୃଷ୍ଣଙ୍କର ପ୍ରଦତ୍ତ କାବ୍ୟ ସଂପର୍କିତ ତତ୍ତ୍ୱ ଗଭୀର ତଥା ବ୍ୟାପକ । ଏ ଆଲୋଚନା ତାହାର ପୂର୍ଣ୍ଣାଙ୍ଗ ନୁହଁ, ଯତ୍‌ସାମାନ୍ୟ ଆକଳନ ମାତ୍ର ।

 

(୨)

 

କବିତା କର୍ମ ଏକ ବିସ୍ମୟକର ପ୍ରକ୍ରିୟା । କବି କବିତାର ଅସାଧ୍ୟକର୍ମ ସାଧନ କରିପାରେ ମନୁଷ୍ୟକୁ ବାଲ୍ମୀକରେ ପରିଣତ କରି ବଲ୍ମୀକକୁ ବାଲ୍ମୀକିରେ ରୂପାନ୍ତରିତ କରିବା, ସତୀକୁ ପଥରରେ ରୂପାନ୍ତରିତ କରି ତାକୁ ପୁନଃ ସତୀରେ ରୂପାନ୍ତରିତ କରିବା, ଅଭିଜ୍ଞାନ ଦାନ କରି ଆଶ୍ରମ ବାଳିକାକୁ ରାଜଲକ୍ଷ୍ମୀରେ ରୂପାନ୍ତରିତ କରି ଅଭିଜ୍ଞାନ ବିନା ରାଜଲକ୍ଷ୍ମୀକୁ କୁଟୀର ବାସିନୀ କରି ତୋଳିବା – ଏ ସବୁ ମହତ୍‌ କବିପକ୍ଷେ ଅନାୟାସ ଲୀଳା, ଏସବୁ କବିତାରେ ସମ୍ଭବ । ଶବ୍ଦଶକ୍ତିର ସାମର୍ଥ୍ୟରେ କ’ଣ ନକରି ପାରେ କବି :

 

କବି ବଚନ କରେ ତାରତମ

କୁବେରକୁ ବୋଲନ୍ତି କୋଟିକାମ       ।୫୫।

କେଉଁଠାରେ କନ୍ଦର୍ପ ହୋୟେ ନିନ୍ଦା

କେତେ କହିବି ତାଙ୍କ ମିଛ ଫନ୍ଦା       ।୫୬।

 

କବିତା ମାନବକୁ ମାୟାର ପୁଷ୍ପୋଦ୍ୟାନକୁ ନେଇ ଯାଇପାରେ । ମଣିଷର ଅନ୍ତରାତ୍ମା ଯାହା ପାଇବାକୁ ବ୍ୟାକୁଳ, ଯାହା ନ ପାଇ ହନ୍ତସନ୍ତ, ସେଇ ସବୁ ପ୍ରାପ୍ତି ଘଟେ କବିତାରେ । କବିତା ହିଁ ବଂଚିତ ଆତ୍ମାର ବ୍ୟାକୁଳତା ମେଣ୍ଟାଇ ପାରେ । କବିତା ହିଁ ଆତ୍ମାର ମୁକ୍ତି । କବିହିଁ ସେ ମୁକ୍ତିର ହୋତା ଓ ଉଦ୍‌ଗାତା । କବିତାରେ ତେଣୁ କବିର ବକ୍ତବ୍ୟ ସର୍ବାଧିକ ଗୁରୁତ୍ୱପୁର୍ଣ୍ଣ ।

 

ସମକାଳରେ ପ୍ରକାଶିତ ବହୁ କବିତାରେ କବିର ବକ୍ତବ୍ୟ ଅସ୍ପଷ୍ଟ ଅସଂଲଗ୍ନ, ଦୁରୂହ, ସ୍ଥଳବିଶେଷରେ ନିର୍ଦ୍ଦିଷ୍ଟ ବ୍ୟକ୍ତବ୍ୟ ରହିତ । କେତେକ ସ୍ଥଳେ ନିଜ ଲିଖିତ କବିତାରେ କବି ନିଜେ ନିଜର ବକ୍ତବ୍ୟକୁ ଏବଂ ଆଦର୍ଶକୁ ଯୁକ୍ତିହୀନ ତଥା ଉଦ୍ଦେଶ୍ୟହୀନଭାବେ ବିରୋଧ କରିବସୁଛି । ଏ ବିରୋଧ ସମ୍ପର୍କରେ ସେ ଯେ ଆଦୌ ସଚେତନ ନୁହେଁ, ତାହାମଧ୍ୟ ତା’ର କବିତାରୁ ହିଁ ସ୍ୱଷ୍ଟ । କେତେକ କବି କବିତାର ଆତ୍ମିକ ଗୁରୁତ୍ୱ ସମ୍ପର୍କରେ ଆଦୌ ସଚେତନ ନଥିବାରୁ ତାଙ୍କର ବକ୍ତବ୍ୟ ଦିଶାହରା । ଦୀନକୃଷ୍ଣଙ୍କ ଆଦର୍ଶରେ କବିତାରେ କବି ଏକ ନିର୍ଦ୍ଦିଷ୍ଟ ବକ୍ତବ୍ୟ ବା ‘କଥା’ର ଅବତାରଣା କରେ; ସେ ‘କଥା’ ସମ୍ପର୍କରେ କବି ନିଜେ ସମ୍ୟକ ଅବହିତ ଥାଏ: ସମ୍ଭବ ହେଲେ ପାଠକକୁ ମଧ୍ୟ ଯଥେଷ୍ଟ ପୂର୍ବ ସୂଚନା ପ୍ରଦାନ କରିଥାଏ । ପ୍ରାଚୀନ କାବ୍ୟରେ ଏ ଉଦ୍ଦେଶ୍ୟ ସାଧନ ନିମନ୍ତେ କାବ୍ୟରେ ‘ବସ୍ତୁନିର୍ଦ୍ଦେଶ’ ଦେବାର ବିଧାନ ନିର୍ଦ୍ଧାରିତ ଥିଲା ଏବଂ କବି ସେ ନିୟମକୁ ଅତିକ୍ରମ କରୁନଥିଲା । କାବ୍ୟର ଆତ୍ମିକର ମର୍ଯ୍ୟାଦା ଓ ଗୁରୁତ୍ୱ ଆତ୍ମାର ମର୍ଯ୍ୟାଦା ଓ ଗୁରୁତ୍ୱ ତୁଲ୍ୟ ପରିଗଣିତ ହେଉଥିବାରୁ କାବ୍ୟକାରମାନେ ଏ ନିୟମକୁ ସର୍ବୋତୋଭାବେ ବରଣ କରି କାବ୍ୟ ନିବିଷ୍ଟ ହେଉଥିଲେ । ଏପରିକି ନାଟ୍ୟପ୍ରଣେତାଗଣ ମଧ୍ୟ ଏ ନିୟମକୁ ସ୍ୱୀକୃତି ପ୍ରଦାନ କରିଥିବା ପ୍ରମାଣ ପ୍ରାଚୀନ ନାଟକରୁ ମିଳିଥାଏ । ଅଭିଜ୍ଞାନ ଶକୁନ୍ତଳମ୍‌ ଏହାର ପ୍ରକୃଷ୍ଟ ଉଦାହରଣ, ଯହିଁରେ ନାଟକର ଆରମ୍ଭରେ ସୂତ୍ରଧର ଦୁଷ୍ମନ୍ତ-ଶକୁନ୍ତଳା ଉପାଖ୍ୟାନ ଅଭିନୀତ ହେବାକୁ ଯାଉଥିବା ବିଷୟ ଯଥାସ୍ଥାନରେ ବିଧିବଦ୍ଧ ରୂପେ ସୂଚିତ କରିଛନ୍ତି ।

 

ଦୀନକୃଷ୍ଣ ରସକଲ୍ଲୋଳରେ ବାରମ୍ୱାର କଥାବସ୍ତୁର ସ୍ପଷ୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ;

 

କହ ଦୀନକୃଷ୍ଣ କୃଷ୍ଣ କଥା ଅନେକ

କର ସାଧୁ ଜନମାନେ ଏକମନ କର୍ଣ୍ଣ ଦେଇ କୃଷ୍ଣ କଥାକୁ ।

କହେ ଦୀନକୃଷ୍ଣ ହୋଇ ମହାତୃଷ୍ଣ ଗୋପୀ ଗୋପୀନାଥ କଥା

କର୍ଣ୍ଣ ଦେଇ କୃଷ୍ଣକଥା ଶୁଣ ସୁଜନେ

 

ଲକ୍ଷ୍ୟ କରିବାର କଥା ଯେ ଦୀନକୃଷ୍ଣ କେବଳ ବିଷୟ ନିର୍ଦ୍ଦେଶ ମାତ୍ର କରିନାହାନ୍ତି, ପ୍ରାଚୀନ କାବ୍ୟ ପରମ୍ପରା ଅନୁସରଣରେ କାବ୍ୟର ଆଙ୍ଗିକ ସଂପର୍କରେ ମଧ୍ୟ ପର୍ଯ୍ୟାପ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଫଳତଃ ତାଙ୍କ କାବ୍ୟର ଆତ୍ମିକ ସହ ଆଙ୍ଗିକର ସ୍ୱରୂପ ମଧ୍ୟ ସହଜବୋଧ୍ୟ ହୋଇଛି :

 

କ ଅକ୍ଷରେ କଲି ଯେ ଗୀତ + + + + +।୨୦।

କ ଅକ୍ଷରେ ହୋଇଛି ନିୟମ । କଥା ନୋହେ ଦିବ୍ୟ ଅଦିବ୍ୟସମ ।୨୪ ।

କୁଟିଳ ବର୍ଣ୍ଣାବଳୀରେ ଅଦ୍ଭୁତ । କବି ହୃଦ ଅବଲମ୍ୱକୁ ଗୀତ । ୨୬ ।

 

ଏ ବକ୍ତବ୍ୟରୁ ସ୍ୱଷ୍ଟ ଯେ କାବ୍ୟ ରସକଲ୍ଲୋଳର ସମସ୍ତ ପଦ ‘କ’ ଅକ୍ଷର ଆଦ୍ୟରେ ଥାଇ ରଚିତ ବକ୍ରୋକ୍ତି, ଚାତୁର୍ଯ୍ୟ, ବ୍ୟାଜସ୍ତୁତି ଆଦି ନାନା ‘କୁଟିଳ ବର୍ଣ୍ଣାବଳୀ’ ଅର୍ଥାତ୍‌ ବକ୍ରବାଣୀ ଦ୍ୱାରା ସମୃଦ୍ଧ ଏକାବ୍ୟ କବି ଓ ବଦଗ୍ଧଙ୍କର ହୃଦୟାଶ୍ରୟୀ ହେବା ନିମନ୍ତେ ସ୍ୱଷ୍ଟ; ଏହାର ‘କଥା’ ଅର୍ଥାତ୍‌ ଭାଷା ‘ନୋହେ ଦିବ୍ୟ’ ଅର୍ଥାତ୍‌ ଦେବଭାଷା ସଂସ୍କୃତ ନୁହଁ, ‘ଅଦିବ୍ୟସମ’, ଅର୍ଥାତ୍‌ ପ୍ରାକୃତ ତୁଲ୍ୟ । ଅର୍ଥାନ୍ତରରେ ଏକାବ୍ୟର ଭାଷା ‘ନୋହେ ଦିବ୍ୟ ଅଦିବ୍ୟ’, ବରଂ ‘ସମ’ ଭାଷା ଅର୍ଥାତ୍‌ ସଂସ୍କୃତ ବା ପ୍ରାକୃତ ନୁହଁ, ବରଂ ଏ ଦୁଇଭାଷାର ସମନ୍ୱୟରେ ସୃଷ୍ଟ ଏକ ସମଭାଷା ବା ମିଶ୍ର ଭାଷା । ସମ୍ଭବତଃ ଏହି ମିଶ୍ରଭାଷାକୁ ଆଦର୍ଶସ୍ଥାନୀୟ ମନେକରି ପରବର୍ତ୍ତୀ କାଳରେ କବି ଅଭିମନ୍ୟୁ ମଧ୍ୟ ଏହାର ସପକ୍ଷ କରିଛନ୍ତି;

 

ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି

ଦେଖ ମହାଜନମାର୍ଗ ପରମ୍ପରା ବିଧି ।

 

ଏ କ୍ଷେତ୍ରରେ ‘ମହାଜନ’ ଅର୍ଥ ପୂର୍ବସୁରୀ ମହାନ୍‌ କବିବୃନ୍ଦ । ଏପରି ମଧ୍ୟ ସମ୍ଭବ ଯେ ସ୍ୱୟଂ ଦୀନକୃଷ୍ଣ ହିଁ ଏଠାରେ ଅନୁସୃତ ତେଣୁ ତାଙ୍କର ‘ଦିବ୍ୟ ଅଦିବ୍ୟସମ’ ଭାଷାର ନିର୍ଦ୍ଦେଶନାକୁ ସନ୍ତେ କରାଯାଇଥିବାର ସମ୍ଭାବନାକୁ ଅସ୍ୱୀକାର କରାଯାଇ ନ ପାରେ ।

 

ପ୍ରସଙ୍ଗତଃ ଉଲ୍ଲେଖ କରାଯାଇପାରେ ଯେ ଦୀନକୃଷ୍ଣ କୃଷ୍ଣ ସଂପର୍କିତ ଯେଉଁ ‘କଥା’ ବା ବିଷୟର ଅବତାରଣା କରିଛନ୍ତି, ତାହା ମଧ୍ୟ ‘ଦିବ୍ୟ ଅଦିବ୍ୟ’ ଘଟଣାର ସମନ୍ୱୟ । କାରଣ କୃଷ୍ଣାବତାରର ସକଳ ଘଟଣା ଅଲୌକିକ ଦୈବତ ଘଟଣା ସହ ଲୌକିକ ଘଟଣାର ହିଁ ସମନ୍ୱୟ । ଏହି ସମନ୍ୱୟ ଧର୍ମୀ କଥାର ଅବତାରଣା ନିମନ୍ତେ ତତ୍‌ସମ, ତଦ୍ଭବ, ଦେଶଜଆଦି ଶବ୍ଦର ମିଶ୍ରିତ ଭାଷାରେ ନାନା ରସ ଅଳଙ୍କାରାଦିର ସମାହାରରେ କୋବିଦନାନଂଦଦାୟୀ କାବ୍ୟ ସୃଷ୍ଟି କରିଛନ୍ତି ଦୀନକୃଷ୍ଣ ।

 

ଆଧୁନିକ କବିତାରେ ପ୍ରାଚୀନ କାବ୍ୟତୁଲ୍ୟ ପ୍ରସଙ୍ଗ ଓ ଭାଷା ନିର୍ଦ୍ଦେଶର ଅବକାଶ ନାହିଁ । ମାତ୍ର କବି ନିଜେ କବିତା ରଚନାମଗ୍ନ ହେବା ପୂର୍ବରୁ ନିଜର ବକ୍ତବ୍ୟ ଓ କବିତାର ଆଙ୍ଗିକ ସଂପର୍କରେ ଯଦି ପରିଚ୍ଛନ୍ନଧାରଣା ପୋଷଣ କରେ, ତେବେ ପାଠକଠାରେ ତା’ର କବିତାର ଉଭୟ ଆତ୍ମିକ ଓ ଆଙ୍ଗିକର ପ୍ରାଞ୍ଜଳତା କଦାପି ଅସ୍ପଷ୍ଟ ହେବ ନାହିଁ । କବିତା ରଚନାମଗ୍ନ ହେବା ପୂର୍ବରୁ ଆତ୍ମପ୍ରସ୍ତୁତିର ଆବଶ୍ୟକତା ଅନିବାର୍ଯ୍ୟ । ‘ଲାବଣ୍ୟବତୀ’ରେ କବି ଉପେନ୍ଦ୍ର କହିଛନ୍ତି ଯେ ସୃଷ୍ଟିମଗ୍ନ ହେବା ପୂର୍ବରୁ ସ୍ୱୟଂ ବିଧାତାସୁଦ୍ଧା ‘ହସ୍ତବଳା’ ଅର୍ଥାତ୍‌ ହାତ ଅଭ୍ୟାସ କରୁଥିଲେ ।

 

(୩)

 

ପ୍ରକୃତ କବିଠାରେ ଏକ କୁହୁକପେଡ଼ି ଥାଏ, ଯାହାକୁ ଦୀନକୃଷ୍ଣ ‘କବିତ୍ୱକୋଷ’ ନାମରେ ନାମିତ କରିଛନ୍ତି । ୧୩ । ଜ୍ଞାନଚକ୍ଷୁହୀନ ବ୍ୟକ୍ତି ନିର୍ଲଜ ଭାବେ କେବେକେବେ ଏହାକୁ ଅଧିକାର କରି ବସେ; ମାତ୍ର କାର୍ଯ୍ୟକାଳ ଉପସ୍ଥିତ ହେଲେ ଯଥାଯଥ ବ୍ୟବହାରକ୍ଷମ ହୁଏ ନାହିଁ ;

 

କବିତ୍ୱ କୋଷେ ନାନାଦ୍ରବ୍ୟ ଥାଇ । କିଛି ଯାଇ ଜ୍ଞାନଚକ୍ଷୁ ନଥାଇ ।

କରନ୍ତି ଯାଇ ତହିଁ ଅଧିକାର । କିଞ୍ଚିତଲାଜ ନଥାଇ ତାଙ୍କର ।

କାର୍ଯ୍ୟ ପଡ଼ିଗଲେ କେବଳ ବେଭାର ସରଇ ଭଲେ ।୩୦।

 

‘କବିତ୍ୱ କୋଷ’ରେ ଥିବା ଏହି ‘ନାନା ଦ୍ରବ୍ୟର’ ସ୍ୱତନ୍ତ୍ର ବ୍ୟାଖ୍ୟା ଦୀନକୃଷ୍ଣ ପ୍ରଦାନ କରିନଥିଲେ ହେଁ କାବ୍ୟ ସଂପର୍କିତ ତାଙ୍କର ସାମଗ୍ରିକ ବକ୍ତବ୍ୟରୁ ଏହାର ସ୍ୱରୁପ ଉଦ୍‌ଘାଟନ ଦୁରୂହ ହେବ ନାହିଁ । ବ୍ୟାକରଣ ଶାସ୍ତ୍ର, ରସଶାସ୍ତ୍ରର ଆଦର୍ଶ ଦୃଷ୍ଟିରୁ ଏହି ଦ୍ରବ୍ୟକୁ ଶବ୍ଦ, ଶବ୍ଦାର୍ଥ, ଧ୍ୱନି, ଗୁଣ, ରୀତି, ରସ, ଅଳଙ୍କାର, ଛନ୍ଦ, ଭାଷାଦି ବିବିଧ କାବ୍ୟୋପାଦାନ ସଂପର୍କିତ ଜ୍ଞାନର ଭଣ୍ଡାରରୂପେ ଗ୍ରହଣ କରାଯାଇପାରେ । ଏହି ସବୁ ଜ୍ଞାନର ଅଧିକାରୀହିଁ କେବଳ କବିତା-ସୃଷ୍ଟିତମ, ତଥା ରସ-ଭୋଗକ୍ଷମ । ଏହି ସବୁ ଜ୍ଞାନର ଅଧିକାରୀ ହିଁ ପ୍ରକୃତ ରସଭୋକ୍ତା ପ୍ରମାଣ – ଆପଣାର ଧୀଷଣା-ମନ୍ଦର ଦ୍ୱାରା କବିତାକ୍ଷୀରସିନ୍ଧୁ ମନ୍ଥନ ପୂର୍ବକ ଅମୃତ ତୁଲ୍ୟ କାବ୍ୟରସବୁ କେବଳ ସେଇ ହିଁ ଭୋଗ କରିପାରେ । କବିତା ସର୍ବଦା ‘ସହୃଦୟ ହୃଦୟସଂବାଦୀ’, ସର୍ବଦା ‘କୋବିଦ-ଦେବ’ ସୁଖଦାୟୀ, ‘କବିତ୍ୱ ଓ ଶାନ୍ତିଦଳ’ ସର୍ବଦା ଏକାକାର ଓ ଅଭିନ୍ନ । ରସଜ୍ଞ ପ୍ରମାଣବିନା କବିତାନିହିତ ଏହି ମହତ୍ତ୍ୱ ଓ ତା’ର ଅପରୂପ ସୌନ୍ଦର୍ଯ୍ୟକୁ ଉଦ୍‌ଘାଟନ କରିବାର କ୍ଷମତା କାହାରି ନାହିଁ ।

 

କୁଟିଳ ବର୍ଣ୍ଣାବଳୀରେ ଅଦ୍ଭୁତ । କବି ହୃଦ ଅବଲମ୍ୱକୁ ବାତ ।

କୋବିଦ ମନ ଘନାଘନ ବିନୁ । କେବେହେଁ ନ ଦିଶଇ ଇନ୍ଦ୍ରଧନୁ ।

କର ସୁବିଚାର । କବିତ୍ୱ ଶାନ୍ତିଦଳ ଏକାକାର । ୨୬ ।

 

ମଳୟପବନ ତୁଲ୍ୟ କବିତ୍ୱ ଅକ୍ଲେଶରେ ରସିକରୂପକ ତରୁକୁ ପଲ୍ଲବିତ କରିପାରେ; ମାତ୍ର ଶୁଷ୍କତରୁ ମଳୟସ୍ପର୍ଶରେ ପତ୍ର ନଧରିଲା ପରି, ଅରସିକର ହୃଦୟ କାବ୍ୟରସ ସ୍ୱର୍ଶରେ କଦାପି ଦ୍ରବୀଭୂତ ହୁଏନାହିଁ । କବିତାର ‘କାନ୍ତାସମ୍ମିତଗୁଣ’ ଅର୍ଥାତ୍‌ ‘କାମିନୀ ବିଭାବ’ ନପୁଂସକର ନପୁଂସକତାକୁ ସୁଦ୍ଧା ଦ୍ରବୀଭୂତ କରିଦେଇପାରେ, କିନ୍ତୁ ଅରସିକକୁ ରସମୟ କରିବା ଅସମ୍ଭବ :

 

କବିତ୍ୱ ମଳୟ ପବନମତ । କରେ ରସିକ ତରୁପଲ୍ଲବିତ ।

କର୍କଶ ମୂର୍ଖ ଶୁଷ୍କ ତରୁମାତ୍ର । କେତେବେଳେ ହେଁ ନ ଧରଇ ପତ୍ର ।

କାମିନୀ-ବିଭାବ । କରଇ ନିଜ ନପୁଂସକ ଦ୍ରବ । ୨୮ ।

 

ସାର୍ଥକ କାବ୍ୟ ଉତ୍ତମ ଗୋକ୍ଷୀର ତୁଲ୍ୟ ହିତକାରୀ, ଯେଉଁ ବ୍ୟକ୍ତି ଆପଣାର ଆପଣାର ଆଗ୍ରହ ହେତୁ ଏହାକୁ ‘କର୍ଣ୍ଣତୁଣ୍ଡ’ରେ ପାନ କରିଥାଏ, (ଅର୍ଥାନ୍ତରରେ ଯେ କର୍ଣ୍ଣରେ ଶୁଣେ ଓ ତୁଣ୍ଡରେ ପଢ଼େ) ସେଇହିଁ କେବଳ ଏହାର ରସାସ୍ୱଦନ କରିପାରେ । ଅପରପକ୍ଷରେ ଦଧି ଦୁଗ୍ଧକୁ ଆମ୍ୱିଳ କରି ଦେବା ପରି ରସକୃପଣର ଦୁଷ୍ଟବୁଦ୍ଧିର ସ୍ପର୍ଶ କାବ୍ୟଗୋରସକୁ ନଷ୍ଟ କରିଥାଏ; ‘କଠୋର ରସିକ’ ‘କବିଳ ମଣ୍ଡୁକ’ ତୁଲ୍ୟ; କାବ୍ୟରସରେ ତା’ର ହୃଦୟ କେବେ ହେଲେ ଦ୍ରବୀଭୂତ ହୁଏନାହିଁ । ପଦ୍ମତୋଳା ଶ୍ରବଣରେ କେବଳ ଉଚ୍ଚଜାତୀୟ ସର୍ପସିନା ଫଣା ଉନ୍ନତ କରିଥାଏ, ମାଟି ବିରୁଡ଼ିଆ ପଦ୍ମତୋଳାର ଅର୍ଥ ବୁଝେ ନାହିଁ:

 

କଠୋର ରସିକ ଏଥି ଭାବ ନ ଜାଣନ୍ତି ।

କମଳ ମଣ୍ଡୁକପ୍ରାୟେ ତାହାଙ୍କର ରୀତି । ୩୧ ।

କଳାକର ଉଦେ ହେଲେ ଚନ୍ଦ୍ରମଣି ଦ୍ରବେ ।

କେତେବେଳେ ଅକର୍ମଶିଳାରୁ ନୀର ସ୍ରବେ ।

କୋମଳ କରି କହିଲେ ପଦ୍ମତୋଳା ଗୀତ ।

କରେ ମାଟି-ମାର୍ଜାର-ଫଣି ଫଣା ଉନ୍ନତ ? । ୩୨ ।

 

କବିତା ଏକ ସଂପର୍କ ପ୍ରକ୍ରିୟା । କବି ଓ କବିତ୍ୱର ସଂପର୍କକୁ ଦୀନକୃଷ୍ଣ ପିତା ଓ ବନିତାର ସଂପର୍କ ନ୍ୟାୟ ମର୍ଯ୍ୟାଦା ପ୍ରଦାନ କରିଛନ୍ତି ।

 

କବିତ୍ୱ ବନିତା କବି ତା ପିତା । କହିବା ଲୋକ ତା’ର ଉପମାତା ।

କଲେ ତାକୁ ଭୋଗ ରସିକ ନେତା । କେବେ ହେଁ ଅବା ରହଇ ଯୋଗ୍ୟତା ।

କୁମତି ଗୁଆଁର । କେବଳ ବଇମାତ୍ର ଭାଇ ତା’ର । ୨୭ ।

 

ଉତ୍ତମକାବ୍ୟ ଗୁଣବତୀ ନାରୀ ତୁଲ୍ୟ ସଂଚାରୀ, ବ୍ୟଭିଚାରୀ, ଆଲମ୍ୱନ, ଉଦ୍ଦୀପନାଦି ବିଭାବାନୁଭବ ସମୃଦ୍ଧା ରତିନିପୁଣା, ଶୃଙ୍ଗାରାଶ୍ରୟୀ, ଅଳଙ୍କାରମଣ୍ଡିତା, ମାଧୁର୍ଯ୍ୟାଦି ଗୁଣ ଭୂଷିତା, ଔଦ୍ଧତ୍ୟରହିତା, ପ୍ରିୟବାଣୀଯୁକ୍ତା, ବକ୍ରୋକ୍ତି ନିପୁଣା । ରସକଲ୍ଲୋଳର ସପ୍ତମଛାନ୍ଦରେ ନାରୀର ରୂପଗୁଣ-ଗାନ ଅବସରରେ ଦୀନକୃଷ୍ଣ ଯେଉଁସବୁ ଗୁଣକୁ ନାରୀର ଭୂଷଣ ରୂପେ ବର୍ଣ୍ଣନା କରିଛନ୍ତି-। ବିଚାର କରି ଦେଖିଲେ ରସକଲ୍ଳୋଳ, ବସ୍ତୁତଃ ସମସ୍ତ ଉତ୍ତମବାକ୍ୟ ଏ ସମସ୍ତ ଗୁଣଯୁକ୍ତ ସାକ୍ଷାତ୍‌ ଗୁଣବତୀ କାନ୍ତାତୁଲ୍ୟ । ମଘୋକ୍ତ ବାଣୀ, ‘ବକ୍ରବାକ୍ୟରଚନା ରମଣୀୟଃ – ଗୂଢ଼ ସୂଚିତରହସ୍ୟ ସହାସଃ / ଘେନ ମାଦ୍ୟନ୍ତି ମଧୁପା ମଧୁନୈବ ମଧୁବ୍ରତାଃ’ ଇତ୍ୟାଦି ବକ୍ତବ୍ୟର ଯଥାର୍ଥ ଦୀନକୃଷ୍ଣଙ୍କ କାବ୍ୟରେ ଲକ୍ଷ୍ୟ କରାଯାଇପାରେ:

କନ୍ଦର୍ପ କଳାକୁଶଳା ହୋଇଥିବ ବାଳା ।

କରୁଥିବ ଗତି ଭୃଭଙ୍ଗ କଟାକ୍ଷ ଲୀଳା ।

କର୍ଣ୍ଣରେ କୁଣ୍ଡଳ ହେଉଥିବା ଦୋଳାୟିତ ।୩୭।

କଣିଥାଇ ଚାହୁଁଥିବ ନାସିକା ଫୁଲାଇ ।

କହୁଥିବ ବକ୍ରବାଣୀ ଅଳ୍ପ ଗେଲାଇ ।

କର୍ଣ୍ଣ ତାହା ଶୁଣୁଥିବ ଦେଖୁଥିବ ନେତ୍ର ।

କଲେ ତାରତମ ସ୍ୱର୍ଗ ସୁଖ କେତେ ମାତ୍ର । ୩୮ ।

କେବଳ ହିଁ ନୋହିଥିବ ଅତ୍ୟନ୍ତ ଉଦ୍ଧତ ।

କେତେବେଳେ ନୋହିଥିବ ଅତି ଲଜ୍ୟାବନ୍ତ ।

କହିବାକୁ କହୁଥିବ ସ୍ନେହଗର୍ଭବାଣୀ ।

କି କରିବ ଇନ୍ଦ୍ରସୁଖ କର୍ଣ୍ଣେ ତାହା ଶୁଣି । ୩୯ ।

 

(୪)

 

କବି ଜୀବନର ରୂପକାର । ଜୀବନ କବିତାଠାରୁ ଅନେକ ବିରାଟ । ଏଇ ବିରାଟ ଜୀବନର ବିସ୍ତାରିତ ଛବି ପ୍ରତିଫଳିତ ହୋଇଥାଏ କବିତାରେ । ମହତ୍‌ କବିଙ୍କର କବିତାରୁ ତେଣୁ-ସମାଜ, ସମଷ୍ଟି ସହ କବିବ୍ୟକ୍ତିକୁ ମଧ୍ୟ ଖୋଜି ପାଇହୁଏ । ରସକଲ୍ଲୋଳରେ ପ୍ରତିଭାତ ଦୀନକୃଷ୍ଟ-ବ୍ୟକ୍ତିତ୍ୱ ଆଗତ ଅନାଗତ ସବୁକାଳରୁ କବିଙ୍କ ଆଦର୍ଶସ୍ଥାନୀୟ । କବି ଯେ ସତ୍ୟବାକ୍‌/ସତ୍ୟବାନ୍‌/ସତ୍ୟାନ୍ୱେଷୀ ସତ୍ୟକାମ, ତା’ର ବକ୍ତିତ୍ୱ କେତେ ଦୃଢ଼ ଓ ବଳିଷ୍ଠ, ଦୀନକୃଷ୍ଣଙ୍କ ବ୍ୟକ୍ତିତ୍ୱ ତାହାର ଏକ ଅନୁପମ ଉଜ୍ଜ୍ୱଳ ନମୁନା । କବି ଜୀବନର ଶ୍ରେଷ୍ଠତମ ଆନନ୍ଦ କବିତା ରଚନା ଓ ଶ୍ରେଷ୍ଠତମ ପ୍ରାପ୍ତି ହେଉଛି ରସଜ୍ଞ ପ୍ରମାଣ – ତା’ର କବିତାର ଭାବଗ୍ରାହୀ । ନିର୍ଜଞ୍ଜାଳ ହୋଇ କବିତା ରଚନା କରି ପାରିଲେ ଏବଂ ଯଥାର୍ଥ ଗ୍ରାହକ ଦ୍ୱାରା ସେ କବିତା ଆଦୃତ ହେଲେ କବି ନିଜକୁ କୃତାର୍ଥ ମନେକରିଥାଏ ।

 

କବି ହୋଇ କରୁଥିବ ନିର୍ମଳ କବିତ୍ୱ ।

କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ଡିତ ।

କିଞ୍ଚିତ କରି ଆସ୍ୱାଦ କରୁଥିବା ତାହା ।

କହେ କୃଷ୍ଣ କିମଧୁରେ ଲେଖିବି ମୁଁ ଏହା । ୪୦ ।

 

କବି ଯେହେତୁ ସତ୍ୟବାନ୍‌ ଏବଂ ତା’ର କାବ୍ୟ ତା’ର ଆତ୍ମାପରି ମୁକ୍ତ, ସ୍ୱାଧୀନ, ସେ ତେଣୁ କାହାରି ଅଧୀନସ୍ଥ ହୋଇ ରହିପାରେ ନାହିଁ, କାହାରି ସ୍ତାବକ ସାଜି ଭାଟତୁଲ୍ୟ ସ୍ତୁତି କରିବା ତା’ ପକ୍ଷରେ ସମ୍ଭବ ହୁଏ ନାହିଁ । କାହାରି ଅଧୀନତା ତା’ର ଆତ୍ମାକୁ କକର୍ଥନ କରେ । ଅନେକ ଧନ, ମାନ, ଦାନର ପ୍ରତିଶ୍ରୁତି ସତ୍‌କବିକୁ ଚାଟୁକାର ବନାଇ ପାରେ ନାହିଁ । ସଂସାର ଭିତରେ ଥାଇ ସୁଦ୍ଧା ସଂସାର ବାହାରର ନିର୍ଭୀକତା ନିଜ ଭିତରୁ ଖୋଜି ପାଏ ସେ :

 

କୃଷ୍ଣ ଆଶ୍ରେ କରି ସୁବିଦ୍ୟା ଆଚରି ପାଷଣ୍ଡକୁ ଯାହା ସ୍ତୁତି ।

କୃଷ୍ଣଦାସ କହେ କିଛି ଭଲ ନୋହେ କେବଳ ଛାତିକି କାତି । ୩୦ ।

 

ବହୁକାଳ ତଳେ ଗ୍ରୀସ ଦେଶର ସେଇ ସତ୍ୟବ୍ରତୀ ବୃଦ୍ଧ ଜଣକ ମିଥ୍ୟାବାଦୀ ହେବା ଅପେକ୍ଷା ବିଷପାନକୁ ଶ୍ରେୟସ୍କର ମଣିଥିଲେ । ଏଇ ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ସ୍ୱାଭିମାନୀ ଆଫ୍ରିକୀୟ କବି ବେଞ୍ଜାମିନ ମୋଲିସ୍‌ - ସ୍ୱାଧିନତା କଥା କହି ଫାଶୀଦଣ୍ଡ ବରଣ କରିନେଲେ, ତିନିଶହ ବର୍ଷତଳେ ଆମରି ଓଡ଼ିଶାର ଆମର ପିତୃବ୍ୟ କବି ଦୀନକୃଷ୍ଣ ଏଇ ବିଶ୍ୱବାସୀ ସତ୍ୟବାନ୍‌ଗଣଙ୍କ ତୁଲ୍ୟ ନିର୍ଭୀକତାପ୍ରଦର୍ଶନ କରିଯାଇଛନ୍ତି ନିଜର କାବ୍ୟରେ । ଦେଖାଇ ଦେଇ ଯାଇଛନ୍ତି ନିଜ ଜୀବନରେ ପରୀକ୍ଷା କରି ଯେ କବି ସତ୍ୟବାଦୀ, ଆବଶ୍ୟକ ସ୍ଥଳେ ଅପ୍ରିୟ ସତ୍ୟାବାଦୀ । ମୂର୍ଖ, ଅପଣ୍ଡିତର ସ୍ତାବକ ହୋଇ ଆତ୍ମାକୁ ନାନା କକର୍ଥନାରେ ପୀଡ଼ିତ କରିବା ଅପେକ୍ଷା ଆତ୍ମଘାତୀ ହେବା କବି ପକ୍ଷରେ ଅଧିକ ଶ୍ରେୟସ୍କର :

 

କଥା କଥାକେ କହିବାକୁ ଏ ଶଲ ।

କିମ୍ପା ଦୀନକୃଷ୍ଣକୁ ଏମନ୍ତ କଲ ହେ ।

କବି ଯା’ କରେ ମୂର୍ଖକୁ ସ୍ତୁତି, ଏଥିରୁ ବଡ଼ ନାହିଁ ବିପତ୍ତି,

ଏଥିକି ପ୍ରତି ଛାତିକି କାତି ମାରିବା ଭଲ ହେ ।

 

ଆଲୋଚନାର ପରିସମାପ୍ତି କାଳରେ ଏତିକି କହିବା ଯଥେଷ୍ଟ ହେବ ଯେ କବି ହେବା ଓ କାବ୍ୟସାଧନା କରିବା ଉଭୟ ଦୁର୍ଗମ-ପଥ-ସାଧନ । ତେଣୁ ଏ ସାଧନା ନିମନ୍ତେ ଜୀବନଯାକର ନିଷ୍ଠା ଠୁଳ ହେଲେ ହେଁ ଜଣେ ମହତ୍‌ ସାଧକର ସାଫଲ୍ୟ ଅର୍ଜନ କରିପାରେ ।

 

ସହାୟକ ଗ୍ରନ୍ଥସୂଚୀ

୧.

କ)

କବି ହେଲେତ ଜାଣିବ ଏଥି ଶ୍ରମ ହିଁ ଯେତେ ହେ । ୨୦ ।

 

ଖ)

କୃପଣ ଚିତ୍ତ ନୋହେ ଚକିତ ଦେଖିଲେ ନାନା ରୂପେ ଅଦ୍ଭୁତ

ବାଳିଶମନ ଦ୍ରବଇ ନାହିଁ ଶୁଣିଲେ ଗୀତ ଯେ । ୨୨ ।

 

ଗ)

କରିତ ଥାନ୍ତି ଜ୍ଞାନକୁ ହତ ମୋହ ମୋଦରେ ହୋଇ ସମ୍ମତ

 

 

କେ ଶିଶୁ ପଶୁ କେମହାପଂଶୀ ବୋଧ ନୁହନ୍ତି କର୍ଣ୍ଣରେ ଶୁଣି । ୨୮ ।

 

 

କାହାରି ହୃଦ ଦ୍ରବଇ ନାହିଁ ଜଳ ଉତ୍ପଳ ପରାଏ ହୋଇ

 

 

କେବଳ ବାହାରକୁ ତିନ୍ତିଲା ପରା ଏ ଦିଶେ ଯେ । ୨୯ ।

 

ଦୀନକୃଷ୍ଣ ଦାସ, ରସ କଲ୍ଲୋଳ, ଷୋଡ଼ଶ ଛାନ୍ଦ, ପ୍ରାଚୀଗ୍ରନ୍ଥମାଳା (୯), ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୭୩, ପୃ ୧୦୮ -୧୦

୨.

ରସକଲ୍ଲୋଳରୁ ଉଦ୍ଧୃତ ସମସ୍ତ ପଂକ୍ତି ପ୍ରାଚୀଗ୍ରନ୍ଥମାଳା (୯), ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ୧୯୭୩, ପୃସ୍ତକରୁ ଗୃହୀତ।

୩.

ତୃତୀୟ ଛାନ୍ଦ

୪.

ପ୍ରଥମ ଛାନ୍ଦ

୫.

ନବମ ଛାନ୍ଦ

୬.

ଦଶମ ଛାନ୍ଦ

୭.

ସପ୍ତବିଂଶ ଛାନ୍ଦ

୮.

ଷୋଡ଼ଶ ଛାନ୍ଦ

୯.

ଚତୁତ୍ରିଂଶ ଛାନ୍ଦ

୧୦

୧୧.

ଉତ୍ତର ବାଲେଶ୍ୱରର ଭାଷାରେ ବକ୍ତବ୍ୟ ଭଙ୍ଗୀରେ ମଧ୍ୟମଧର୍ମୀ କୌଣସିବୋଧକୁ ସକାଶ କଲାବେଳେ ‘ନୁହେଁ’ (ନୋହେ) ଶବ୍ଦର ବ୍ୟବହାର ଲକ୍ଷ୍ୟ କରାଯାଏ – ‘ନୋହେ ଖଟା ନୋହେ ମିଠା’ – ଖଟାମିଠା । ‘ନୋହେ ଗରମ ନୋହେ ଥଣ୍ଡା’ – ଈଷଦ୍‌ ଉଷ୍ଣ । ଏହି ଦୃଷ୍ଟିରୁ ‘ଭାଷା ନୋହେ ଦିବ୍ୟ ଅଦିବ୍ୟ ସମ’ର ଅର୍ଥାନ୍ତର ଦିବ୍ୟ ଓ ଅଦିବ୍ୟ ଭାଷାର ମଧ୍ୟମପନ୍ଥୀ ମିଶ୍ରଭାଷା ବା ସମଭାଷା ଭାବରେ ଗ୍ରହଣ କରାଯାଇପାରେ ।

୧୨.

ଅଭିମନ୍ୟୁ ସାମନ୍ତ ସିଂହାର, ବିଦଗ୍ଧ ଚିନ୍ତାମଣି, ୧ମ ଛାନ୍ଦ, ପ୍ରୀଚୀ ଗ୍ରନ୍ଥମାଳା, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ।

୧୩.

କବି ଅଭିମନ୍ୟୁ ଏହାକୁ ‘ପସରା’ ଭାବେ ନାମିତ କରଛନ୍ତି

୧୪.

ଚତୁତ୍ରିଂଶ ଛାନ୍ଦ,

୧୫.

ଚତୁତ୍ରିଂଶ ଛାନ୍ଦ,

୧୬.

ଚତୁତ୍ରିଂଶ ଛାନ୍ଦ,

୧୭.

ସପ୍ତମ ଛାନ୍ଦ

୧୮.

ଚତୁତ୍ରିଂଶ ଛାନ୍ଦ

୧୯.

ସପ୍ତମ ଛାନ୍ଦ

୨୦.

ସପ୍ତମ ଛାନ୍ଦ,

୨୧.

ଚତୁର୍ବିଂଶ ଛାନ୍ଦ,

୨୨.

ଷୋଡ଼ଶ ଛାନ୍ଦ,

 

 

***

 

ତପସ୍ୱିନୀର ଗଠନ କୌଶଳ

ଡକ୍ଟର କୁମୁଦରଂଜନ ପାଣିଗ୍ରାହୀ

 

‘ତପସ୍ୱିନୀ’ କାବ୍ୟର କଥାବସ୍ତୁ ସମ୍ପର୍କରେ ଗଙ୍ଗାଧର ମେହେର ‘ମୁଖବନ୍ଧ’ରେ ଯେଉଁ ସୂଚନା ଦେଇଛନ୍ତି, ସେଥିରୁ ଏହା ସ୍ପଷ୍ଟ ହୁଏ ଯେ ସୀତାଙ୍କ ନିର୍ବାସିତ ଜୀବନର ଘଟଣାବଳୀ ଅପେକ୍ଷା ଏହା ମୂଳତଃ ଏକ ଘଟଣା ପ୍ରଧାନ କାବ୍ୟ ନୁହେଁ, ବର୍ଣ୍ଣନା-ପ୍ରଧାନ, ପୁଣି ମାନସିକ ସ୍ଥିତି ତଥା ସ୍ୱର୍ଗତଃ ସଂଳାପ ଆଧାରିତ । ଏହାକୁ ଏକ ମନସ୍ତାତ୍ତ୍ୱିକ କାବ୍ୟ ଭାବରେ ଗ୍ରହଣ କରିବା ନିରାପଦ ନୁହେଁ, କାରଣ ଆଦର୍ଶର ଶିଖର ବର୍ଣ୍ଣନା ଭିତରେ ବାସ୍ତବ ମନସ୍ତତ୍ତ୍ୱର ବ୍ୟାଖା କରିବା ସମ୍ଭବପର ନୁହେଁ । ହୁଏତ, ସୀତାଙ୍କ ମାନସିକ ଅବସ୍ଥାର ବିଶ୍ଳେଷଣ ସେ ସମୟର ନାରୀର ସାମାଜିକ ସ୍ଥିତିକୁ ନେଇ କରାଯାଇ ପାରିବ । କିନ୍ତୁ, କବିଙ୍କର ତାହା ଲକ୍ଷ୍ୟ ନୁହେଁ । ତାଙ୍କର କାବ୍ୟ ସୃଷ୍ଟିର ଲକ୍ଷ୍ୟ ସମ୍ପର୍କରେ ସେ ଏଭଳି ସୂଚନା ଦେଇଛନ୍ତି – ସେ (ସୀତା) ନିର୍ବାସନକୁ ନିଜର ଭାଗ୍ୟଦୋଷ ବୋଲି ପତିଭକ୍ତିକୁ କିପରି ତପସ୍ୱିନୀ ରୂପରେ କିପରି ଦିନ ଯାପନ କରିଥିଲେ, ତାହା ପ୍ରକଟ କରିବା ଏହି ପୁସ୍ତକର ପ୍ରଧାନ ଉଦ୍ଦେଶ୍ୟ । (ମୁଖବନ୍ଧ) ଏହା ବ୍ୟତିତ କବିଙ୍କର କାବ୍ୟ ସୃଷ୍ଟି ପଶ୍ଚାତରେ ଆଉ ଗୋଟିଏ ଉଦ୍ଦେଶ୍ୟ ରହିଥିଲା, ତାହା ହେଲା – ବିଜ୍ଞ ପାଠକବୃନ୍ଦ ! ଏଥିରେ ମୋର କୃତିତ୍ୱକୁ ଲକ୍ଷ୍ୟ ନକରି ନିଜ ନିଜ ହୃଦୟସ୍ଥ ସୀତାଙ୍କର ଉଜ୍ଜ୍ୱଳ, ନିର୍ମଳ ଓ ପବିତ୍ର ଚରିତ୍ର, ଚିତ୍ରିତ-ସ୍ମୃତିପଟକୁ ଥରେ ଥରେ ଉଦ୍‌ଘାଟନ କରି ନାରୀ-ହୃଦୟର ଉନ୍ନତି ବିଧାନ କରିବେ, ଏହି ମାତ୍ର ଆଶା । (ମୁଖବନ୍ଧ)

 

କବି ମେହେର ପୌରାଣିକ ଚରିତ୍ର ସୀତାଙ୍କୁ ମୁଖ୍ୟ ଚରିତ୍ର ଭାବରେ ଗ୍ରହଣ କରିଥିଲେ ମଧ୍ୟ, ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ପାଠକମାନଙ୍କୁ ନାରୀ-ହୃଦୟର ଉନ୍ନତି ବିଧାନ କରିବା ପାଇଁ ଅନୁରୋଧ କରିବା । ସୀତାଙ୍କ ବେଦନା ଭିତରେ କବି ଆଶା କରନ୍ତି ଯେ ପାଠକମାନେ ସ୍ୱୀୟ ହୃଦୟସ୍ଥ ସୀତାଙ୍କୁ କେବଳ ଅନୁଭବ ନକରନ୍ତୁ, ନାରୀ-ହୃଦୟର ଉନ୍ନତି ବିଧାନ ମଧ୍ୟ କରନ୍ତୁ । କବି ଏଭଳି ଆଶା ପୋଷଣ କରିବା ପଶ୍ଚାତରେ ବିଂଶ ଶତକର ପ୍ରଥମ ପାଦରେ ସମସାମୟିକ ସମାଜରେ ନାରୀର ସ୍ଥାନ ଓ ସ୍ଥିତିର ପରୋକ୍ଷ ଚିତ୍ର ଉଙ୍କି ମାରିଥାଏ । ପୁରୁଷ-ପ୍ରଧାନ ଭାରତୀୟ ସମାଜରେ ନାରୀ ସର୍ବଦା ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବରେ ବଞ୍ଚିଆସୁଛି । ଏହା କବି ଅବଶ୍ୟ ଅନୁଭବ କରଛନ୍ତି । ଏଇ ଅବସ୍ଥାକୁ କବି ଗଙ୍ଗାଧର ବ୍ୟକ୍ତିଗତ ଭାବରେ ଆଦୌ ସ୍ୱୀକାର କରିପାରି ନାହାନ୍ତି । ତାଙ୍କ ଜୀବନୀ ଓ କାବ୍ୟ କବିତାରୁ ଏହା ଅନ୍ତତଃ ସ୍ପଷ୍ଟ ଯେ ଗଙ୍ଗାଧର ଏକାନ୍ତ ଭାବରେ ଜଣେ ମାନବବାଦୀ ମଣିଷ ଥିଲେ ।

 

‘ତପସ୍ୱିନୀ’ର କଥାବସ୍ତୁର ଆରମ୍ଭ ହୋଇଛି, ଗଙ୍ଗାକୂଳରେ ନିର୍ବାସିତା ସୀତାଙ୍କ ବିଳାପରୁ-। ପ୍ରଚଳିତ ବାଲ୍ମୀକି ରାମାୟଣର ଉତ୍ତରାକାଣ୍ଡର ନିର୍ବାସିତା ସୀତାଙ୍କ ଜୀବନ ବୃତ୍ତାନ୍ତକୁ ହିଁ କବି ବିଷୟବସ୍ତୁ ରୂପେ ଗ୍ରହଣ କରିଛନ୍ତି । କବି ମଧ୍ୟ କାବ୍ୟ ପ୍ରବେଶରେ କାମନା କରିଛନ୍ତି ନିର୍ବାସିତା ସୀତାଙ୍କୁ ଦର୍ଶନ କରିବା ନିମିତ୍ତ ଏବଂ ଏହାବି ଜାଣିବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି ଯେ ସୀତା କିଭଳି ତାଙ୍କର ଜୀର୍ଣ୍ଣ ହୃଦୟକୁ ସୀବନ କରିଛନ୍ତି ।

 

ବାଲ୍ମୀକି ରାମାୟଣ ତଥା ପ୍ରାନ୍ତୀୟ ଭାରତୀୟ ଭାଷାର ସମସ୍ତ ପୂର୍ଣ୍ଣାଙ୍ଗ ରାମାୟଣରେ ଉତ୍ତରାକାଣ୍ଡର ବିଷୟବସ୍ତୁ ଅଦ୍ୟନ୍ତ ବିସ୍ତୃତ । ସୀତା ନିର୍ବାସନ ଠାରୁ ସୀତାଙ୍କର ଭୂମି ପ୍ରବେଶ ପର୍ଯ୍ୟନ୍ତ ଘଟଣାକ୍ରମ ଭିତରେ ମଧ୍ୟ ଅନେକ ଘଟଣାର ବର୍ଣ୍ଣନା ରହିଛି । କିନ୍ତୁ ‘ତପସ୍ୱିନୀ’ କାବ୍ୟରେ ମେହେର କେବଳ ସୀତାଙ୍କ ଆଶ୍ରମ ଜୀବନକୁ ହିଁ କଥାବସ୍ତୁ ରୂପରେ ଗ୍ରହଣ କରିଛନ୍ତି । ଘଟଣାର କ୍ରମବିକାଶ ଦୃଷ୍ଟିରୁ ବିଶିଷ୍ଟ ଘଟଣାର ତାଲିକା ନିମ୍ନ ଭାବରେ କରାଯାଇ ପାରିବ । (୧) ଗଙ୍ଗାକୂଳରେ ସୀତା, (୨) ବାଲ୍ମୀକି ଆଶ୍ରମରେ ସୀତାଙ୍କ ଅବସ୍ଥାନ, (୩) କୁଶଲବଙ୍କ ଜନ୍ମ, (୪) ଅଶ୍ୱମେଧ ଯଜ୍ଞ ସମ୍ୱାଦ, (୫) ସୀତାଙ୍କ ପତ୍ର ଲିଖନ, (୬) ସୀତାଙ୍କ ସ୍ୱପ୍ନ ଦର୍ଶନ । ଏସବୁ ଘଟଣାର ମଧ୍ୟରୁ ସୀତାଙ୍କ ପତ୍ରଲିଖନ ଓ ସ୍ୱପ୍ନ ଦର୍ଶନ ବାଲ୍ମୀକି ରାମାୟଣରେ ସ୍ଥାନ ପାଇନାହିଁ ।

 

ବର୍ତ୍ତମାନ ଦେଖାଯାଉ, ବିଷୟବସ୍ତୁର ଘଟଣାପ୍ରବାହ ଦୃଷ୍ଟିରୁ ‘ତପସ୍ୱିନୀ’ କାବ୍ୟର ଗଠନ ଶିଳ୍ପ କିଭଳି ନିର୍ମାଣ କରାଯାଇଛି।

 

(୧) ଗଙ୍ଗାକୂଳରେ ସୀତା : ଏକ ନାଟକୀୟ ଦୃଶ୍ୟ ଭଳି ବିଷୟଟି ଆରମ୍ଭ ହୋଇଛି । ପରଦା ଉଠିବା ବେଳକୁ ଦର୍ଶକ ଦେଖୁଛି ଯେ ଗଙ୍ଗାକୂଳରେ ଠିଆ ହୋଇ ମନଦୁଃଖରେ ସୀତା ପୂର୍ବ ଦିଗକୁ ଚାହିଁ ରହିଛନ୍ତି । ତାଙ୍କ ନେତ୍ରରୁ ଅବିରତ ଲୋତକ ବର୍ଷୁଥିଲା । ଏଠାରେ ପାଠକ ହଠାତ୍‌ ସୀତାଙ୍କୁ ଏକାକିନୀ ଏହି ଅବସ୍ଥାରେ ଦେଖି ଅବଶ୍ୟ ଚମକୃତ ଓ ବିସ୍ମିତ ହେବ, ଯଦି ସେ ରାମାୟଣ ବା କୌଣସି ରାମକଥା ପୂର୍ବରୁ ପାଠକରି ନଥିବ । ସାଧାରଣ ଭାବରେ ସୀତାଙ୍କୁ ଏହି ଅବସ୍ଥାରେ ଦେଖିଲେ ମଧ୍ୟ, ପ୍ରଥମରୁ ହିଁ ପାଠକରି ନଥିବ । ସାଧାରଣ ଭାବରେ ସୀତାଙ୍କୁ ଏହି ଅବସ୍ଥାରେ ଦେଖିଲେ ମଧ୍ୟ, ପ୍ରଥମରୁ ହିଁ ପାନକର ସହାନୁଭୂତି ଏହି ଚରିତ୍ର ପ୍ରତି ସ୍ୱତଃ ଆକର୍ଷିତ ହେବ । କବି ଗଙ୍ଗାଧର ଏଭଳି ଏକ ଦୃଶ୍ୟରୁ ସୀତାଙ୍କ କଥା ଆରମ୍ଭ କରି ଚତୁରତାର ସହିତ ପାଠକର ପାଠକୀୟ ସମ୍ୱେଦନାକୁ ସୀତାଙ୍କ ଠାରେ ଠୂଳ କରିଦେଇଛନ୍ତି ।

 

ସୀତାଙ୍କର ଅସହାୟତା ଓ କାରଣ୍ୟକୁ ଆହୁରି ଘନୀଭୂତ କରିଦେଇଛି ଗଙ୍ଗାଧର ପ୍ରକୃତିକୁ ଦୃଶ୍ୟପଟକୁ ଆଣି । ପ୍ରକୃତି ପ୍ରଥମେ ସୀତାଙ୍କ ଅବସ୍ଥା ଦେଖି କାରୁଣ୍ୟରେ ଦ୍ରବୀଭୂତ ହୋଇଯାଇଛି ଏବଂ ପରକ୍ଷଣରେ ନିୟତିକୁ ସୀତାଙ୍କ ଅବସ୍ଥା ପାଇଁ ଦାୟୀକରି, ତା’ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଛି । କବି ଗଙ୍ଗାଧର ପରୋକ୍ଷ ଭାବରେ ପାଠକମାନଙ୍କୁ ମଧ୍ୟ ପ୍ରକୃତିର କ୍ରିୟାଶୀଳତା ସହିତ ସାମିଲ କରିଦେଇଛନ୍ତି । ପୁନଶ୍ଚ, କବି ପାଠକର ହୃଦୟକୁ ଆହୁରି ସୀତା-ମୁଖୀ କରିବା ପାଇଁ ସୀତାଙ୍କ ବାହୁନାର ବର୍ଣ୍ଣନା କରିଛନ୍ତି ଏବଂ ସେହି ବାହୁନା ଭିତରେ ସୀତାଙ୍କର ସରଳତା ଓ ମହାନତାକୁ ପାଠକ ଅନୁଭବ କରିଥାଏ । ପାଠକ ପ୍ରଥମ ସର୍ଗରୁ ହିଁ ସୀତା-ପକ୍ଷ ଏଭଳି ଭାବରେ ନେଇଥାଏ ଯେ, ଅନ୍ୟ କାହା ସମ୍ପର୍କରେ ଚିନ୍ତା କରିବାର ସୁଯୋଗ ମଧ୍ୟ ପାଏନାହିଁ । ସୀତାଙ୍କ ବାହୁନା ଭିତରେ କବି ରାମାୟଣର କେତେକ ଘଟଣାର ସୂଚନା ଅତି ସଂକ୍ଷେପରେ ପ୍ରଦାନ କରିଛନ୍ତି (କ) ଧନୁ ଭାଙ୍ଗି ରାମ ସୀତାଙ୍କୁ ବିବାହ କରିଥିଲେ; (ଖ) ରାମ ବନବାସରେ ସୀତା ମଧ୍ୟ ସଙ୍ଗରେ ଯାଇଥିଲେ, (ଗ) ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାମ ସମୁଦ୍ର ଲଙ୍ଘି ରାବଣକୁ ବଧ କରିଥିଲେ: (ଘ) ରାମଙ୍କ ଠାରୁ ସୀତାଙ୍କ ବିଚ୍ଛିନ୍ନ ହେବା, (ଙ) ଅଗ୍ନିପରୀକ୍ଷାର ସୂଚନା, (ଚ) ଅହଲ୍ୟା ଉଦ୍ଧାର, (ଛ) ସୀତା-ତ୍ୟାଗ ସମୟରେ ସୀତାଙ୍କ ଗର୍ଭାବସ୍ଥା; (ଜ) ସୀତାଙ୍କ ଅପବାଦ, (ଝ) ମାୟାମୃଗ ପ୍ରସଙ୍ଗ, (ଞ୍ଜ) ରାବଣର ରାମଙ୍କ ଛିନ୍ନ ମାୟା-ଶିର ପ୍ରଦର୍ଶନ; (ଟ) ସୀତାଙ୍କ ଆଶ୍ରମ ପରିଦର୍ଶନର କାମନା; (ଠ) କୈକେୟୀ ପ୍ରସଙ୍ଗ (ଡ) ଅଷ୍ଟବକ୍ର ମୁନିଙ୍କ ନିକଟରେ ରାମଙ୍କ ପ୍ରତିଜ୍ଞା । ଏହିସବୁ ଅତୀତର କଥା ସ୍ମରଣ କରି ସୀତାଙ୍କର ବିଳାପ ସମଗ୍ର ବନଭୂମିକୁ ପ୍ଳାବିନ କରିଦେଇଥିଲା । କବି ଗଙ୍ଗାଧର ଏହି କାରଣ୍ୟମୟ ପରିବେଶକୁ ଆହୁରି ପ୍ରଗାଢ଼ କରିବାକୁ ଯାଇ ଯେଉଁ ଚମତ୍‌କାର ବର୍ଣ୍ଣନା କରିଛନ୍ତି, ତାହା ପାଠକକୁ ମଧ୍ୟ ଜଡ଼ବତ୍‌ କରିପକାଏ; ‘‘ସୀତାଙ୍କ ରୋଦନ ଗତି ସ୍ତମ୍ଭିଲା ବାତର / ଜଳ ସ୍ଥଳ ଘେନି ହେଲା ନିସର୍ଗ କାତର । / ସମ୍ଭିଗଲା ଜାହ୍ନବୀର ତରଙ୍ଗ-ଆବଳୀ, / ବନ୍ଦ ହୋଇଗଲା ବନେ ବିହଙ୍ଗ-କାକଳି । ନହଲିଲା ପାଦପର ଗୋଟିଏ ପତର, / ନ ଚଳିଲା ଲୀଳା-ଶୀଳା-ବଲୀ-କଳେବର । +++ କରଉ କରିଣୀ କରୀ ହୋଇ ତିତ୍‌ଥ ପରି / ପଥେ ରହିଗଲେ ଗଙ୍ଗା-ଗମନ ବିସ୍ମରି ।’’ (୧ମ ସର୍ଗ)

 

ପ୍ରଥମ ସର୍ଗରେ କବି ସୀତାଙ୍କୁ ଅସହାୟା, କରୁଣ, ଏକାକୀ କରି ଉପସ୍ଥାପନ କରିବା ପଶ୍ଚାତରେ ତାଙ୍କର ମନୋଭାବକୁ ସ୍ପଷ୍ଟ କରି ଦେଇଛନ୍ତି । ସେ ପ୍ରତ୍ୟକ୍ଷରେ ସୀତାଙ୍କ ପ୍ରତି ପାଠକଙ୍କ ସହାନୁଭୂତି ଓ ପରୋକ୍ଷ ଭାବରେ ରାମଙ୍କ ଅନ୍ୟାୟ ନିର୍ବାସନ-ଆଦେଶ ପ୍ରତି ବୀତସ୍ପୃହତା ସୃଷ୍ଟି ପାଇଁ ଯୋଜନା କରିଛନ୍ତି । ପ୍ରକୃତିର କ୍ରିୟାଶୀଳ ପ୍ରତିବାଦରେ ଏହା ପ୍ରତିକିତ ହୋଇଛି । ପ୍ରଥମ ସର୍ତ୍ତର ସମୟ ସୀମା ପ୍ରତି ଦୃଷ୍ଟି ଦେଲେ ଜଣାଯିବ ଯେ, କବି ପ୍ରଥମେ ସୀତାଙ୍କୁ ଦର୍ଶନ କରିବାବେଳେ ଅପରାହ୍ନ ହୋଇସାରିଥିଲା । ସୀତା ମୂର୍ଚ୍ଛିତା ହୋଇ ପଡ଼ିଥିବା ସମୟରେ- ‘‘ସାଧ୍ୱୀ କୁଳବଧୂଙ୍କର ଦୁର୍ବିପାକ ଚାହିଁ/ଲଜ୍ଜା ଭରେ ଭାନୁ ଦେଲେ ବଦନ ଲୁଚାଇ’’ରୁ ସନ୍ଧ୍ୟା ସମୟର ମଧ୍ୟ ସୂଚନା ମିଳିଥାଏ । ଅଯୋଧ୍ୟାରୁ ଲକ୍ଷ୍ମଣ ସୀତାଙ୍କୁ ନେଇ ନିଶ୍ଚିତ ଭାବରେ ସକାଳୁ ବାହାରିଥିବେ ଏବଂ ଅପରାହ୍ନ ସମୟରେ ବାଲ୍ମୀକି ଆଶ୍ରମ ନିକଟରେ ପହଞ୍ଚିଥିବେ । ମାତ୍ର କେତୋଟି ଘଣ୍ଟାର ବିଷୟବସ୍ତୁକୁ ନେଇ ପ୍ରଥମ ସର୍ଗ ଗଠିତ ।

 

(୨) ବାଲ୍ମୀକି ଆଶ୍ରମରେ ସୀତାଙ୍କ ଅବସ୍ଥାନ : ଦ୍ୱିତୀୟ ସର୍ଗର କଥାବସ୍ତୁ ହେଉଛି, ସୀତାଙ୍କୁ ବାଲ୍ମୀକି ଓ ଆଶ୍ରମବାସୀ ଗଙ୍ଗାକୂଳରୁ ଆଶ୍ରମକୁ ପାଛୋଟି ଆଣିଛନ୍ତି । ଏହା ମଧ୍ୟ କେତେ ଘଣ୍ଟାର କଥାବସ୍ତୁ । ପ୍ରଚଳିତ ବାଲ୍ମୀକି ରାମାୟଣରେ ମଧ୍ୟ ସୀତା ନିର୍ବାସିତା ହୋଇ ବାଲ୍ମିକୀଙ୍କ ଆଶ୍ରମରେ ଆଶ୍ରୟ ନେଇଛନ୍ତି । ତୃତୀୟ ସର୍ଗରେ ସୀତାଙ୍କ ଅନୁପସ୍ଥିତିରେ ରାମଙ୍କ ଅନୁଚିନ୍ତାର ବର୍ଣ୍ଣନା କରାଯାଇଛି । ଉକ୍ତ ସର୍ଗର ଶେଷ ଆଡ଼କୁ ସୀତାଙ୍କ ଯନ୍ତ୍ରଣାପୂର୍ଣ୍ଣ ଜୀବନର ସୂଚନା ମଧ୍ୟ ପ୍ରଦାନ କରାଯାଇଛି ତୃତୀୟ ସର୍ଗରେ କୌଣସି ଘଟଣାର କ୍ରମବିକାଶ ପରିଲକ୍ଷିତ ହୁଏ ନାହିଁ, କାରଣ କବି ଘଟଣାର ବର୍ଣ୍ଣନା କରିନାହାନ୍ତି, କେବଳ ରାମ ଓ ସୀତାଙ୍କର ମନର ଭାବନାକୁ ହିଁ ଦର୍ଶାଇଛନ୍ତି । ଚତୁର୍ଥ ସର୍ଗରେ ସୀତାଙ୍କର ବାଲ୍ମୀକି ଆଶ୍ରମରେ ପ୍ରଥମ ପ୍ରଭାତର ବର୍ଣ୍ଣନା ସହିତ ତାଙ୍କର ଆଶ୍ରମ ଜୀବନର ବର୍ଣ୍ଣନା କରାଯାଇଛି । ଏହି ସର୍ଗରେ ମଧ୍ୟ ରାମାୟଣ କଥାବସ୍ତୁର କୌଣସି କ୍ରମବିକାଶ ଦୃଷ୍ଟିଗୋଚର ହୁଏ ନାହିଁ । ପଞ୍ଚମ ସର୍ଗ ମଧ୍ୟ ସୀତା ଓ ପ୍ରକୃତିର ସାକ୍ଷାତ ଓ କଥୋପକଥନରେ ବ୍ୟୟିତ । ଷଷ୍ଠ ଓ ସପ୍ତମ ସର୍ଗରେ ସୀତା ସଖୀଙ୍କ ସମ୍ମୁଖରେ ନିଜ ଅତୀତ ଜୀବନକୁ ନିଜ ଦୃଷ୍ଟିକୋଣକରୁ ବ୍ୟାଖ୍ୟା କରିଛନ୍ତି ।

 

ପ୍ରଥମ ସର୍ଗରେ ଅତୀତ ଘଟଣାର ରୋମନ୍ଥନ ଷଷ୍ଠ ଓ ସପ୍ତମ ସର୍ଗରେ ପୁନରାବୃତ୍ତି ହୋଇଥିବା ମନେ ହୁଏ । ପ୍ରଥମ ସର୍ଗରେ ଅଠାବନ ପଦରେ ସଂକ୍ଷେପରେ ସୀତା ବାହୁନିବାବେଳେ ଅତୀତ ଘଟଣାବଳୀର ବର୍ଣ୍ଣନା କରାଯାଇଛି । ସେହିସବୁ ଘଟଣାର କିଞ୍ଚିତ ବିସ୍ତୃତ ବର୍ଣ୍ଣନା ଷଷ୍ଠ ଓ ସପ୍ତମ ସର୍ଗରେ କରାଯାଇଛି । ଏହି ବର୍ଣ୍ଣନା ଷଷ୍ଠ ସର୍ଗରେ ଏକ ଶହ ନଅ ପଦରେ ଓ ସପ୍ତମ ସର୍ଗରେ ଦୁଇ ଶହ ଅଠର ପଦରେ କରାଯାଇଛି । ଏହି ଦୁଇ ସର୍ଗରେ ବର୍ଣ୍ଣିତ ଘଟଣାଗୁଡ଼ିକ ଏଭଳି (କ) ଧନୁଭଂଗ ଓ ସୀତା ବିବାହ; (ଖ) ପର୍ଶୁରାମଙ୍କ ପଥରୋଧ; (ଗ) ସୀତା ଦ୍ୱାଦଶ ବର୍ଷ ଅଯୋଧ୍ୟାରେ ରହିଲେ; (ଘ) ରାମବନବାସ; (ଙ) ସ୍ୱର୍ଣ୍ଣମୃଗ ପ୍ରସଂଗ; (ଚ) ସୀତା-ହରଣ; (ଛ) ସୀତାଙ୍କ ଭୂଷଣ ପକାଇବା ପ୍ରସଙ୍ଗ, (ଜ) ରାବଣ-ବଧ; (ଝ) ଅଗ୍ନି-ପରୀକ୍ଷା; (ଞ) ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ; (ଟ) ସୀତାଙ୍କ ଆଶ୍ରମ ଦର୍ଶନର କାମନା; (ଠ) ସୀତା-ତ୍ୟାଗ ପ୍ରସଂଗ ।

 

ପ୍ରଥମ ସର୍ଗରେ କ୍ରନ୍ଦନରତା ସୀତା ଯେଉଁ ବିଳାପ କରିଛନ୍ତି, ସେଥିରେ ସେ ସଂକ୍ଷେପରେ ତାଙ୍କର ଅତୀତ ଜୀବନର ସୂଚନା ଦେଇଛନ୍ତି ଏବଂ ତାଙ୍କର ନୀର୍ବାସନର ବ୍ୟାଖ୍ୟା କରିଛନ୍ତି । କବି ମେହେର ଏହି ପ୍ରସଙ୍ଗକୁ ସଂକ୍ଷିପ୍ତ କରି ସେଇ ପରିସ୍ଥିତିରେ ଯଥାର୍ଥ କାର୍ଯ୍ୟ କରିଛନ୍ତି କିନ୍ତୁ ଏହିଭଳି ଅତୀତ ରୋମନ୍ଥନ ମାଧ୍ୟମରେ ସୀତାଙ୍କ ଜୀବନର କେତେକ ଘଟଣାର ସୂଚନା ଦେଇ ସେ ଯେ ପ୍ରଥମେ ପାଞ୍ଚୋଟି ସର୍ଗର ପରିକଳ୍ପନା କରିଥିଲେ, ତାହା ସ୍ପଷ୍ଟ ହୋଇଯାଇଛି । ସେ ସମ୍ପର୍କରେ ମଧ୍ୟ ଡଃ ଉଦ୍‌ଗାତା ଉଲ୍ଲେଖ କରିଛନ୍ତି, ‘‘ତପସ୍ୱିନୀ ରଚନାର ଏ ଇତିହାସରୁ ଏହା ସ୍ୱଷ୍ଟ ଯେ କବି ମୂଳରୁ ଯେଉଁ ଖସଡ଼ା କରିଥିଲେ ତାହା ପଞ୍ଚମ ସର୍ଗରେ ସମାପ୍ତ ହୋଇଥାନ୍ତା; କିନ୍ତୁ କବିଙ୍କର ଉଲ୍ଲସିତ କଳ୍ପନା ଏହାର ବିକାଶ ଓ ସଂପ୍ରସାରଣ ନିମିତ୍ତ କ୍ରମେ ଉପାଦାନ ଯୋଗାଇଛି ।’’ (୧) କବିଙ୍କର ଏହି ଉଲ୍ଲସିତ କଳ୍ପନା ଯୋଗୁଁ କାବ୍ୟଟିରେ ଆହୁରି ଛଅଟି ସର୍ଗ ସଂଯୋଜିତ ହୋଇଛି । ଏହି ଅଯୋଜନାବଦ୍ଧ ଯେଉଁ କେତୋଟି ସର୍ଗର ପରିକଳ୍ପନା କବି କରିଛନ୍ତି, ତାହା ଘଟଣାକ୍ରମ ଦୃଷ୍ଟିରୁ ଷଷ୍ଠ ଓ ସପ୍ତମ ସର୍ଗ ପ୍ରଥମ ସର୍ଗର ପରିଶିଷ୍ଟ ଭଳି ମନେହୁଏ । କିନ୍ତୁ ଏହି ସର୍ଗଦ୍ୱୟର ଆବଶ୍ୟକତା କବି ଘଟଣାର କ୍ରମବିକାଶ ଦୃଷ୍ଟିରୁ ଅନୁଭବ କରି ନାହାନ୍ତି । ତାଙ୍କର ଉଦ୍ଦେଶ୍ୟ ହେଉଛି, ସୀତାଙ୍କର ରାମଙ୍କ ପ୍ରତି ଥିବା ମନୋଭାବକୁ ପ୍ରକାଶ କରିବା ଏବଂ ଏହା ମାଧ୍ୟମରେ ସୀତାଙ୍କର ପତି-ଭକ୍ତିର ସୂଚନା ପାଠକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା । ସୀତା ସଖୀଙ୍କୁ ଏହି କଥାସବୁ ଶୁଣାଇଛନ୍ତି-। ଅନ୍ୟ ପାଖରେ ନିଜର ରାଜା, ପତି ତଥା ପରିବାରବର୍ଗ କଥା କହିବା ବେଳେ ମର୍ଯ୍ୟାଦା ବଢ଼ାଇବା ଭଳି କଥାକୁ ସଜାଇ କହିବା ପ୍ରାୟତଃ ସର୍ବତ୍ର ଦୃଷ୍ଟିଗୋଚର ହୁଏ । ସଖୀ ସମ୍ମୁଖରେ ସୀତା ରାମଙ୍କୁ ଯେଉଁ ମର୍ଯ୍ୟାଦା ଓ ସମ୍ମାନ ପ୍ରଦର୍ଶନ କରିଛନ୍ତି, ତାହା ଜଣେ ଆଦର୍ଶ ଭାରତୀୟ ନାରୀର ପରିଚୟ ମଧ୍ୟ ପ୍ରଦାନ କରୁଛି । ସୀତା ଏହି ସର୍ଗରେ ଅତୀତର କେତେକ ଘଟଣାକୁ ବିସ୍ତୃତ ବିଶ୍ଳେଷଣ କରିବାର ସୁଯୋଗ ପାଇଛନ୍ତି, ଯାହାକି ବାହୁନା ବେଳେ ପାଇ ନାହାନ୍ତି-। ଏହି ବିଶ୍ଳେଷଣ ରାମଙ୍କର ମହିମା ଯାହା ପ୍ରଖ୍ୟାପନ କରୁନା କାହିଁକି ସୀତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ବିସ୍ତାର ଅବଶ୍ୟ କରିଛି ଏବଂ କବି ତାହା ହିଁ ଚାହିଁଛନ୍ତି ।

 

ଅଷ୍ଟମ ସର୍ଗରେ କବିଙ୍କର ଏକ ଅଭିନବ ପରିକଳ୍ପନା ରୂପାୟିତ । ସୀତାଙ୍କ ଦର୍ଶନାର୍ଥେ ଭାରତର ବିଭିନ୍ନ ଅଞ୍ଚଳର ପ୍ରବୃତ୍ତି-ବିଭବ ସମୂହ ଆସି ନିଜ ନିଜର ମନ କଥା ଶୁଣାଇଛନ୍ତି ଏବଂ ସୀତା ମଧ୍ୟ ସେମାନଙ୍କ ସହିତ ସହାନୁଭୂତିର ସହିତ ମିଶିଛନ୍ତି । ଘଟଣା ପ୍ରବାହରେ ଏହି ସର୍ଗରେ ସୀତା ପ୍ରକୃତି ସମ୍ମୁଖରେ ମଧ୍ୟ କହିଛନ୍ତି – ‘ଲୋକ-ବଚନେ କରି ଦୁଃଖ ଅର୍ଜନ / କରିଅଛନ୍ତି କାନ୍ତ ମୋତେ ବିସର୍ଜନ ।’ ଏହାପରେ ପଚାରିଛନ୍ତି, ‘‘ମୋ ଭାଗ୍ୟ ପରକାଳେ ସ୍ୱାମୀ-ଦର୍ଶନେ/କ୍ଷମ ହେବ କି ? କହ ଦିବ୍ୟ ଦର୍ଶନେ !’’ ପଦ୍ମିନୀକୁ ଏହା ପଚାରି ସୀତା ସ୍ୱୀୟ ରାମ-ଗତ-ପ୍ରାଣର ପରିଚୟ ଦେଇଛନ୍ତି । ପ୍ରକୃତ ସହିତ ଏକାତ୍ମ କରି ଦେଇ ସୀତାଙ୍କୁ କବି ପ୍ରକୃତି ସମ ବିସ୍ତୃତ, ବିଶାଳ, ସରଳ ଓ ମହାନ୍‌ କରିଦେବାର ପ୍ରୟାସ ଯେମିତି କରିଛନ୍ତି । ଏ ସମ୍ପର୍କରେ ଡକ୍ଟର ଉଦ୍‌ଗାତାଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ, ‘‘ତପସ୍ୱିନୀର ଗଠନ ଶିଳ୍ପର ଅନ୍ୟତମ ପରାକାଷ୍ଠା ହେଉଛି ଏହି ପ୍ରକୃତିର ରୂପାୟନ । କବି ଗଙ୍ଗାଧର ଅତ୍ୟନ୍ତ ସଚେତନ ଭାବେ ପ୍ରକୃତି କନ୍ୟା ଧରଣୀ ନନ୍ଦିନୀ ସୀତାକୁ ଆଶ୍ରମ ପ୍ରକୃତି କୋଳରେ ଅବସ୍ଥାପିତ କଲାବେଳେ ଏହି ପାରସ୍ପରିକ ସମ୍ୱନ୍ଧକୁ ଆଧାର କରିହିଁ ଗୁଂଫନ କରିଛନ୍ତି ତାଙ୍କ କାବ୍ୟ ।’’ (୨)

 

ନବମ ସର୍ଗରେ ଏକ ବିଶିଷ୍ଟ ଘଟଣା ଘଟିଛି । କୁଶ-ଲବଙ୍କ ଜନ୍ମ ହୋଇଛି । ଅଯୋଧ୍ୟାର ଭାବି ରାଜାଙ୍କ ଜନ୍ମ । ଏଥିରେ ଆଶ୍ରମବାସୀ ଓ ପ୍ରକୃତି ନିଜର ଆନନ୍ଦ ପ୍ରକାଶ କରିଛନ୍ତି । ଦଶମ ସର୍ଗରେ କୁଶ-ଲବଙ୍କ ଲାଳନପାଳନରେ ସୀତାଙ୍କ ସମୟ ଅତିବାହିତ ହୋଇଛି । ଏକାଦଶ ସର୍ଗରେ ମଧ୍ୟ ସୀତା ବାଲ୍ମୀକି ଆଶ୍ରମରେ ରହିଛନ୍ତି । ଅର୍ଥାତ୍‌ ଦ୍ୱିତୀୟ ସର୍ଗରୁ ଏକାଦଶ ସର୍ଗ ପର୍ଯ୍ୟନ୍ତ, ଦଶଟି ସର୍ଗରେ ସୀତାଙ୍କର ଆଶ୍ରମବାସିନୀ, ଅର୍ଥାତ୍‌ ତପସ୍ୱିନୀ ଜୀବନର ବର୍ଣ୍ଣନା କରାଯାଇଛି ।

 

୩. କୁଶ-ଲବଙ୍କ ଜନ୍ମ ; ଉତ୍ତରାକାଣ୍ଡର ଘଟଣାକ୍ରମରେ କୁଶ-ଲବଙ୍କର ଜନ୍ମ ଏକ ବିଶିଷ୍ଟ ଘଟଣା । ଅଯୋଧ୍ୟାର ସମ୍ରାଟ ରାମଙ୍କ ପୁତ୍ର ଜନ୍ମ ହେବାଟା ରାଜ୍ୟ ପାଇଁ ଏକ ବିଶେଷ ଉତ୍ସବର ସମୟ । ସୀତା ଦୁଃଖରେ ଭାବିଛନ୍ତି, ‘‘ଏ ନରେନ୍ଦ୍ର କୁମରେ/ଶୋଭିଥାନ୍ତେ ଆଜି ମଣିମୟ ଘରେ ।/ ହୋଇଥାନ୍ତେ ନୃପ-ବୃନ୍ଦ-ଆନନ୍ଦନ, /ଦୀନ ଦୁଃଖୀଙ୍କର ଦାରିଦ୍ର୍ୟ-ଖଣ୍ଡନ।/କେତେ ଧନରତ୍ନ ବସନ ଭୂଷଣ/ପାଇଥାନ୍ତେ ଆଜି ପୁରବାସୀଗଣ ।/ ପୁର ପୂରୁଥାନ୍ତା ମଙ୍ଗଳ ନାଦରେ/ ନଭ ପୁରୁଥାନ୍ତା ମଙ୍ଗଳ ବାଦ୍ୟରେ ।/ ଭାଗ୍ୟଦୋଷେ ଆହା ଚାପସ-ତନୟ/ ରୂପେ ଆଶ୍ରା-କଲେ ତାପସଆଳୟ ।’’ (୯ମ ସର୍ଗ) ଏଭଳି ଭାବିବା ସୀତାଙ୍କ ପକ୍ଷରେ ଅସ୍ୱାଭାବିକ ନୁହେଁ । କିନ୍ତୁ ତପସ୍ୱିନୀ ଜୀବନ ଯାପନ କରୁଥିବା ଜଣେ ସାଧ୍ୱୀଙ୍କ ପକ୍ଷରେ ଏଭଳି ଚିନ୍ତା କରିବା ଅର୍ଥ, ସେ ଏଯାବତ୍‌ ତପସ୍ୱିନୀ ।

 

କୁଶ-ଲବଙ୍କ ଜନ୍ମ କଥା ବେଳେବେଳେ ମନରେ ଏକ ପ୍ରଶ୍ନ ସୃଷ୍ଟି କରେ । ତାହା ହେଉଛି, ପ୍ରଜାମାନେ ଯେତେବେଳେ ସୀତାଙ୍କ ଚରିତ୍ରକୁ ସନ୍ଦେହ କଲେ, ସେତେବେଳେ ସୀତାଙ୍କ ଗର୍ଭସ୍ଥ ସନ୍ତାନକୁ ସନ୍ଦେହ କରିବା ଅସମ୍ଭବ ବା ଅସ୍ୱାଭାବିକ ନୁହେଁ । ଏଭଳି ଯଦି ସନ୍ଦେହ ଉଠିଥାନ୍ତା, ତା’ ହେଲେ ରାମ କ’ଣ କୁଶ-ଲବଙ୍କୁ ଗ୍ରହଣ କରିଥାନ୍ତେ ? ଏ ସମ୍ପର୍କରେ ବାଲ୍ମିକ କିମ୍ବା ଅନ୍ୟ କୌଣସି ରାମ-ସାହିତ୍ୟାକାର ଚିନ୍ତା କରିନାହାନ୍ତି । ଏହାର କାରଣ ହୁଏତ ହୋଇପାରେ ଯେ, ସେକାଳରେ ସ୍ତ୍ରୀକୁ ସିନା ଦଣ୍ଡ ଦିଆଯାଇପାରେ, ହେଲେ ତା’ର ଗର୍ଭସ୍ଥ ଶିଶୁକୁ ନୁହେଁ । କାରଣ ସନ୍ତାନ ହେଉଛି ଶତକଡ଼ା ଶହେ ଭାଗ ପିତାଙ୍କର । ଏଣୁ କବିମାନେ କୁଶ-ଲବ ସଂପର୍କରେ କୌଣସି ଆଶଂକାମନାକୁ ଆଣିନାହାନ୍ତି ।

 

କବି ଗଙ୍ଗାଧର ନବମ ସର୍ଗରେ କୁଶ-ଲବଙ୍କ ଜନ୍ମ ଏକ ପବିତ୍ର ଓ ପ୍ରାକୃତିକ ପରିବେଶ ଭିତରେ ବର୍ଣ୍ଣନା କରିଛନ୍ତି । ଏହି ଜନ୍ମକୁ ସୀତାଙ୍କର ପତି-ହିତ-ସାଧିନୀ ତପସ୍ୟାର ଏକ ଅଂଶ ଭାବରେ ଗ୍ରହଣ କରାଯାଇଛି । ମାତ୍ର, ସଂନ୍ତାନକୁ ଜନ୍ମ ଦେବା ଜଣେ ନାରୀ ପାଇଁ କେବଳ ଏକ ପ୍ରାକୃତିକ ବ୍ୟାପାର ନୁହେଁ, ଏହା ଏକ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ କର୍ତ୍ତବ୍ୟ । ତପସ୍ୟା ନିଶ୍ଚିତ ଭାବରେ କର୍ତ୍ତବ୍ୟର ଉର୍ଦ୍ଧ୍ୱରେ ଏକ ମହାନ୍‌ ଲକ୍ଷ୍ୟ ଆଧାରିତ । ଅନ୍ୟଥା, ତପଶ୍ଚରତା ଆସୁରିକ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

 

ଦଶମ ସର୍ଗରେ ବାର ବର୍ଷର କଥାକୁ କ୍ୟାପ୍‍ସୁଲ ଦିଆଯାଇଛି । କୁଶ-ଲବଙ୍କ ପାଳନ ହିଁ ମୁଖ୍ୟ କଥା । ଏହି ସର୍ଗରେ ସୀତା ନିଜର କର୍ତ୍ତବ୍ୟକୁ ଠିକ୍‌ ଭାବରେ ପାଳନ କରିଥିବା ସେ ନିଜେ ଅନୁଭବ କରି, ‘‘ଭାବୁଥାନ୍ତି, ‘‘ଥରେ କେଉଁ ଉପାୟେ/ଦୃଷ୍ଟି ଦେଇ ସ୍ୱାମୀ-ପବିତ୍ର-ପାଏ/ ସମର୍ପଣ କରି ପୁତ୍ର ଯୁଗଳ/ ଦିଅନ୍ତି ଭାଙ୍ଗି ମୋ ତନୁ ଅର୍ଗଳ/ ପରାଣ-ମୃଗ ଯାଇ ସତ୍ୱର/ ସେ ମୁକ୍ତି-ବିପିନେ କରନ୍ତା ଘର ।’’ (୧୦ମ ସର୍ଗ) କୁଶଲବଙ୍କ ସଂପର୍କରେ କବି ବିଶେଷ କିଛି କହି ନାହାନ୍ତି । ତେବେ, ଏଠାରେ ଗୋଟିଏ କଥା ପୁଣି ମନକୁ ଆସେ, ରାମ ନିଜର ସନ୍ତାନ ଦ୍ୱୟଙ୍କୁଦେଖିବାକୁ ବାର ବର୍ଷ ଭିତରେ ଥରେ ହେଲେ ଆସିଲେ ନାହିଁ, କେମିତି ? ଯେଉଁ ରାମଙ୍କ ପାଇଁ ସନ୍ତାନ ‘ମୋ ଆତ୍ମାର ସ୍ରୋତ’ ସୀତାଙ୍କ ଭାଷାରେ ‘ରତ୍ନନିଧାନ’; ସେମାନଙ୍କୁ ଦେଖିବା ଯେ କୌଣସି ପିତାପାଇଁ ଏକ ସାଧାରଣ କର୍ତ୍ତବ୍ୟ । ଗଙ୍ଗାଧର ମଧ୍ୟ ରାମଙ୍କୁ ଥରଟିଏ ପାଇଁ ବାଲ୍ମୀକି ଆଶ୍ରମକୁ ଆଣି ନାହାନ୍ତି । ଏହା ମଧ୍ୟ ପରୋକ୍ଷରେ ରାମଙ୍କ ପ୍ରତି ପାଠକର ସହାନୁଭୂତି ସୃଷ୍ଟି କରେନାହିଁ । ବିନା ପିତାରେ କୁଶଲବ ବଢ଼ିଛନ୍ତି ।

 

ଏକାଦଶ ସର୍ଗରେ କୁଶଲବଙ୍କୁ ନେଇ ବାଲ୍ମୀକି ଅଶ୍ୱମେଧ ଯଜ୍ଞାର୍ଥେ ଅଯୋଧ୍ୟା ଯିବାର ସ୍ଥିର ହୋଇଛି । ଏହା ହେଉଛି ଏକ ବିଶେଷ ଘଟଣା, ଯାହା ବାଲ୍ମୀକି ରାମାୟଣରେ ମଧ୍ୟ ବର୍ଣ୍ଣିତ ।

 

୪. ଅଶ୍ୱମେଧ ଯଜ୍ଞ : ଅଶ୍ୱମେଧ ଯଜ୍ଞ ଉତ୍ତରାକାଣ୍ଡର ଏକ ପ୍ରମୁଖ ଘଟଣା । ଗଙ୍ଗାଧର ମେହେର ‘ତପସ୍ୱିନୀ’ର କଥାବସ୍ତୁକୁ ଅଶ୍ୱମେଧଯଜ୍ଞ ସଂବାଦ ନେଇଯାଇଛନ୍ତି । ଅଶ୍ୱମେଧ ଯଜ୍ଞର ବର୍ଣ୍ଣନା କରିବାର ଆବଶ୍ୟକତା ପଡ଼ିନାହିଁ । ରାମାୟଣରେ ଥିବା ବିଷୟ, କୁଶଲବଙ୍କ ଅଶ୍ୱମେଧର ଅଶ୍ୱକୁ ବନ୍ଦୀ କରବା ଘଟଣା ମଧ୍ୟ ‘ତପସ୍ୱିନୀ’ରେ ନାହିଁ ।

 

ଅଶ୍ୱମେଧ ଯଜ୍ଞର ସମ୍ବାଦ ବାଲ୍ମୀକି ରାମଦୂତଙ୍କଠାରୁ ରାଜାରାମଙ୍କ ନିମନ୍ତ୍ରଣ ପାଇବାପରେ ସୀତାଙ୍କୁ ଜଣାଇଛନ୍ତି – ଆସିଅଛି ରାମଦୂତ ଧରି ନିମନ୍ତ୍ରଣ/ଶିଷ୍ୟଗଣ ଘେନି କାଲି କରିବି ଗମନ । ତହି ସଙ୍ଗେ କୁଶଲବ ଯିବେ ଯଥା ଶିଷ୍ୟ/ଦେଖିବେ ମହୁନ ମୁନି ଲଭିବେ ଆଶିଷ-।’’ (୧୧ଦଶ ସର୍ଗ) ସୀତା ମୁନିଙ୍କ ପ୍ରସ୍ତାବରେ ତତ୍‌କ୍ଷଣାତ ସମ୍ମତ ହୋଇଛନ୍ତି – ମହର୍ଷି ପ୍ରସ୍ତାବ ସତୀ କରି ସମର୍ଥନ /କୁମାରଙ୍କ ଭାର ଗାଢ଼େ କଲେ ସମର୍ପଣ । (ଏକାଦଶ ସର୍ଗ) ମୁନି ବାଲ୍ମୀକି ଶିଷ୍ୟମାନଙ୍କୁ ଅଶ୍ୱମେଧ ଯଜ୍ଞର ନାୟକ ରାମ ଓ ଯଜ୍ଞକୁ ଆସୁଥିବା ବିଶେଷ ଅତିଥିଙ୍କ ସଂପର୍କରେ ସୂଚନା ଦେଇଛନ୍ତି ।

 

ଯାହା ମନେ ହୁଏ, ଅଶ୍ୱମେଧ ଯଜ୍ଞ କଥାକୁ ଯେଭଳି ସଂକ୍ଷିପ୍ତ ଓ ହାଲୁକା ଭାବରେ କେବଳ ସୂଚନାତ୍ମକ ଶୈଳୀରେ ଗଙ୍ଗାଧର ଉପସ୍ଥାପନ କରିଛନ୍ତି, ସେ ଅଶ୍ୱମେଧ ଯଜ୍ଞ କଥା କହିବାକୁ ଯାଇ ନାହାନ୍ତି, ବରଂ ତାହାର ମାଧ୍ୟମରେ ଅନ୍ୟକିଛି କହିବାକୁ ଚାହିଁଛନ୍ତି ଏବଂ ତାହା ହେଉଛି, ଅଶ୍ୱମେଧ ଯଜ୍ଞ ସମ୍ୱାଦ ପାଇ ସୀତାଙ୍କର ପ୍ରତିକ୍ରିୟା ପ୍ରଦର୍ଶନ କରିବା । ତାହାହିଁ କବି କରିଛନ୍ତି । ସୀତାଙ୍କର ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ଏବଂ ସେହି ପ୍ରତିକ୍ରିୟା କୁଶଲବଙ୍କଠାରୁ ଏତକ ଶୁଣିସାରିବା ପରେ ହିଁ ପ୍ରଶମିତ ହୋଇଛି- ‘‘ଅଶ୍ୱମେଧ-ଯଜ୍ଞେ ସହଧର୍ମିଣୀ ସକାଶେ/କାନକୀ ଜାନକୀ ରାମ ରଖିଛନ୍ତି ପାଶେ ।’’ ବାଲ୍ମୀକି ମୁନି ସୀତାଙ୍କୁ ଯେତେବେଳେ ଅଶ୍ୱମେଧ ଯଜ୍ଞ ସମ୍ୱାଦ ଦେଲେ ସେତେବେଳେ ଏହି ସମ୍ୱାଦ ଦେଇଥିଲେ, ସୀତାଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିନଥାନ୍ତା । ମାତ୍ର, କବି ଗଙ୍ଗାଧର ଚାହିଁଛନ୍ତି ଏଭଳି ଏକ ସମ୍ୱାଦ ପ୍ରାପ୍ତିପରେ ସୀତା କିଭଳି ମାନସିକ ଅବସ୍ଥାରେ ଗତି କରୁଛନ୍ତି; ତାହା ଦେଖିବା ପାଇଁ / ଏବଂ ଏହି ସୁଯୋଗରେ ସେ ଚମତ୍କାର ଭାବରେ ସୀତାଙ୍କ ମାନବୀୟ-ଦୁର୍ବଳ-ମାନସିକତାର ଚିତ୍ର ଅଙ୍କନ କରିଛନ୍ତି । ପ୍ରଥମ ସମ୍ୱାଦ ପାଇବା ପରେ ସୀତାଙ୍କ ମନରେ ଏକ ସ୍ୱାଭାବିକ ପ୍ରଶ୍ନ ଉଠିଛି ଯେ ରାମ ଦ୍ୱିତୀୟ ପତ୍ନୀ ଗ୍ରହଣ ଅବଶ୍ୟ କରିଥିବେ, କାରଣ ଭାରତୀୟ ପରମ୍ପରାରେ ପତ୍ନୀବିନା ଯଜ୍ଞାନୁଷ୍ଠାନ ସମ୍ଭବପର ନୁହେଁ । ଯେହେତୁ ରାମ ଅଶ୍ୱମେଧ ଯଜ୍ଞାନୁଷ୍ଠାନ କରୁଛନ୍ତି ଏବଂ ତାଙ୍କର ଏକ ମାତ୍ର ପତ୍ନୀ ସୀତା ବାଲ୍ମୀକି ଆଶ୍ରମରେ ରହୁଛନ୍ତି ଓ ରାମ ତାଙ୍କୁ ଆକ୍ରମଣ କରି ନେଇନାହାନ୍ତି; ତେଣୁ ସେ ରାମ ଅନ୍ୟ ପତ୍ନୀ ଗ୍ରହଣ କରିଥିବେ ବୋଲି ଆଶଙ୍କା କରିବା ନିହାତି ବାସ୍ତବ । ପୁନଶ୍ଚ, କିଏ କାହିଁକି ବା ଚିନ୍ତା କରିବ ଯେ ରାମ ସୁନାର ସୀତା ନିର୍ମାଣ କରି ଯଜ୍ଞାନୁଷ୍ଠାନ କରିବାକୁ ସଂକଳ୍ପ କରିଛନ୍ତି ବୋଲି ? ଅତୀତରେ ଏଭଳି ଘଟିଥିବାର ପ୍ରମାଣ ଦିଆଯାଇ ନାହିଁ । ପ୍ରଚଳିତ ବାଲ୍ମୀକି ରାମାୟଣରେ ଏହା ଏକ ଉଦ୍ଭଟ ଅବାସ୍ତବ ପରିକଳ୍ପନା । ରାମଙ୍କୁ ଭଗବାନ ବିଷ୍ଣୁଙ୍କର ଅବତାର ଭାବରେ ଗ୍ରହଣ କରିନେବାପରେ ଏହି ଘଟଣାକୁ ମଧ୍ୟ ସ୍ୱୀକାର କରି ନିଆଯାଇଛି, ଏହା ଅନନୁକରଣୀୟ ଉଦାହରଣ/ଆଦର୍ଶ ହୋଇପାରେ, ମାତ୍ର, ଏହା ରାମଙ୍କ ପତ୍ନୀ-ପ୍ରଣୟର ଉଦାହରଣ ହୋଇପାରିଛି-

 

୫. ସୀତାଙ୍କ ଚିଠି ଲିଖନ: ଅଶ୍ୱମେଧ ଯଜ୍ଞର ପ୍ରଥମ ସମ୍ୱାଦ ବାଲ୍ମୀକିଙ୍କଠାରୁ ପାଇ ସୀତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ଏବଂ ସେ ଭୀଷଣ ଯନ୍ତ୍ରଣାର ମାନସିକ ଦ୍ୱନ୍ଦରୁ ସେ ଚିଠି ଲେଖିବା ଆରମ୍ଭ କରିଛନ୍ତି । ଚିଠି ଲେଖିବାର କାରଣ ହେଉଛି, ‘‘ଉପାୟେ ଆଣିବି ସେହି ନିଗୂଢ଼ ମନ୍ତର, /ବିଚାରି ଲେଖିଲେ ସତୀ ବିନୟ ପତର ।’’ (୧୧ଶ ସର୍ଗ) ଚିଠି ଲେଖାଇ ପରିକଳ୍ପନା ଗଙ୍ଗାଧର ଉଭୟ ଉପେନ୍ଦ୍ର ଭଞ୍ଜଙ୍କ ‘ପ୍ରେମସୁଧାନିଧି’ ଓ ରାଧାନାଥ ରାୟଙ୍କ ‘ଲେଖାବଳୀ’ରୁ ଗ୍ରହଣ କରିଥିଲେ ମଧ୍ୟ ‘ଲେଖାବଳୀ’ ଶୈଳୀରୁ ଅଧିକ ଭାବରେ ଗ୍ରହଣ କରିଛନ୍ତି । (୩) ଗଙ୍ଗାଧରଙ୍କ ସୀତା ନିଜ ନାମରେ ଚିଠି ଲେଖି ନାହାନ୍ତି । ସେ ନିଜକୁ ଭିନ୍ନ ଭିନ୍ନ ଭାବରେ ଚିହ୍ନିତ କରିଛନ୍ତି, ଯଥା-ଦୀନ ଭିକାରୁଣୀ, ମୁହିଁ ତପସ୍ୱିନୀ, ଦୁଃଖିନୀ ଇତ୍ୟାଦି । କିନ୍ତୁ ଚିଠି ଶେଷରେ ଯେଉଁ ଦୁଇଟି ପଦ ଲେଖିଛନ୍ତି, ସେଥିରୁ ଚିଠିଟି ସୀତା ହିଁ ଲେଖିଛନ୍ତି, ତାହା ରାମ ଅବଶ୍ୟ ଜାଣିଥାନ୍ତେ- ‘‘ଧୀରବର । ସେ କଥାକୁ ଘେନି ତୁମ୍ଭ ଶ୍ରୁତି/ଆଣିବି ଯଦ୍ୟପି ଦୀନା ବୈଦେହୀର ସ୍ମୃତି/ବୈଦେହୀ ପ୍ରଣୟକୁ ମଣିବ ସ୍ୱପନ/ଚାହିଁ ନବ-ପ୍ରଣୟିନୀ-ପ୍ରଫୁଲ୍ଲ-ଲପନ । (୧୧ଶ ସର୍ଗ) ସୀତା ଆନ୍ତରିକତାର ସହ ଚାହିଁଥିବେ ଯେ ଚିଠି ପଢ଼ି ରାମ ଜାଣନ୍ତୁ ଯେ ସୀତା ହିଁ ଏହି ଚିଠିର ଲେଖିକା । କବି ଚିଠି ପ୍ରସଙ୍ଗ ଆଣି ସୀତାଙ୍କୁ ଜଣେ ସାଧାରଣ ବାସ୍ତବ ଓ ମାନବୀ ଚରିତ୍ର କରି ଗଢ଼ିଛନ୍ତି ।

 

ଅବ୍ୟବସ୍ଥିତ ମାନସିକ ଅବସ୍ଥାରେ ସୀତା ଚିଠି ଲେଖିବା ଆରମ୍ଭ କରିଛନ୍ତି । ଏହି ଚିଠି ପ୍ରସଙ୍ଗ କବି କାବ୍ୟରେ ଉତ୍‌ଥାପନ କରିବାବେଳେ ମଧ୍ୟ ସ୍ୱୟଂ ଆବେଗର ବଶବର୍ତ୍ତୀ ହୋଇଥିବା ଅନୁମେୟ । ସାଧାରଣ ପାଠକ ଦୃଷ୍ଟିରେ ଏହି ଚିଠିକୁ ଦେଖିଲେ ମନରେ କେତୋଟି ପ୍ରଶ୍ନ ଉଠେ । ସୀତା ରାମଙ୍କ ନିକଟକୁ ଚିଠି କାହିଁକି ଲେଖିଲେ ? ରାମ କ’ଣ ଜାଣିଥିଲେ ଯେ କେଉଁ ମନ୍ତ୍ର ଜପ କରି କଳ୍ପିତ ନାରୀଟି ତାଙ୍କର ଦ୍ୱିତୀୟା ସ୍ତ୍ରୀ ହୋଇଛନ୍ତି ? ମନ୍ତ୍ର ଜପ କଲେ କ’ଣ ପତି ପ୍ରାପ୍ତ ହୁଏ, ଏଭଳି କରି କ’ଣ ସୀତା ରାମଙ୍କୁ ପତି ରୂପେ ପାଇଥିଲେ ? ଚିଠିରେ ତାଙ୍କର ନାମ ଦେଲେ ନାହିଁ କାହିଁକି ? ସେ କେମିତି ଭାବିଲେ ଯେ ସମ୍ରାଟ ରାମ ତାଙ୍କ ପାଖକୁ ଚିଠି ଲେଖି ଗୁପ୍ତମନ୍ତ୍ର ସମ୍ପର୍କରେ ସବିସ୍ତୃତ ତତ୍ତ୍ୱ ଜଣାଇଦେବେ ବୋଲି ? କବି ଉଲ୍ଲେଖ କରିଛନ୍ତି ଯେ ସୀତା ହୃଦୟ-ବିକଳରେ ଚିଠି ଲେଖୁଥିଲେ, ‘‘ଲେଖୁଥାନ୍ତି ପତ୍ର ସତୀ ହୃଦୟ-ବିକଳେ ।’’ ତା’ ପୂର୍ବରୁ କବି ଲେଖିଛନ୍ତି, ‘‘ବିଚାରି ଲେଖିଲେ ସତୀ ବିନୟ ପତର ।’’ ମାତ୍ର ପରେ ପରେ ସୀତାଙ୍କ ମୁଖରେ କବି କହିଛନ୍ତି, ‘‘ଲେଖୁଥିଲି ଭାଷା ପ୍ରଭୁ-ହୃଦୟ-ତାପିନୀ’’ । ଏହି ଚିଠିଟି ଘଟଣାର କ୍ରମବିକାଶରେ କୌଣସି ଭୂମିକା ନେଇଥିବା ଭଳି ମନେହୁଏ ନାହିଁ । ତେବେ, ସୀତା ତପସ୍ୱିନୀ ସ୍ତରକୁ ପହଞ୍ଚି ପାରି ନାହାନ୍ତି, ତା’ର ସୂଚନା ହିଁ ଦେଉଛି । ଅବ୍ୟବସ୍ଥିତ ମାନସିକ ସ୍ଥିତି ନେଇ ସେ ହୃଦୟ-ବିକଳରେ ଚିଠି ଲେଖି ସମସ୍ତ ପ୍ରକାରର ଯୁକ୍ତିନିଷ୍ଠତା ତଥା ବିବେକକୁ ଭୁଲି ଯାଇଛନ୍ତି । ଏଇ ଚିଠି, ଅବଶ୍ୟ ରାମଙ୍କର ଯଥେଷ୍ଟ ମହିମା ବର୍ଦ୍ଧନ କରୁଥିବାବେଳେ, ସୀତା ଯେ ଜଣେ ସାଧାରଣ ମାନବୀ ସ୍ତରକୁ ଓହ୍ଲାଇ ଆସିଛନ୍ତି, ତାହାର ସୂଚନା ପ୍ରଦାନ କରିଥାଏ । ଏହି ଚିଠି ଲେଖିବା ଯେ ସୀତାଙ୍କର ଏକ ଭୁଲ ଥିଲା, ତାହା ପରକ୍ଷଣରେ, ଯେତେବେଳେ କୁଶଲବଙ୍କଠାରୁ ଜାନକୀ ଜାନକୀ କଥା ଶୁଣିଛନ୍ତି, ସେ ଅନୁଭବ କରିଛନ୍ତି । ସେ ଅନୁତାପ ମଧ୍ୟ କରିଛନ୍ତି, ‘‘ମୁଁ ସିନା ଅବଳା ଅତି ଦୁର୍ବଳ-ହୃଦୟ/ଅନନ୍ତ ଅଗାଧ ମୋର ପ୍ରଭୁଙ୍କର ଦୟା/ଅପରାଧକ୍ଷମ ନାଥ, କ୍ଷମାର ସାଗର/ବିଧି କଲା ମୋତେ ତୁମ୍ଭ ହୃଦୟର ଗର ।’’ ଅଶ୍ୱେମଧ ଯଜ୍ଞ ସମ୍ବାଦ ଶୁଣିବାପୂର୍ବରୁ ସୀତା ଯେଉଁ ସ୍ଥିତିରେ ଥିଲେ ଚିଠି ଲେଖି ସାରିବାପରେ ପୁଣି ସେହି ଅବସ୍ଥାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହା ଭିତରେ ମାତ୍ର ଘଣ୍ଟେ ଦୁଇ ଘଣ୍ଟାର ସମୟ ରହିଛି । ଏହି ସମୟର ସୀତା ‘ଆକସ୍ମିକ ବ୍ୟଥା’ରେ ଜର୍ଜରିତ ହୋଇ ‘ହୃଦୟବିକଳେ’ ଚିଠି ଲେଖିଛନ୍ତି । ଏଣୁ, ଏହି ଚିଠି ଲେଖା ଆଦୌ ବ୍ୟବସ୍ଥିତ ଅଥବା ଯୁକ୍ତିଯୁକ୍ତ ମନୋଭାବର ପରିଚୟ ଦିଏ ନାହିଁ । ବିଷୟବସ୍ତୁ ବିନ୍ୟାସ ଦୃଷ୍ଟିରୁ ଦେଖିଲେ ଏହି ଚିଠି ପ୍ରସଙ୍ଗ ନଥିଲେ ମଧ୍ୟ ‘ତପସ୍ୱିନୀ’ କାବ୍ୟର କୌଣସି ହାନି ହୋଇନଥାନ୍ତା । ହୁଏତ ପ୍ରଭାବ ଦୃଷ୍ଟିରୁ, ସୀତା କିଛି ଅଧିକ ସହାନୁଭୂତି ପାଠକମାନଙ୍କ ଠାରୁ ପାଇପାରିଛନ୍ତି ।

 

୬. ସୀତାଙ୍କ ସ୍ୱପ୍ନ ଦର୍ଶନ:- ଗଙ୍ଗାଧର କାବ୍ୟର ସମାପ୍ତିକୁ ସୁଖାନ୍ତ କରିବାକୁ କାହିଁକି ଗଲେ, ସେଇ ପ୍ରଶ୍ନ ନ କରିବା ଭଲ । ଏହା ଜଣେ ସ୍ରଷ୍ଟାର ମର୍ଜି ଉପରେ ନିର୍ଭର କରେ । ବିଭିନ୍ନ ରାମ-ସାହିତ୍ୟରେ ସୁଖାନ୍ତ ସମାପ୍ତିର ଉଦାହରଣ ରହିଛି । ଉଦାହରଣ ଭାବରେ ଉତ୍ତରରାମ ଚରିତ, କ୍ଷେମେନ୍ଦ୍ରଙ୍କ ‘ବୃହତ୍‌କଥା ମଞ୍ଜରୀ’, ‘କୁଞ୍ଜମାଳା’ ନାଟକର ଅନ୍ତିମ ଅଙ୍ଗ, ଆନନ୍ଦରାମାୟଣର ଜନ୍ମକାଣ୍ଡ (୭, ୬୧-୭୩), କଥାସରିତ୍‌ସାଗର (୯,୧,୧୧୨. ଜୈମିନୀୟ ଅଶ୍ୱମେଧ (ଅ.୩୬)), ପଦ୍ମପୁରାଣ, (ପାତାଳଖଣ୍ଡ, ଅ: ୬୭), ରାମଚନ୍ଦ୍ରିକା (ପ୍ରକାଶ ୩୯), ରାମଲିଙ୍ଗାମୃତ (ସର୍ଗ ୧୪), ରାମ ଜାତକ, ବ୍ରହ୍ମଚକ୍ର, ସିଂହଳା ରାମକଥା ପ୍ରଭୃତି ରାମ-ସାହିତ୍ୟକୁ ଗ୍ରହଣ କରାଯାଇ ପାରିବ । (୪) ଗଙ୍ଗାଧର ପ୍ରଥମ ଥର ପାଇଁ ବାଲ୍ମୀକି ରାମାୟଣର ପରମ୍ପରାକୁ ଭାଙ୍ଗି ନାହାନ୍ତି । ପୁନଶ୍ଚ, ସେ ଘଟଣାର କ୍ରମରେ ସୁଖାନ୍ତ ମିଳନର ଚିତ୍ର ଦେଇ ନାହାନ୍ତି ବା ରାମ-ସୀତାଙ୍କୁ ମିଳାଇ ନାହାନ୍ତି । ଏହି ମିଳନର ଦୃଶ୍ୟ ସୀତା ସ୍ୱପ୍ନରେ ହିଁ ଦେଖିଛନ୍ତି । ନିଦ୍ରାଦେବୀଙ୍କ ଅନୁରୋଧରେ ଯୋଗମାୟା ଏହି ସ୍ୱପ୍ନର ବ୍ୟବସ୍ଥା କରିଛନ୍ତି । ଦୁଃଖିନୀ ସୀତା ଏହି ସ୍ୱପ୍ନକୁ ‘‘ଚାହିଁ ମୁଗ୍ଧ ହେଲେ ସତୀ-ଲଳନା-ଇଲାମ’’ ଏହି ପାଦଟିରେ ତପସ୍ୱିନୀ କାବ୍ୟ ସମାପ୍ତ ହୋଇଛି ।

 

ବର୍ତ୍ତମାନ ସର୍ଗମାନଙ୍କ ବିଚାର କରାଯାଉ । ଡକ୍ଟର ଉଦ୍‌ଗାତା ତପସ୍ୱିନୀର ପ୍ରାଥମିକ ଖସଡ଼ାରେ ପାଞ୍ଚଟି ସର୍ଗ ଥିବାର ଉଲ୍ଲେଖ କରି କହିଛନ୍ତି, ‘‘ତପସ୍ୱିନୀ କାବ୍ୟର ଯୋଜନା ଏବଂ ଗଠନଶିଳ୍ପ ବିଚାର କାଳରେ ଏହା ଏକ ସ୍ୱରଣୀୟ ତଥ୍ୟ । କାରଣ ଏହା ସମସ୍ତଙ୍କ ଅନୁଭବର ବିଷୟ ଯେ ପ୍ରଥମ ପାଞ୍ଚୋଟି ସର୍ଗରେ ବର୍ଣ୍ଣନା ଓ ଶିଳ୍ପରୀତିରେ ଯେଉଁ ମନ୍ଥରତା ତଥା କଳ୍ପନାବିଳାସମୟ ଧାରାଥିଲା ପରବର୍ତ୍ତୀ ୬ଟି ସର୍ଗରେ ତାହା ଠିକ୍‌ ସେହିପରି ନ ରହି କ୍ରମେ ଅଧିକ ତଥ୍ୟମୁଖୀ ହୋଇଛି ଏବଂ ‘ତପସ୍ୱିନୀ’ ଧାରଣାର ପ୍ରତିପାଦନ ଉଦ୍ଦେଶ୍ୟରେ ପରିଚାଳିତ ହୋଇଛି । ଏହାଫଳରେ, କବି ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରିନଥିଲେ ହେଁ, କାବ୍ୟର ବିଷବବସ୍ତୁ ଦୃଷ୍ଟିରୁ ‘ତପସ୍ୱିନୀ’କୁ ଦୁଇଟି ଭାଗରେ ବିଭକ୍ତ କରାଯାଇ ପାରିବ, (୧) ଆରମ୍ଭ-ତପସ୍ୱିନୀର ପ୍ରତିଷ୍ଠା ଏବଂ (୨) ତପସ୍ୟାର ବିକାଶ ଓ ପରିଣତି । (୫)

 

କବି ପ୍ରଥମେ ପାଞ୍ଚଟି ସର୍ଗର ପରିକଳ୍ପନା ଯଦି କରିଥିଲେ, ତା’ହେଲେ କାବ୍ୟରେ ସେ କ’ଣ ଦର୍ଶାଇବାକୁ ମୂଳତଃ ଚାହିଁଥିଲେ ? କାରଣ, ବର୍ତ୍ତମାନର ପ୍ରଥମ ପାଞ୍ଚଟି ସର୍ଗରେ, ‘‘ଏହା ଏକ ସତ୍ୟ ଯେ ପ୍ରଥମ ସର୍ଗରେ ସୀତା ନିର୍ବାସନ ଏବଂ ଦ୍ୱିତୀୟ ସର୍ଗରେ ବାଲ୍ମୀକି ଆଶ୍ରମରେ ଆଶ୍ରୟ ଗ୍ରହଣ ପରେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସର୍ଗରେ ଦର୍ଶାଯାଇଛି ଆଶ୍ରମରେ ସୀତାଙ୍କ ପ୍ରଥମ ରାତ୍ରି ଓ ପ୍ରଥମ ସକାଳର ଜୀବନ ।’’ (୬)

 

ତା’ ଅର୍ଥ ଖୁବ୍‌ ବେଶୀରେ ୨୭/୨୮ ଘଣ୍ଟାର ଘଟଣା ବର୍ଣ୍ଣନା ଭିତରେ ପାଞ୍ଚଟିସର୍ଗ ସମାପ୍ତ ହୋଇଯାଇଛି । ଯାହା ମନେ ହୁଏ, କବି କାବ୍ୟାରମ୍ଭ ପୂର୍ବରୁ ସୀତାଙ୍କ ନିର୍ବାସନରେ ସୀତାଙ୍କର ପ୍ରତିକ୍ରିୟାକୁ ହିଁ ଏକମାତ୍ର ବିଷୟବସ୍ତୁ ରୂପରେ ଗ୍ରହଣ କରିଥିଲେ । ରାମଙ୍କର ଏହି ଆଦେଶକୁ କବି ନିଜେ ସ୍ୱୀକୃତି ଦେଇପାରି ନାହାନ୍ତି, କାରଣ ଏହା କୌଣସି ଦୃଷ୍ଟିରୁ ମଧ୍ୟ ନିୟୋଚିତ ନୁହେଁ । ଜାଣି ଜାଣି ସତ୍ୟକୁ ପ୍ରତ୍ୟାଖାନ କରିବା କୌଣସି ପରିସ୍ଥିତିରେ ମଧ୍ୟ ନ୍ୟାୟ ନୁହେଁ । ଏତାଦୃଶ ଏକ ଅମାନବିକ ଆଦେଶକୁ ସୀତା କିଭଳି ଗ୍ରହଣ କରିଛନ୍ତି – ତାହା କବିଙ୍କ ଆଦର୍ଶ-ମାନବୀ-ଧାରଣାକୁ ଆଧାର କରି ବର୍ଣ୍ଣନା କରିବାକୁ ଚାହିଁଛନ୍ତି । ପୁନଶ୍ଚ, ଏହି ପାଞ୍ଚୋଟି ସର୍ଗରେ ପ୍ରକୃତିର ଭୂମିକା ଏତେ ଭାବରେ ରହିଛି ଯେ, ତାକୁ ମଧ୍ୟ ଅବହେଳା କରିହେବ ନାହିଁ । ସୀତା ଓ ପ୍ରକୃତିର ପ୍ରତିକ୍ରିୟା ଭିତରେ ଯେଉଁ ସ୍ୱଳ୍ପ କେତେ ଘଣ୍ଟା ବିତିଯାଇଛି, ସେଥିରେ ହିଁ ପାଞ୍ଚୋଟି ସର୍ଗ ନିୟୋଜିତ ହୋଇଛି । କବି ପ୍ରକୃତିର ପ୍ରତିକ୍ରିୟା ଭିତରେ ସ୍ୱୀୟ ପ୍ରତିକ୍ରିୟାକୁ ସାମିଲ କରିଥିବାବେଳେ ତାଙ୍କର ଆଦର୍ଶ-ଧାରଣା ସୀତାଙ୍କ ପ୍ରତିକ୍ରିୟାକୁ ଅନୁସରଣ କରିଛି । ଏଠାରେ କବିଙ୍କ ଦ୍ୱୈତ ବ୍ୟକ୍ତିତ୍ୱକୁ ଆମେ ଦେଖୁ; ସାମାଜିକ ଓ ବାସ୍ତବ ଧାରଣାର ଗଙ୍ଗାଧର ।

 

ଯାହା ମନେହୁଏ, ପଞ୍ଚମ ସର୍ଗ ଲେଖିବାବେଳେ କବିଙ୍କ ପୂର୍ବ କାବ୍ୟ-ପରିକଳ୍ପନାରେ ପରିବର୍ତ୍ତିତ ଆସିଛି । ଏହି ସର୍ଗର ଶେଷଆଡ଼କୁ ବ୍ରହ୍ମଚାରିଣୀ ଅନୁକମ୍ପା ଯେତେବେଳେ ସୀତାଙ୍କୁ ‘କିଛି ଆଶ୍ରମ ରୀତି’ ସମ୍ପର୍କରେ କହିବାକୁ ଯାଇଛନ୍ତି, ସେତେବେଳେ ସେ ସୀତାଙ୍କ ବିଷୟରେ କହିଛନ୍ତି, ‘‘ଦଇବ ସ୍ୱଭାବେ ତୁ ତପସ୍ୱିନୀ/ଦର୍ଶନ ମାତ୍ରେ ମୁଁ ପାଇଛି ଚିହ୍ନି/ ପବିତ୍ର ପ୍ରାଣ ତୋ ଅତି କୋମଳ, / ଘୋର ତପସ୍ୟାର ଦୁର୍ଲଭ ଫଳ, / ପୁଣ୍ୟ ଲତିକାର ଫୁଲ, / ନବ ତାପସୀଙ୍କ ଆଚରିତ ଶ୍ରମ ନୁହଇ ତୋ ଅନୁକୂଳ ।’’ ଏହି କଥା ଅନୁକମ୍ପାଙ୍କ ମୁଖରେ କୁହାଇସାରିବା ପରେ କବି ଏକ ଅତୃପ୍ତିର ଶିକାର ହୋଇଥିବା ସମ୍ଭବ । କାରଣ, ପାଞ୍ଚଟି ସର୍ଗ ଭିତରେ ସେ ସୀତାଙ୍କୁ ‘ତପସ୍ୱିନୀ’ ଭାବରେ ପ୍ରତିପାଦନ କରିବା ପାଇଁ ଆଦୌ ସମର୍ଥ ହୋଇ ପାରିନାହାନ୍ତି । ସେ ଭିତରେ ସେ କେବଳ ପୂର୍ବୋକ୍ତ ସୂଚନା ମାତ୍ର ଦେଇଛନ୍ତି ଯେ ସୀତା ହେଉଛନ୍ତି ‘ତପସ୍ୱିନୀ’ – ମାତ୍ର, ପାଠକ ତାକୁ ଗ୍ରହଣ କରିଯିବେ କେମିତି ? ଏହି ପ୍ରଶ୍ନ ହୁଏତ କବିଙ୍କୁ ବ୍ୟସ୍ତ କରିଛି ଏବଂ ସେ ସର୍ଗ ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି ।

 

‘‘ଦଇବ ସ୍ୱଭାବେ ତୁ ତପସ୍ୱିନୀ’’ ଏହି ମନ୍ତବ୍ୟ କେତେ ଦୂର ବାସ୍ତବ, ତାହା ମଧ୍ୟ ବିଚାରଯୋଗ୍ୟ । ତପସ୍ୟା ଏକ ପ୍ରାକୃତିକ ବ୍ୟବସ୍ଥା ନୁହେଁ । ଏହା ଏକ ପ୍ରବୃତ୍ତି ନୁହେଁ; ବରଂ ଏହା ଏକ ସାଧନା । ଭାରତୀୟ ପରମ୍ପରାରେ ମଧ୍ୟ ପ୍ରାକୃତିକ ତପସ୍ୱୀର ଉଦାହରଣ ଦେଖାଯାଏ ନାହିଁ । ଧ୍ରୁବ, ପ୍ରହ୍ଲାଦ ଭଳି ବାଳକ ମଧ୍ୟ ଘନଘୋର ସାଧନା ବଳରେ ‘ତପସ୍ୱୀ’ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଏଣୁ, ସୀତାଙ୍କୁ ଦଇବ ସ୍ୱଭାବେ ତପସ୍ୱିନୀ ବୋଲି କହିବା ପଶ୍ଚାତରେ କବିଙ୍କର କେଉଁ ଭାବନା କାର୍ଯ୍ୟ କରିଛି, ତାହା ବିଶ୍ଲେଷଣ କରିବା ଆବଶ୍ୟକ । କାରଣ, ସ୍ୱୟଂ କବି ସେ ସମ୍ପର୍କରେ କିଛି କହିନାହାନ୍ତି । ହୁଏତ, ଚଉଦ ବର୍ଷ ଧରି ସୀତା ରାଜଭବନ (ରାଜସୁଖ) ତ୍ୟାଗ କରି ବଣ ଜଙ୍ଗଲରେ ରହିଥିଲେ ଏବଂ ସେଥିରୁ ପ୍ରାୟ ଦେଢ଼ବର୍ଷ ସ୍ୱାମୀଙ୍କଠାରୁ ବିଚ୍ଛିନ୍ନ ହୋଇ ଅଶୋକ ବନରେ ଶୋକ-ସନ୍ତପ୍ତ ଜୀବନ ଅତିବାହିତ କରିଥିଲେ, ତାହା ତାଙ୍କୁ ‘ତପସ୍ୱିନୀ’ର ଅନୁଭବ ଆଣି ଦେଇଥିବ ବୋଲି ଅନୁକମ୍ପା ମନେ କରିଥିବେ । ପୁନଶ୍ଚ, ସୀତା ଦେଉଛନ୍ତି ରାଜର୍ଷି ଜନକଙ୍କ କନ୍ୟା-। ତାଙ୍କର ରାଜନଅର ଆଶ୍ରମଠାରୁ ପ୍ରାୟ ଭିନ୍ନ ନୁହେଁ । ଆଜନ୍ମରୁ ସୀତା ଏକ ପବିତ୍ର ଓ ସରଳ ଜୀବନ ଯାପନ କରିଆସୁଥିଲେ । ଏହି କାରଣୁ ହୁଏତ, ବାଲ୍ମୀକି ଆଶ୍ରମରେ ପହଞ୍ଚିବା ସୀତାଙ୍କୁ ‘ତପସ୍ୱିନୀ’ ଭାବରେ ହିଁ ଅନୁକମ୍ପା ଗ୍ରହଣ କରି ନେଇଛନ୍ତି: ସେ ନବ ତପସ୍ୱିନୀ ନୁହଁନ୍ତି, ଅନୁଭବୀ ତପସ୍ୱିନୀ ।

 

ସୀତାଙ୍କର ଏହି ‘ତପସ୍ୱିନୀ’ ରୂପକୁ କବି ଉଜ୍ୱଳମୟ କରି ଗଢ଼ିବାକୁ ଚାହିଁଛନ୍ତି ଏବଂଏହି କାରଣରୁ କାବ୍ୟଟି ଆହୁରି ଛ’ଟି ସର୍ଗ ପର୍ଯ୍ୟନ୍ତ ବଢ଼ିଯାଇଛି । ଛ’ରୁ ନଅ ସର୍ଗର ଅର୍ଦ୍ଧେକ ପର୍ଯ୍ୟନ୍ତ ଯେଉଁ ବର୍ଣ୍ଣନା କବି କରିଛନ୍ତି, ତାହା ମାତ୍ର କେତେ ମାସର ଘଟଣାବଳୀ ଏବଂ ସେହି ବର୍ଣ୍ଣନାସବୁ ସୀତାଙ୍କ ଅତୀତ ଜୀବନର କାହାଣୀ ଉପରେ ହିଁ ପର୍ଯ୍ୟବସିତ । ନବମ ସର୍ଗର ଦ୍ୱିତୀୟାର୍ଦ୍ଧରେ କୁଶଲବଙ୍କ ଜନ୍ମ ଘଟଣାରୁ ଦଶମ ସର୍ଗର ସମାପ୍ତି ପର୍ଯ୍ୟନ୍ତ ସାଢ଼େ ଏଗାର/ବାର ବର୍ଷର ଜୀବନର କାହାଣୀ କେବଳ ସୂଚନାତ୍ମକ ଭାବରେ ବର୍ଣ୍ଣିତ । ଏକାଦଶ ସର୍ଗ ହେଉଛି ଗୋଟିଏ ଦିନର ଘଟଣା-

 

ଏହି ପରିପ୍ରେକ୍ଷୀରେ ଦେଖିଳେ କବିଙ୍କ ଘଟଣା ବିନ୍ୟାସ ସମତୁଲ ହୋଇ ନାହିଁ । କବିଙ୍କ ବିଷୟ ବିନ୍ୟାସ ଏଭଳି :

 

୧ମ ସର୍ଗରୁ ୫ମ ସର୍ଗ – ଦୁଇ ଦିନର ଘଟଣା

୬ଷ୍ଠ ସର୍ଗରୁ ୯ମ ସର୍ଗ – ଚାରି ମାସର ଘଟଣା,

୯ମ ସର୍ଗ ଅର୍ଦ୍ଧରୁ ୧୦ମ ସର୍ଗ – ସାଢ଼େ ଏଗାର/ବାର ବର୍ଷର ଘଟଣା

୧୧ଶ ସର୍ଗ- ଗୋଟିଏ ଦିନର ଘଟଣା

 

ଏହି ଅଭାବକୁ ଡକ୍ଟର ନଟବର ସାମନ୍ତ ରାୟ ଓ ଡ.ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ସ୍ୱୀକାର କରି ଡ. ଉଦ୍‌ଗାତା କବିଙ୍କ କାବ୍ୟ କୌଶଳର ସୂଚନା ଦେଇ ଲେଖିଛନ୍ତି, ‘‘ମେହେର କବି ଏ ଅଭାବ ଲକ୍ଷ୍ୟ କରି ଚିନ୍ତିତ ନଥିଲେ । କାରଣ ତାଙ୍କ କାର୍ଯ୍ୟବସ୍ତୁ ହେଉଛି ସୀତାଙ୍କ ମନ । ଏହି ଉପଲଭ୍ୟ ବସ୍ତୁର ଉପସ୍ଥାପନ କ୍ଷେତ୍ରରେ ବର୍ଣ୍ଣନା ପାଇଁ ସାମଗ୍ରୀ ନାହିଁ ।’’ (୭)

 

ଘଟଣା-ବିନ୍ୟାସ ଦୃଷ୍ଟିରୁ ଦେଖିଲେ, ସୀତାଙ୍କୁ ବନବାସ ଦେବାବେଳେ ସେ ଛଅ ମାସର ଗର୍ଭବତୀ ଥିଲେ, କାରଣ ନବମ ସର୍ଗରେ କୁଶଲବ ଜନ୍ମ ହେବାବେଳକୁ ଚାରିମାସ ବିତିଯାଇଥିଲା-। ମାତ୍ର, ଜଗମୋହନ ରାମାୟଣରେ ଏହି ବନବାସ ସମୟରେ ସୀତା ଦୁଇ ମାସର ଗର୍ଭବତୀ ଥିବା ଉଲ୍ଳେଖ ଅଛି – ‘‘ୟେ ମୋର ଗର୍ଭରେ ଅଟଇ ବେନି ମାସ / ଲୋକନ୍ତ ଶୁଣାଇ କହିବୁ ସମଇତ୍ରାର ଶିଷ ।’’ (୮) କୁଶଲବ କେବେ, କେଉଁ ମାସ/ଋତୁରେ ଜନ୍ମ ହେଲେ, ତାହା ସଠିକ୍‌ ଭାବରେ ଗଙ୍ଗାଧର କିମ୍ୱା ବଳରାମ ଦାସ ଦେଇ ନାହାନ୍ତି । ଜଗମୋହନ ରାମାୟଣରେ କେବଳ ତିଥିବାର ନକ୍ଷତ୍ର ଆଦିର ଉଲ୍ଲେଖ ଅଛି – ‘‘ଦୁହିଁଙ୍କର ରୋହିଣୀ ନକ୍ଷତ୍ର ବଷ ରାଷି ।/ ମେଷ ଲଗ୍ନ ହୋଇଲାକ ଆସି।। ଲଗ୍ନେ ବୃହସ୍ପତି ଲଗ୍ନେ ଅଛି ବୁଧ ।/ ଶୁକ୍ର ଏକାଦଶୀ ଯୋଗ ଅଟଇ ସିଦ୍ଧ।।/ କଇଲବ ନାମେ କରଣ ତିଥି ଗୋଟା ।/ ବୃହଷ୍ପତି ବାରେ ଜନମିଲେ ରାମବେଟା-।। (୯)

 

ନିର୍ବାସନ ସମୟରେ ସୀତାଙ୍କର କେତେମାସ ଗର୍ଭ ହୋଇଥିଲା, କେତେବେଳେ, କେଉଁ ବାରରେ, ମାସ ବା ଋତୁରେ କୁଶଲବ ଜନ୍ମ ହୋଇଥିଲେ- ଏସବୁର କୌଣସି ମୂଲ୍ୟ ନାହିଁ, ଏହା ସତ । ମାତ୍ର, ବିଭିନ୍ନ କବିଙ୍କ ଦୃଷ୍ଟିରେ ଭିନ୍ନ ଭିନ୍ନ କଥାର ଅବତାରଣା କରାଗଲେ, ପାଠକ ବିଚରା ଯାହା ମାନସିକ ଦ୍ୱନ୍ଦର ଶିକାର ହୋଇଥାଏ । କୌଣସି ସାହିତ୍ୟର କଥାବସ୍ତୁକୁ ବିକଳାଙ୍ଗ ବା ପ୍ରକ୍ଷିପ୍ତ କରିବାର ଅଧିକାରକୁ ବେଳେବେଳେ କବି-ପ୍ରତିଭା ଭାବରେ ଗ୍ରହଣ କରାଯାଏ – ‘‘ପୁରାତନରେ ନୂତନତା ଏବଂ ଆହୃତରେ ମୌଳିକତା ପ୍ରତିଫଳିତ କରିବାର ପ୍ରତିଭାର ବିଧି ପ୍ରତିପାଦିତ ଅଧିକାର ଅଟେ ।’’ ରାଧାନାଥଙ୍କ ଏହି ମନ୍ତବ୍ୟ କେବଳ ପ୍ରାଚୀନ ଗ୍ରନ୍ଥ (ଯେଉଁ ଗ୍ରନ୍ଥ ଉପରେ ସ୍ୱତ୍ତ୍ୱାଧିକାର ପାଇଁ କେହି ନ ଥାନ୍ତି) ବା ପ୍ରଚଳିତ ଲୋକ-ବିଶ୍ୱାସ ଆଧ୍ୟାତ୍ମିକ କାହାଣୀ ବା ସାଂପ୍ରଦାୟିକ ସାହିତ୍ୟ କିମ୍ୱା ପୂରାଣ ସାହିତ୍ୟ ପ୍ରତି ପ୍ରଯୁଜ୍ୟ । କବିଙ୍କ ଏଭଳି କାର୍ଯ୍ୟ ପାଠକମାନଙ୍କୁ ଅଡ଼ୁଆ ଭିତରେ ପକାଇଥାଏ । ଉଦାହରଣ ସ୍ୱରୂପ, କୁଶଲବଙ୍କ ଜନ୍ମ ପ୍ରସଙ୍ଗକୁ ନିଆଯାଇପାରେ । ବାଲ୍ମୀକି ରାମାୟଣର ଉତ୍ତରାକାଣ୍ଡରେ କୁଶଲବଙ୍କ ଜନ୍ମ ବାଲ୍ମୀକି ମୁନିଙ୍କ ଆଶମରେ ହୋଇଛି (ସର୍ଗ ୬୬), ଅଥଚ, ଭବଭୂତିଙ୍କ ‘ଘରର ରାମଚରିତମ୍‌’ରେ ଗଙ୍ଗାନଦୀ ଜଳ ମଧ୍ୟରେ ସେ ଦୁହିଁଙ୍କର ଜନ୍ମ ହୋଇଛି । ସେ ଦୁହିଁଙ୍କୁ ପୃଥିବୀ ଓ ଗଙ୍ଗା ରାସାତଳକୁ ନେଇଯାଇଛନ୍ତି । ପରେ ପିଲାମାନେ ସାମାନ୍ୟ ବଡ଼ ହେବାରୁ, ଶିକ୍ଷା ପାଇଁ ବାଲ୍ମୀକିଙ୍କ ହସ୍ତରେ ଅର୍ପଣ କରିଛନ୍ତି । ଏହି ବର୍ଣ୍ଣନା ଅନୁସାରେ କୁଶଲବ ପିତାମାତାଙ୍କ ସମ୍ପର୍କରେ ଅନଭିଜ୍ଞ ଥିଲେ ।

 

ଏହି ଉଭୟ ବର୍ଣ୍ଣନା ପାଠକକୁ ଅଯଥା ଦ୍ୱନ୍ଦରେ ପକାଉ ନାହିଁକି ? ରାମ-କଥାକୁ, ଅନ୍ତତଃ ଭାରତରେ ଓ ହିନ୍ଦୁମାନେ ଏହାକୁ ସତ୍ୟ/ଘଟଣା ବୋଲି ହିଁ ମନେ କରିଥାନ୍ତି । ଏହି ସାହିତ୍ୟ କାଳ୍ପନିକ ନୁହେଁ, ପୌରାଣିକ । ଏଣୁ ଏତାଦୃଶ ସ୍ୱାତନ୍ତ୍ର୍ୟ କବି-ପ୍ରତିଭାର ଅପେକ୍ଷା ରଖେ ବୋଲି ଭାବିବା ଠିକ୍‌ ନୁହେଁ । ଘଟଣାକୁ ବିକଳାଙ୍ଗ କରିବା ପ୍ରତିଭା ନୁହେଁ, ବରଂ କୌଣସି ପ୍ରାଚୀନ ସାହିତ୍ୟ ଚରିତ୍ରର ମନୋବିଶ୍ଲେଷଣ ପୂର୍ବକ ସମକାଳୀନ କରିପାରିବା ହେଉଛି କବି-ପ୍ରତିଭା । ଗୋଟିଏ ପ୍ରାଚୀନ ଚରିତ୍ରକୁ ଚିରନ୍ତନ, ସାର୍ବଜନୀନ ତଥା ସର୍ବକାଳୀନ ସମାଜତତ୍ତ୍ୱର ପ୍ରକଟନ ପୂର୍ବକ, ତାକୁ ସାର୍ବଜନୀନ ଓ ସର୍ବକାଳୀନ କରିବାକୁ ଯିବାବେଳେ ପ୍ରାଚୀନ ଘଟଣାବଳୀକୁ ଅକ୍ଷୁର୍ଣ୍ଣ ରଖି ତାଙ୍କ କାର୍ଯ୍ୟାବଳୀର ନୂତନ ବ୍ୟାଖା ତଥା ବିଶ୍ଳେଷଣ ପୂର୍ବକ ତା’ର ମହାନତା ବୃଦ୍ଧି କରିବା ଅବଶ୍ୟ କବି-ପ୍ରତିଭାର ଅପେକ୍ଷା ରଖେ ଘଟଣାର ଛେଦନମଣ୍ଡନ ପ୍ରକ୍ରିୟାରେ ମୂଳ କାହାଣୀ/ଘଟଣାକୁ ବିକଳାଙ୍ଗ କରିବାର କୌଣସି କବି-ଅଧିକାରକୁ ସାଧୁ ଉଦ୍ୟମ ବୋଲି କୁହାଯାଇନପାରେ । ଏହାଦ୍ୱାରା ମୂଳ ସାହିତ୍ୟର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥାଏ । ଏହି ଉଦ୍ୟମ ଯୋଗୁଁ ଅସଂଖ୍ୟ ରାମ-ସାହିତ୍ୟରେ ରାମଙ୍କ ଏକରୂପତା ନଷ୍ଟ ହୋଇଯାଇଛି ଏବଂ ମୂଳ ରାମାୟଣର ରାମଙ୍କ ‘ଆଦର୍ଶ’ ଅପହଞ୍ଚ ‘ଲୀଳା’ ରେ ପରିଣତ ହୋଇଯାଇଛି ।

 

ଗଙ୍ଗାଧର ‘ତପସ୍ୱିନୀ’ କାବ୍ୟରେ ମୁଖ୍ୟ ଘଟଣାର କୌଣସି ପରିବର୍ତ୍ତନ କରିନାହାଁନ୍ତି, ଯାହାକି କିଛି ଯୋଗ କରିଛନ୍ତି, ତାହା କେବଳ ସୀତାଙ୍କ ଚାରିତ୍ରିକ ସ୍ୱରୂପର ମହାନତାକୁ ପ୍ରକଟନ କରିବାପାଇଁ କରାଯାଇଛି । ଚିଠିଲେଖା ଏକ ବ୍ୟକ୍ତିଗତ ବ୍ୟାପାର, ଯାହା ରାମାୟଣରେ ନାହିଁ । ଚିଠି ପ୍ରସଙ୍ଗଟିର ଅବତାରଣା ଏକ କବି-କୌଶଳ; କବି-ପ୍ରତିଭା ନୁହେଁ । ସୀତାଙ୍କର ଆନ୍ତରିକ ଇଚ୍ଛା ଥିଲା- ‘‘ଥରେ କେଉଁ ଉପାୟେ/ଦୃଷ୍ଟି ଦେଇ ସ୍ୱାମୀ-ପବିତ୍ର-ପାଏ/ସମର୍ପଣ କରି ପୁତ୍ର ଯୁଗଳ’’କୁ କବି ସ୍ୱପ୍ନ ଭିତରେ ପ୍ରତିଫଳନ କରିଛନ୍ତି । ଏହାକୁ ମୂଳ ଘଟଣାର ପରିବର୍ତ୍ତନ ନ କହିବା ଉଚିତ ହେବ । ଏଗାର ସର୍ଗରେ କାବ୍ୟଟିକୁ ସମାପ୍ତ କରିବାର ସ୍ଥିର ନିଶ୍ଚିତତା ବୋଧହୁଏ କବିଙ୍କୁ ବାଧ୍ୟ କରିଛି ଏହି ସ୍ୱପ୍ନ-ଘଟଣାଟିକୁ ସଂଯୋଜନା କରିବା ପାଇଁ । କବି ଅତ୍ୟାଚାରିତା ସୀତାଙ୍କ ଜୀବନରେ କିଛିଟା ଆନନ୍ଦ ଦେବାକୁ ଚାହିଁଛନ୍ତି ଏବଂ ତା’ର ପରିଣତି ହେଉଛି ଉକ୍ତ ଘଟଣାଟି । ଏଗାର ସର୍ଗରୁ ଆଉ ଅଧିକ ସର୍ଗ ନ ବଢ଼ାଇବା ଯୋଗୁଁ କବି ଏଭଳି ଏକ ସୁନ୍ଦର ଉପାୟ ଅନ୍ୱେଷଣ କରିଛନ୍ତି । ସ୍ୱପ୍ନ ପ୍ରସଙ୍ଗଟି ଅନ୍ତତଃ ଚେତନାର ପ୍ରକଟନ ମାତ୍ର ।

 

‘ତପସ୍ୱିନୀ’ର ସର୍ଗମାନଙ୍କୁ ବିଶ୍ଲେଷଣ କଲେ ଏହା ଅବଶ୍ୟ ବୋଧହୁଏ ଯେ ଗଙ୍ଗାଧର ରାମ-କଥା ସୃଷ୍ଟି କରିବାକୁ ଯାଇ ନାହାନ୍ତି, ଯାହାକି ଘଟଣା ବହୁଳ ରାମସୀତାଙ୍କ ଜୀବନ ସଂମ୍ପର୍କରେ ସୂଚନା ଦେବ । ସେ କେବଳ ନିର୍ବାସିତା ସୀତାଙ୍କ କଥାକୁ କେନ୍ଦ୍ର କରିଛନ୍ତି । ଘଟଣା ମାତ୍ର ଗୋଟିଏ, କିଛିଟା ଉପ-ଘଟଣା ରହିଛି । ଏଣୁ, କବି ସୀତାଙ୍କ ମନୋବିଶ୍ଲେଷଣ ଓ ପ୍ରକୃତିର ବ୍ୟବହାର ସମ୍ପର୍କରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି ଦୃଷ୍ଟିରୁ, ‘ତପସ୍ୱିନୀ’ ଏକ ଘଟଣା ବା ବିଷୟବସ୍ତୁ ଆଧାରିତ କାବ୍ୟ ନୁହେଁ, ଭାବମୂଳକ କାବ୍ୟ; ଯେଉଁଥିରେ ସୀତାଙ୍କ ଚାରିତ୍ରିକ ମହିମା ପ୍ରକଟନର ଲକ୍ଷ୍ୟ ରହିଛି । ବୋଧହୁଏ, ଏହି କାରଣରୁ, କବି ‘ତପସ୍ୱିନୀ’ କାବ୍ୟରେ ବିଷୟବସ୍ତୁ/ଘଟଣା ଉପରେ ଗୁରୁତ୍ୱ ଦେଇନାହାନ୍ତି, ସୀତାଙ୍କ ଭାବଭୂମିକୁ ହିଁ ଆଧାର କରି ବିଶ୍ଲେଷଣ ହିଁ କରିବାର ପ୍ରୟାନ କରିଛନ୍ତି ।

 

ପାଠକ ‘ତପସ୍ୱିନୀ’ କାବ୍ୟକୁ ରାମ-କଥା ଜାଣିବା ବା ଶୁଣିବା ପାଇଁ ପାଠକରେ ନାହିଁ, କେବଳ ସୀତାଙ୍କ କାରୁଣ୍ୟ ଓ ନିର୍ବାସିତ ଜୀବନର ଅବସ୍ଥା ସମ୍ପର୍କରେ ଜାଣିବାର ମାନସିକ ପ୍ରସ୍ତୁତି ନେଇ ପାଠ କରିଥାଏ । କବି ମଧ୍ୟ ପାଠକକୁ ସେଭଳି ମାନସିକ ପ୍ରସ୍ତୁତି ନେଇ ପାଠ କରିଥାଏ । କବି ମଧ୍ୟ ପାଠକଙ୍କୁ ସେଭଳି ମାନସିକ ସ୍ତରକୁ ନେଇଯିବାର ବ୍ୟବସ୍ଥା କରିଛନ୍ତି-‘ବାଲ୍ମୀକିଙ୍କ ଆଶ୍ରମକୁ ଧାଇଁଛନ୍ତି ମନ, / କରିବାକୁ ନିର୍ବାସିତା ସୀତାଙ୍କୁ ଦର୍ଶନ;/କେମନ୍ତେ ସେ କଲେ ଜୀର୍ଣ୍ଣ ହୃଦୟ ସୀବନ ?/କାହା ସଙ୍ଗେ କେମନ୍ତେ ବା ଯାପିଲେ ଜୀବନ ।’ (୧ମ ସର୍ଗ) ଏଠାରେ କବି ପାଠକର ମାନସିକତା ପୂର୍ଣ୍ଣତା ନିୟନ୍ତ୍ରିତ କରିବାକୁ ଚେଷ୍ଟା କରିଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି । ‘ତପସ୍ୱନୀ’ର କଥାବସ୍ତୁ ବହୁ ପ୍ରଚଳିତ ମହାକାବ୍ୟ ରାମାୟଣର କୀୟଦଂଶ ମାତ୍ର ଉପରେ ଆଧାରିତ-। ଏହି କାବ୍ୟର କଥାବସ୍ତୁ ଆରମ୍ଭ ପୂର୍ବରୁ ବହୁ ଘଟଣା ଘଟି ସାରିଛି, ଏବଂ ସୀତାଙ୍କ ପାଇଁ ‘ଅଗ୍ନିପରୀକ୍ଷା’ ଏକ ମୂଖ୍ୟ ଘଟଣା । ଏଠାରୁ ହିଁ ପାଠକ ଜାଣିସାରିଛି ଯେ ସୀତା ହେଉଛନ୍ତି ସଚୀ ତଥା ନିର୍ଦ୍ଦୋଷ ଓ ନିଷ୍କଳଙ୍କ । ଏହି ଧାରଣା କଳବତ୍ତର ହୋଇ ରହିଥିବାବେଳେ, କାବ୍ୟାରମ୍ଭରୁ କବିଙ୍କ ‘ନିର୍ବାସିତା ସୀତା’ କିଭଳି ତାଙ୍କର ‘ଜୀର୍ଣ୍ଣ ହୃଦୟ’କୁ ସୀବନ କଲେ ଓ କିପରି ଜୀବନ ଯାପନ କଲେ ଦେଖିବା / ଜାଣିବାର କାମନା ଯୋଗୁଁ, ପାଠକର ସମସ୍ତ ସହାନୁଭୂତି ଓ ଆଗ୍ରହ ସୀତାଙ୍କଠାରେ କେନ୍ଦିଭୂତ ହୁଏ । ରାମ ପରୋକ୍ଷ ଭାବରେ ଏକପାଖିଆ ହୋଇଯାଆନ୍ତି ।

 

ପୁନଶ୍ଚ, କବିଙ୍କ ବିଭିନ୍ନ ରାଗରାଗିଣୀ ସମ୍ପର୍କ ବର୍ଣ୍ଣନା ଶୈଳୀ ଓ ଚମତ୍କାର ପରିବେଶ ସୃଷ୍ଟି ପୂର୍ଣ୍ଣତଃ ସୀତାଙ୍କ ଅସହାୟ ଜୀବନକୁ ଏଭଳି ଭାବରେ କେନ୍ଦ୍ରସ୍ଥଳରେ ରଖିବାକୁ ସମର୍ଥ ହୋଇଛି ଯେ ପାଠକ ଅଭିଭୂତ ହୋଇ ସୀତାଙ୍କୁ ହିଁ ଏକାଗ୍ର ଚିତ୍ତରେ ଦେଖୁଥାଏ । ଏହି କାରଣରୁ ଏଗାରଟି ସର୍ଗରେ ସମୟ ତଥା ଘଟଣା ବିନ୍ୟାସର ବୈଷମ୍ୟ ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ, ସେଥିପ୍ରତି ପାଠକର ଆଦୌ ଲକ୍ଷ୍ୟ ନଥାଏ । ଫଳତଃ, କାବ୍ୟର ପ୍ରଭାବ ତଥା ରସାନୁଭୂତି ପାଠକ ଉପରେ ପୂର୍ଣ୍ଣତଃ ପ୍ରସାରିତ ହୋଇଥାଏ ଏବଂ ପାଠକ ‘ତପସ୍ୱିନୀ’ ପାଠ ସମୟରେ କୌଣସି ଅଭାବର ଅନୁଭବ କରିପାରେ ନାହିଁ ।

 

ସହାୟକ ଗ୍ରନ୍ଥସୂଚୀ

୧.

ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା – କାବ୍ୟଶିଳ୍ପୀ ଗଂଗାଧର (୧୯୯୨), ପୃ-୧୧୭

୨.

ତତ୍ରୈବ, ପୃ-୧୧୯

୩.

ତତ୍ରୈବ ପୃ-୧୦୩

୪.

କାମିଲ ବୁଲକେ – ରାମକଥା, ୧୯୬୨, ପୃ-୭୧୭-୨୦

୫.

ଗୋବିନ୍ଦଚନ୍ଦ୍ର ଉଦ୍‌ଗାତା – କାବ୍ୟଶିଳ୍ପୀ ଗଂଗାଧର, ପୃ-୧୧୭

୬.

ତତ୍ରୈବ, ପୃ-୧୧୭-୧୮

୭.

ତତ୍ରୈବ, ପୃ-୧୧୮

୮.

ଜଗମୋହନ ରାମାୟଣ (ସଂ. ଡଃ କୃଷ୍ଣ ଚରଣ ସାହୁ), ଉତ୍ତରାକାଣ୍ଡ, ପୃ-୧୩୩

୯.

ତତ୍ରୈବ, ପୃ-୧୫୯

୧୦.

ରାଧାନାଥ ରାୟ – ‘କୀଚକବଧ’ କାବ୍ୟରେ ସଂପୃକ୍ତ ତାଙ୍କର ମନ୍ତବ୍ୟ

 

 

ଘର ନଂ : ଏ-୪

ସା/ପୋ:- ଜ୍ୟୋତିବିହାର, ବୁର୍ଲା

ଜି. ସମ୍ୱଲପୁର – ୭୬୮୦୧୯

 

***

 

ମୁଦ୍ରିତ କବିତାର ବିଷୟବସ୍ତୁ ଓ ସାଧାରଣ ମଣିଷ

ଭାଗରଥୀ ମିଶ୍ର

 

ପ୍ରଥମରୁ କହି ରଖୁଛି ଯେ ‘‘ମୁଦ୍ରିତ କବିତାର ବିଷୟବସ୍ତୁ ଓ ସାଧାରଣ ମଣିଷ’’ – ଏହି ଶୀର୍ଷକଟି ଏତେ ବ୍ୟାପକ ମନେ ହେଉଛି ଯେ ଏ ସଂପର୍କରେ ସୀମିତ ସମୟ ଭିତରେ କିଛି କହିବା ଏତେ ସହଜ ନୁହେଁ । ତେଣୁ ଏହି ଆଲୋଚନାର ବିଷୟବସ୍ତୁକୁ ଆହୁରି ନିର୍ଦ୍ଦିଷ୍ଟ କରିବାର ଉଦ୍ଦେଶ୍ୟ ନେଇ ‘‘ମୁଦ୍ରିତ କବିତା’’ କହିଲେ ଆମେ ଆଧୁନିକ ଓଡ଼ିଆ କବିତା ବୋଲି ଗ୍ରହଣ କରିବା । ପୁଣି ଏଥିରେ ଦୁଇଟି କଥା କହିବ । ପ୍ରଥମଟି ହେଲା, ଆଧୁନିକ ଓଡ଼ିଆ କବିତାର ବିଷୟବସ୍ତୁରେ ସାଧାରଣ ମଣିଷର ସ୍ଥାନ । ଦ୍ୱିତୀୟଟି ହେଲା, ଆଧୁନିକ ଓଡ଼ିଆ କବିତାକୁ ସାଧାରଣ ମଣିଷ କିଭଳି ଗ୍ରହଣ କରୁଛି । ଏଇ ଆଲୋଚନାର ପରିସରକୁ ଏମିତି ସୀମିତ ରଖି ଏବେ ମୁଁ ମୋର ମତାମତ ଉପସ୍ଥାପନ କରୁଛି ।

 

ପ୍ରଥମେ ଆଧୁନିକ ଓଡ଼ିଆ କବିତାର ଦୁଇଟି ମୁଖ୍ୟ ବିଭବ – ଭାବ ଓ ଭାଷା ସମ୍ପର୍କରେ ଆଲୋଚନା କରିବା । ଭାବଗତ ଦୃଷ୍ଟିରୁ ଆଧୁନିକ ଓଡ଼ିଆ କବିତା ଅତ୍ୟନ୍ତ ମୁକ୍ତ ଓ ପ୍ରଶସ୍ତ । ଆଧୁନିକ ଓଡ଼ିଆ କବିତାର ବୀଜପବନ ହେବା ପୂର୍ବରୁ ସେକାଳର କବିତା କେତେକ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁ ଉପରେ ହିଁ ଆଧାରିତ ଥିଲା । କିନ୍ତୁ ଆଧୁନିକ କବିତାରେ ମଣିଷର ସାମାଜିକ, ରାଜନୈତିକ, ଅର୍ଥନୈତିକ, ବ୍ୟକ୍ତିଗତ ଏବଂ ସର୍ବୋପରି, ସାମଗ୍ରିକ ଜୀବନ ମୁଖ୍ୟ ଭାବସତ୍ତା ରୂପରେ ଗୃହୀତ ହେଇଛି । ସାଂସାରିକ ଜୀବନର ଜଞ୍ଜାଳ ଭିତରେ ବି ଜୀବନର ଆକର୍ଷଣ ଆବିଷ୍ଟ କରିରଖିଛି ଅନେକ କବିଙ୍କୁ । କିଏ ଜୀବନକୁ ଅଙ୍ଗିକାର କରି ଦେଇଛି ତ ଆଉ କିଏ ଜୀବନକୁ ଏକ ନିଷ୍ଠୁର ବାସ୍ତବତା ବୋଲି ଗ୍ରହଣ କରିନେଇଛି । ଆଶା ନିରାଶା, ବେଦନା ଉଲ୍ଲାସ, ପ୍ରାପ୍ତି ଅପ୍ରାପ୍ତି, ଅନ୍ଧାର ଆଲୁଅ ସବୁରି ଭିତରେ ଏକାଥରେ ଜିଇଁବା ଓ ମରିବାର ଅନୁଭବ । ପ୍ରତ୍ୟକ୍ଷ ଜୀବନକୁ ଭଲପାଇ ଆଧୁନିକ କବି ପ୍ରେମକୁ ଭଲପାଇବାକୁ ଜୀବନର ମଞ୍ଜ ବୋଲି ଠଉରେଇ ନେଇଛି । ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ସମାଜରେ ଯାହା କିଛି ଅବହେଳିତ, ସେସବୁ ବି ଆସନ୍ତି ଆଧୁନିକ ଓଡ଼ିଆ କବିତାରେ । କୌଣସି ଶ୍ରେଣୀ, ଜାତି, ବର୍ଗ ବା ଧର୍ମ ବିଭାଗକୁ ଗ୍ରହଣ କରିନି କବିତା ।

 

ଅନ୍ୟାୟ ଅତ୍ୟାଚାର, ଭୋକ ଉପାସ, ରୋଗ ଯନ୍ତ୍ରଣାରେ ସଢ଼ୁଥିବା ସାଧାରଣ ମଣିଷ ଏବଂ ମନ୍ତ୍ରୀ ପାରିଷଦ, ପୁରୋହିତ, ଦାସ-ଦାସୀ ପ୍ରଜାପାଟଙ୍କ ଗହଣରେ ସିଂହାସନରେ ଆସୀନ ରାଜା, ସଭିଏଁ ଆଧୁନିକ କବିତାର ଭାବସତ୍ତା । ଏସବୁ ଭିତରେ ବି ସାଧାରଣ ମଣିଷର ସ୍ଥିତି, ବ୍ୟକ୍ତିଗତ ଜୀବନ, ତା’ର ଘର ସଂସାର, ଜୀବନଜୀବିକା, ପିଲାକବିଲା, ଆଶା ଆନନ୍ଦ ସ୍ୱପ୍ନ ପ୍ରଭୃତି ଏକାଳର କବିତାର ମୁଖ୍ୟ ବିଷୟ ହେଉଛି । କବିର ବ୍ୟକ୍ତିଗତ ଉପଲବ୍ଧି ଏସବୁ ଭାବସତ୍ତାକୁ ନେଇ କେଉଁଠି କବିତାକୁ ଅଧିକ ଶାଣିତ କରିଛି ତ ଆଉ କେଉଁଠି ଅସ୍ପଷ୍ଟ ରହିଯାଇଛି ।

 

ଭାଷାଗତ ଦୃଷ୍ଟିରୁ ଆଧୁନିକ ଓଡ଼ିଆ କବିତା ଅଧିକ ମୁକ୍ତ । କେବଳ କଥନଶୈଳୀ ହିଁ ଏହାର ବିଶେଷତ୍ୱ ନୁହେଁ । କବିତାର ଭାବସତ୍ତା ସହ ତାଳ ମିଶାଇ ଭାଷା ବ୍ୟବହାରରେ ତୀକ୍ଷ୍‌ଣତା ଆସିଛି । ଗାଁ ଗହଳିର ଅନେକ ଶବ୍ଦକୁ, ସାଧାରଣ ମଣିଷର ନିତିଦିନିଆ ଉଚ୍ଚାରଣକୁ ଗ୍ରହଣ କରିଛି କବି । ଶବ୍ଦମାନଙ୍କୁ ଭାଙ୍ଗି ଯୋଡ଼ି ନୂଆ ନୂଆ ଶବ୍ଦ ସୃଷ୍ଟି ବି କରିଛି । ନିଜର ଭାବ ପ୍ରକାଶ ପାଇଁ ଭାଷା କେବଳ ଏକ ମାଧ୍ୟମ ରୂପେ ରହି ନାହିଁ । ବରଂ ଏକ ଦୃଶ୍ୟଧ୍ୱନିମୟ କାବ୍ୟସଂସାର ଗଢ଼ିତୋଳିବାରେ ଏହା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

 

ଏହି ପ୍ରସଙ୍ଗରେ କବି ସଚ୍ଚି ରାଉତରାୟଙ୍କ ‘କବିତା ୧୯୬୨’ର ନୂତନ କବିତାର ଭୂମିକା’ରୁ କିଛି ଧାଡ଼ି ଉଦ୍ଧାର କରୁଛି । ‘ବାକ୍‌ରୀତି ସଙ୍ଗେ କାବ୍ୟିକ ରୀତିର ସମନ୍ୱୟ ଘଟାଇବା ଏବଂ ନୂତନ ଜୀବନର ପ୍ରତିନିଧିତ୍ୱ କରିବା । ଏହା ହିଁ ହେଉଛି ନୂତନ କବିତାର ମୂଳମନ୍ତ୍ର । ପ୍ରାଚୀନ କବିତା ସର୍ବସାଧାରଣଙ୍କଠାରୁ ସମସ୍ତ ପ୍ରତ୍ୟକ୍ଷ ଯୋଗସୂତ୍ର ହରାଇ ବସିଥିଲା । ତା’ର କାରଣ, ସେ କବିତାର ଭାଷା ଜନସାଧାରଣଙ୍କ କଥିତ ଭାଷା ତ ଦୂରର କଥା, ସାଧାରଣ ବୋଧଗମ୍ୟ ଭାଷାଠାରୁ ମଧ୍ୟ ବହୁଦୂରରେ ଥିଲା । ଯମକ ଅଳଂକାରର ଭାରି ଗହଣା ପିନ୍ଧି, ନାନା ଚିତ୍ରବନ୍ଧର ସ୍ଥୂଳ ଓଢ଼ଣା ତଳେ ଓଡ଼ିଶାର କବିତା ସାମ୍ରାଜ୍ଞୀ ଏପରି ଏକ ରୂପରେ ବିରାଜିତା ଥିଲେ ଯେ ଅଳଙ୍କାର ଓ ସାଜସଜ୍ଜାର ଆଡ଼ମ୍ୱର ତଳୁ ତାଙ୍କର ପ୍ରକୃତ ଚେହେରା କ’ଣ ତାହା ବୁଝିବାକୁ ସର୍ବସାଧାରଣ ତ ଦୂରର କଥା, ଦେଶର ଶିକ୍ଷିତ ପାଠକ ସମାଜ ଓ ଚିହ୍ନରା ଗ୍ରାହକ ଶ୍ରେଣୀ ମଧ୍ୟ ଅସମର୍ଥ ହେଉଥିଲେ । କବିତା ସମାଜର ବା ସାଧାରଣ ଜୀବନର ପ୍ରତିନିଧି ନଥିଲା ।’

 

ସେ ପୁଣି କହନ୍ତି – ‘‘ଆଜିର କବିତା ଆଉ ଜୀବନର ଭଗ୍ନାଂଶକୁ ନେଇ ପଡ଼ିରହି ନାହିଁ । ଜୀବନର କୌଣସି ଏକ ଅଂଶ-ଧର୍ମ, ଈଶ୍ୱରପ୍ରେମ, ମାନବ ପ୍ରେମ, ଆଶା, ନିରାଶା, ସଂଗ୍ରାମ, ପ୍ରତିଯୋଗିତା, ପ୍ରଣୟ ତାହା ଯେତେ ରୋମାଞ୍ଚକର ହେଉନା କାହିଁକି ଆଧୁନିକ କବିତାକୁ ଆଉ ପୂର୍ଣ୍ଣ ସନ୍ତୋଷ ଦେଇପାରୁ ନାହିଁ । ସମଗ୍ର ଜୀବନ – ସମ୍ପୂର୍ଣ୍ଣ ମଣିଷକୁ ନେଇ ଆଜି କବିତାର କାରବାର । ଏପରି କିଛି ଆଜି ନାହିଁ, ଯାହା କାବ୍ୟର ଭୋଜରେ ଅପାଂକ୍ତେୟ । ଏପରିକି ବିଶୁଦ୍ଧ ହୃଦୟା ବେଗର ସୀମା ଟପିଯିବାକୁ ବି ଆଜି କବିତା ପ୍ରସ୍ତୁତ । ଚିନ୍ତା ଓ ବୁଦ୍ଧିର ରାଜ୍ୟ-ଯାହା କବିତା ପକ୍ଷରେ ଏତେ ଦିନ ନିଷିଦ୍ଧ ଅଞ୍ଚଳ ଥିଲା – ଆଜି ଆଉ କାବ୍ୟର ବହିର୍ଭୂତ ଇଲାକା ନୁହେଁ ।

 

କବି ସଚ୍ଚି ରାଉତରାୟ ଏସବୁ କହିବା ପରେ ପ୍ରାୟ ଚାଳିଶ ବର୍ଷ ବିତିଗଲାଣି । ଏ ଭିତରେ ଆଧୁନିକ କବିତା ଅନେକ ପଥ ଅଗ୍ରସର ହେଲାଣି । ଏଥିରେ ହୃଦୟାବେଗ ରହିଛି ଯେମିତି ଚିନ୍ତା ଓ ବୁଦ୍ଧିର ରାଜ୍ୟ ବି ରହିଛି ସେମିତି । ସାହିତ୍ୟର ଅନ୍ୟାନ୍ୟ ବିଭବ ଅପେକ୍ଷା କବିତା ବହୁ ପରିମାଣରେ ଲେଖାହେଉଛି । ପରିମାଣାତ୍ମକ ଦୃଷ୍ଟିରେ ଏହା ଅତ୍ୟନ୍ତ ସନ୍ତୋଷଜନକ ମନେହେଲେ ବି ଗୁଣାତ୍ମକମାନରେ ଏହାକୁ ନେଇ ଏବେ ବି ଅନେକ ପ୍ରଶ୍ନ ।

 

ଆଧୁନିକ ଓଡ଼ିଆ କବିତାରେ ସାଧାରଣ ମଣିଷର ଜୀବନଚର୍ଯ୍ୟା, ଆଶା ଆକାଂକ୍ଷା, ସର୍ବୋପରି ତା’ର ସାମାଜିକ ସ୍ଥିତି କେତେ ପରିମାଣରେ ଆସିପାରିଛି ତାହା ହିଁ ମୁଖ୍ୟ ପ୍ରଶ୍ନ । ବେଳେବେଳେ ମତେ ଲାଗେ, ଆମେ କବିତା ଲେଖୁଥିବା ଲୋକେ ନିଜ ଚଉପାଶରେ ଏକ ଦୁର୍ଗ ସୃଷ୍ଟି କରିଦେଇଛୁ, ଯେଉଁଠିକି ସାଧାରଣ ମଣିଷର ପ୍ରବେଶ ନାହିଁ । କେବଳ ତଥାକଥିତ ସାଧାରଣ ମଣିଷର ଭାଷାକୁ ଉପଜୀବ୍ୟ କରି କବିତା ତିଷ୍ଠି ପାରିବ ନାହିଁ । ଆମେ କେତେ ଭଲ ଭାବରେ ସାଧାରଣ ମଣିଷକୁ ଚିହ୍ନି ପାରିଛୁ, ତାହା ହିଁ ବିଚାର କରିବା କଥା । ନିଜର ବ୍ୟକ୍ତିଗତ ଜୀବନ ଓ ଉପଲବ୍ଧିର ଉର୍ଦ୍ଧ୍ୱକୁ ଉଠି ଆମେ କ’ଣ ସତରେ ସାଧାରଣ ମଣିଷକୁ ଗୋଟାପଣେ ଗ୍ରହଣ କରିନେଇ ପାରିଛୁ ? ଏହା ଏକ ଅଦ୍ଭୂତ ବିରୋଧାଭାତ ଯେ ଆମର ବ୍ୟକ୍ତିଗତ ଜୀବନ ସମ୍ପୁର୍ଣ୍ଣ ରୂପେ ସୁସ୍ଥ ଓ ସୁରକ୍ଷିତ ଥିବାବେଳେ ସାଧାରଣ ମଣିଷର ନିତିଦିନିଆ କଷଣକୁ ହୃଦୟଙ୍ଗମ କରିବାକୁ ଆମେ କେତେ ଦୂର ସମର୍ଥ ! ବେଳେ ବେଳେ ଲାଗେ, ଆମେ ଛଳନା କରୁନାହୁଁ ତ ! ଆମେ ଉଚ୍ଚାରଣ କରୁଥିବା ଶବ୍ଦଗୁଡ଼ିକ କ’ଣ ସତରେ ଆମର ? ଆମର କାବ୍ୟ ସଂସାର ଓ ଆମର ନିତିଦିନିଆ ଜୀବନ ଭିତରେ ଅନେକ ଦୂରତା ରହିଯାଉ ନାହିଁ ତ ! ସେଥିପାଇଁ ତ କେହି କେହି ଆଧୁନିକ କବିତା ଏକ ‘ବୌଦ୍ଧିକ ବିଳାସ’ ବୋଲି କହନ୍ତି । ସେମାନଙ୍କୁ କି ଉତ୍ତର ଦେବୁ ଆମେ ? ଆମେ କ୍ରମଶଃ ଆତ୍ମକୈନ୍ଦ୍ରିକ ହେଇପଡ଼ୁଛୁ । କଳା ପାଇଁ ହିଁ କଳାର ସୃଷ୍ଟି, କବିତା ପାଇଁ ହିଁ କବିତା ନ୍ୟାୟରେ ଏହି ପ୍ରଶ୍ନଗୁଡ଼ିକ ଆମେ ଏଡ଼ାଇ ଯାଉନୁ ତ ! ଏକ ବିଚିତ୍ର ଆସରତି ଓ ତୃପ୍ତିରେ ଆମେ କବି ବୋଲେଇବାର ଆନନ୍ଦ ଆହରଣ କରୁନାହୁଁ ତ ! ସାଧାରଣ ମଣିଷର ସଂଘର୍ଷମୟ ଜୀବନ ଯାହା ସେଠି କବିତା ନିରର୍ଥକ ମନେ ହୁଏ । ଏତେ କ୍ଷତ ଭରିରହିଛି ଆମର ସାମାଜିକ ଜୀବନରେ ଯେ କବିତା କ’ଣ ସେସବୁର ଉପଶମ କରିପାରିବ ? ଆମେ ଯଦି ଦ୍ରଷ୍ଟା, ଆମେ ଯଦି ସତ୍ୟନିଷ୍ଠ. ତେବେ ଆମ ଗହଣରେ ଥିବା ବିଭିନ୍ନ ସାମାଜିକ ଅବ୍ୟବସ୍ଥା ସାମ୍ନାରେ ଆମେ ମୂଢ଼ କାହିଁକି ? ଆମର ପ୍ରିୟ ଶବ୍ଦମାନେ କ’ଣ ସତରେ ସମର୍ଥ ଏସବୁର ସାମ୍ନା କରିବା ପାଇଁ ? କବିତା କ’ଣ କେବଳ ତଥାକଥିତ ସୌନ୍ଦର୍ଯ୍ୟବୋଧ ଓ ଆନନ୍ଦର ଉପଲବ୍ଧିପାଇଁ ଉଦ୍ଦିଷ୍ଟ ? ତା’ ପୁଣି ଏକାନ୍ତ ବ୍ୟକ୍ତିଗତ ! ଏକ ଯୋଗାଯୋଗହୀନ ଦ୍ୱୀପରେ ନିଃସଂଗ ସମ୍ରାଟ ହେବାରେ କି ଆନନ୍ଦ ରହିଛି, ତାହା ବୁଝି ହେଉନାହିଁ । ତେଣୁ ବେଳେବେଳେ ମୁଁ ନିଜକୁ ପଚାରେ, ଆଧୁନିକ ଓଡ଼ିଆ କବିତା କ’ଣ କେବଳ କବିମାନଙ୍କର ଓ କବିମାନଙ୍କ ପାଇଁ ହିଁ ? ଉତ୍ତର ପାଏ ନାହିଁ ।

 

ଶେଷରେ ମୁଁ ଆଲୋଚନାର ଅପର ଦିଗକୁ ଆସିବି । ଆଧୁନିକ ଓଡ଼ିଆ କବିତାର ବିଷୟବସ୍ତୁ ଯାହା ହେଉନା କାହିଁକି, ସାଧାରଣ ମଣିଷ ପାଇଁ ତାହା ଉଦ୍ଦିଷ୍ଟ ନୁହେଁ ବୋଲି ମୋର ବ୍ୟକ୍ତିଗତ ମତ । ସାଧାରଣ ମଣିଲେ ଏଠି ମୁଁ ଲେଖିପଢ଼ି ଜାଣୁଥିବା ଲୋକମାନଙ୍କ କଥା କହୁଛି । ଯୋଗାଯୋଗ ହଁ ଯଦି ଆମର ଉଦ୍ଦେଶ୍ୟ, ମତେ ଲାଗେ ଆମେ ପ୍ରତି ମୁହୂର୍ତ୍ତରେ ବିଫଳ । ଏପରିକି କେତେକ କବି କେବଳ ନିଜ କବିତା ଛଡ଼ା ସମସାୟିକ ଅନ୍ୟ କାହାର କବିତା ନପଢ଼ିବାର ତିକ୍ତ ଅନୁଭୂତି ମୋର ରହିଛି । ପୁଣି ଆମେ ଯଦି ସାଧାରଣ ମଣିଷ ପ୍ରତି ସମ୍ୱେଦନଶୀଳ ନୋହୁଁ, ସେ ଆମ ପ୍ରତି ବିମୁଖ ହେବ ନାହିଁକି ? ଆମ କବିତାରେ ଏମିତି କ’ଣ ଆକର୍ଷଣ ଅଛି ଯାହା ତାକୁ ଗ୍ରହଣ କରିବାକୁ ଉତ୍ସାହିତ କରିବ ? ଆମୋଦପ୍ରମୋଦ ପାଇଁ ଅସରନ୍ତି ସହଜଲବ୍‌ଧ ମାଧ୍ୟମଗୁଡ଼ିକ ରହିଥିବାବେଳେ କବିତା ପଢ଼ି ଆନନ୍ଦ ପାଇବାରେ କଷଣ କିଏ ବା କାହିଁକି ସହିବ ? ଆମେ ଯେତେବେଳେ ନିଜେ ନିଜ ପାଇଁ ସୃଷ୍ଟି କରିଥିବା ମଞ୍ଚରୁ ଓହ୍ଲାଇ ସାଧାରଣ ମଣିଷକୁ ଆଲିଙ୍ଗନ କରିପାରୁ ନାହୁଁ, ସେ ଉପରକୁ ଉଠି ଆମକୁ ଗ୍ରହଣ କରିନେବ ବୋଲି ଆଶା କରିବା କେମିତି ?

 

ତେଣୁ କବିତା କେବଳ ଏକ ଶବ୍ଦର ଖେଳ ହୋଇ ରହିଯିବା ବିଚିତ୍ର ନୁହେଁ । କେବଳ ଏତିକି ଆଶ୍ୱାସନା – ମୁଁ ଅନ୍ଧ ମୂକ ବଧିର ହୋଇ ଆସରତିରେ ମସ୍‌ଗୁଲ୍ । ମୋ ଚଉପାଶରେ ଘଟିଯାଉଥିବା ଅଜସ୍ର ଘଟଣ/ଅଘଟଣ ପ୍ରତି ସଚେତନ ରହି ଏକ ନିଜସ୍ୱ ମିଛ ପୃଥିବୀ ସୃଷ୍ଟି କରିପାରିଛି ମୁଁ । ମୋର ମର୍ଜିମୁତାବକ ତହିଁରେ ବିଚରଣ କରି ଉଲ୍ଲସିତ ହେଉଛି । ଏ କବିଜୀବନ ପାଇଁ ହୁଏତ ସେତିକି ଯଥେଷ୍ଟ । ବାକି ସବୁ ପ୍ରଶ୍ନ ମୋ ପାଇଁ ଅବାନ୍ତର ।

 

(ଗତ ଜାନୁଆରୀ, ୦୨,୨୦୦୦ରେ ସୋନପୁରଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମହାନଦୀ ସାହିତ୍ୟ ସଂସଦ, ସୋନପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ‘ସ୍ୱାଗତ ସହସ୍ରାଦ୍ଧ’ର ଆଲୋଚନା ଚକ୍ରରେ ପଠିତ ଭିତ୍ତି ପ୍ରବନ୍ଧ)

 

ଆକାଶବାଣୀ,

ବଲାଙ୍ଗୀର-୭୬୭୦୦୧

 

***

 

 

Unknown

ବିଜ୍ଞାନ ଓ ବୈଷୟିକ ବିଦ୍ୟାର ପରିବର୍ତ୍ତିତ ପୃଷ୍ଠଭୂମିରେ ସମକାଳୀନ କବିତାର ସ୍ୱରୂପ

ଡକ୍ଟର ଚିତ୍ତରଂଜନ ମିଶ୍ର

 

ବିଜ୍ଞାନ ଓ ବୈଷେୟିକ ବିଦ୍ୟାର ବହୁମୁଖୀ ବିକାଶର ଧାରାକୁ ପ୍ରାୟ ତିନୋଟି ବୈପ୍ଳବିକ ଉତ୍ତରଣ ମାଧ୍ୟମରେ ମଣିଷ ସମାଜ ସାମ୍‌ନାକରି ଆସିଛି । ପ୍ରଥମଟି କୃଷି ବିପ୍ଲବ ଓ ଦ୍ୱିତୀୟଟି ଶିଳ୍ପ ବିପ୍ଲବ । ତୃତୀୟଟି ଜ୍ଞାନ ବିପ୍ଲବ ବୋଲି ନାମିତ କରା ଯାଇପାରେ । ଏକବିଂଶ ଶତାବ୍ଦୀର ମଞ୍ଚ ତୋରଣ ଆଗରେ ଯେଉଁ ଜ୍ଞାନାଶ୍ରୟୀ ସମାଜ ସନ୍ଦିଗ୍ଧ ଦୃଷ୍ଟିରେ ଉପସ୍ଥିତ ତା’ ଆଖିଆଗରେ ଭବିଷ୍ୟ ଦୃଶ୍ୟର ସ୍ୱରୂପ କ’ଣ ହେବ ସେ ବିଷୟରେ ସେ ସନ୍ଦିହାନ । ଅତୀତରେ ଯେଉଁ ଜୀବନର କଳ୍ପନା କରାଯାଇପାରିନଥିଲା । ଏବେ ତାହା ସମ୍ଭବ ହୋଇପାରିଛି । ଯେଉଁ ଜାଗତିକ ସୁଖର ଧାରଣା ସମ୍ଭବ ହୋଇ ପାରିନଥିଲା ତାହା ଭୋଗର ବଳୟ ଭିତରେ ବାସ୍ତବ ହୋଇଛି । ଯେଉଁ ସଂକଟ ପ୍ରତ୍ୟାଶିତ ନଥିଲା ତାହା ଅନୁଭବରେ ଗଭୀର ସ୍ତରରେ ପ୍ରତିଭାତ ହୋଇଛି । ସାମାଜିକ ଅସ୍ଥିରତା ରାଜନୈତିକ ଅନିଶ୍ଚିତିତା ଭିତରେ ପ୍ରତିଟି ଦେଶର ସମକାଳୀନ ଚିନ୍ତନ ବିପର୍ଯ୍ୟସ୍ତ ହୋଇପଡ଼ିଛି ।

 

ଦୁଇଟି ବିଶ୍ୱଯୁଦ୍ଧର ଅଦ୍ଭୂତପୂର୍ବ ବିଭୀଷିକା ମନୁଷ୍ୟକୁ ସଂପୂର୍ଣ୍ଣ ବିଳୟର ଭୀତି ସଚେତନତା ସହ ସମଗ୍ର ବିଶ୍ୱକୁ ଗୋଟିଏ ସଂସ୍ଥିତିର ଭାଗ୍ୟ ସହ ଏକତ୍ରିତ କରିଛି । ବିଜ୍ଞାନାଶ୍ରୟୀ ଧ୍ୱଂସର ପରିଣତି ବିଜ୍ଞାନ ପାଇଁ ଏକ ବିକଳ୍ପ ଦର୍ଶନର ଅନୁସନ୍ଧିତ୍ସା ଜାଗ୍ରତ କରିଛି ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ । ବିଗତ ଶତାବ୍ଦୀର ପ୍ରଥମ ଭାଗରେ ବିଜ୍ଞାନର ଯେଉଁ ପ୍ରାୟୋଗିକ ସ୍ୱରୂପ ଓ ଦର୍ଶନ ସମାଜ ଓ ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିଲା ଶତାବ୍ଦୀର ଶେଷ ପାଦରେ ତାହା ପରିବର୍ତ୍ତିତ ହୋଇସାରିଛି ।

 

ଏହି ପରିବର୍ତ୍ତନ ବିଶ୍ୱବ୍ୟାପୀ ଓ ପୃଥିବୀର ପ୍ରତିଟି ଦେଶରେ ଚେତନା ଜଗତରେ କ୍ରାନ୍ତିର ଦ୍ୟୋତକ । ପୁନଶ୍ଚ ଏହି ବ୍ୟାପକ ପରିବର୍ତ୍ତିତ ପୃଷ୍ଠଭୂମି ସଦ୍ୟତମ ଓ ସମକାଳୀନ ସମୟର ପର୍ଯ୍ୟାପକ । ଉଦାହରଣସ୍ୱରୂପ ଦେଶ ବର୍ଣ୍ଣ ନିର୍ବିଶେଷରେ ସମକାଳୀନ ସାହିତ୍ୟ, କବିତା, ସଙ୍ଗୀତ, ଜନମତ ଓ ବିଜ୍ଞାପନରେ ପ୍ରକୃତି ପ୍ରତି ଏକ ପୁନର୍ଜାଗରିତ ମମତାବୋଧ ଓ ସମ୍ମାନବୋଧ ଲକ୍ଷ୍ୟ କରାଯାଏ । ଏହା ଗତାନୁଗତିକ ବା ପାରମ୍ପରିକ ଭାବେ ପ୍ରକୃତିର ନୈସର୍ଗିକ ଭଗବତ ବିଭାବର ନାନ୍ଦନିକ ପରି ପ୍ରକାଶ ନୁହେଁ । ପାରମାଣବିକ ବିକୀରଣ, ଯାନବାହାନରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ର ଆଧିକ୍ୟ ବାୟୁମଣ୍ଡଳ ତଥା ଜୀବ ଜଗତ ପ୍ରତି ଦେଖା ଦେଇଥିବା ଅତ୍ୟାଧୁନିକ ଜଟିଳ ବିପଦ ବିରୁଦ୍ଧରେ ହିଁ ଏକ ନୂତନ ପ୍ରକୃତି ଉନ୍ମୁଖତା ଦେଖାଦେଇଛି । ଯେଉଁ ବିଜ୍ଞାନ ଆଜି ପ୍ରକୃତି ସହ ମନୁଷ୍ୟର ସହଯୋଗୀ ବା ହୃଦୟର ସଂପର୍କ ପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେଇଛି । ତାହାର ପରିଣତି ସ୍ୱରୂପ ପ୍ରାକୃତିକ ଖାଦ୍ୟ, ପ୍ରାକୃତିକ ପ୍ରସବ, ବିକଳ୍ପ ଇନ୍ଧନ, ବର୍ଜ୍ୟବସ୍ତୁର ନବୀକରଣ ଓ ପୁନର୍ବ୍ୟବହାର, ସ୍ତନ୍ୟପାନ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରକୃତି ସହ ମଣିଷର ବିରୋଧ ସମ୍ପର୍କ ବିଜ୍ଞାନରେ ମଧ୍ୟ ଆଉ ସ୍ୱୀକୃତ ହୋଇ ରହିପାରିନାହିଁ । ତତ୍‌ସହିତ ଅତ୍ୟାଧୁନିକ ମହାଶୂନ୍ୟ ବିଜ୍ଞାନ ସୃଷ୍ଟିର ବ୍ୟାପକ ପରିପ୍ରେକ୍ଷୀରେ ପୃଥିବୀକୁ ଏକ କ୍ଷୟିଷ୍ଣୁ ବିନ୍ଦୁ ଭାବରେ ବ୍ୟକ୍ତ କରିଛି ପ୍ରକୃତି ସଂପର୍କରେ ଆମର ମାନସ-ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି । ଜୈବ ବିବର୍ତ୍ତନ କ୍ଷେତ୍ରରେ ମଧ୍ୟ ଡାରଓ୍ୱିନ୍‌ଙ୍କ ତତ୍ତ୍ୱ ଆଉ ସର୍ବଶେଷ ଓ ସଠିକ୍‌ ତତ୍ତ୍ୱ ହୋଇ ରହିନାହିଁ । ପ୍ରାକୃତିକ ଘାତ ପ୍ରତିଘାତର କ୍ରମ ପରିଣାମ ହିସାବରେ ଜୀବଜଗତରେ ଯେଉଁ ଅଧ୍ୟୟନ ଡାରୱିନ୍‌ କରିଥିଲେ ତାହାଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ ଏକ ବିଶେଷ ଉଦ୍ଦେଶ୍ୟ ପ୍ରଭୂତ ସୃଷ୍ଟି ନୁହେଁ ବରଂ ବିବର୍ତ୍ତନରେ ପରିଣତି ବୋଲି ଚିନ୍ତା ଜଗତରେ ଚହଳ ପଡ଼ିଯାଇଥିଲା । ଧର୍ମାଶ୍ରୟୀ ସାହିତ୍ୟ ଓ କାବ୍ୟ ଜଗତର ମନୁଷ୍ୟର ଐଶ୍ୱରିକ ରୂପଟି ଅବଲୁପ୍ତ ହୋଇ ଆଧୁନିକତାକୁ ଜନ୍ମ ଦେଇଥିଲା । ଏବେ ଡାରୱ୍ୱିନ୍‌ଙ୍କର ତତ୍ତ୍ୱ ମଧ୍ୟ ବିରୋଧର ସମ୍ମୁଖୀନ । ବିବର୍ତ୍ତନ ଯେ ଏକ ସହଜ କ୍ରମିକତା ନୁହେଁ, ବହୁ ଆକସ୍ମିକତା ଭିତରେ ଯେ କେତେକ ଜୈବ ପ୍ରକାରର ଉନ୍ମେଷ ଘଟେ ଏବଂ ସବୁଠାରୁ ସରଳ ଜୈବିକ ପ୍ରକାରଟି ଯେ ବହୁ ଜଟିଳ ପ୍ରକାରରୁ ସୃଷ୍ଟି ଏଭଳି ଉତ୍ତର-ଡାରୱ୍ୱିନ ତତ୍ତ୍ୱ ଉପରେ ଗବେଷଣା ଚାଳିଛି । ସମକାଳୀନ ଜୀବ ବିଜ୍ଞାନରେ ଡି.ଏନ୍‌.ଏ ଅଣୁର ଆଣବିକ ସଂରଚନା ଉଦ୍‌ଘାଟିତ ହେବାପରେ ଆଣବିକ ଜୀବ-ବିଜ୍ଞାନ ଭଳି ନୂତନ ବିଭାଗଟିଏ ଜୀବ-ରହସ୍ୟର ନୂତନ ଦିଗନ୍ତ ଉନ୍ମୋଚିତ କରିଛି । ମନୁଷ୍ୟ ଶରୀରରେ ଥିବା ଜିନ୍‌ର ଆଣବିକ ସଂରଚନା ଆଦିର ଅଧ୍ୟୟନ ସହ ନୂତନ ଜିନ୍‌ ଥେରାପି ଦ୍ୱାରା ସ୍ୱତନ୍ତ୍ର ଚିକିତ୍ସା, ପ୍ରତିଷେଧକ ଉତ୍ପାଦିତ ହେଉଛି । କ୍ଲୋନିଙ୍ଗ୍‌ ଭଳି ବିସ୍ମୟକର ଉଦ୍ଭାବନ ମଣିଷକୁ ତା’ର ଅବିକଳ ଜୀବନ୍ତ ନକଲ ତିଆରି କରିବାର ପାଖାପାଖି ସାମର୍ଥ୍ୟ ଆଣି ଦେଲାଣି । ଜୀବ-ବିଜ୍ଞାନର ଏ ପରିବର୍ତ୍ତନକୁ କେଉଁ ପ୍ରକାର ଭବିଷ୍ୟତ ଆଡ଼କୁ ନେଉଛି ତାହାର ଆକଳନ ସମ୍ପୂର୍ଣ୍ଣ ଅନିଶ୍ଚିତ ।

 

ପ୍ରଗତିର ଧାରଣା ମଧ୍ୟ ସମକାଳୀନ ପୃଥିବୀରେ ପରିବର୍ତ୍ତିତ । ବ୍ୟବସାୟିକ ସୂତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇ ଯେଉଁ ଗଣ ଉତ୍ପାଦନ ଚାଲିଛି ଏବଂ ବହୁ ଦେଶୀୟ କର୍ପୋରେସନ୍‌ଗୁଡ଼ିକ ଯେଉଁ ସାମଗ୍ରୀର ବିଶ୍ୱବ୍ୟାପୀ ବଜାର ଦ୍ୱାରା ଲାଭବାନ୍‌ ହେଉଛନ୍ତି ସେହି ଉତ୍ପାଦିତ ଦ୍ରବ୍ୟ ଆଉ ସୁଖ ଓ ସମୃଦ୍ଧିର ପରିଚୟ ବହନ କରୁନାହିଁ । ବହୁ ପ୍ରକାରର ପ୍ରଭାବ ମନୁଷ୍ୟକୁ ଏକ ସମୟରେ କବଳିତ କରୁଥିବାରୁ କେବଳ ବସ୍ତୁ ସର୍ବସ୍ୱ ସୁଖ ସୁବିଧା ଭିତରେ ସେ ସନ୍ତୁଷ୍ଟ ହୋଇ ପାରୁନାହିଁ । ସମକାଳୀନ ପୃଥିବୀରେ ଘଟୁଥିବା ବିଭିନ୍ନ ଘଟଣାବଳୀ (ସାମୂହିକ ଆତଙ୍କବାଦୀ କାର୍ଯ୍ୟକଳାପ ହେଉ କି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତିର ଅପରାଧ ପ୍ରବଣତା ହେଉ) ସାଧାରଣ ଯୌକ୍ତିକତା ଭିତରେ ଆଉ ବୋଧଗମ୍ୟ ହେଉନାହିଁ । ସ୍ଥାନୀୟ ଲାଗୁଥିବା ଘଟଣାଗୁଡ଼ିକ ପଛରେ (global) ଜାଗତିକ ପ୍ରଭାବ କାର୍ଯ୍ୟ କରୁଛି । ‘ଜାତୀୟତାବାଦ’ ଭଳି ଆଦର୍ଶ ଏବେ ଅପ୍ରାସଙ୍ଗିକ ହୋଇ ପଡ଼ିଛି । କବିତାରେ ‘ଦେଶମାତୃକା’ ବଦଳରେ ‘ମାନବଜାତି’ ବା ସମଗ୍ର ପୃଥିବୀର ମାଟି ମହତ୍ତର ହୋଇ ଉଠିଛି ।

 

ପାକ୍ସ, କମ୍ପ୍ୟୁଟର ଓ ଟେଲି ଯୋଗାଯୋଗର ବ୍ୟାପକ ବ୍ୟବହାର ଦେଶ ଦେଶ ଭିତରେ ଥିବା ଦୂରତାକୁ ସଂକୁଚିତ କରିଦେଇଛି । ପ୍ରତି ମୁହୂର୍ତ୍ତରେ ଘଟୁଥିବା ଘଟଣା ଓ ତା’ର ପ୍ରାସଙ୍ଗିକ କାର୍ଯ୍ୟ କାରଣ ସମ୍ପର୍କରେ ଅନୁଶୀଳନ ମଧ୍ୟ ପ୍ରତି ଘଣ୍ଟାରେ ଦର୍ଶକ ଓ ଶ୍ରୋତାମାନଙ୍କ ପାଖରେ ପରିବେଷିତ ହେଉଛି । ଭାରତ ଭଳି ଦେଶରେ ନିରକ୍ଷରତା ସତ୍ତ୍ୱେ ଗଣମାଧ୍ୟମ ଦ୍ୱାରା ସାମାଜିକ ସଚେତନତା ଜାଗ୍ରତ ହୋଇପାରିଛି । ତଥ୍ୟ ଓ ଘଟଣାବଳୀର ତାତ୍‌କାଳିକ ପ୍ରସାର ଓ ପ୍ରଚାର ଫଳରେ ଅଧିକାଂଶ ତଥ୍ୟକୁ ଗୋପନୀୟ ରଖିବା ସମ୍ଭବ ହେଉନାହିଁ । ଏପ୍ରକାର ସ୍ଥିତି ଏକ ପରିବର୍ତ୍ତିତ ସ୍ଥିତି । ବିଶେଷତଃ ଟେଲିଭିଜନ ଓ୍ୱେବ୍‌ ସାଇଟ୍‌ ଦ୍ୱାରା ସମସାମୟିକ ଜୀବନର ସାଂସ୍କୃତିକ ବିଭାବଟି ବର୍ତ୍ତମାନ ସମଗ୍ର ବିଶ୍ୱରେ ପ୍ରାୟ ଏକାପ୍ରକାରର ହେବାକୁ ବସିଲାଣି । ଯିଏ ଯେଉଁ ଦେଶର, ଜାତିର, ରଙ୍ଗର ହୋଇଥାଉନା କାହିଁକି ସାମ୍ପ୍ରତିକ ବିଶ୍ୱର ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ପ୍ରଭାବରୁ ମୁକ୍ତ ନୁହେଁ । ଭାରତବର୍ଷ ପରି ଏକ ଉପମହାଦେଶର ବିବିଧ ଭାଷା ଓ ପ୍ରାଚୀନ କାଳରୁ ଗଡ଼ି ଆସିଥିବା ପାରମ୍ପାରିକ ସଂସ୍କୃତି ଏବେ ପାଶ୍ଚାତ୍ୟ ସଭ୍ୟତାର ବାହ୍ୟ ଦୃଶ୍ୟ ସହ ଏକୀଭୂତ । ଗଣମାଧ୍ୟମରେ ଅବିରତ ପ୍ରଦର୍ଶିତ ବିଦେଶୀ ସଂସ୍କୃତି, ଯୌନତା ଓ ଭୋଗପ୍ରବଣତାର ପ୍ରଭାବରେ ଅତୀତର ସମସ୍ତ ମୂଲ୍ୟବୋଧ ଆମ ଜନଜୀବନର ଧମନୀରେ ଲୁପ୍ତପ୍ରାୟ । ସାହିତ୍ୟ ମଧ୍ୟ ମାଧ୍ୟମର ଆବଶ୍ୟକତାକୁ ଆଖିରେ ରଖି ରଚିତ ହେଉଛି ।

 

ବିଂଶ ଶତାବ୍ଦୀରେ ହିଁ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି ଯାହା ମାନବ ଇତିହାସର ଏକ ସ୍ୱତନ୍ତ୍ର ଅଧ୍ୟାୟ । ଏହି ଶତାବ୍ଦୀରେ ହିଁ ସାମନ୍ତବାଦର ବିଲୟ, କମ୍ୟୁନିଜମ୍‌ର ପତନ, ଗଣତନ୍ତ୍ରର ପ୍ରସାର ତଥା ମୁକ୍ତ ବଜାର ଅର୍ଥନୀତିର ପ୍ରସାର ଓ ତା’ ସହିତ ଏକ (holistic) ମାନବୀୟ ଆଧ୍ୟାତ୍ମବାଦର ଉନ୍ମେଷ ଘଟିଛି । ଏହି ପରିବର୍ତ୍ତି ପୃଷ୍ଠଭୂମିରେ ସମକାଳୀନ କବିତାର ସ୍ୱରୂପ ମଧ୍ୟ ଅନୁରୂପ ତଥା ଅଣପାରମ୍ପରିକ ।

 

ବିଗତ ଶତାବ୍ଦୀର ଶେଷାର୍ଦ୍ଧରେ ଆଧୁନିକ ପାଶ୍ଚାତ୍ୟ ସାହିତ୍ୟର ବିଷୟ ବସ୍ତୁ ଓ ଶୈଳୀରେ ଆସିଥିବା ପରିବର୍ତ୍ତନକୁ ଉତ୍ତର ଆଧୁନିକ (Post modernist) ସାହିତ୍ୟ ହିସାବରେ ନାମିତ କରାଯାଇଛି । ସମାଲୋଚକମାନେ ପ୍ରାୟ ଉପନ୍ୟାସର ଆଲୋଚନାରେ ଏହି ଉତ୍ତର ଆଧୁନିକତା ଠାବ କରିଅଛନ୍ତି । ମହାନଗରୀର ବୈଷୟିକ ଜ୍ଞାନାଶ୍ରୟୀ ଜନଜୀବନରେ ଘଟୁଥିବା ହିଂସା, ଧର୍ଷଣ ବିଭିନ୍ନ ପାଶବିକ ପ୍ରବୃତ୍ତିର ବିକୃତ ଚରିତାର୍ଥ କରଣ ସାହିତ୍ୟର ଉପଜୀବ୍ୟ ହୋଇପଡ଼ିଛି । ଖୋଲା ଖୋଲି ଭାବେ ସାମ୍ପ୍ରତିକ ଜୀବନର କଳୁଷ ଗୁଡ଼ିକର ଅସାଧୁ ବା ଅଣ ସାହିତ୍ୟିକ ସଂସ୍କରଣ ଭାବେ ଉତ୍ତର ଆଧୁନିକ ସାହିତ୍ୟ ଲୋକ ସାହିତ୍ୟରେ ପରିଣତ ହୋଇଛି । ଆଧୁନିକ ସାହିତ୍ୟର ସାଧୁ ଉଚ୍ଚାର, ସ୍ମୃତି ଓ ସମ୍ପ୍ରତିର ସଂଶ୍ଲେଷଣ, ପାଣ୍ଡିତ୍ୟ ତଥା ଗଣ-ଉପଲବ୍ଧି ପାଇଁ ଅସହଜ ଶୈଳୀ ଚାତୁର୍ଯ୍ୟ ଉତ୍ତର ଆଧୁନିକ ସାହିତ୍ୟରେ ବିରଳ । ପାଶ୍ଚାତ୍ୟ ସାହିତ୍ୟର ଧାରା ସହ ସମତାଳରେ ପରିବର୍ତ୍ତିତ ହେଉଥିବା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ କବିତା ହିଁ ବିଶେଷ ଭାବେ ପରିବର୍ତ୍ତନର ସୂଚନା ବହନ କରେ । ତେବେ ପାଶ୍ଚାତ୍ୟ ସମାଲୋଚକ ଦୃଷ୍ଟିରେ ଉତ୍ତର ଆଧୁନିକତା ଯାହା, ତାହା ଆମ କବିତାରେ ପ୍ରାୟ ନାହିଁ କହିଲେ ଚଳେ । ଏହା କେବଳ ଓଡ଼ିଆ ସାହିତ୍ୟ ପାଇଁ ନୁହେଁ ଆମ ସମାଜ ପାଇଁ ଏକ ଶୁଭଙ୍କର ସଙ୍କେତ । ସ୍ୱାଧୀନତା ପରବର୍ତ୍ତୀ କାଳରେ କବିତାର ପଟ ପରିବର୍ତ୍ତନରେ ଯେଉଁ ଇଲିଅଟୀୟ ଆଧୁନିକତା ଓଡ଼ିଆ କବିତାକୁ ଗ୍ରାସ କରିଥିବା ତାହା ଆଉ ଅନୁକରଣୀୟ ହୋଇ ରହିନାହିଁ । ବରଂ ତା’ ବଦଳରେ ଏକ ଜନଗ୍ରାହୀ ଆଙ୍ଗିକ ଖୋଜୁଛି କବି ପ୍ରାୟ ବିଗତ ତିନି ଦଶକ ଧରି । ଶାବ୍ଦିକ ଛଳନା ଓ ବୌଦ୍ଧିକ ଆବରଣର ଖୋଳପା ଧୀରେ ଧୀରେ ଖସି ଯାଉଛି । ସ୍ୱାଧୀନତା ପରେ ଯେଉଁମାନେ ଓଡ଼ିଆ କବିତାରେ ଆଧୁନିକତାର ପ୍ରୟୋଗ ତଥା ପରୀକ୍ଷା ନିରୀକ୍ଷା ଚଳାଇଥିଲା ସେମାନେ ଏବେ ବି ସେମାନଙ୍କ ପରବର୍ତ୍ତୀ ପିଢ଼ିର ନୂତନ କବିମାନଙ୍କ ସହ କବିତା ଲେଖି ଚାଲିଛନ୍ତି । ସେମାନେ ଧୀରେ ଧୀରେ କବିତାରୁ ଦୁର୍ବୋଧ୍ୟତାକୁ ପ୍ରତ୍ୟାହାର କରି ସାରିଛନ୍ତି । ସମକାଳୀନ କବିତାରେ ବର୍ତ୍ତମାନ ପ୍ରବୀଣ ଓ ତୁରଣଙ୍କ ସ୍ୱର ଏକତ୍ର । ସେମାନଙ୍କୁ ପ୍ରାକ୍‌ ସତୁରୀର କବି ଓ ଉତ୍ତର ସତୁରୀର କବି ହିସାବରେ ମଧ୍ୟ ଚିହ୍ନିତ କରାଯାଇପାରେ । ତେବେ ସମକାଳ କହିଲେ ସୁବିଧାଦୃଷ୍ଟିରୁ ଯେ କୌଣସି କାଳର ପୂର୍ବ ଦଶନ୍ଧିକୁ ଆଲୋଚନାକୁ ନିଆଯାଇପାରେ । ବିଂଶ ଶତାବ୍ଦୀର ଶେଷ ଦଶକରେ ଆମେ ପଢ଼ୁଥିବା କବିତା ସ୍ୱାଧୀନତା ପରଠାରୁ ଅଦ୍ୟାବଧି ଯେତେ ପ୍ରମୁଖ କାବ୍ୟ ସ୍ୱର ପାଇଛୁ ସମସ୍ତଙ୍କର ଏକ ସମଷ୍ଟି । କାରଣ ଅପ୍‌ସେଟ୍‌ ଓ ଡି.ଟି.ପି.ର ପ୍ରଚଳନ ଫଳରେ ସୁଦୃଶ୍ୟ ଭାବରେ ବହୁ ପତ୍ର ପତ୍ରିକା ଓ ପୁସ୍ତକମାନ ପ୍ରକାଶଲାଭ କରୁଛି । ପ୍ରତିଷ୍ଠିତ ପ୍ରକାଶକମାନଙ୍କ ଦ୍ୱାରସ୍ଥ ନହୋଇ ଅଧିକ ଆକର୍ଷଣୀୟ ଅବୟବ ଭିତରେ ପ୍ରବୀଣ ଓ ନୂତନ କବିମାନଙ୍କ କବିତା ସଂକଳନ ବହୁ ପରିମାଣରେ ପ୍ରକାଶିତ ହେଉଛି । ବିଗତ ଦଶକରେ ପ୍ରକାଶିତ କବିତା ଭିତରେ ବିଗତ ଅର୍ଦ୍ଧଶତାବ୍ଦୀର ପ୍ରାୟ ସମସ୍ତ କବି ବିଦ୍ୟମାନ । ସେହି କବିମାନଙ୍କର ନାମ ପତ୍ର ପତ୍ରିକାର ସୂଚୀ ପତ୍ରରେ ସ୍ଥାନୀତ ଓ ମୁଷ୍ଟିମେୟ ସମାଲୋଚକଙ୍କ ଆଲୋଚନାରେ ପଞ୍ଜିକୃତ ହୋଇଛି । କବିମାନଙ୍କର ଏକ ଲମ୍ୱା ତାଲିକା ଦେବା ଏ ପ୍ରବନ୍ଧର ଉଦ୍ଦେଶ୍ୟ ନୁହେଁ ।

 

ସମକାଳୀନ କବିତାର ଏକ ପ୍ରମୁଖ ବିଭାବ ହେଲା ଏକ ପ୍ରକାର ସରଳ ସହଜ ଉଚ୍ଚାରଣର ଉଦ୍ଭବ । କିନ୍ତୁ ସେଥିରେ ସାହିତ୍ୟିକ ସୌନ୍ଦର୍ଯ୍ୟ ବା ଗାମ୍ଭୀର୍ଯ୍ୟ ଅପେକ୍ଷା ପାଠକ ଉପଭୋକ୍ତାର ଗ୍ରାହ୍ୟ ହେବାପାଇଁ ଅଧିକ ପ୍ରଚେଷ୍ଟା ରହିଛି । ବ୍ୟବହାରିକ ଜଗତ ଓ ପାରିପାର୍ଶ୍ୱର ଅସୁରକ୍ଷିତ ଜୀବନ, ଦୁର୍ନୀତି ଓ ସୁବିଧାବାଦର ଖଣ୍ଡିତ ଚିତ୍ରମାନଙ୍କର ମିଶ୍ରିତ ରୂପକୁ ନେଇ ସତ୍ୟନିଷ୍ଠ ହୋଇଛି କବିତା । ପ୍ରଗତିବାଦୀ କବିତାର ସ୍ୱର ପରେ ଆସିଥିବା ଅସ୍ତିତ୍ୱବାଦୀ ସ୍ୱର ଏବେ ପରିଣତ ହୋଇଛି ବସ୍ତୁନିଷ୍ଠ ବିବୃତି ଧର୍ମରେ । ଲକ୍ଷଣ ଭିତରେ ଅଚିହ୍ନା ରୋଗକୁ ଠାବ କରୁଛି ପାଠକ, ନିଦାନ କ’ଣ ସେ ବିଷୟରେ ପାଠକ, କବି ଉଭୟ ସନ୍ଦିହାନ । ସଚ୍ଚି ରାଉତରାୟଙ୍କ ଠାରୁ ରବି ସିଂ ଓ ବ୍ରଜନାଥ ରଥଙ୍କ ସଦ୍ୟତମ କବିତା ପର୍ଯ୍ୟନ୍ତ ଯେଉଁ ସାମାଜିକ ପ୍ରତିବଦ୍ଧତାର ସ୍ୱର ଅନୁରଣିତ ହୁଏ, ତାହା ତରୁଣ ପିଢ଼ିର କବିତାର ମୁଖ୍ୟ ସ୍ୱର ନୁହେଁ । ରମାକାନ୍ତ ଓ ସୀତାକାନ୍ତଙ୍କ କବିତାରେ ଥିବା ଦାର୍ଶନିକତା ଓ ମିଥ୍‌ ପ୍ରବଣତା ମଧ୍ୟ ପରବର୍ତ୍ତୀ ପିଢ଼ିର କବିତାରେ ଗୁରୁତ୍ୱ ଲାଭ କରିପାରିନାହିଁ । ବରଂ ସୌଭାଗ୍ୟ ମିଶ୍ରଙ୍କ କବିତାର ଶୈଳୀ ସମକାଳୀନ କବିତାର ଗଠନଶିଳ୍ପକୁ ବହୁପରିମାଣରେ ପ୍ରଭାବିତ କରିଛି ବୋଲି କୁହାଯାଇପାରେ । ତାଙ୍କ କବିତାରେ ଥିବା ସମସାମୟିକ ଅନୁଭୂତିର ଅକୃତ୍ରିମ ପ୍ରକାଶ ଓ ଯୁଗରୁଚିର ପ୍ରତିନିଧିତ୍ୱ ଏହାର ମୁଖ୍ୟ କାରଣ ।

 

ସମକାଳୀନ କବିତାରେ ଯେଉଁ ପରିବର୍ତ୍ତନ ଲକ୍ଷ୍ୟ କରି ହେଉଛି ତାହା ବ୍ୟାପକ ବୈଷୟିକ ପରିବର୍ତ୍ତନର ଏକ ସିଧା ସଳଖ ପରିଣତି । କିନ୍ତୁ ସ୍ୱାଧୀନତା ପରେ କବିତାରେ ଯେଉଁ ପରିବର୍ତ୍ତନ ଘଟି ଥିଲା ତାହା ଥିଲା ସଚେତନ ଓ ଚେଷ୍ଟାକୃତ । ହୁଏତ ଉପନିବେଶବାଦ ପରବର୍ତ୍ତୀ ସମୟର ଆହ୍ୱାନଗୁଡ଼ିକ ଦ୍ୱାରା କବିତା ଧର୍ମ ସନ୍ତୁଳିତ ହେବା ପୂର୍ବରୁ ଆଧୁନିକତାର ସ୍ୱରୂପ ନିର୍ଣ୍ଣିତ କରାଯାଇଥିଲା । ଚିତ୍ତରଞ୍ଜନ ଦାସ ଏହାକୁ ‘‘ପଛୁଆ ଆଧୁନିକତା’’ ବୋଲି କହିଛନ୍ତି । ତାଙ୍କ ଭାଷାରେ : ‘‘ଆଧୁନିକତା ସାମାଜିକ ଚେତନା ଭିତରକୁ ଆସିନଥାଏ, ଆଧୁନିକତା ସାମାଜିକ ସମ୍ୱନ୍ଧ ଭିତରକୁ ଆସିନଥାଏ, ଏବଂ ତେଣେ ସାହିତ୍ୟ ଏବଂ କବିତା ଭିତରେ ଆଧୁନିକତା ଆସି ପଶିଯାଏ, ଯଦି ଏପରି କେଉଁଠାରେ ଘଟୁଥାଏ, ତେବେ ତାହାକୁ ଗୋଟିଏ ଜବରଦସ୍ତ ଉଦ୍‌ଭଟ ଘଟଣା ବୋଲି ହିଁ କହିବାକୁ ପଡ଼ିବ ଏବଂ ସେଇଥିରୁ ପ୍ରେରଣା ନେଇ ଓ ସେଠାରୁ ଦେଢ଼ ଚାଖଣ୍ଡ ଉଠିଯାଇ ଯେଉଁମାନେ ନିଜକୁ ଉତ୍ତର-ଆଧୁନିକ ବୋଲି କହୁଛନ୍ତି, ସେମାନଙ୍କୁ ପ୍ରକୃତରେ ବାଇଆ ବୋଲି କୁହାଯିବ ।’’

 

(ପଛୁଆ ଆଧୁନିକତା, ଅନୁରୂପା, ପୂଜା-୧୯୯୯, ପୃ-୨୪)

 

ତେବେ ଓଡ଼ିଆ ସମକାଳୀନ କବିତାକୁ ପାଶ୍ଚାତ୍ୟ ଶୀର୍ଷକଟିଏ ଦେବାର କୌଣସି ବାଧ୍ୟବାଧକତା ନାହିଁ । ଅଧ୍ୟାପକ ଦିଲ୍ଲୀପକୁମାର ସ୍ୱାଇଁ ଏହି କାବ୍ୟଧାରାର ୪୫ଟି ବିଶେଷତ୍ୱ ଚିହ୍ନଟ କରିଛନ୍ତି । (କାବ୍ୟଲୋକ, ଶାରଦୀୟ ୧୯୯୯) ଏହା ସମକାଳୀନ କବିତାର ସାମଗ୍ରୀକ ବ୍ୟାପକତାକୁ ସୂଚାଏ । ଅର୍ଥାତ୍‌ ଯେତେପ୍ରକାରର ବାଦ ଓ ତତ୍ତ୍ୱ ଆଜିର ସମାଜକୁ ପ୍ରଭାବିତ କରୁଛି ସେ ସବୁ ସହିତ କୌଣସି ନା କୌଣସି ଭାବେ ଆଜି ଲେଖା ହେଉଥିବା କବିତାଟିଏ ସମ୍ପର୍କିତ ହୋଇଯାଇପାରେ । ଯେମିତି ନାରୀ ସୁରକ୍ଷା ଓ ନାରୀବାଦର ପ୍ରସାର ସମଗ୍ର ପୃଥିବୀରେ ଘଟିଛି ଓ ସମକାଳୀନ ଓଡ଼ିଆ କବିତାରେ ନାରୀକବିମାନଙ୍କ ସଂଖ୍ୟା ଓ ଦୃଷ୍ଟିକୋଣ ବଦଳି ଯାଇଛି । କିନ୍ତୁ ନାରୀବାଦର ପାଶ୍ଚାତ୍ୟ ତତ୍ତ୍ୱକୁ ଆଖିରେ ରଖି ଯେ ସେ କବିତା ଲେଖୁଛି ଏହା ଭାବିବା ଭୁଲ। ପ୍ରବାସିନୀ ହୁଅନ୍ତୁ କି ସୁଚେତା ମିଶ୍ର ହୁଅନ୍ତୁ ସେମାନଙ୍କର କବିତାର ଆବେଦନ କେବଳ ନାରୀ ସଚେତନା ଭିତରେ ସୀମିତ ନୁହେଁ । ଅନୁଭୂତ ସତ୍ୟର କାବ୍ୟିକ ପ୍ରକାଶ ହିଁ ସେମାନଙ୍କ କବିତାର ଆବେଦନ ପିଣ୍ଡ । ଅବବୋଧରୁ ଆସିନଥିବା ବାକ୍ୟ ଯେତେ ସତ୍ୟାଶ୍ରୟୀ ହେଲେ ମଧ୍ୟ ପାଠକ ସେଥିପ୍ରତି ବିମୁଖ ହେବ, ଏହା ନିଶ୍ଚିତ । ହରପ୍ରସାଦ ଦାସ ଗତ ‘‘ତିରି ବର୍ଷର ଓଡ଼ିଆ କବିତା’’ର ଆଲୋଚନାରେ ପ୍ରାଞ୍ଜଳ ଭାବେ ଏହା ବୁଝାଇ ଅଛନ୍ତି । ଏହା ଛଡ଼ା ପ୍ରବୀଣ ଓ ନବୀନମାନଙ୍କ କବିତାରେ କେତୋଟି ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଲକ୍ଷ୍ୟ କରିଛନ୍ତି ସେ । ତାଙ୍କ ଭାଷାରେ ‘‘ପ୍ରବୀଣ କବିମାନଙ୍କର ବୌଦ୍ଧିକ ପରିବେଶ ଓ ପୃଷ୍ଠଭୂମି ନବୀନମାନଙ୍କଠାରୁ ଅଲଗା । ବହୁ ନବୀନ କବି ବୌଦ୍ଧିକତାର ଆକ୍ରୋଶରୁ ମୁକ୍ତ, କିନ୍ତୁ ସେମାନଙ୍କର କବିତାରେ ଠିକ୍‌ ସେହି କାରଣରୁ ବ୍ୟାପ୍ତିର ଅଭାବ ଲକ୍ଷଣୀୟ ।’’ (ସମାବେଶ, ବିଷୁବ-୯୪,)

 

ନୂତନ ପିଢ଼ିର ପ୍ରାୟ ଅର୍ଦ୍ଧଶତ କବିଙ୍କ ନାମ ସମକାଳୀନ ପତ୍ରିକାର ପୃଷ୍ଠା ମଣ୍ଡନ କରୁଅଛନ୍ତି । ମୋଟାମୋଟି ଅଧିକାଂଶଙ୍କ କବିତାରେ ସମକାଳୀନ ବାସ୍ତବତାର ଚିତ୍ର ନଗଣ୍ୟ । କାଁ ଭାଁ ଆତଙ୍କବାଦ, ଆନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାର ଖଣ୍ଡିତ ପ୍ରସଂଗ ସେଥିରେ ଥିଲେ ମଧ୍ୟ ତାହା ଆଖପାଖର ଜୀବନଯାତ୍ରାର ଅନୁଭବ ପାଇଁ ଅଚିହ୍ନା ଲାଗେ । ଯେତିକି ବାଲିଆପାଳ ବା କଳାହାଣ୍ଡି ସେଥିରେ ଅଛି ତା’ ଠାରୁ ବେଶୀ ଅଛି ସମୁଦ୍ର ଓ ସୌର ମଣ୍ଡଳ । ଆମ ନିକଟତମ ଦୁନିଆରେ ଯେଉଁ ବ୍ୟାପକ ସାମାଜିକ ପରିବର୍ତ୍ତନ ଘଟୁଛି ତାର ଚିତ୍ର ସେଥିରେ ପର୍ଯ୍ୟାପ୍ତ ନୁହେଁ । ଗୁଣବାଚକ ଶବ୍ଦ ବହୁଳତା ଭିତରେ ସାର୍ବକାଳୀକ ଜୀବନ ସିଦ୍ଧାନ୍ତର ଅନ୍ୱେଷଣ ଦୈନନ୍ଦିନ ଜୀବନର ଚିତ୍ରକଳ୍ପକୁ ଏଡ଼ାଇ ଦେଇଛି । ତେଣୁ ରମାକାନ୍ତ, ସୀତାକାନ୍ତ, ସୌରୀନ୍ଦ୍ର, ରାଜେନ୍ଦ୍ର ବା ହରିହରଙ୍କ ପରି ଅଗ୍ରଜମାନଙ୍କ କବିତାର ଅନ୍ୱେଷା ଓ ରୋମାଣ୍ଟିକ ଦିଗଟି ଏବକାର କବିତାରେ ଗତିଶୀଳ ହେଉଛି ଏକ ସାଦାସିଧା ପୋଷାକରେ । ଶବ୍ଦ ଚୟନରେ ଆଟୋପ ନାହିଁ । କଥିତ ଭାଷାର ବ୍ୟଞ୍ଜିତ ରୂପରେଖ ନେଇ ଧୀରେ ଧୀରେ ଏକ ନୂତନ ସୃଜନଧାରା ସମକାଳୀନ କବିତାରେ ଦାନା ବାନ୍ଧୁଛି । ଯେକୌଣସି କବିଙ୍କ ରଚନାରୁ ଏହାର ଦୃଷ୍ଟାନ୍ତ ନିଆଯାଇ ପାରେ । ହୁଏତ ସେ ରଚନା ଅଜୟ ପ୍ରଧାନଙ୍କର, ଅକ୍ଷୟ ବେହେରା ବା ଶଙ୍କର୍ଷଣ ପରିଡ଼ାଙ୍କର ବା ଯେକୌଣସି କବିଙ୍କର ହୋଇପାରେ । ଧୀରେ ଧୀରେ ଅନୁବାଦ ଜରିଆରେ ପ୍ରତିବେଶୀ ରାଜ୍ୟର ସମକାଳୀନ କବିତା ଆମ ପଠନର ବଳୟ ଭିତରକୁ ଆସୁଛି । ତୁଳନାତ୍ମକ ଅଧ୍ୟୟନ ଦ୍ୱାରା ପ୍ରତିବେଶୀ କବିତାଠାରୁ ଆମ କବିତାର ପାର୍ଥକ୍ୟରେ ଆମ କବିତାର ଦୁର୍ବଳତା ଓ ସ୍ୱାତନ୍ତ୍ର୍ୟର ସମ୍ଭାବନା ସମ୍ୱନ୍ଧରେ ସୂଚନା ମିଳୁଛି । ତା’ ଛଡ଼ା ଇଂରାଜୀ କବିତାରେ ପାରଦର୍ଶିତା ଲାଭ କରିଥିବା କବିମାନେ ଓଡ଼ିଆ କବିତା ଲେଖିବା ଆରମ୍ଭ କରିଛନ୍ତି । ସେଥିରେ ଦୃଷ୍ଟ ହେଉଥିବା ଭିନ୍ନତା ମଧ୍ୟ ସମକାଳୀନ ଓଡ଼ିଆ କବିତାର ଏକ ନୂତନ ଦିଗ ଉନ୍ମୋଚିତ କରିଛି ।

 

ବର୍ତ୍ତମାନର ପରିବର୍ତ୍ତିତ ବୌଦ୍ଧିକ ପରିବେଶକୁ ଅସ୍ୱୀକାର କରି ଜଣେ କବି ଲେଖି ପାରିବ ନାହିଁ । ନିଜର ସାଂପ୍ରତିକ ପୃଥିବୀର ଘଟଣା ପ୍ରବାହ ତଥା ଧର୍ମ, ରାଜନୀତି, ସଂସ୍କୃତି ଓ ବିଜ୍ଞାନ ସମ୍ୱନ୍ଧରେ ଜାଣିବାର ଆଗ୍ରହ ତା’ର କବିତାକୁ ବରଂ ଜୀବନ ପ୍ରତି ବିଶ୍ୱସ୍ତ କରି ପାରିବ ଓ କବିର ସୃଜନ ପ୍ରତିଭାକୁ ଅଧିକ ବିକଶିତ କରିପାରିବ । ବିଜ୍ଞାନ ଜଗତରେ ପ୍ରିଣ୍ଟିଂ ପ୍ରେସ୍‌ର ଉଦ୍ଭାବନ ପରେ ଯେମିତି ଲିଖନ ଅଭ୍ୟାସ ଓ ଆକାର ପ୍ରକାରରେ ବ୍ୟାପକ ପରିବର୍ତ୍ତନ ଆସିଥିବା ସତ୍ତ୍ୱେ ସୃଜନ ସଂକୁଚିତ ହୋଇ ଯାଇନଥିଲା ସେଭଳି ସମକାଳରେ କମ୍ପ୍ୟୁଟର ମଧ୍ୟ ସୃଜନ ଉତ୍ସ ଉପରେ ପ୍ରଭୁପଣ ଜାହିର କରିପାରିବ ନାହିଁ । ଅବଶ୍ୟ କମ୍ପ୍ୟୁଟର ଦ୍ୱାରା ବହୁ ଲିଖନ ପ୍ରକାର ଜନ୍ମ ନେବ । କମ୍ପୁଟର ଚାଳନାରେ ସିଦ୍ଧହସ୍ତ ବ୍ୟକ୍ତିମାନଙ୍କ ଗୁରୁତ୍ୱ ବଢ଼ିବା ସହ ହୁଏତ ବାଜେ କବିତାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । କିନ୍ତୁ ସୃଜନଶୀଳ ବ୍ୟକ୍ତି ମାନସର ଅନନ୍ୟ ଦିଗଟି ଏହାଦ୍ୱାରା କବଳିତ ହେବାର ଆଶଙ୍କା କରିବା ଅମୂଳକ । କମ୍ପ୍ୟୁଟର ଯୁଗର ବସ୍ତୁଧର୍ମର ଅଧସ୍ତନ ନ ହୋଇ ସୃଜନର ପ୍ରକାଶ ଯେ ନୂତନ ଦିଗନ୍ତ ଉନ୍ମୋଚନ କରିବ ସମକାଳୀନ କବିତାରେ ଥିବା ଏହାର ଉଜ୍ଜ୍ଵଳ ସମ୍ଭାବନା ଅବଶ୍ୟ ସ୍ୱୀକାର୍ଯ୍ୟ ।

 

ଅଧ୍ୟାପକ, ଇଂରାଜୀ ବିଭାଗ,

ସରକାରୀ ମହିଳା ମହାବିଦ୍ୟାଳୟ

ଜୟପୁର, (କୋରାପୁଟ)

***

 

ପ୍ରାକ୍‌ ଭଞ୍ଜୀୟ ରୀତିକାବ୍ୟରେ ମନସ୍ତାତ୍ତ୍ୱିକ ଚିତ୍ର

ଡକ୍ଟର ଗୌରାଙ୍ଗ ଚରଣ ଦାଶ

(ପୂର୍ବାନୁକ୍ରମିକ)

 

୩.୦. ଆଖ୍ୟାୟିକା ମୂଳକ ବା କାଳ୍ପିନକ ଅପେକ୍ଷା ପୌରାଣିକ, ବିଶେଷତଃ କୃଷ୍ଣ ଲୀଳାତ୍ମକ କାବ୍ୟଗୁଡ଼ିକରେ କବିମାନେ ଚରିତ୍ରମାନଙ୍କର ମାନସିକ ଦ୍ୱନ୍ଦ ଓ ସଂଘାତି ଚିତ୍ରଣରେ ଅଧିକ ସଫଳ ହୋଇଛନ୍ତି । କବିମାନେ ଭକ୍ତ, ପଣ୍ଡିତ ଓ ତତ୍ତ୍ୱ ଅବଗ୍ରାହୀ । ମାତ୍ର ତତ୍ତ୍ୱର କଥା କହିଲା ବେଳେ ଜୀବନକୁ ଅସ୍ୱୀକାର କରିପାରି ନାହାନ୍ତି । ଦର୍ଶନର ଚରିତ୍ରମାନଙ୍କର ସାଧାରଣୀକରଣ ଘଟିଛି । ସେମାନେ ସଂସାର ଭିତରକୁ ଆସିଛନ୍ତି ଏବଂ ଖାଣ୍ଟି ସଂସାରୀଙ୍କ ପରି ଆତଯାତ ହୋଇଛନ୍ତି ।

 

୩.୧. ରୂପ ଓ ଗୁଣବନ୍ତ ପୁରୁଷ ଦେଖିଲେ ତା’ ପ୍ରତି ଅବଚେତନରେ ଆସକ୍ତ ହେବା ଯେକୌଣସି ନାରୀ ପକ୍ଷେ ଅସ୍ୱାଭାବିକ ନୁହେଁ । ପୁରୁଷୋତ୍ତମ ଓ ନବଦୁର୍ବାଦଳ ପରି ଶ୍ୟାମଳ, ସୁକୁମାର ରାମଚନ୍ଦ୍ର ବିଶ୍ୱାମିତ୍ରଙ୍କ ସହିତ ଜନକପୁରକୁ ଯାତ୍ରା କରୁଥିବା କାଳରେ ପୁରନ୍ଧ୍ରୀମାନେ ତାଙ୍କ ପ୍ରତି ଆସକ୍ତ ହୋଇଛନ୍ତି । ସେମାନଙ୍କ ମନରେ ବିଭ୍ରମ ଦେଖାଦେଇଛି । ରାମଚନ୍ଦ୍ର ଆଖିର ଆଢ଼ୁଆଳକୁ ଚାଲିଯିବା ପର୍ଯ୍ୟନ୍ତ ସେମାନେ ଅପଲକ ଆଖିରେ ତାଙ୍କୁ ଚାହିଁ ରହିଛନ୍ତି । ସେମାନଙ୍କ ଚିତ୍ତରେ ନାନା ସାତ୍ତ୍ୱିକ ବିକାର ଦେଖାଦେଇଛି । ଭାବିଛନ୍ତି –

 

ଗଗନ ଚାନ୍ଦକୁ ଜଳେ ଦେଖି       ବୁଡ଼ିଲେକି ହୁଏ ପ୍ରାପତି

ସପନ ନିଧି ପାଇଲେଣ      ସେହୁ ଯେମନ୍ତେ ନୋହଇ ସତ ।

(ଅର୍ଜୁନ ଦାସ : ରଙ୍ଗ ବିଭବ ୧୦-୩୯)

 

ଏପରିକି ଶିବଧନୁ ଭଙ୍ଗା ବୀର ହାତରେ ତାଙ୍କୁ ସମର୍ପଣ କରିବା ଲାଗି ପ୍ରତିଜ୍ଞା କରିଥିବା ବାପାଙ୍କ ଅହଙ୍କାରକୁ ମଧ୍ୟ ସୀତା ଗ୍ରହଣ କରିପାରି ନାହାନ୍ତି । ଭାବିଛନ୍ତି

 

ଦୁଃସହ ପଣ କରିଅଛି ପିତା, ଅବିରତେଣ ସେ କରଇ ଚିନ୍ତା ।

ଯଦି ତୋଳିବେ ରାମଶରାସନ, ପ୍ରତ୍ୟେକ ଯିବ ଏ ମୋହର ମନ ।

 

ସୀତାଙ୍କ ପରି ରୁକ୍ମିଣୀ ମଧ୍ୟ ଶିଶୁପାଳକୁ ସ୍ୱୟମ୍ୱର ସଭାରେ ଦେଖି ଭାଇକୁ ମନଭରି ଗାଳି ଦେଇଛନ୍ତି । ସହଚରୀ ପାଖରେ ନିଜ ଭାଗ୍ୟକୁ ଧିକ୍‌କାର କରି କହିଛନ୍ତି ।

 

ଶିଶୁପାଳ ମୋତେ ଛୁଇଁବ କାହିଁ

ବୀର ଭାଗର ମୁଁ ଅଟେ ଗୋସାଇଁ ।

ଜିଣି କଣ୍ଠିରବ, ରାଗ କେମନ୍ତେ ଶୃଗାଳ ଖାଇବ ।

(କାର୍ତ୍ତିକ ଦାସ : ଋକ୍ମିଣୀ ବିଭା )

 

ସ୍ୱୟମ୍ୱର ସଭାକୁ କୃଷ୍ଣ ଆସୁଥିବା ସମ୍ବାଦ ପାଇ ‘ଅନ୍ଧ ନେତ୍ର ପାଇବା, ଶବ ଜୀବନ ଲଭିବା’ ପର ସେ ଅନୁଭବ କରିଛନ୍ତି । କୃଷ୍ଣରୂପରେ ମୋହିତ ନଗରୀର ନାରୀମାନେ’ ଶିଶୁପାଳ କୃଷ୍ଣଙ୍କ ଚରଣ ଘସା ପଥରକୁ ସରି ନୁହେଁ ଏବଂ ରୁକ୍ମଣ ‘ଜନ୍ମ ଅନ୍ଧ’ ମନ୍ତବ୍ୟ ଦେଇଛନ୍ତି । ପୋଡ଼ୁ ଶିଶୁପାଳ ମୁଖ ଲାଜ ପାଇଯାଉ, ଆମ୍ଭମାନଙ୍କର ମନୋରଥ ପୂର୍ଣ୍ଣ ହେଉ’ ବୋଲି ପ୍ରକାଶ କରିଛନ୍ତି ।

 

୩.୧.୧.କାର୍ତ୍ତିକ ଦାସ ଜଣେ ମନସ୍ତତ୍ତ୍ୱବିଦ୍‌ ପରି ଯଶୋଦା ଓ ଦେବତାଙ୍କ ମାତୃଦ୍ୱୟର ବିଚାର ଓ ଆବେଗର ବିଶ୍ଲେଷଣ କରିଛନ୍ତି । ଶ୍ରୀକୃଷ୍ଣ ବରବେଶରେ ଯିବେ । ତାଙ୍କ ପାଦରେ ଅଳତା ନାଇ ଦେବାକୁ ପଡ଼ିବ । ତାଙ୍କୁ ବନ୍ଦାପନା କରିବାକୁ ପଡ଼ିବ । ଏହା ମା’ର ଅଧିକାର । ମାତ୍ର କୃଷ୍ଣଙ୍କ ପାଖରେ ଦୁଇଟି ମା’ । ଯଶୋଦା, ଦେବକୀ । ଦେବକୀ ଯଶୋଦାଙ୍କୁ କହିଛନ୍ତି – ‘‘ମୁଁ ତ ତାକୁ କୋଳରେ ଧରିନି । କ୍ଷୀର ଦେଇନି । ହସିବା, ରୁଷିବା ଭାବ କିଛି ଜାଣିନି । ତମର ପୁଅକୁ ତମେ ଅଳତା ସିନ୍ଦୂର କର । ମୁଁ ପାରିବିନି ।’’ ଯଶୋଦା ନିଜର ଅନିଚ୍ଛା ପ୍ରକାଶ କରି କହିଛନ୍ତି – ‘‘ତମେ ତ ତା’ର ଜନ୍ମଦାତ୍ରୀ । ପରମ ସୌଭାଗ୍ୟବତୀ, ମୁଁ ବା କିଏ ?’’ ଶେଷରେ ଦୁଇ ମା’, ଜନ୍ମଦାତ୍ରୀ ଓ ପାଳନକର୍ତ୍ତା ଉଭୟେ କେତେ ଶ୍ରଦ୍ଧାରେ କୃଷ୍ଣଙ୍କ ପାଖରେ ନିଜ ନିଜର ମାତୃତ୍ୱକୁ ସମର୍ପି ଦେଇଛନ୍ତି ।

 

୩.୧.୨. କାଂଚିକାବେରୀ ନାମକ କିମ୍ୱଦନ୍ତୀ ମୂଳକ କାବ୍ୟରେ ରସବିଦଗ୍ଧ କବି ପୁରୁଷୋତ୍ତମ ଦାସ ରାଉତରୂପୀ କୃଷ୍ଣ ଓ ମାଣିକ ରୂପୀ ରାଧାଙ୍କ କଥୋପକଥନରେ ହାଟୁଆ ଜାତି ନାରୀର ଅନ୍ତଃରୂପକୁ କାବ୍ୟିକ ରୀତିରେ ବର୍ଣ୍ଣନା କରିଛନ୍ତି । ଦୁଇ ସୁଦର୍ଶନ ରାଉତଙ୍କୁ ଦେଖି ମାଣିକ ଗଉଡ଼ୁଣୀ କହିଛି –

 

ବେଳ ହେଲାଣି ଉଛୁର ତୁମ୍ଭେ ସୁକୁମାର

ଦଧି ଦୁଧ ଛେନା ଦେଇ ମଣୋହି ଯେ କର ।

ମୃଦୁ ମୃଦୁ ହସିଣ ସେ ବୋଲଇ ବଚନ

ଛଇଳା କରିଣ କହେ ଘୋଡ଼ାଇ ବଦନ ।

ଛଇଳାର କଥା ଶୁଣି କାଳିଆ ରାଉତ ଉତ୍ତର ଦେଇଛନ୍ତି –

ବୋଲନ୍ତି ଆମ୍ଭକୁ ରଖିଅଛୁ ଦେବାପାଇଁ

ମାଗିଲେ ନିଶ୍ଚୟ ତୁମ୍ଭେ ଦେବଟିକ ଦହି ।

...ଶାଶୁଘରେ ଖଟି ଅଛୁ କି ନା ବାପଘରେ

କେତେ ଦିନୁ ଦଧି ଆଣି ବିକିଲ ଦାଣ୍ଡରେ ।

ତରକ କି ବିକା କିଣା ଜାଣ ଟିକି ଛନ୍ଦ

ଦେଲଣ ପାରନ୍ତି ଟିକି ଶାଶୁ ସେ ନଣନ୍ଦ ।

ଅଳପ କରିଣ ତୁମ୍ଭେ ଘରଠାରୁ ଆଣି

ବହୁଦ ହେବା ପାଇଁ ପୂରାଅ ଟିକି ପାଣି ।

ରାଉତଙ୍କ କପଟ କଥାଶୁଣି ମାଣିକ ହସି ହସି କହିଛି –

ଛନ୍ଦ ବନ୍ଧ କଥା ଯାହା କହିଲ ଗୋସାଇଁ

ଛନ୍ଦ ନ ଶିଖିଲେ ଦାଣ୍ଡେ ଅଯୋଗ୍ୟ ବୋଲାଇ ।

 

ପୁରୁଷୋତ୍ତମଙ୍କ ମାଣିକ କେବଳ ହାଟୁଆ ଘରର ବୋହୂ ନୁହେଁ, ରସମୟୀ ଚତୁରୀ ନାୟିକା । ସେ ବୃତ୍ତିଜୀବୀ ଓ ଭାବମୟୀ । ପ୍ରେମର ଆରାଧିକା, ରାଧିକା ।

 

୩.୨. ଯୌନ ଜୀବନକୁ କେନ୍ଦ୍ର କରି ନାରୀ ପୁରୁଷଙ୍କ ଚିତ୍ତାକାଶରେ ସନ୍ଦେହ, ମାନ, ଅଭିମାନ, ରାଗ, ରୁଷାର ଯେଉଁ ଝଡ଼ ସୃଷ୍ଟି ହୁଏ – ତାହାର ସୂକ୍ଷ୍ମ ଚିତ୍ର ଅଙ୍କନରେ ଦେବ ଦୁର୍ଲଭ ଦାସଙ୍କ ଲେଖନୀ ବେଶ୍‌ ମୁଖର । ଅଷ୍ଟ ପାଟବଂଶୀ, ଷୋଳ ସହସ୍ର ତରୁଣୀ ମେଳରେ ବିହରୁଥିବା ଶ୍ରୀକୃଷ୍ଣଙ୍କ ଅନ୍ୟ ମନସ୍ମତା, ବସନ, ଭୂଷଣ, ଶୟନ, ଭୋଜନ ଓ ହାସ ପରିହାସ ପ୍ରତି ବିମୁଖ ଭାବ ଦେଖି ରୁକ୍ମିଣୀ ଓ ଅନ୍ୟମାନେ ଗହନ ସମସ୍ୟାରେ ପଡ଼ିଛନ୍ତି । ରାଧା ଓ ଗୋପାଙ୍ଗନାମାନଙ୍କର ପ୍ରେମ ଅନ୍ୟ ମନସ୍କତାର ଯେ କାରଣ, ସ୍ୱୟଂ ସ୍ୱାମୀଙ୍କ ମୁହଁରୁ ଏକଥା ଶୁଣିଲା ପରେ ରୁକ୍ମିଣୀ ନିଜ କାନଙ୍କୁ ବିଶ୍ୱାସ କରିପାରି ନାହାନ୍ତି । ସାଧାରଣ ନାରୀ ପରି ନିଜ ଜୀବନ, ଭାଗ୍ୟ ଓ ଯୌବନକୁ ଧିକ୍‌କାରିଛନ୍ତି । ରାଧା ଓ ଗୋପନାରୀମାନଙ୍କୁ ଦାଣ୍ଡର ଗୁଆଳି, ବିଟପୀ କାମିନୀ, ପରଘରକୁ ଡେଇଁ ଆଦି ଶବ୍ଦରେ ଗାଳି ଦେଇଛନ୍ତି । (ରହସ୍ୟ ମଞ୍ଜରୀ ୯-୩) ଚତୁର କୃଷ୍ଣ ପତ୍ନୀମାନଙ୍କୁ ଅଧିକ ତତେଇବା ଉଦ୍ଦେଶ୍ୟରେ ରାଧା ପ୍ରେମର ଗଭୀରତା ପ୍ରସଙ୍ଗ ବଖାଣିବା ମାତ୍ରେ ମାନନିଆଁରେ ପ୍ରଜ୍ୱଳିତା ରୁକ୍ମିଣୀ ଗୋପାଙ୍ଗନାମାନଙ୍କ ଚରିତ୍ର, ଆଚରଣ, ଜାନୁ, ଯଉବନ, ରୂପର କଟୁ ସମାଲୋଚନା କରିଛନ୍ତି ଏବଂ କୃଷ୍ଣଙ୍କୁ କହିଛନ୍ତି –

 

ଯାହାମନ ଯହିଁରେ ରତ

କୋଟି ସ୍ୱର୍ଗଭୋଗ କିଂଚିତ ମତ (ର.ମ. ୭-୭)

....ଗୋପୀ ତାଙ୍କ ବ୍ୟାଧି

ଆମେ ତାଙ୍କ ବ୍ୟାଧିକି ନିଷେଧ କୁପଥ (ର.ମ. ୭-୧)

 

ବ୍ୟଭିଚାରିଣୀ ଆଭିରୀମାନଙ୍କ ପ୍ରେମ କେତେ ଆନ୍ତରିକ, ମାଧୁର୍ଯ୍ୟମଣ୍ଡିତ ତାହା ପ୍ରମାଣ କରିବା ପାଇଁ କୃଷ୍ଣ ଅଷ୍ଟପାଟବଂଶୀ ଓ ଆନନାରୀମାନଙ୍କୁ ଗୋପପୁରକୁ ନେଇଛନ୍ତି । ପ୍ରିୟତମଙ୍କ ଆଗମନର ସମ୍ୱାଦ ଶୁଣିବା ମାତ୍ରକେ ବିରହଣୀ ରାଧା ସକଳ ପ୍ରକାରର ଶୃଙ୍ଖଳା ଓ ଲଜ୍ୟା ପାସୋରି ପକାଇଛନ୍ତି । ଆଖିରୁ ଛଳନାର ଢାଙ୍କୁଣି ଖୋଲିଯାଇଛି । ପ୍ରିୟତମଙ୍କ ପାଖରେ କେତେ ମାନ କରିଛନ୍ତି । ଶୁଖିଲାରେ ପଡ଼ି ଛଟପଟ ହେଉଥିବା ମାଛଟିଏ ଗଭୀର ପାଣିରେ ନିଜକୁ ଖୋଜି ପାଇଲା ପରି ତାଙ୍କୁ ବୋଧ ହୋଇଛି କୁଳବୁଡ଼ା ବଂଶୀସ୍ୱନ । ସେ ଯେପରି ଜୀବନ ପାଇଛନ୍ତି । ପରସ୍ପର ଭିତରେ ହଜି ଯାଇଛନ୍ତି ।

 

୩.୨.୧. ମାତ୍ର କୃଷ୍ଣ ଓ ଗୋପାଙ୍ଗନାମାନଙ୍କ ମଧୁର ମିଳନର ଦୃଶ୍ୟ କମ୍‌ ପ୍ରତିକ୍ରିୟାଶୀଳ କରିନି ଦ୍ୱାରକା ନାରୀମାନଙ୍କୁ । ଗୋପନାଗର ଆଉ ଦ୍ୱାରକା ନ ଫେରିବାର ସମ୍ଭାବନାରେ ସେମାନେ କାତର ହୋଇଛନ୍ତି । ଫେରିଯିବା ପ୍ରଶ୍ନ ତାଙ୍କୁ ପଚାରିପାରୁ ନାହାନ୍ତି । ତୁଣ୍ଡର ଭାଷା ହୋଇଛି ଅଣଲେଉଟା । କେଳିକୁଞ୍ଜର ରାଗ ଓ ରସମୟ ଦୃଶ୍ୟ ସେମାନଙ୍କୁ ବିସ୍ମିତ ଓ ଅଭିଭୂତ କରିଛି । ନିଜକୁ, ନିଜ ନିଜର ପ୍ରେମକୁ ସେମାନେ ବିଶ୍ୱାସ କରିପାରି ନାହାନ୍ତି ।

 

୩.୨.୨. ନିଜର ତରୁଣୀମାନଙ୍କୁ ସାଙ୍ଗରେ ଘେନି କୃଷ୍ଣ ଦ୍ୱାରକା ଫେରି ଆସିବା ପରେ ରୁକ୍ମିଣୀ ପୁଣି ଅଭିମାନରେ ଫୁଲି ଉଠିଛନ୍ତି । କୃଷ୍ଣଙ୍କ ପାଖରେ ନିଜକୁ ସମର୍ପଣ କରିବାର ସାହସ ହରାଇ ବସିଛନ୍ତି । ମାତ୍ର ଚତୁର କୃଷ୍ଣ ପ୍ରାଣପ୍ରିୟାଙ୍କୁ ପୂର୍ବପରି ନିଜ କୋଳକୁ ତୋଳି ନେଇଛନ୍ତି । ଅଭିମାନ ତୁଟିଛି । ଆଉ ଦିନେ କୃଷ୍ଣ ରୁକ୍ମିଣୀକୁ ସାଥିରେ ନେଇ ଯାଇଛନ୍ତି ଗୋଲକଧାମକୁ । ଉଦ୍ଦେଶ୍ୟ ନିତ୍ୟରାସ ମଣ୍ଡପରେ ରାଧାଙ୍କୁ ଦର୍ଶନ କରିବା । ସାଙ୍ଗରେ ସେ ଆଉ କାହାକୁ ନେଇ ନାହାନ୍ତି । କୃଷ୍ଣ-ରୁକ୍ମିଣୀଙ୍କ ଏହି ଆକସ୍ମିକ ଅନ୍ତର୍ଦ୍ଧାନ ଅନ୍ୟ ନାରୀମାନଙ୍କ ମନରେ ଝଡ଼ ସୃଷ୍ଟି କରିଛି-। ଅଭିମାନିନୀମାନେ ପ୍ରଭୁ ‘ପ୍ରିୟତମା ରୁକ୍ମିଣୀକୁ ଅଚିନ୍ତା ଥାନରେ ରହି ଏକାନ୍ତେ ରମିବା’ ଉଦ୍ଦେଶ୍ୟରେ ଅନ୍ତଃପୁର ଛାଡ଼ିଛନ୍ତି ବୋଲି ଅନୁଭବ କରିଛନ୍ତି । ରୁଷ୍ଟା ହୋଇଛନ୍ତି (ର.ମ. ୩-୨୪) ନଟନାଗରଙ୍କ ନିକଟତମ ହେବା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଥିବା କାମିନୀମାନେ ସପତ୍ନୀର ସୁଖ ସହିନପାରି ନିଜ ଭିତରେ କେବଳ ଜଳିଛନ୍ତି । ସେମାନଙ୍କର ଏ ଜ୍ୱଳନରୁ ଯେପରି ତ୍ରାହି ନାହିଁ । ବୈଷ୍ଣବ ରସତତ୍ତ୍ୱର କାବ୍ୟାୟନ କାଳରେ ରସିକ ଦେବଦୁର୍ଲ୍ଲଭ ଯେଉଁ ତ୍ରିମୁଖୀ ପ୍ରେମଚିତ୍ର ବର୍ଣ୍ଣନା କରିଛନ୍ତି – ସେଥିରେ ନାରୀମନର ସ୍ୱାଭାବିକ ଈର୍ଷା ଓ ଅସୂୟା ଭାବ ହିଁ ପ୍ରକାଶ ପାଇଛି ।

 

୩.୩.୦. ଭୂପତି ପଣ୍ଡିତଙ୍କ ପ୍ରେମ ପଞ୍ଚାମୃତ ସମଧର୍ମୀ ଆଉ ଏକ କାବ୍ୟ । କୃଷ୍ଣମିଳନକାଂକ୍ଷିଣୀ ଶ୍ରୀରାଧା, ବୃନ୍ଦା ଓ ଗୋପାଙ୍ଗନାମାନଙ୍କୁ କବି ଈର୍ଷା ଓ ଅଭିମାନର ଜୀବନ୍ତ ପ୍ରତିମା କରିଛନ୍ତି । ଶ୍ରୀକୃଷ୍ଣ ବଂଶୀସ୍ୱନ ଶୁଣି ରାତି ଅଧରେ ଗୋପାଙ୍ଗନାମାନେ ବାତୁଳୀଙ୍କ ପରି ଧାଇଁ ଆସିଛନ୍ତି ବୃନ୍ଦାବନକୁ । ରାସ ରଚନାର ଆସକ୍ତିରେ ପ୍ରତ୍ୟେକଙ୍କ ହୃଦୟ ଛଳ ଛଳ । କୃଷ୍ଣଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଛନ୍ତି । କେଉଁଠି ପାଇନାହାନ୍ତି । ଧିକ୍‌କାରିଛନ୍ତି କୃଷ୍ଣଙ୍କ ଚଗଲା ପଣକୁ ଏବଂ ନିଜ ନିଜର ମନ ଓ ଯୌବନର ଚଞ୍ଚଳତାକୁ । ପ୍ରିୟତମ ସହିତ ବିତେଇ ଥିବା ମୁହୂର୍ତ୍ତଗୁଡ଼ିକର ସ୍ମୃତି ସେମାନଙ୍କ ମନକୁ ବିଚଳିତ କରିଛି । ରୁଷ୍ଟା ଅଭିମାନିନୀମାନେ ତାଙ୍କୁ ମହାକ୍ଷୁଧାତୁର କଳାନାଗ, ଭଗାରି, ଗଗନର ଚାନ୍ଦ ଆଦି ଶବ୍ଦରେ ଭର୍ତ୍ସନା କରିଛନ୍ତି । ମାତ୍ର ସେ ବୃନ୍ଦାକୁ ସାଥିରେ ନେଇ ଏକାନ୍ତରମଣ ଇଚ୍ଛାରେ କେଉଁ ନିଭୃତ କୁଞ୍ଜକୁ ଚାଲିଯାଇଥିବାର ସମ୍ୱାଦ ପାଇଲା ପରେ ସେମାନଙ୍କ ତରଳ କ୍ରୋଧ ଘନୀଭୂତ ହୋଇଛି । ବାଟରେ ବାଲିରେ ବୃନ୍ଦା ଓ କୃଷ୍ଣଙ୍କ ପାଦଚିହ୍ନ ଦେଇ ସେମାନଙ୍କ ମଥାକୁ ପୋକ ଚଢ଼ିଛି । ଗର୍ବୀ, ଅହଂକାରୀ ସପତଣୀ ଜ୍ଞାନରେ ସେମାନେ ବୃନ୍ଦାର ନୀଚତାକୁ ଅଭିଶାପ ଦେଇଛନ୍ତି ଏବଂ ବିଚାରୀ ବୃନ୍ଦା ପ୍ରିୟତମ କୃଷ୍ଣଙ୍କ ନିକଟତମା ହେବାର ଆନନ୍ଦରେ ବିଭୋର ହୋଇଛି । ଅହଙ୍କାରରେ ପୁଲକ ତାଙ୍କୁ ଅନ୍ଧ କରିଦେଇଛି । ନିଜର ପୁଲକିତ ଅନୁଭବକୁ ପ୍ରିୟତମଙ୍କ କାନ୍ଧରେ ଥୋଇଦେଇଛି । ତା’ର ଦେହ ଓ ଅହଂର ଭାରରେ ଆର ଜଣକ ଯେ କଷ୍ଟ ପାଉଥିବା – ଏକ କଥା ସେ ଭାବିପାରିନି । ଗର୍ବରେ ଫାଟି ପଡ଼ୁଥିଲା ବେଳେ ଗର୍ବଗଞ୍ଜନ ଲୀଳାମୟ ବିଚାରୀ ଗଉଡ଼ୁଣୀକୁ ଜବର କଚଡ଼ାଟାଏ ଦେଇଛନ୍ତି । ସତେ ଯେପରି ସେ ନୀଳ ଆକାଶରୁ ମାଟି ଉପରେ ଖସି ପଡ଼ିଛନ୍ତି ଏବଂ ମାଟି ଉପରେ ନିଜ ଦେହର ଯନ୍ତ୍ରଣାକୁ ଅନୁଭବ କଲାପରେ ବୃନ୍ଦାଙ୍କର ଚେତା ଫେରିଛି । ଜଣେ ବିକାରଗ୍ରସ୍ତା ନାରୀ ପରି ସେ ପ୍ରଳାପ କରିଛନ୍ତି । ସମାହିତ ଅବସ୍ଥାରୁ ସେ ତଥାପି ଫେରିପାରି ନାହାନ୍ତି । କୃଷ୍ଣଙ୍କ ଅବିବେକୀପଣକୁ ଉଦାର ଚିତ୍ତରେ କ୍ଷମା କରିଦେଇଛନ୍ତି । ଜୀବନରେ ଭଲ ଗତି ଥିଲେ ତାଙ୍କ ସୁକୋମଳ ଓ ସୁନ୍ଦର ପାଦକ ଆଶା କରିବା ପାଇଁ ଉପଦେଶ ଦେଇଛନ୍ତି । ପ୍ରିୟତମଙ୍କୁ ପଶୁପାଳକ, ବୀଟ, ବିବେକହୀନ, ଗଉଡ଼ ଆଦି କେତେ କେତେ କୁଭାଷାରେ ସମାର୍ତ୍ତନ କଲାପରେ ମଧ୍ୟ ତାଙ୍କ ମନର କୋହ ଥମିନି । କହିଛନ୍ତି –

 

ଗୋପ ଭୂପତି ଟୋକା ଲୋକ । ତୁ ନିକି ଆମ୍ଭର ନାୟକ

ମୋ ଦେହି ଦେବରାଜେ ଭୋଗ । ଗଉଡ଼ ଟୋକା ନୋହୁ ଯୋଗ୍ୟ ।।

ପୂର୍ବେ କି ପୁଣ୍ୟ କରିଥିଲୁ । କାନ୍ଧ ପବିତ୍ର ମାତ୍ର କଲୁ ।

 

ଅନ୍ୟ ଗୋପାଳୁଣୀମାନେ କୃଷ୍ଣଙ୍କୁ ଖୋଜି ଖୋଜି ବୃନ୍ଦାଙ୍କ ପାଖରେ ପହଞ୍ଚିଛନ୍ତି । ମାତ୍ର ବୃନ୍ଦା ବୈକଲ୍ୟ ଦେଖି ସେମାନେ ହସି ହସି ଗଡ଼ି ଯାଇଛନ୍ତି ଏବଂ ସେତିକିବେଳେ ରାଧା ବ୍ୟଞ୍ଜନାରେ କହିଛନ୍ତି ବୃନ୍ଦା ନିରପରାଧିନୀ, ସେ ଗୁଆଳୀ ସ୍ୱଭାବେ ଷୋଡ଼ଶୀ’ ଏବଂ ଅପ୍ରମେୟବାନ ପ୍ରେମର ଉଚ୍ଚତାକୁ ଅନୁଭବିବା ଲାଗି ସେ ହିଁ ଏକମାତ୍ର ସମର୍ଥା । ସେ ଆରାଧିକା – ରାଧିକା ।

 

୩.୩.୧. ଗୋପାଙ୍ଗନାମାନେ ରାତି ଅଧରେ, ଜଙ୍ଗଲ ଭିତରେ କୃଷ୍ଣଙ୍କୁ କେତେ ବିକଳରେ ଡାକିଛନ୍ତି । ତାଙ୍କୁ ଛୋଟ ପିଲାଟିଏ ଜ୍ଞାନ କରି ଡରେଇଛନ୍ତି । ବ୍ରହ୍ମାଣ୍ଡ ପେଟା ମାଟିଖିଆ, ନଟୁଚୋର, କପଟୀ କହିଛନ୍ତି । ତ୍ରିଭଙ୍ଗୀ ଠାଣୀରେ ଉଭା ହୋଇଥିବା ପୁରୁଷ ସହିତ ଶୃଙ୍ଗାର ରଚନା ଅନୁଚିତ ଓ ଅପରାଧ ବୋଲି ପରସ୍ପରକୁ ନୀତିବାଣୀ ଶୁଣାଇଛନ୍ତି, ଆକଟ କରିଛନ୍ତି ଏବଂ ପ୍ରେମବାତୁଳୀମାନଙ୍କ ଅଭିମାନକୁ ଶାନ୍ତ କରିବା ପାଇଁ ଶ୍ରୀକୃଷ୍ଣ ଧରା ଦେଇଛନ୍ତି ସେମାନଙ୍କ ଖାଳେଇରେ । ତାଙ୍କ ବିଳମ୍ୱର କାରଣ ସମ୍ପର୍କରେ କେତେ ନା କେତେ ସଫେଇ ଦେଇଛନ୍ତି । ରୀତିମତ ଅଭିନୟ କରିଛନ୍ତି । ଅଧରାତିରେ, ରକ୍ତମୁଖା ପଶୁମାନଙ୍କୁ ଭୟ ନ କରି, ବନଭୂମିକୁ ଆସିବା ଅବିବେକିତା ବୋଲି କହିଛନ୍ତି । ଏବଂ ବୃନ୍ଦାଙ୍କ ଧୂଳି ଧୂସରିତ ଓ ରକ୍ତ ଜୁଡ଼ୁବୁଡ଼ୁ ଦେହ ଦେଖି କାନ୍ଦି ପକାଇଛନ୍ତି – ସତେ ଯେପରି ଜଣେ ନିର୍ବୋଧ ଡରକୁଳା ବାଳକ । ଛାତିର ଦପ୍‌ଦପ୍‌ ଭାବକୁ ମାପିବା ପାଇଁ ସେ ଗୋପୀମାନଙ୍କ ହାତକୁ ନିଜ ଛାତି ଉପରେ ମାଡ଼ି ଧରିଛନ୍ତି । ବୃନ୍ଦାଙ୍କ ପାଖରେ ଅପରାଧ କରିଥିବାରୁ ତାଙ୍କ ହାତ ଗୋଡ଼ ବାନ୍ଧି ପାଦ ତଳେ ପକାଇବା ଲାଗି ଅନୁରୋଧ କରିଛନ୍ତି ଏବଂ ଅନ୍ୟମାନଙ୍କ ଉତ୍ତରକୁ ଅପେକ୍ଷା ନ କରି ମାଟି ଉପରେ ଆଣ୍ଠେଇ ପଡ଼ି ଅଭିମାନିନୀର ପାଦ ଧରିଛନ୍ତି । ପାଦ ଧରିଥିବା କୃଷ୍ଣଙ୍କୁ ବୃନ୍ଦା କହିଛନ୍ତି –

 

ବୃନ୍ଦା ବୋଇଲେ ପାଦ ଛାଡ଼

ଆହୁରି ବୋଇଲେ କଚାଡ଼ ।

 

ମାତ୍ର ପରମୁହୂର୍ତ୍ତରେ ସେ ନିଜର ଅହଙ୍କାରକୁ ବୁଝି ପାରିଛନ୍ତି । ଅଲାଜୁକପଣକୁ ଧିକ୍‌କାରିଛନ୍ତି । କୃଷ୍ଣଙ୍କ ଭିତରେ ଏକ ହୋଇଯିବା ପାଇଁ ବ୍ୟାକୁଳ ହୋଇଛନ୍ତି । କେବଳ ବୃନ୍ଦା ନୁହନ୍ତି, ସକଳ ଗୋପାଳୁଣୀଙ୍କ ମନ କୃଷ୍ଣମୟ ହୋଇଯାଇଛି । ମାନ, ଅଭିମାନ ଦୂରେଇ ଯାଇଛି । କେଳିକୁଞ୍ଜରେ ସେମାନେ ରାସ ରଚିଛନ୍ତି । ସମଗ୍ର କାବ୍ୟରେ ରାଧା, ବୃନ୍ଦା, ଗୋପାଙ୍ଗନାମାନେ ସାଧାରଣ ନାରୀପରି ଛଳନା, ଅହଂକାର, ଈର୍ଷାର ସମୁଦ୍ରରେ ବୁଡ଼ି ବୁଡ଼ି ରହିଛନ୍ତି । ପ୍ରତ୍ୟେକ ଯେପରି ଅଭିନୟ କୁଶଳୀ ଏବଂ ଅଭିନୟର ଅନ୍ୟ ନାମ ହିଁ ଯେମିତି ଜୀବନ ।

 

୩.୪.୦. ରସିକ କବି ଦୀନକୃଷ୍ଣଙ୍କ ଲେଖନୀ କିନ୍ତୁ ରାଧା, ଗୋପାଙ୍ଗନା ଓ କୃଷ୍ଣଙ୍କ ପ୍ରେମଲୀଳା ବର୍ଣ୍ଣନା କାଳରେ ସେମାନଙ୍କ ମନଗହନର ଅନ୍ଧାରିତ ଭୂମିକୁ ଅଧିକ ଅନ୍ତରଙ୍ଗ ଭାବରେ ଆଲୋକନ କରିଛି । ପ୍ରେମବାତୁଳୀ ଗୋପବାଳୀମାନେ ବହୁରୂପାର ପ୍ରତୀକ ହୋଇଛନ୍ତି-

 

୩.୪.୧. ଶ୍ରୀକୃଷ୍ଣଙ୍କ କୁଳବୁଡ଼ା, ଧୈର୍ଯ୍ୟହରା ରୂପଲାବଣ୍ୟକୁ ଦେଖି ଗୋପନାରୀମାନଙ୍କ ଚେତନାରେ ଅବ୍ୟକ୍ତ ପୁଳକ ସୃଷ୍ଟି ହୋଇଛି । ସେମାନେ ମୋହଗ୍ରସ୍ତ ଓ ରସଅଭିସାରୀ ହୋଇଛନ୍ତି-। ନନ୍ଦ ଯଶୋଦା ସୁକୁମାର କୃଷ୍ଣଙ୍କୁ ଗାଈ ଜଗିବାକୁ ବଣକୁ ପଠାଉଥିବା ଦୃଶ୍ୟ ସେମାନଙ୍କୁ ଅସହ୍ୟ ବୋଧ ହୋଇଛି । ଜଣେ ‘କୋଉ ସୁଖ ନାହିଁ ନନ୍ଦ ଘରେ, ଏହି ପୁଅ ଯାଏ ବୃନ୍ଦାବନକୁ’ ମନ୍ତବ୍ୟ ଦେଲାବେଳେ ଆଉ ଜଣେ କହିଛି – ‘ଯେ ଯାହା ଜୀବିକା ସେ ତାହା ନକଲେ କେହି ଯିବ ଦିନ’’ । ମାତ୍ର କୃଷ୍ଣଙ୍କ ଅସଲ ପ୍ରେମରେ ପଡ଼ିଥିବା ଆଭିରୀମାନଙ୍କ କୁଚରୁ ବାରମ୍ବାର ବସନ ଖସିଛି । ସେମାନଙ୍କ ଶରୀର, ମନ ଓ ପ୍ରାଣକୁ ବେଣୁ ସ୍ୱନ ଉଚ୍ଛନ୍ନ କରିଛି । କୃପଣ ପରି କୃଷ୍ଣଧନକୁ ନିଜ ପାଖରେ କେତେ ଯତନରେ ସମ୍ପାଦିଛନ୍ତି । ଗୋପର ସବୁ ପୀଠ ହୋଇଛି ଶ୍ରେଷ୍ଠ କୃଷ୍ଣର କୋଠ ସମ୍ପତ୍ତି । ଘରବୁଡ଼ା ଡକେଇତ ରାଜର ବଂଶୀସ୍ୱନ ପ୍ରିୟତମାମାନଙ୍କ ମନ ସିନ୍ଧୂକରେ ଆନନ୍ଦର ଉଦ୍‌ବେଳନ ସୃଷ୍ଟି କରିଛି । ସେମାନଙ୍କ ପାଖରେ ସବୁ ଅବାଟ ହୋଇଛି ବାଟ, ଅଘାଟ ହୋଇଛି ଘାଟ, ଅଘର ହୋଇଛି ଘର । ସାତ୍ତ୍ୱିକ ବିକାରରେ ସେମାନେ ହୋଇଛନ୍ତି ମୋହାଚ୍ଛନ୍ନ ।

 

୩.୪.୨. ମାତ୍ର ସେହି ଚିତ୍ତଚୋର କୃଷ୍ଣ ବୃନ୍ଦାବନରେ ଅନ୍ୟ ଗୋପୀମାନଙ୍କୁ ଦଗାଦେଇ ବୃନ୍ଦା ଅନୁରକ୍ତ ହେବା କାଳରେ ବନଭୂମିରେ ଅଭିମାନର ପବନ ବାତୁଳ ହୋଇଛି । କୃଷ୍ଣକୁ ସେମାନେ କଳାନାଗ, ଅଦକ୍ଷିଣ, ଗଛ ଉପୁଡ଼ା, କାଳୀ ଘଉଡ଼ା, ପରଘରବୁଡ଼ା, ଅଘାସୁର ପୋଡ଼ା, କଳେବର ପୋଡ଼ା, ତୃଣାତଣ୍ଟି ଚିପା ଆଦି କେତେ କେତେ ଅଳଙ୍କାରରେ ଶୋଭାବନ୍ତ କରିଛନ୍ତି । ତାଙ୍କ ଅବେଭାରପଣକୁ ଛିଗୁଲେଇ କହିଛନ୍ତି –

 

‘‘କରତ ପରାୟେ କରତୁଛି କାୟେ ନ ପାଇବାରୁ ସଦନ’’

...‘କେ ବୋଲେ ପୁରୁଷ ପ୍ରୀତି କେବେ ହେଁ ନୋହଇ ସ୍ଥିତି ।’’

କେ ବୋଲେ କ୍ଷୀର ସାଗର ପରାୟେ ପୁରୁଷଙ୍କର

ହୃଦୟ ଅତି ଗଭୀର ନୋହଇ ସ୍ଥିର ।

....କପର୍ଦ୍ଧ ଯେମନ୍ତେ ଜୁତେ ଥିର ନୋହଇ କଦାଚିତେ

କରାନ୍ତି ହରସ କେତେ ବିରସ କେତେ ।

 

ଏବଂ ଅଭିମାନରେ ଫାଟି ପଡ଼ୁଥିବା କୋପିନୀମାନେ ପ୍ରିୟତମଙ୍କୁ ରାସମଣ୍ଡପରେ ପାଇଲା ପରେ ମହା ଦରିଦ୍ର କୋଟିନିଧି ପାଇଲା ପରି ଆନନ୍ଦିତ ହୋଇଛନ୍ତି । କୃଷ୍ଣକୁ ସାହୁ ଓ ଆପଣା ଆପଣାକୁ ଖାତକ ଜ୍ଞାନ କରିଛନ୍ତି ।

 

୩.୪.୩. କୃଷ୍ଣ ମଥୁରା ଯାଉଥିବାର ସମ୍ୱାଦ ପାଇଲା ପରେ ଏବଂ କଂସହାରୀ ଆଉ ଗୋପ ନ ଫେରିବା କଥା ଜାଣିଲା ପରେ ଗୋପାଙ୍ଗନାମାନେ ନିଜ ଭିତରେ କେବଳ ଜଳିଛନ୍ତି । ଅଭିମାନରେ ଫୁଲି ଉଠିଛନ୍ତି । କାହାକୁ କିଛି କହିପାରି ନାହାନ୍ତି – ବରଷା କାଳର ପିକ ପରି ମୂକ ହୋଇଯାଇଛନ୍ତି । କୃପଣ ପରି କୃଷ୍ଣଧନକୁ ଚିରକାଳ ପାଇଁ ନିଜ ପାଖରେ ଅତି ଯତନରେ ସମ୍ପାଦି ରଖିବାର ଦମ୍ଭିଲା ପଣ ସେମାନଙ୍କର ଯେପରି ତୁଟି ଯାଇଛି । ଲୁହ ପଖଳା ଆଖିରେ ସେମାନେ କୃଷ୍ଣଙ୍କ ହୃଦୟକୁ କମଠ-ପୃଷ୍ଠ, କାକ-ପୋଷିତ ପିକ, ଅକ୍ରୁରକୁ ବତାସ ଓ କଂସକୁ କାଳ ସହିତ ତୁଳନା କରିଛନ୍ତି । ଅବିବେକୀ ଦଇବ ଉପରେ ଅଭିସଂପାତ ବର୍ଷିଛନ୍ତି । ଭାଗ୍ୟକୁ ଧିକ୍‌କାରିଛନ୍ତି ଏବଂ କୃଷ୍ଣଙ୍କ ଯାତ୍ରାପଥକୁ କନ୍ୟାସ୍ତମ୍ଭ ପରାଏ ଚାହିଁ ରହିଛନ୍ତି । ନିଶ୍ଚଳତା, ନିର୍ବେଦତା, କିଂକର୍ତ୍ତବ୍ୟବିମୂଢ଼ତା ସେମାନଙ୍କ ଚେତନାକୁ ଆଚ୍ଛନ୍ନ କରିରଖିଛି ଏବଂ ସେପଟରେ କୃଷ୍ଣଙ୍କୁ ଦେଖି ମଥୁରା ନାରୀମାନଙ୍କ ଚିତ୍ତରେ ଦେଖାଦେଇଛି ବିଭ୍ରମ । ଯାହାର ରୂପ ଓ ଗୁଣ ସମ୍ପର୍କରେ ସେମାନେ କେତେ କଥା ଶୁଣିଥିଲେ – ସେ ଏବେ ସେମାନଙ୍କ ପାଖରେ । ବିକାରରେ ସେମାନେ ଘାରି ହୋଇଛନ୍ତି । ଘରର ଜଳା କବାଟି ବାଟ ଦେଇ ସେମାନଙ୍କ ବଣା-ଚେତନା ଜଳ ଜଳ କରି ରାସ୍ତା ଉପରକୁ ଅନୀଷା କରିରହିଛି । ଦଶ ଦିଗ ସେମାନଙ୍କୁ କୁହୁକ ପରାୟେ ବୋଧ ହୋଇଛି । ଗୋପ ତରୁଣୀମାନଙ୍କର ନିର୍ଲୋଭ ପ୍ରଶଂସାରେ ସେମାନେ ମୁଖରା ହୋଇଛନ୍ତି ।

 

୩.୪.୪. ଅନ୍ୟ ପକ୍ଷରେ ଗୋପ ଓ ଗୋପୀ-ମନସ୍କ କୃଷ୍ଣଙ୍କୁ ମଧ୍ୟ ମଥୁରା ଶାନ୍ତି ଦେଇପାରିନି । ଆଭିରୀ ପ୍ରେମ କାତି ପରି ତାଙ୍କ ହୃଦୟକୁ କରତିଛି । ଗାଲରେ ହାତ ଦେଇ ଦିନ ରାତି ସେମାନଙ୍କ କଥା ହିଁ ଭାବିଛନ୍ତି । ରାଧା ପ୍ରେମ ତାଙ୍କୁ ବିଚଳିତ କରିଛି । ବାରମ୍ୱାର ସେ ଚମକି ପଡ଼ିଛନ୍ତି ଏବଂ ବିଦଗ୍‌ଧାମାନଙ୍କ ପ୍ରେମ ପ୍ରତି ସେ ଯେ କେତେ ମାତ୍ରାରେ ଅନୁରକ୍ତ – ଏ କଥା ଜଣାଇ ଦେବା ଲାଗି ସେ ଉଦ୍ଧବଙ୍କୁ ଗୋପକୁ ପଠାଇଛନ୍ତି । ଉଦ୍ଧବ କେବଳ ଦୂତ ବିଶେଷ ନୁହଁନ୍ତି ସେ ଭକ୍ତ ଓ ଭାବବାଦୀ । ସେ ବିରହିଣୀ, କୃଷ୍ଣଜୀବୀମାନଙ୍କୁ ଭେଟିଛନ୍ତି । କୃଷ୍ଣଙ୍କ କାର୍ଯ୍ୟବ୍ୟସ୍ତତା ଓ ଅସହାୟତା ସମ୍ପର୍କରେ ସେମାନଙ୍କୁ ଅବଗତ କରାଛନ୍ତି । ମାତ୍ର, ଅଭିମାନିନୀ, ପ୍ରୀତି ରଙ୍କୁଣୀମାନେ ଉଦ୍ଧବଙ୍କ କଥାକୁ କାନ ଦେଇନାହାନ୍ତି । କୃଷ୍ଣଙ୍କ ବିରୁଦ୍ଧରେ କେତେ ଅଭିଯୋଗ ଆଣିଛନ୍ତି । କୃଷ୍ଣଙ୍କ କାନି ଓଟରା, କାର୍ଯ୍ୟଘେନା ପୀରତିର କଥା, କୁଟିଳ ବଚନ ଓ ଆଚରଣର ବ୍ୟଥାର ଗାଥା ଶୁଣାଇଛନ୍ତି । ସେମାନଙ୍କ କରଗତ କୀର ଖୋଜି ଖୋଜି ଯେପରି ଉଡ଼ିଯାଇଛି ଘନ ଘୋର ଜଙ୍ଗଲ ଭିତରକୁ । କୃଷିକାରୀ କଠୋର ଶ୍ରମ କରି ସଞ୍ଚିଥିବା ସମସ୍ତ ବିଭବ କଳନ୍ତର ବାବଦକୁ ଯେପରି ଚାଲିଯାଇଛି । ଗଲା ବିଭବ ଆଉ ଫେରି ପାଇବାର ସମ୍ଭାବନା ନାହିଁ । କୁମ୍ଭକାର ଉହାର ଅନ୍ତର୍ଜ୍ୱଳନ ପରି ସେମାନେ କେବଳ ପୋଡ଼ି ମରୁଛନ୍ତି ନିଜ ଭିତରେ କୃଷ୍ଣରୂପୀ ଗଙ୍ଗାର ଗୁର ବର୍ଣ୍ଣନା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇଛି ଏବଂ ପରିଶେଷରେ ଉଦ୍ଧବମାନେ ସାଧାରଣ ଗଉଡ଼ୁଣୀମାନଙ୍କର କୋହ ଓ ଆତ୍ମସମର୍ପଣ ଭାବକୁ ଅନୁଭବିବା ପାଇଁ ଅସମର୍ଥ ବୋଲି ସେମାନେ ଦାବି କରିଛନ୍ତି । ଭାବ ବିନୋଦିନୀମାନେ ଆଉ ନଟବର ନାଗରକୁ ଦୋଷ ଦେଇପାରି ନାହାନ୍ତି । ଦୋଷ ଦେଇଛନ୍ତି ନିଜ ନିଜ ଭାଗ୍ୟକୁ, ଅନ୍ଧ ଦଇବକୁ । କହିଛନ୍ତି ‘‘ପ୍ରୀତି କଲେ ହୁଏ ଏଡ଼େ ଦୁଃଖ ।’’ ନିଜ ଐକାନ୍ତିକ ପ୍ରେମ ତୁଠରୁ ସେମାନେ ପୁଣି ଫେରିଛନ୍ତି କୁବୁଜାର ଦୁଆର ମୁହଁକୁ । ଅନ୍ତରର କୋହ ଓ ଅହଙ୍କାର କୁହୁଳି ଉଠିଛି । ସେମାନଙ୍କ ଜାଗତିକ ଚେତନାରେ ଈର୍ଷା ଓ ଅଭିମାନର ଧୂଆଁ ଘୋଟିଯାଇଛି । ଉଦ୍ଧବଙ୍କୁ କହିଛନ୍ତି –ସେମାନଙ୍କ ଶେଷହୀନ ଓ ଅକୁହା ଦୁଃଖ ଓ ଅସନ୍ତୋଷର କାରଣ ସେହି ଗନ୍ଧ କାରିଣୀର କୁଜ ପିଠି, କଂସର ଶକ୍ତି । ତାଙ୍କୁ ମନା କରିଛନ୍ତି – କୃଷ୍ଣ କୁଜ ପିଠି ପାଖରେ ଥିବା ସମୟରେ – ‘‘ଦୁଃଖ ଏକା ନ କହିବା’’ । ବିଚାରୀମାନେ ନିଜ ଭିତରେ ବାୟାଣୀ ପରି ଘୂରିବୁଲିଛନ୍ତି । ସେମାନଙ୍କ ସମର୍ପଣୀ ମାନସିକତା ଦ୍ୱନ୍ଦ ମୁକ୍ତ ହୋଇପାରିନାହିଁ । କଥାରେ କଥାରେ ବିରୋଧାଭାସ ପ୍ରକାଶ ପାଇଛି । ଅବଚେତନରେ ସାଇତା ସ୍ମୃତି ସେମାନଙ୍କ କରୁଣ ବର୍ତ୍ତମାନକୁ ଶୁଖିଲାରେ ପଡ଼ିଥିବା ମାଛ ପରି ଛଟପଟ କରିଛି । ତତ୍ତ୍ୱସଚେତନ ଦୀନକୃଷ୍ଣ ଏତେ ଟିକିଏ କିନ୍ତୁ ନରଖି, ଜଗତରେ ବଞ୍ଚୁଥିବା ଏବଂ ପ୍ରେମର କାଉଁରୀ କାଠିରେ ନାଚୁଥିବା ବିଦଗ୍ଧ ବିଦଗ୍ଧାମାନଙ୍କ ମାନସିକ ଦ୍ୱନ୍ଦ, ସନ୍ତୁଳନ ଓ ବିକୃତିକୁ ମନଘେନାରୀତିରେ ବର୍ଣ୍ଣନା କରିଛନ୍ତି ।

 

୩.୫ ମାତ୍ର ସବୁ କବି ମନରେ ଖେଳୁଥିବା ଅକୁହା ଅନୁଭବକୁ ଚିତ୍ତଚିଆଁ ରୀତିରେ ବଖାଣି ପାରନ୍ତି ନାହିଁ । ସମୟ ଓ ସମାଜର ଆକଟରୁ ମୁକୁଳି ଆସିବାର ସାମର୍ଥ୍ୟ ସମସ୍ତଙ୍କର ନଥାଏ । ମଧ୍ୟଯୁଗୀୟ କାବ୍ୟ ପରମ୍ପରାରେ ସେ ହିଁ ଏକମାତ୍ର କବି, ଯିଏ ଆପଣାର ଅନ୍ତର୍ଜ୍ୱଳନକୁ ଭୀତିହୀନ ଶବ୍ଦରେ ପ୍ରକାଶ କରିଛନ୍ତି । ନିଜ ଅନୁଭବର କଥା କହିଲା ବେଲେ ଅର୍ଥାଳଙ୍କାର ମାଧ୍ୟମରେ ସମାଜରେ ବଞ୍ଚୁଥିବା ଅନ୍ୟମାନଙ୍କ ଅନ୍ତର୍ଲୋକକୁ ଆଲୋକନ କରିଛନ୍ତି । କହିଛନ୍ତି – ‘ସମୁଦ୍ର ତରଙ୍ଗ ଅକଳିତ’ ପରି କୃଷ୍ଣ କଥା ବର୍ଣ୍ଣନା ଜଣେ କବି ପକ୍ଷରେ ଅସମ୍ଭବ । ସେ ଅବ୍ୟକ୍ତ, ଅକଳିତ, ଅବର୍ଣ୍ଣିତା ତଥାପି କବିଟିଏ ସେ ମାଧୁର୍ଯ୍ୟମୟ ସତ୍ତା ପାଖରେ ଜଡ଼ ପାଲଟି ଯାଏ । ତେଣୁ କୃଷ୍ଣ ରୂପଧିଆନ, କୃଷ୍ଣ ଚରିତଗାନ, କୃଷ୍ଣ କଥାଶ୍ରବଣ ଓ ଜଗତ କୃଷ୍ଣମୟ ମଣୁଥିବା କବି ନିର୍ମଳ କବିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି । ମାତ୍ର କେଜାଣି କାହିଁକି ସେ ଖଳ ନିନ୍ଦାରେ ଶତମୁଖ ହୋଇଛନ୍ତି । ନିଜ ସନ୍ତାପିତ ମନକୁ-

 

କାହିଁକି ମତେ ସଂସାର ଲଟ, ମଧ୍ୟରେ ପ୍ରଭୁକଲ ପ୍ରକଟ

ଏବେ ଅନେକ ରୂପ କଲେଣି ଏ ପୋଡ଼ା ପେଟ

କେତେବେଳେ ବୋହିତେ ବାଲା କରଟ ହେ

କେତେବେଳରେ ମୁର୍ଖ ନାୟକ ଚାଟ ହେ

କେତେବେଳରେ ଅଦୃଶ୍ୟ ନଟ, କେତେବେଳର ବଧିର ଭାଟ

କେତେବେଳେ ପଇଡ଼ ଖୋଳା ମୁଠି ମର୍କଟ ହେ

କିମ୍ୱା କହନ୍ତି ଅଙ୍ଗେ ଅନେକ ଛାପ, ନକହି ନଜାଣେ ଭିତର ପାପ

ଚିତ୍ର କାରକ ପଟ ପରାୟେ ପ୍ରତ୍ୟକ୍ଷ ଦିଶେ ହେ

କଥା କଥାକେ କରିବାକୁ ଏ ଖଲ ଯେ

କିମ୍ପା ଦୀନକୃଷ୍ଣ ଏ ମନ୍ତ୍ର କଲେ ହେ

କବି ଯା କରେ ମୂର୍ଖକୁ ସ୍ତୁତି, ଏଥିରୁ ବଡ଼ ନାହିଁ ବିପତ୍ତି

ଏଥିକି ପ୍ରତି ଛାତିରେ କାତି ମାରିବା ଭଲ ହେ । (ର.କ. ୧୬-୨୯)

 

ଶ୍ରୀ କ୍ଷେତ୍ରରେ ବଞ୍ଚିବାକୁ କେତେ ଆଶା କରିଥିବା କବି, ସେଥିରୁ ବଞ୍ଚିତ ହୋଇଛନ୍ତି । ତାଙ୍କ ଚରିତ୍ରରେ ‘ଗଣିକାସକ୍ତ’ର କଳା ବୋଳା ଯାଇଛି । ପଣ୍ଡିତ, କବିମାନଙ୍କ ଦ୍ୱାରା ସେ ଭର୍ତ୍ସିତ ହୋଇଛନ୍ତି । ଏପରିକି ସେ କୁଷ୍ଠ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ନିଜର ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦିଛନ୍ତି । ଛାର ଜୀବନ ଚାଲିଯାଉ ନଥିବାରୁ ବିଳାପ କରିଛନ୍ତି । ମାତ୍ର ଏ ସବୁ ସତ୍ତ୍ୱେ ସ୍ୱାଭିମାନୀ କବି-ମଣିଷ ଜଣକ ଆଉ କାହା ପାଖରେ ଜୀବନର ଆଦର୍ଶକୁ ସମର୍ପି ଦେଇନାହାନ୍ତି । ଗାଇଛନ୍ତି –

 

କୃଷ୍ଣେ ଆଶ୍ରେ କରି ସୁବିଦ୍ୟା ଆଚରି ପାଷାଣ୍ଡକୁ ଯାହା ସ୍ତୁତି

କୃଷ୍ଣ ଦାସ କହେ, କିଛି ଭଲ ନୋହେ, କେବଳ ଛାତିକି କାତି

(ର.କ. ୨୪-୩୦)

 

କବିତ୍ୱ ରସକୁ ସେ ଉତ୍ତମ ଗୋଷ୍ଠୀର, ମଳୟ ପବନ, ଜ୍ଞାନଚକ୍ଷୁ ଉନ୍ମେଳନ ଏବଂ କବିତାର ପବିତ୍ର ରସ ଉପଭୋଗିବା ଲାଗି କେବଳ ରସିକମାନେ ସମର୍ଥ ବୋଲି କହିଛନ୍ତି । ତାଙ୍କରି ଭାଷାରେ ‘କୁମତି ଗୁଅଁରମାନେ କେବଳ ତା’ର ବଇ ମାତ୍ର ଭାଇ ।’ (ର.କ. ୨୭-୩୪) ଏବଂ କୁତ୍ସିତ ବୁଦ୍ଧିଯୁକ୍ତ ଅରସିକମାନଙ୍କ ପକ୍ଷେ ତାହା ‘ଆମ୍ୱିଳା ଦଧି ।’ କାର୍ଯ୍ୟ ଘେନା ବ୍ୟକ୍ତିମାନେ ରସସମ୍ପାୟୀ ହେବା ପାଇଁ ଅଭାଜନ ବୋଲି ଦୃଢ଼ ସ୍ୱରରେ କହିଛନ୍ତି ଏବଂ ସାଧୁମାନଙ୍କ ମେଳରେ ରହି କୃଷ୍ଣମନସ୍କ ଜୀବନ ବଞ୍ଚିବା ଲାଗି ଆଶା ପୋଷଣ କରିଛନ୍ତି ।

 

୩.୫.୧. ସମକାଳୀନ ଅନ୍ୟତମ ବୈଷ୍ଣବ କବି ବୃନ୍ଦାବତୀ ଦାସୀ ମଧ୍ୟ ପୂର୍ଣ୍ଣତମ ଚନ୍ଦ୍ରୋଦୟ କାବ୍ୟରେ ସମଭାବ ବ୍ୟକ୍ତ କରିଛନ୍ତି ।

 

ମୁଁ ତ ସ୍ୱଭାବେ ନାରୀ ଜନ

ଧୈର୍ଯ୍ୟ ବିରୋଧ ମତି ହୀନ

।। ୫୧ ।।

କହନ୍ତେ ଚରିତ କୃଷ୍ଣର

ସାତ୍ତ୍ୱିକ ହୋଇଲା ମୋହର

।। ୫୨ ।।

ତୁମ୍ଭେ ତ କହିବ ବିଚାରି

ଏତ ଅଟଇ କୁଳ ନାରୀ

।। ୫୩ ।।

କୁଳ ନାରୀଙ୍କର ଲକ୍ଷଣ

ପରପୁରୁଷ ରୂପ ଗୁଣ

।। ୫୪ ।।

କହିବା ନୁହଁଇ ସୁନ୍ଦର

ଏ କୁଳ ନାରୀଙ୍କ ବେଭାର

।। ୫୫ ।।

(୯ମ ଅଧ୍ୟାୟ)

କିମ୍ୱା :

ମୁଁ ତ ସ୍ୱଭାବେ ନାରୀ ଜନ୍ମ

ମୁଁ ତ ପତିତ ଜ୍ଞାନ ଶୂନ୍ୟ

।। ୭୦ ।।

କେବଳ ଶ୍ରୀକୃଷ୍ଣ ସେବାରେ

ପୂର୍ବ ସାଧନା ବାସନାରେ

।। ୭୧ ।।

(୧୫ଶ ଅଧ୍ୟାୟ)

କହିଲି ଦେଶ ଭାଷା ଗୀତେ

ମୋ ଦୋଷ ନଧରିବ ଚିତ୍ତେ

।। ୬୮ ।।

(୧୮ଶ ଅଧ୍ୟାୟ)

 

ଜଣେ କୁଳୀନ ନାରୀ କୃଷ୍ଣ-ସମର୍ପିତ ଜୀବନ ବଞ୍ଚିବ । ସମ୍ଭବତଃ ସମକାଳୀନ ସମାଜରେ ଏତେ ସହଜ ନଥିଲା । ଭାବ ସମାହିତ ଜୀବନ ଯେ କେତେ ଦୁଃସହ ମୀରାବାଈଙ୍କ ଜୀବନ ଥିଲା ଏହାର ଜୀବନ କିମ୍ବଦନ୍ତୀ । ତେଣୁ ଦୀକ୍ଷିତା ବୈଷ୍ଣବୀ ବୃନ୍ଦାବତୀ ଆପେ ସମ୍ମୁଖୀନ ହେଉଥିବା ସମସ୍ୟା, ଗଞ୍ଜଣା ଓ ତଦ୍‌ଜନିତ ଅନ୍ତର୍ବେଦନାକୁ ସଚେତନ ଭାବରେ ପ୍ରକାଶ କରିଛନ୍ତି । ମାତ୍ର ଷୋଡ଼ଶ ସପ୍ତଦଶ ଶତାବ୍ଦୀର କବିମାନଙ୍କ ଗହଣରେ ଦୀନକୃଷ୍ଣ ଦାସ ଜଣେ ସ୍ୱତନ୍ତ୍ର ବ୍ୟକ୍ତିସତ୍ତା । ସେ ଜଣେ କବି ଓ ଭକ୍ତ । ସାମାଜିକ ଓ ରାଜନୀତିକ ସିରସ୍ତାଦାରମାନଙ୍କ ସ୍ୱାର୍ଥର ଶିକାର, ନୈନ୍ଦିତ ଓ ଲାଞ୍ଛିତ । ତାଙ୍କ କାବ୍ୟିକ ଉଚ୍ଚାରଣକୁ ଆମେ ଜଣେ ପ୍ରତିକ୍ରିୟାଶୀଳ ମଣିଷର ଉଚ୍ଚାରଣ କହିପାରିବା ନାହିଁ, ତାହା ଜଣେ ଜୀବନବାଦୀ କବି-ମଣିଷର ନିର୍ଭୀକ ସ୍ୱୀକାରୋକ୍ତି । ତତ୍ତ୍ୱଗର୍ଭୀ ଚରିତ୍ରମାନଙ୍କ ଜୀବନଚର୍ଯ୍ୟା ଓ ଶବ୍ଦ ମାଧ୍ୟମରେ ଭାବବାଦୀ କବି ଆପଣାର ଅନ୍ତର୍ଜ୍ୱଳନ ଓ ମାନସିକ ଦ୍ୱନ୍ଦ ଓ ସଂଘାତର କଥା ହିଁ ଉଚ୍ଚାରଣ କରିଛନ୍ତି ।

 

(ଚାରି)

 

୪.୦. ଆଲୋଚନାର ଆଦ୍ୟ କଥନୀରେ ଉଲ୍ଲେଖ କରିଛି ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ସଂସ୍କୃତ-କାବ୍ୟଧାରା-ପୁଷ୍ଟ ଓଡ଼ିଆ କାବ୍ୟକାରମାନେ ତତ୍ତ୍ୱର କାବ୍ୟାୟନ ପାଇଁ ଅଧିକ ସଚେତନ ଥିଲେ । ତେଣୁ ଆଧୁନିକ ଅବବୋଧ ଆଧାରରେ ସେମାନଙ୍କ ସୃଷ୍ଟ ଚରିତ୍ରମାନଙ୍କର ମନଭୂମିର ସୂକ୍ଷ୍ମ ଚିତ୍ର ଖୋଜିବସିଲେ ସମୀକ୍ଷକମାନଙ୍କୁ ଅର୍ଗଳୀବଦ୍ଧ ହେବାକୁ ପଡ଼େ । ମଣିଷର ଚେତନ ଓ ଅବଚେତନ ଜଗତରେ ଆନ୍ଦୋଳିତ ଯାବତୀୟ ସମସ୍ୟାଗୁଡ଼ିକ ଖୋଜି ବସିଲେ ପାତ୍ର ଖୋଲି ଖାଲି ଲାଗେ । କାବ୍ୟର ନାୟକ ନାୟିକାମାନେ କେବଳ ଦେହର କ୍ଷୁଧା ଓ କ୍ଷୁଧା ପୂରଣର ଆନୁଷଙ୍ଗିକ ଉପାଦାନ ଯୋଗାଡ଼ରେ ଘାରି ହୋଇଛନ୍ତି । ସେମାନେ ଜନ୍ମ ହୁଅନ୍ତି ବଡ଼ଘରେ । ଶଶିକଳା ପରି ବଢ଼ନ୍ତି । ଦେହଲତାରେ ଯଉବନର କଡ଼ କାଖେଇଲେ, ଲତାକୁ ତୃପ୍ତ କରିବା ଲାଗି କେତେ କ’ଣ କରନ୍ତି । କୁନି କୁନି ଚିତ୍ରିତ ଡେଣା ମେଲାଇ କୁଆଡ଼େ ନାଇଁ କୁଆଡ଼େ ଉଡ଼ିଯିବା ଲାଗି ବ୍ୟାକୁଳ ହୁଅନ୍ତି । କେବେ କେବେ ଜଣେ ଆଉ ଜଣଙ୍କର ରୂପ ଓ ଗୁଣ କଥା ଶୁଣି କିମ୍ବା ଚିତ୍ର ଦେଖି କିମ୍ୱା ପାଖରେ ପାଇ ଭଲପାଇ ବସନ୍ତି । କେହି କେହି ବିବାହ ଆଗରୁ ଦେହରେ ଦେହକୁ ମିଶାଇ ଦିଅନ୍ତି । କାହାରି କାହାରି ବିବାହରେ କେତେ ବିପାକ ଦେଖାଦିଏ । କାହାରି କାହାରି ମଥାରେ ବିବାହ ପରେ ପରେ ଚଡ଼କ ପଡ଼େ । ହରାଇବା, ନପାଇବା, ପାଇ ହରାଇବାର ଉଦ୍‌ବେଗରେ ସେମାନେ କେତେ ସରି ହୁଅନ୍ତି । କୋତରା ଧରନ୍ତି । ସପନ ଦେଖନ୍ତି । ବାତୁଳୀ ପ୍ରେମରସାତୁଳୀମାନେ ସପନରେ ଲଙ୍ଗଳା ମୁକୁଳା ହୋଇ କେତେ ବିଳାପ କରନ୍ତି । କେତେକେତେ ମାନସିକ ଓ ଶାରୀରିକ ବିକୃତିରେ ସଂକ୍ରମିତ ହୁଅନ୍ତି ଏବଂ ସଜଫୁଟା ଫୁଲର ଶେଯରେ ନିଜ ନିଜର ବିକ୍ଷତ ଦେହମାନଙ୍କରେ ଉପଭୋଗର ପୁଲକଦାୟୀ ସନ୍ତକମାନଙ୍କୁ ଆଖି ପୂରେଇ ଦେଖିଲା ପରେ ଯାଇଁ ସେମାନଙ୍କ ମନ ଘର ଧରେ । କୋଳାହଳ ଓ କାରୁଣ୍ୟର ଇତି ହୁଏ-। ନାୟିକା ନାୟକଙ୍କ ମିଳନ ଦୃଶ୍ୟର ବର୍ଣ୍ଣନା ପରେ କାବ୍ୟ ସରିଯାଏ, ଫୁଲଗଛ ମରିଯାଏ ।

 

୪.୧ ପଞ୍ଚଦଶ/ଷୋଡ଼ଶ ଶତାବ୍ଦୀର ମହାକାବ୍ୟକାର ଓ ସନ୍ଥକବିମାନଙ୍କର ସାହିତ୍ୟ କିନ୍ତୁ ଭିନ୍ନ କାଟର । ସାରଳା, ବଳରାମ ଆପଣା ଆପଣାର ମହାକାବ୍ୟିକ ଚରିତ୍ରମାନଙ୍କର ସାଧାରଣୀକରଣ କରିଛନ୍ତି । ସେମାନଙ୍କ ଆଚରଣର ବୈଚିତ୍ର୍ୟ ବର୍ଣ୍ଣନା କାଳରେ ମନକୁ ଚିହ୍ନିବା ଲାଗି ଚେଷ୍ଟା କରିଛନ୍ତି । ସମୁଦ୍ର ଛାତିରେ ଉଦ୍‌ବେଳିତ ଲହଡ଼ିମାନଙ୍କୁ ଜାଣିବା ପାଇଁ ତା’ର ଗଭୀରତା ଓ ଅନ୍ତଃସ୍ରୋତର ବେଗକୁ ମାପିଛନ୍ତି । ଚରିତ୍ରମାନଙ୍କର ଆଦିମ ପ୍ରବୃତ୍ତି ଓ ମହତ୍ତର ଆକାଂକ୍ଷାମାନଙ୍କର ଆଲୋକନ ମନସ୍କ ହୋଇଛନ୍ତି । ସେମାନଙ୍କର ବ୍ୟକ୍ତିକ, ପାରିବାରିକ ଓ ସାମାଜିକ ଜୀବନର ଯାବତୀୟ ପ୍ରସ୍ଥମାନଙ୍କୁ ଭେଦିଛନ୍ତି । ଆଖି ଧରିପାରୁ ନ ଥିବା କେଡ଼େ କେଡ଼େ ଚରିତ୍ରମାନଙ୍କୁ ବକଟେ ବକଟେ କରି ଦେଇଛନ୍ତି । କାବ୍ୟ ବର୍ଣ୍ଣିତ ଚରିତ୍ରମାନଙ୍କ ଆଚରଣର କାରଣ ଭାବରେ ସେମାନଙ୍କ ମନକୁ ଭୂମିକରିଥିବାରୁ, ଚରିତ୍ରମାନେ କାବ୍ୟର ନ ହୋଇ ଆମ ଜୀବନର ହୋଇଯାଇଛନ୍ତି । ସେମାନଙ୍କ ସମସାମୟିକ ଓ ପରବର୍ତ୍ତୀକାଳୀନ ସନ୍ଥ କବିମାନେ ମଧ୍ୟ ସମଆଦର୍ଶକୁ ଗ୍ରହଣ କରିଛନ୍ତି ।

 

ସାହିତ୍ୟରେ ସାମନ୍ତ ଅଧ୍ୟୂଷିତ ସମାଜ ଓ ନିପୀଡ଼ିତ ବ୍ୟକ୍ତି ସତ୍ତାର ସକଳ ସମସ୍ୟାର ଚିତ୍ରଣ ସେମାନଙ୍କ ଆଦର୍ଶ ହୋଇଛି । ମାତ୍ର ସଂସ୍କୃତ ଅଳଙ୍କାର ଗ୍ରନ୍ଥ-ମନସ୍କ କବିମାନେ ନାନା କାରଣରୁ ସାହିତ୍ୟର ସେହି ବିଶେଷ ଭୂମି ଓ ଆବଶ୍ୟକତା ସଂକ୍ରାନ୍ତରେ ସଚେତନ ହୋଇ ମଧ୍ୟ, ଭିନ୍ନ ପ୍ରକାରର ଆବେଗରେ ମତ୍ତ ରହିଛନ୍ତି ।

 

୪.୨ ଅବଶ୍ୟ ସ୍ଥଳ ବିଶେଷରେ ବିଷ୍ଣୁ ଦାସ, କାର୍ତ୍ତିକ ଦାସ, ନରସିଂହ ଚରଣ ଦେବଦୁର୍ଲ୍ଲଭ, ବୃନ୍ଦାବତୀ, ଭୂପତି ପଣ୍ଡିତ ଓ ଦୀନକୃଷ୍ଣ ଆଦି କବିଚରିତ୍ରମାନଙ୍କ ପ୍ରେମକୈନ୍ଦ୍ରିକ ମାନସିକତାର ବର୍ଣ୍ଣନା କାଳରେ ଜୀବନର ଗଭୀରତାକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି । କେତେକ କାବ୍ୟରେ ମାତୃ ହୃଦୟର ସୂକ୍ଷ୍ମ ଆବେଗ ଓ ବିଚାର ମଧ୍ୟ ପ୍ରତିଧ୍ୱନିତ ହୋଇଛି । ଦୀନକୃଷ୍ଣ ଅଳଙ୍କାର ପ୍ରୟୋଗ ମାଧ୍ୟମରେ ଚରିତ୍ରମାନଙ୍କ ବ୍ୟକ୍ତିକ ଓ ସାମାଜିକ ଜୀବନ ଆଲୋକନରେ ସଫଳ ହୋଇଛନ୍ତି । ମାତ୍ର ଏ ସମସ୍ତ ସତ୍ତ୍ୱେ ପ୍ରାକ୍‌ ଭଞ୍ଜୀୟ କବି ଏବଂ ସେମାନଙ୍କ କାବ୍ୟ ବର୍ଣ୍ଣିତ ଚରିତ୍ରମାନଙ୍କ ମନ ସମୁଦ୍ରକୁ ଏକ କିତାବି ଶୃଙ୍ଖଳାଗତ ଏବଂ ଈଷଦ୍‌ ତରଙ୍ଗାୟିତ ବକ୍ଷ ଭାବରେ ଗ୍ରହଣ କରିବା ଅଧିକ ସମୀଚୀନ ମନେ ହୁଏ ।

 

ଷୋଡ଼ଶ/ସପ୍ତଦଶ ଶତାବ୍ଦୀର କବି ଓ କାବ୍ୟସୂଚୀ

ଅର୍ଜୁନ ଦାସ

: ରାମବିଭା, କଳ୍ପଳତା

କାର୍ତ୍ତିକ ଦାସ

: ରୁକ୍ମିଣୀ ବିଭା

ଚାନ୍ଦ କବି

: ଗୋପୀ ଚନ୍ଦନ

ଦୀନକୃଷ୍ଣ ଦାସ

: ରସକଲ୍ଲୋଳ

ଦେବଦୁର୍ଲ୍ଳଭ ଦାସ

: ରହସ୍ୟ ମଞ୍ଜରୀ

ଧନଞ୍ଜୟ ଭଞ୍ଜ

: ଅନଙ୍ଗରେଖା, ଇଚ୍ଛାବତୀ, ତ୍ରିପୁର ସୁନ୍ଦରୀ,

ରତ୍ନ ମଞ୍ଜରୀ, ମଦନ ମଞ୍ଜରୀ, ସର୍ବାଙ୍ଗ ସୁନ୍ଦରୀ

ନରସିଂହ ସେଣ

: ପରିମଳା

ପାର୍ଥ ଶ୍ରୀଚନ୍ଦନ

: କଳାବତୀ

ପୁରୁଷୋତ୍ତମ ଦାସ

: କାଞ୍ଚି କାବେରୀ

ପ୍ରତାପ ରାୟ

: କାଶି ସେଣା

ବନମାଳି ଦାସ

: ଚାଟ ଇଚ୍ଛାବତୀ

ବିଷ୍ଣୁ ଦାସ

: ପ୍ରେମଲୋଚନା

ବୃନ୍ଦାବତୀ ବାସୀ

: ପୂର୍ଣ୍ଣତା ଚନ୍ଦ୍ରୋଦୟ

ଭୂପତି ପଣ୍ଡିତ

: ପ୍ରେମ ପଞ୍ଚାମୃତ

ଶିଶୁ ଶଙ୍କର

: ଉଷାଭିଳାଷ

ଶ୍ରୀଧର ଦାସ

: କାଞ୍ଚନ ଲତା

ହରିହର ନରେନ୍ଦ୍ର

: ମଦାଳସା

 

***

 

ଗଙ୍ଗାଧରଙ୍କ କାବ୍ୟକୃତିରେ ସଂଯୋଜକ ଚରିତ୍ର

ଡକ୍ଟର ଅଶୋକ କୁମାର ତ୍ରିପାଠୀ

 

ମଧ୍ୟଯୁଗୀୟ କାବ୍ୟକଳା ଓ ଆଧୁନିକ କାବ୍ୟ ପରିପାଟୀ ମଧ୍ୟରେ ଏକ କମନୀୟ ସଂଯୋଗ ସେତୁ ହେଉଛି ଗଙ୍ଗାଧରଙ୍କ ସୃଷ୍ଟି ସମୂହ । ମେହେର ସାହିତ୍ୟ ଯେତିକି ଶାସ୍ତ୍ରୀୟ ସେତିକି ସ୍ୱତନ୍ତ୍ର । ପାରମ୍ପରିକ ଆଦୃତ ବିଷୟବସ୍ତୁ ମଧ୍ୟରେ ଅବିକୃତ ଓ ନବୀକୃତ ଉପାଦାନର ପ୍ରାଣପାଚୁର୍ଯ୍ୟ ହିଁ ଗଙ୍ଗାଧରଙ୍କ କାବ୍ୟାବଳୀର ଏକ ବୀକ୍ଷଣୀୟ ବିଭବ । କବିତ୍ୱର ପରିଭାଷା ଯଦି ନବନବୋନ୍ମେଷଶାଳିନୀ ପ୍ରଜ୍ଞା ହୁଏ, ତେବେ ଗଙ୍ଗାଧର ତା’ର ସାର୍ଥକ ଅଧିକାରୀ । ରାମାୟଣ, ମହାଭାରତ ସନ୍ନିବଦ୍ଧ ବହୁଚର୍ଚ୍ଚିତ ଉପାଖ୍ୟାନଗୁଡ଼ିକୁ ଆପଣା କବିତ୍ୱ ସ୍ୱର୍ଶରେ ଅଭିନବ ରଙ୍ଗରସ ଦେଇ ବେଶ୍‌ ପ୍ରାଣବନ୍ତ କରିଯାଇଛନ୍ତି କବି ଗଙ୍ଗାଧର । ଆଦିକବି ବାଲ୍ମୀକି, କବିକୁଳଗୁରୁ କାଳିଦାସ, ମହାକବି ସାରଳାଦାସ ପ୍ରମୁଖଙ୍କ ଅପୂର୍ବ କବନ ବ୍ୟାପାର ବିମଣ୍ଡିତ ରମଣୀୟ ଉପାଖ୍ୟାନ ଏବଂ ମହନୀୟ ଚରିତ୍ର ଗୁଡ଼ିକୁ ଆପଣା ଅଭିରୁଚି ଅନୁଯାୟୀ ଅଧିକ କଳାବନ୍ତ ଓ ଯଥାଯଥ କରି ଗଢ଼ି ତୋଳିବାର ଅଭୀପ୍‌ସା ହିଁ ଗଙ୍ଗାଧର କାବ୍ୟ-ମନୀଷାର ବାସ୍ତବ ପରିଚିତ । ଶ୍ରୀ. ୧୮୯୩ରେ ଏକ ଦିଗରେ ‘ଇନ୍ଦ୍ରଧନୁ’ ଅନ୍ୟ ଦିଗରେ ‘ବିଜୁଳି’ ଯଥାକ୍ରମେ ରାଧାନାଥ ଓ ଉପେନ୍ଦ୍ର ସାହିତ୍ୟର ଦୋଷ ଦର୍ଶନରେ ବ୍ରତୀ ଥିଲେ । ଆଲୋଚ୍ୟ ସମୟ ଥିଲା ଗଙ୍ଗାଧରଙ୍କ କବି-ପ୍ରତିଭା ପ୍ରକାଶନର ପ୍ରକୃଷ୍ଟ କାଚ । ଅତଏବ ଗଙ୍ଗାଧର ମଧ୍ୟଯୁଗୀୟ କାବ୍ୟକଳାର ଶବ୍ଦ କସରତ ତଥା ଉଗ୍ର ଶୃଙ୍ଗାର ଚେତନାକୁ ଏବଂ ରାଧାନାଥୀ ପ୍ରତିଭାର ପାଶ୍ଚାତ୍ୟବସ୍ତୁ ଆହରଣ ପ୍ରବଣତା ତଥା ଦେହଜ ସୌନ୍ଦର୍ଯ୍ୟ ବର୍ଣ୍ଣନ ବ୍ୟାପାରକୁ ପରିହାର କରି ଏ ଉଭୟ କାବ୍ୟକଳାର ଶ୍ରେୟଃ ବସ୍ତୁତକ ଆହରଣ କରିନେଲେ । ତାଙ୍କ କାବ୍ୟାବଳୀର ବିଷୟବସ୍ତୁ ଏବଂ ମୁଖ୍ୟ ଚରିତ୍ରଙ୍କୁ ନେଇ ଯେଉଁ ଅନୁଶୀଳନ ଉପଲବ୍ଧ, ତାହା ଯଥେଷ୍ଟ ନହେଲେ ହେଁ ନଗଣ୍ୟ ନୁହେଁ । କିନ୍ତୁ ତାଙ୍କ କାବ୍ୟ ଅନ୍ତର୍ଗତ ସଂଯୋଜକ ଚରିତ୍ରମାନଙ୍କ ସମ୍ପର୍କରେ ଆଲୋଚନାର ଅଭାବ ଅବଶ୍ୟ ଦୁଃଖଦାୟକ । କଳ୍ପିତ ପ୍ରବନ୍ଧରେ ଏହି ଅଭାବ ପରିପୂର୍ତ୍ତି ଲକ୍ଷ୍ୟରେ ସାମାନ୍ୟ ପ୍ରୟାସ କରାଯାଇଛି ମାତ୍ର ।

 

ଆଲୋଚନାର ମୁଖ୍ୟ ପ୍ରସଙ୍ଗକୁ ଯିବା ପୂର୍ବରୁ ସଂଯୋଜକ ଚରିତ୍ରର ସଂଜ୍ଞା ଓ ସ୍ୱରୂପ ସମ୍ପର୍କରେ କିଞ୍ଚିତ୍‌ ବିଚାର କରିବା ସମୀଚୀନ ହେବ । ଯେଉଁ ଚରିତ୍ରଗୁଡ଼ିକ ଗୌଣ ଚରିତ୍ର ରୂପେ ପରିଚିତ, ସେଗୁଡ଼ିକୁ ହିଁ ସଂଯୋଜକ ଚରିତ୍ର ଆଖ୍ୟା ପ୍ରଦାନ କରାଯାଇଛି । କାରଣ କଥାବସ୍ତୁ ମଧ୍ୟରେ ଏହି ଚରିତ୍ରମାନଙ୍କ ଦେଇ ଗୋଟିଏ ଘଟଣା ସହିତ ଅନ୍ୟ ଏକ ଘଟଣାର କିମ୍ୱା ଗୋଟିଏ ଚରିତ୍ର ସହ ଅନ୍ୟ ଏକ ବା ଏକାଧିକ ଚରିତ୍ରର ସଂଯୋଗ ସ୍ଥାପନ କରାଯାଇଥାଏ । ମୁଖ୍ୟ ଚରିତ୍ରର ବୈଶିଷ୍ଟ ପ୍ରକଟନ, ଅଧ୍ୟୟନ ଓ ଆକଳନ ସକାଶେ ଏମାନେ ହିଁ ପ୍ରକୃଷ୍ଟ ମାଧ୍ୟମ । ବେଳେବେଳେ ସ୍ରଷ୍ଟାଭିପ୍ରେତ କାର୍ଯ୍ୟସାଧନ ପୂର୍ବକ ପ୍ରତିନିଧି ସ୍ୱରୂପ ଏହି ଚରିତ୍ରଗୁଡ଼ିକ ସ୍ରଷ୍ଟା ଓ ସୃଷ୍ଟି ମଧ୍ୟରେ ଅବିଚ୍ଛେଦ୍ୟ ସମ୍ପର୍କ ପ୍ରତିଷ୍ଠା କରିଥାନ୍ତି । ଅର୍ଥାତ୍ ଏମାନେ ସ୍ରଷ୍ଟାପୁରୁଷର ବ୍ୟକ୍ତିତ୍ୱ ଓ ବକ୍ତବ୍ୟର ସକଳ ଭାବସତ୍ତା ବହନ ପୂର୍ବକ ପାଠକମାନଙ୍କ ପାଇଁ ସ୍ରଷ୍ଟା ଓ ସୃଷ୍ଟି ଅଧ୍ୟୟନର ସମୁଚିତ ମାଧ୍ୟମ ରୂପେ ହୁଅନ୍ତି ବିବେଚିତ । ଏତଦ୍‌ବ୍ୟତିତ ବିଷୟ ବିନ୍ୟାସ ବେଳେ ଉତ୍ପନ୍ନ ସମସ୍ୟାଗୁଡ଼ିକର ସମାଧାନ କଳ୍ପେ ଏପରି ଚରିତ୍ରଗୁଡ଼ିକ ପରିକଳ୍ପିତ ହେଉଥିବା ଯୋଗୁଁ ବିଷୟବସ୍ତୁ ସମସ୍ୟାମୁକ୍ତ ହୋଇ ଗତିଶୀଳ ହେବା ଦ୍ୱାରା ସୃଷ୍ଟି ମଧ୍ୟରେ ବିଷୟ ସଂଯୋଜନାରେ ସେତୁ ରୂପେ ଏମାନେ ଉଦ୍ଭାସିତ ହୁଅନ୍ତି । ଏପରି ବିସ୍ତୃତ କାର୍ଯ୍ୟଭାର ହେତୁ ବେଳେବେଳେ ଏହି ଚରିତ୍ରଗୁଡ଼ିକ ମୁଖ୍ୟ-ଚରିତ୍ର କୋଟୀକୁ ଉନ୍ନୀତ ହୋଇଥାନ୍ତି । ପୁଣି ଏକାନ୍ତ ଆପଣାର ଏହି ଚରିତ୍ରଗୁଡ଼ିକ ପ୍ରତି ସ୍ରଷ୍ଟାମାନସ ସମୟ ସମୟେ ଏତେ ସମ୍ମୋହିତ ଥାଏ ଯେ ଏମାନଙ୍କ ଚିତ୍ରଣ କାଳରେ ସେ ଯେଉଁ ପରାକାଷ୍ଠା ପ୍ରଦର୍ଶନ କରେ, ମୁଖ୍ୟଚରିତ୍ର ଚିତ୍ରଣ ବେଳେ ତାହା ସେ ପ୍ରକାଶ କରିପାରେ ନାହିଁ । କବିସୂର୍ଯ୍ୟ ବଳଦେବ ରଥଙ୍କ ଲଳିତା, ଫକିରମୋହନଙ୍କ ଚମ୍ପା, ଚିତ୍ରକଳା, ସୁରେନ୍ଦ୍ର ମହାନ୍ତିଙ୍କ ସରଦେଈ ପ୍ରଭୃତି ଚରିତ୍ର ଏ ଦୃଷ୍ଟିରୁ ଦୃଷ୍ଟାନ୍ତ ରୂପେ ଗ୍ରହଣୀୟ ।

 

ଗଙ୍ଗାଧରଙ୍କ କାବ୍ୟକୃତିରେ ମଧ୍ୟ ସଂଯୋଜକ ଚରିତ୍ରଗୁଡ଼ିକ କବିଙ୍କ ଅପୂର୍ବ କବିତ୍ୱ ସ୍ୱର୍ଶରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ଆଦର୍ଶ ଗ୍ରହଣ କରିଛନ୍ତି, ତାହା ତାଙ୍କ ମୁଖ୍ୟ ଚରିତ୍ରମାନଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହେଁ । ଏମାନଙ୍କୁ ଏକଦୃଷ୍ଟିରୁ ମାନବୀୟ, ମାନବେତର ଓ ମାନବୋତ୍ତର ଭେଦରେ ବିଭାଜନ କରାଯାଇପାରେ । ପୁଣି ଅନ୍ୟ ଏକ ଦୃଷ୍ଟିରୁ ଏମାନେ ମୁଖ୍ୟତଃ ଆହୃତ ଓ କଳ୍ପିତ ରୂପରେ ଦ୍ୱିଧା ବିଭକ୍ତ । ଗଙ୍ଗାଧରଙ୍କ ଆହୃତ ଚରିତ୍ରଗୁଡ଼ିକ ଅବିକୃତ ଓ ନବୀକୃତ ଭେଦରେ ପୁଣି ବିଭାଜ୍ୟ । ଆହୃତ ଅବିକୃତ ଅପେକ୍ଷା ଆହୃତ ନବୀକୃତ ସଂଯୋଜକ ଚରିତ୍ରକଗୁଡ଼ିକ ମେହେର କାବ୍ୟରେ ଅଧିକ ପ୍ରାଣବନ୍ତ ମନେ ହୁଅନ୍ତି । ଗଙ୍ଗାଧରଙ୍କ ଲେଖନୀ ନିଃସୃତ ଚାରିଗୋଟି ମୁଖ୍ୟକାବ୍ୟ ଅବଲମ୍ୱନରେ ଏସମସ୍ତ ସଂଯୋଜକ ଚରିତ୍ରଙ୍କୁ ଅଧ୍ୟୟନ କରିବା କଳ୍ପିତ ପ୍ରବନ୍ଧର ମୁଖ୍ୟ ଆଭିମୁଖ୍ୟ ।

 

ମାନବୀୟ : ନାରୀ :

ମାନବୀୟ ସଂଯୋଜକ ଚରିତ୍ରଗୁଡ଼ିକ ପୁରୁଷ ଓ ନାରୀ ଭେଦରେ ଦୁଇ ପ୍ରକାର । ନାରୀ ସଂଯୋଜକ ଚରିତ୍ର ରୂପାୟନରେ ଗଙ୍ଗାଧର ଯେଉଁ ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି, ପୁରୁଷ ସଂଯୋଜକ ଚରିତ୍ର ଚିତ୍ରଣ ବେଳେ ତାହା କିଞ୍ଚିତ ମ୍ଲାନ ପଡ଼ିଯାଇଥିବା ଅନୁଭୂତ ହୁଏ । ଏହାର କାରଣ ହୋଇପାରେ, ମେହେରଙ୍କ କାବ୍ୟକୃତିଗୁଡ଼ିକ ପ୍ରାୟଶଃ ପ୍ରଣୟଭିତ୍ତିକ । ପ୍ରଣୟ ସଂଯୋଜନାରେ ପୁରୁଷ ଅପେକ୍ଷା ନାରୀ ସଂଯୋଜକ ଚରିତ୍ରର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ପୁଣି ଗଙ୍ଗାଧରଙ୍କ ସକଳକାବ୍ୟକୃତି ନାୟିକା ପ୍ରଧାନ; ଏଣୁ ଏଥିରେ ନାରୀ ସଂଯୋଜକ ଚରିତ୍ରର ପ୍ରାଧାନ୍ୟ ଏକାନ୍ତ କାବ୍ୟ । ଅତଏବ ‘ଇନ୍ଦୁମତୀ’ର ସୁନନ୍ଦା, ‘କୀଚକବଧ’ର ଚପଳା, ‘ପ୍ରଣୟ ବଲ୍ଳରୀ’ର ଅନସୂୟା, ପ୍ରିୟମ୍ୱଦା ପ୍ରଭୃତି ଚରିତ୍ରଗୁଡ଼ିକୁ ବାଦଦେଇ ସେହି ସେହି କାବ୍ୟ ପରିକଳ୍ପନା ଅସମ୍ଭବ ।

 

ଇନ୍ଦୁମତୀର ସୁନନ୍ଦା :

ମହର୍ଷି ବାଲ୍ମୀକି କୃତ ରାମାୟରରେ ଅଜ ଇନ୍ଦୁମତୀ ପ୍ରସଙ୍ଗର ବୀଜ ନିହିତ । କାଳିଦାସଙ୍କ କମନୀୟ କାବ୍ୟକୃତି ରଘୁବଂଶମ୍‌ରେ ଏହି ବୀଜଟି ଅଙ୍କୁରିତ ଏବଂ ପଲ୍ଲବିତ ହୋଇଛି । ଗଙ୍ଗାଧର କାଳିଦାସଙ୍କୁ ଅନୁସରଣ କରି ଆପଣା ‘ଇନ୍ଦୁମତୀ’ର ପରିକଳ୍ପନା କରିଛନ୍ତି ।

 

ସ୍ୱୟଂବର ସଭାକୁ ନାୟିକା ଇନ୍ଦୁମତୀ ଆସିବାବେଳେ ଜନୈକା ସହଚରୀର ଆବଶ୍ୟକତା ଦୃଷ୍ଟିରୁ ସୁନନ୍ଦା ଚରିତ୍ରର ଜନ୍ମ । ଜଣେ ସାଧାରଣ ସହଚରୀ ନୁହଁ, ଉପସ୍ଥିତ ରାଜାମାନଙ୍କ ବଂଶବୃତ୍ତଜ୍ଞାତା, ବାକ୍‌ପଟୁ, ଚତୁରୀ ସଖୀ ହିଁ ଏ କ୍ଷେତ୍ରରେ ଅବଲମ୍ୱନୀୟ । ଆଲୋଚ୍ୟ ପରିବେଶରେ ସଖୀର ସବୁଠାରୁ ବଡ଼ ଯୋଗ୍ୟତା ହେଉଛି, ରାଜାମାନଙ୍କ ପରିଚୟ ପ୍ରାପ୍ତି ପରେ ନାୟିକାର ଚିତ୍ତବୃତ୍ତିର ସ୍ୱରୂପ ଅଧ୍ୟୟନ କରିବା । କାରଣ ନାୟିକା ଇନ୍ଦୁମତୀ ଲଜ୍ଜାଶୀଳା, ସ୍ୱାଭିମାନସିକ୍ତା; ଅତଃ ବଚନବିନ୍ୟାସରେ ସେ କଦାପି ଆପଣା ଅଭିପ୍ରାୟକୁ ଅଭିବ୍ୟକ୍ତକୁ ଅଭିବ୍ୟକ୍ତ କରିବ ନାହିଁ, ଆଙ୍ଗିକ ଅଭିବ୍ୟକ୍ତ ହିଁ ଏ କ୍ଷେତ୍ରରେ ନାୟିକାର ଏକମାତ୍ର ଅବଲମ୍ୱନ । ଏଥିପାଇଁ କାଳିଦାସ ସୁନନ୍ଦାକୁ ଏସବୁ ଗୁଣ ଓ ବିଦ୍ୟାନିପୁଣା ଭାବେ ଚିତ୍ରଣ କରିଛନ୍ତି । ଯଥା – ‘‘ତତୋ ନୃପାଣାଂ ଶ୍ରୁତବୃତ୍ତବଂଶା ପୁଂବତ୍‌ ପ୍ରଗକ୍ତା ପ୍ରତିହାର ରକ୍ଷୀ ।’’ ଗଙ୍ଗାଧର ମଧ୍ୟ ଏହିସବୁ ଗୁଣ ଓ ବିଦ୍ୟା-ବାହାଦୂରୀକୁ ସୁନନ୍ଦା ଚରିତ୍ରରେ ସଂଯୋଜିତ କରିଛନ୍ତି –‘‘ଇନ୍ଦୁମତୀ ସଙ୍ଗେ ଥିଲା ସୁବୟସୀ ସୁନନ୍ଦା ସୁବିଚକ୍ଷଣା । ରାଜାଗଣଙ୍କର କୁଳଶୀଳ ସବୁ କଥା ତାକୁ ଥାଏ ଜଣା ।’’

 

ଉଭୟ କାବ୍ୟର ସୁନନ୍ଦା ପ୍ରତିପଦକ୍ଷେପରେ ନାୟିକାର ଚିତ୍ତବୃତ୍ତି ଅଧ୍ୟୟନ କରି ହିଁ କାର୍ଯ୍ୟ କ୍ଷେତ୍ରରେ ଅଗ୍ରସର ହୋଇଛି । ଯଥା, ସୁନନ୍ଦା ମୁଖରୁ ରାଜାମାନଙ୍କ ପରିଚୟ ଶୁଣି ତଥା ରୂପକୁ ସାକ୍ଷାତ୍‌ ସଂଦର୍ଶନ କରି ଯେତେବେଳେ ‘‘ତରୁଣ ରୂପରେ ରାଜନନ୍ଦିନୀର ଚିତ୍ତ ନହେଲା ମୋହିତ’’ ଏବଂ ତହିଁରେ ଚତୁରୀ ବରବର୍ଣ୍ଣନୀର ମାନସ ଭୁଲିଲା ନାହିଁ’’, ସେତେବେଳେ ଇନ୍ଦୁମତୀର ଏହି ମାନସିକ ଅବସ୍ଥାକୁ ବୁଝି ସୁନନ୍ଦା ପରବର୍ତ୍ତୀ ପାତ୍ର ନିକଟକୁ ଚାଲିଯାଉଛି । କୌଣସି ସ୍ଥାନରେ ଗଙ୍ଗାଧରଙ୍କ ଇନ୍ଦୁମତୀ ସ୍ପଷ୍ଟ କିମ୍ୱା ଇଙ୍ଗିତବଚନ ମାଧ୍ୟମରେ ନିଜର ଅଭିଳାଷ ପ୍ରକାଶ କରିନାହିଁ । କିନ୍ତୁ କାଳିଦାସଙ୍କ ପରିକଳ୍ପନାରେ, ମାତ୍ର ଗୋଟିଏ ସ୍ଥାନରେ ଇନ୍ଦୁମତୀ ସ୍ପଷ୍ଟବାଚିକ ଇଙ୍ଗିତ ପ୍ରଦାନ କରିଛି । ଅଙ୍ଗରାଜଙ୍କ ଉପରୁ ଦୃଷ୍ଟି ଫେରାଇ ଆଣି ‘ଚାଲ’ ବୋଲି ସୁନନ୍ଦାକୁ କହିଛି । ଇନ୍ଦୁମତୀ ଚରିତ୍ରର ଗାମ୍ଭୀର୍ଯ୍ୟ ପ୍ରତିପାଦନ ଦୃଷ୍ଟିରୁ ଗଙ୍ଗାଧର କାଳିଦାସଙ୍କ ଏହି କଳ୍ପନାକୁ ଗ୍ରହଣ କରିନାହାନ୍ତି । କିନ୍ତୁ ଗୋଟିଏ ସ୍ଥାନରେ ଗଙ୍ଗାଧରଙ୍କ ଇନ୍ଦୁମତୀ ‘‘ମୁହଁ ମୋଡ଼ି ଦେଇ ଚାଲିଯିବା’’ ପ୍ରସଙ୍ଗ କେତେକ ସମାଲୋଚକ ଦୃଷ୍ଟିରେ ‘ଗ୍ରାମୀଣ’ ଦୋଷରେ ଦୁଷ୍ଟ ହୋଇଛି । ସୋପାନକ୍ରମେ ରାଜପୁତ୍ର ଅଜଙ୍କ ନିକଟରେ ପହଞ୍ଚିବା ମାତ୍ରେ ତାଙ୍କ ରୂପଦର୍ଶନ କରି ଇନ୍ଦୁମତୀ ମନରେ ଯେଉଁ ଭାବ ଉଦ୍ରେକ ହୋଇଛି, ତାହା ବୁଝିବାରେ ଉଭୟ କବିଙ୍କ ସୁନନ୍ଦା ଆଦୌ ଭୁଲ କରି ନାହାନ୍ତି; ଅଧିକନ୍ତୁ ଅଜଙ୍କ ରୂପଗୁଣ ଓ ବଂଶବୃତ୍ତର ସବିଶେଷ ପରିଚୟ ପ୍ରଦାନ ପୂର୍ବକ ତାଙ୍କୁ ବରଣ କରିବା ପାଇଁ ପ୍ରସ୍ତାବ ଦେଇଛି । ଫଳରେ ଇନ୍ଦୁମତୀ ଲଜ୍ଜାହ୍ରାସ କରି ପ୍ରସନ୍ନ, ନିର୍ମଳ ଦୃଷ୍ଟିରେ ଅଜଙ୍କୁ ଦେଖିଛି । ଇନ୍ଦୁମତୀ ଲଜ୍ଜାବଶତଃ ଅଜଙ୍କ ପ୍ରତି ନଜର ଅଭିଳାଷକୁ ବଚନରେ ବ୍ୟକ୍ତ ନକଲେ ମଧ୍ୟ ରୋମାଞ୍ଚ ଛଳରେ ତାଙ୍କ ଅଙ୍ଗଲତା ଭେଦ କରି ତାହା ପ୍ରକାଶ ପାଇଲା । ସୁନନ୍ଦା ଆଉ ନ ବୁଝିବାର କିଛି ନାହିଁ; ତଥାପି ଭାବ ପରୀକ୍ଷା ପାଇଁ ସେ ଅନ୍ୟରାଜାଙ୍କ ନିକଟକୁ ଯିବା ପାଇଁ ପ୍ରସ୍ତାବ ଦେଇଛି ଇନ୍ଦୁମତୀକୁ-। ଏଥର ରୋଷାୟିତ କଟାକ୍ଷପାତରେ ଇନ୍ଦୁମତୀ ଆପଣା ଅନିଚ୍ଛା ପ୍ରକାଶପୂର୍ବକ ସୁନନ୍ଦା ହାତରୁ ବରଣମାଳା ନେଇ ଅଜଙ୍କ ଗଳାରେ ମଣ୍ଡନ କରିଛି । ଗଙ୍ଗାଧରଙ୍କ ସୁନନ୍ଦା ମଧ୍ୟ ଅବିକଳ ଏହି କାର୍ଯ୍ୟ ହିଁ ସାଧନ କରିଛି ।

 

ଏ ସମସ୍ତ ସାମଞ୍ଜସ୍ୟ ସତ୍ତ୍ୱେ ଉଭୟ କବିଙ୍କ ସୁନନ୍ଦା ଚରିତ୍ର ମଧ୍ୟରେ କେତେକ ବୈଭିନ୍ନ ପରିଦୃଷ୍ଟ । କାଳିଦାସ ସୁନନ୍ଦା ପାଇଁ ଯେଉଁ ସବୁ ବିଶେଷଣ ଗୁଡ଼ିକ ପ୍ରୟୋଗ କରିଛନ୍ତି, ସେଗୁଡ଼ିକ ହେଲା – ପ୍ରତିହାରୀ, ଧାତ୍ରୀ, ପୁଂବତ୍‌ ପ୍ରଗଚ୍ଛା, ବକ୍ରୁମନୁକ୍ରମଜ୍ଞା (ଅବସର ଦେଖି ଉଚିତ କଥା କହିବାରେ ଚତୁରୀ) ପ୍ରଭୃତି । ଏସବୁ ଶବ୍ଦମାନଙ୍କରୁ ତାଙ୍କ ସୁନନ୍ଦା ସାମାନ୍ୟ ବୟୋଜ୍ୟୋଷ୍ଠା ଚରିତ୍ର ଥିବା ବ୍ୟଞ୍ଚିତ । କିନ୍ତୁ ଗଙ୍ଗାଧର ସୁନନ୍ଦାକୁ ସୁବୟସୀ (ଉତ୍ତମ ସଖୀ), ସୁବିଚକ୍ଷଣା, ପ୍ରିୟସଖୀ, ସହଚରୀ ବୟସୀ ପ୍ରଭୃତି ବିଶେଷଣରେ ବିଭୂଷିତ କରିଥିବାରୁ ଜଣାଯାଏ, ତାଙ୍କ ସୁନନ୍ଦା ନାୟିକା ଇନ୍ଦୁମତୀର ସମବୟସ୍କା । ପାଠକମାନେ ଉଭୟ ସୁନନ୍ଦାକୁ ଏହି ପରିଚୟ ଦୃଷ୍ଟିରୁ ବିଚାରକଲେ, ଉଭୟ କାବ୍ୟରେ, ରାଜାମାନଙ୍କ ପରିଚୟ ପ୍ରଦାନ ବେଳେ ସୁନନ୍ଦାର ବାଣୀବୈଚିତ୍ର୍ୟରେ ଯେଉଁ ସାମାନ୍ୟ ବୈଭିନ୍ଵୟ ରହିଛି, ତା’ର ଉପାଦେୟତା ଏବଂ ଯୁକ୍ତଯୁକ୍ତତା ବୁଝିବା କଷ୍ଟ ହେବ ନାହିଁ । ଉଭୟଙ୍କ ସୁନନ୍ଦା ଚରିତ୍ର ମଧ୍ୟରେ ଥିବା ଅନ୍ୟ ଏକ ବୀକ୍ଷଣୀୟ ବ୍ୟତିକ୍ରମ ହେଲା । କାଳିଦାସଙ୍କ କୃତିରେ ଇନ୍ଦୁମତୀ ସୁନନ୍ଦା ହାତରୁ ବରଣମାଳା ନେଇ ଅଜଙ୍କ ଗଳାରେ ଅର୍ପଣ କରିଛି; କିନ୍ତୁ ଗଙ୍ଗାଧରଙ୍କ ଇନ୍ଦୁମତୀ ଧାତ୍ରୀ ସୁନନ୍ଦା ହାତରେ ବରଣମାଳାଟି ଦେଇ ଅଜଙ୍କ ଗଳାରେ ପିନ୍ଧାଇ ଦେବା ଲାଗି ଅନୁଜ୍ଞା ଦେଇଛି; ଅନୁଜ୍ଞାନ ସହଚରୀ ସେ କର୍ତ୍ତବ୍ୟ ସମ୍ପାଦନ କରିଛି । ବରରୂପେ ନିର୍ବାଚିତ ରାଜପୁତ୍ରର ଗଳାରେ ସ୍ୱୟଂ ରାଜକନ୍ୟା ହିଁ ବରଣମାଳା ପିନ୍ଧାଇ ଦେବାର ଯୁକ୍ତିଯୁକ୍ତତା ଦୃଷ୍ଟିରୁ କବି କାଳିଦାସଙ୍କ ବର୍ଣ୍ଣନା ଉପଯୁକ୍ତ ମନେହୁଏ । କିନ୍ତୁ ଗଙ୍ଗାଧରଙ୍କ ଆଭିମୁଖ୍ୟ ଭିନ୍ନ । ଯେଉଁ ନାୟିକା ଏକାନ୍ତ ଲଜ୍ଜାଶୀଳ ତଥା ସ୍ୱାଭିମାନସିକ୍ତା, ସେହି ନାୟିକା ସ୍ୱୟଂବର ସଭାରେ ସ୍ୱୟଂ ସ୍ୱହସ୍ତରେ ପୁରୁଷଗଳାରେ ବରଣମାଳା ଅର୍ପଣ କରିବା ପାଇଁ ଦ୍ୱିଧା ଅନୁଭବ କରିବା ସ୍ୱାଭାବିକ । ବିବାହ ପରବର୍ତ୍ତୀ କାଳରେ ମଧ୍ୟ କାଳିଦାସଙ୍କ ଇନ୍ଦୁମତୀ ଏପରି ସଙ୍କୋଚ ଭାବ ପ୍ରକାଶ କରିଥିବାର ଦୃଷ୍ଟାନ୍ତ ରହିଛି । ଯଥା-ବିବାହ ପରବର୍ତ୍ତୀ ପର୍ଯ୍ୟାୟରେ ଗୃହପ୍ରତ୍ୟାବର୍ତ୍ତନକାଳରେ ରାଜପୁତ୍ର ଅଜଙ୍କୁ ଶତ୍ରୁପକ୍ଷର ରାଜାମାନେ ଆକ୍ରମଣ କଲେ । ସେମାନଙ୍କୁ ଜୟ କରି ଅଜ ଯେତେବେଳେ ଇନ୍ଦୁମତୀଙ୍କ ନିକଟକୁ ଫେରିଛନ୍ତି, ସଲଜ୍ଜ ଇନ୍ଦୁମତୀ ଅଜଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ସ୍ୱୟଂ ତତ୍ପର ନହୋଇ ସଖୀମାନଙ୍କ ଦେଇ ହିଁ ସେ କାମନା ପରିପୂର୍ଣ୍ଣ କରିଥିଲେ । ଗଙ୍ଗାଧର ମଧ୍ୟ ଆଲୋଚ୍ୟ ପ୍ରସଙ୍ଗରେ ଅବିକଳ ବର୍ଣ୍ଣନା ଉପସ୍ଥାପନ କରିଛନ୍ତି । ଅତଏବ ଏ ପ୍ରକାର ଏକ ଲଜ୍ଜାଶୀଳ ନାୟିକାର ଭାବମୂର୍ତ୍ତୀ ରୂପାୟନରେ ଭାରସାମ୍ୟ ରକ୍ଷା କରିବା ପାଇଁ ପୂର୍ବରୁ ନାୟିକାର ବରଣମାଳା ପ୍ରଦାନ ପ୍ରସଙ୍ଗରେ ଗଙ୍ଗାଧର ଯେଉଁ ବ୍ୟତିକ୍ରମ ସୃଷ୍ଟି କରିଛନ୍ତି, ତାହା ମଧ୍ୟ ଏକାନ୍ତ ପ୍ରାସଙ୍ଗିକ ମନେହୁଏ ।

 

ଗଙ୍ଗାଧରଙ୍କ ସୁନନ୍ଦା ଏକ ଆହୃତ ଚରିତ୍ର ହେଲେ ହେଁ ତା’ର ବୟସ, ବଚନ ବିନ୍ୟାସ ରୀତି ତଥା ତା’ ପ୍ରତି ନାୟିକାର ବିଚାରଭଙ୍ଗୀ ଦୃଷ୍ଟିରୁ ସେ ଯେ ଏକ ନବୀକୃତ ଚରିତ୍ର – ଏଥିରେ ସନ୍ଦେହ ନାହିଁ । ଏପରି ଅନ୍ୟ ଏକ ଆହୃଦ ନବୀକୃତ ସଂଯୋଜକ ଚରିତ୍ର ଚପଳା ।

 

କୀଚକବଧର ଚପଳା :

‘ଇନ୍ଦୁମତୀ’ରେ ଗଙ୍ଗାଧରଙ୍କ ଶିଳ୍ପୀପ୍ରତିଭାର କଳିକା ପ୍ରକାଶ ପାଇଥିଲା । ‘କୀଚକ ବଧ’ରେ ତାହା ପ୍ରସ୍ଫୁଟିତ ହୋଇ ଆପଣା ସୌରଭରେ ଓଡ଼ିଆ ସାହିତ୍ୟ ଜଗତକୁ ଅମୋଦିତ କଲା-। ବ୍ୟାସକୃତ ମହାଭାରତରେ କୀଚକବଧ ପରିକଳ୍ପନା ନିହିତ ଥିଲେ ସୁଦ୍ଧା ସାରଳା ଦାସ ବିରଚିତ ମହାଭାରତରେ ଏହି ପରିକଳ୍ପନା ଯେପରି ନବୀକୃତ ରମଣୀୟ ସମୃଦ୍ଧ ହୋଇଛି, ତାହା ଶୁଦ୍ରମୁନିଙ୍କ କବିତ୍ୱର ମହାନତା ପ୍ରତିପାଦନ ନିମିତ୍ତ ଯଥେଷ୍ଟ ହେବ । ଗଙ୍ଗାଧର ସାରଳା ଦାସଙ୍କ ପରିକଳ୍ପନାରେ ପ୍ରଭାବିତ । ତଥାପି ଅବିକୃତ ଅନୁସୃତି ପାଇଁ ଯୁଗରୁଚି ଗଙ୍ଗାଧରଙ୍କୁ ପ୍ରୋତ୍ସାହିତ କରିପାରି ନାହିଁ ।

 

ସଂସ୍କୃତ ମହାଭାରତରେ, କୀଚକ ଓ ସୈରିନ୍ଧ୍ରୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରିବାର ପ୍ରୟାସ କରିଛନ୍ତି ସ୍ୱୟଂ ସୁଦେଷ୍ଣା । ଏଥିପାଇଁ ଅନ୍ୟ କୌଣସି ଚରିତ୍ରର ଆବଶ୍ୟକତା ବ୍ୟାସଦେବ ଅନୁଭବ କରିନାହାନ୍ତି । ବିରାଟ ରାଜ୍ୟର ସମାଜ୍ଞ୍ରୀ ସୁଦେଷ୍ଣାଙ୍କୁ ନେଇ ବ୍ୟାସଦେବଙ୍କ ଏହି କଳ୍ପନା ବୋଧହୁଏ ସାରଳା ଦାସ ଗ୍ରହଣ କରି ପାରିଲେ ନାହିଁ । ଏହି ସଂଯୋଜନା କାର୍ଯ୍ୟ ପାଇଁ ସାରଳା ଦାସ ଜନୈକା ଦାସୀ ‘କରୁଣା’କୁ ଆବିଷ୍କାର କଲେ ଏବଂ ଜଣେ ଭ୍ରାତୃବତ୍ସଳା ଭଗ୍ନୀ ଓ ଧର୍ମଭୀରୁ ରାଣୀର ଭାବମୂର୍ତ୍ତି ଦେଇ ସୁଦେଷ୍ଣାଙ୍କୁ ଉପନାୟିକାକୋଟୀକୁ ଉନ୍ନୀତ କରାଇଦେଲେ । ଦୁର୍ମତି ଦୁଷ୍କ୍ରିୟାଶୀଳ କୀଚକର ଦାସୀ ଭାବରେ କରୁଣା ସାରଳାଙ୍କ ସୃଷ୍ଟିରେ ଜଣେ ନିଷ୍ଠୁରା, କଟୁବାଦିନୀ, ଛଳନାମୟୀ, ଅହଂକାରିଣୀ ନାରୀର ରୂପ ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ସୈରିନ୍ଧ୍ରୀଙ୍କୁ ସେ ଭର୍ତ୍ସନା କରି କହୁଛି –

 

‘‘ରାଗେ ତମ ତମ ହୋଇ ବୋଇଲା କରୁଣା,

ତୁ ଛାର ପାମରୀ ଆଲୋ ଅଟୁ ଜଗଜ୍ଜିଣା

ଆଲୋ ଭିକାରୁଣୀ ତୁହି ଅଟୁ ଦେଶାନ୍ତରୀ,

କେ ତୋହର ପିତାମାତା କାହାର ତୁ ନାରୀ

ଆଲୋ ପୁରୁଷ ଘାତକୀ ସେହୁ ମନ୍ଦ ବାଈ,

ତୋ ରୂପରେ ମଜ୍ଜିଛନ୍ତି ଧିକ ତାଙ୍କ ଦେହୀ ।’’

 

ପୁଣି ଶେଷ ପ୍ରସ୍ତାବ ଦେବାକୁ ଆସି ସେ ସୁଦେଷ୍ଣାଙ୍କୁ କହୁଛି –

 

‘‘ସହୋଦରେ କାର୍ଯ୍ୟ କିବା ସୈରେନ୍ଧ୍ରୀରେ କାର୍ଯ୍ୟ

ସୈରିନ୍ଧ୍ରୀ ବିହୀନେ ଭାଇ ପ୍ରାଣ ଦେବେ ଆଜ ।’’

 

ଚାରିଦିନ ପରେ ସୈରିନ୍ଧ୍ରୀଙ୍କୁ କୀଚକ ନିକଟକୁ ପଠେଇବାର ପ୍ରତିଶ୍ରୁତି ସୁଦେଷ୍ଣାଙ୍କ ମୁଖରୁ ଶୁଣି କରୁଣା କୀଚକ ପାଶକୁ ଫେରିଛି । କୀଚକକୁ ସବୁ କଥା କହିସାରିବା ପରେ କରୁଣା ତାକୁ ଆଶ୍ୱାସନା ଦେଉଛି –‘‘ଯେବେ ସେ ନଦେବେ ଆମ୍ଭ ଭବନକୁ ପେଶି, କେଶ ଧରି ଆଣିବି ମୁଁ ଅନ୍ତଃପୁରେ ପଶି।’’ ଏ ସମସ୍ତ ଦୃଷ୍ଟାନ୍ତରୁ କରୁଣାର ଭୟଙ୍କରତା ପ୍ରତିପାଦିତ ହେଲେ ମଧ୍ୟ ତା’ର ଅସଲ ସ୍ୱରୂପ ପ୍ରକାଶ ପାଇନାହିଁ । ସୈରିନ୍ଧ୍ରୀଙ୍କ ଭର୍ତ୍ସନାରୁ ହିଁ କରୁଣାର ପ୍ରକୃତ ସ୍ୱରୂପ ଜଣାପଡ଼େ । କରୁଣା କରପୁରୁଷକାମୀ, ବିଟପୀ, ଦୁଷ୍ଟା, ମହାପାପୀ, ଦୁଷିତା, ପାମରୀ ଇତ୍ୟାଦି । କିନ୍ତୁ କେଉଁଠି ହେଲେ ପ୍ରଭୁ ଭକ୍ତିପଣ ତା’ର ମଉଳି ଯାଇନି କିମ୍ୱା ଏକାନ୍ତ ସ୍ୱାର୍ଥ ସର୍ବସ୍ୱ ହୋଇଯାଇନି । ତଥାପି ତା’ର ଭୟଙ୍କରତା ଦୃଷ୍ଟିରୁ ତାକୁ କରୁଣା ପରିବର୍ତ୍ତେ ଦାରୁଣା ନାମଟି ବେଶ୍‌ ଶୋଭା ପାଇଥାନ୍ତା ।

 

ଗଙ୍ଗାଧରଙ୍କ ଚପଳା କିନ୍ତୁ ଭିନ୍ନ ଉପାଦାନରେ ଗଢ଼ା । ତା’ ପାଖରେ କରୁଣାର ଭୟଙ୍କରତା ନାହିଁ; କିନ୍ତୁ ସେ ଏକାନ୍ତ ସ୍ୱାର୍ଥସର୍ବସ୍ୱା ଏବଂ ଛଳନାର ମୂର୍ତ୍ତିମନ୍ତ ବିଗ୍ରହ । କାବ୍ୟ ବର୍ଣ୍ଣନାରୁ ଜଣାଯାଏ, ସୈରିନ୍ଧ୍ରୀଙ୍କ ସମ୍ପର୍କରେ ଚପଳା ସାମାନ୍ୟ କିଛି ଜାଣିଥିଲା । ପ୍ରଭୂତ ସମ୍ପତ୍ତିର ପ୍ରଲୋଭନ ଦେଖାଇ କୀଚକ ଯେତେବେଳେ ଚପଳା ସମ୍ମୁଖରେ ସୈରିନ୍ଧ୍ରୀଙ୍କ ପ୍ରସଙ୍ଗ ଉତ୍‌ଥାପନ କରିଛି, ସେତେବେଳେ–

 

‘‘ଚପଳା ବୋଇଲା ଜାଣେ ସୈରିନ୍ଧ୍ରୀକି ବାସ୍ତବ ସୁନ୍ଦରୀ ସାର,

ପୁରୁଷର ମନ ଆକର୍ଷିତ ହେବା ତହିଁ ନୁହେଁ ଚମତ୍କାର

ପତିବିରହଣୀ କପୋତୀ ପରାୟେ ହୋଇଅଛି ଏକାକିନୀ

ସହଜେ ଛାମୁଙ୍କ ନାମରେ ବାମାର ମନ ଆଣି ଦେବି କିଣି ।’’

 

ଚପଳାର ଏ ଭକ୍ତି ମଧ୍ୟରେ ଦୁଇଟି ଯୁକ୍ତିଯୁକ୍ତ କଥା ଲକ୍ଷଣୀୟ । ପ୍ରଥମ କଥା ହେଲା, ସୈରିନ୍ଧ୍ରୀ ଏତେ ସୁନ୍ଦରୀ ଥିଲେ ଯେ ତା’ପ୍ରତି କୀଚକର ମନ ଆକୃଷ୍ଟ ହେବା ଆଦୌ ବିଚିତ୍ର ନୁହେଁ, ଦ୍ୱିତୀୟ କଥା ହେଲା, ଏକ ପତିବିରହିଣୀ ଏକାକିନୀ ନାରିୀ କୀଚପକ ଭଳି ନାୟକର ମନୋହାରିଣୀ ହେବା ପାଇଁ ବା ଇଚ୍ଛୁକା ନ ହେବ କାହିଁକି ? ଯଦି ନ ହୁଏ, ତେବେ—

 

ଯାଉଛି ରସିକ ସୁନ୍ଦରୀମଣିକି ଛଳେବଳେ କଉଶଳେ

ବାନ୍ଧି ରଖିଦେବି ପ୍ରଣୟ ଫାଶରେ ଛାମୁଙ୍କ ଚରଣ ତଳେ ।’’

 

କିନ୍ତୁ ଚପଳା ମନରେ ଭୟ, ପରକୀୟା ପ୍ରୀତି ବିମୁଖା । ସୁଦେଷ୍ଣା ଏକଥା ଜାଣିଲେ ନଅର ଭିତରୁ ତା’ର ଦାନା ପାଣି ଉଠିଯିବ । ଏହି ଭୀତି ଚପଳା କୀଚକଦତ୍ତ ବସ୍ତ୍ରଭୂଷଣ ଗ୍ରହଣରେ ନିସ୍କୃହ ରହି ସେଠାରୁ ଯାଇ ପହଞ୍ଚିଛି ସୈରିନ୍ଧ୍ରୀଙ୍କ ପାଶରେ । ତାଙ୍କ ରୂପ ପ୍ରଶଂସା ଠାରୁ ଆରମ୍ଭ କରି ସୋପାନକ୍ରମେ କୀଚକର ଧନ, ମାନ, ଯଶଃ ପର୍ଯ୍ୟନ୍ତ ସକଳ କଥା ବଡ଼ ସରଳ ଏବଂ ପ୍ରାସଙ୍ଗିକ ଭଙ୍ଗୀରେ ଚପଳା ଉପସ୍ଥାପନ କଲେ ମଧ୍ୟ ସୈରିନ୍ଧ୍ରୀ ତା’ର କୌଣସି ପ୍ରସ୍ତାବ ଗ୍ରହଣ କଲେ ନାହିଁ । ଏଥର ଚପଳା ତାଙ୍କୁ ସାମାନ୍ୟ ଭୟ ଦେଖାଇ କହିଛି, ‘‘ଦେଖ, ମୋ କଥା ନଘେନି ବୃଥା ଅଭିମାନ କଲେ ସୁଖରେ ସୁଖରେ ହେବା କଥା ଦୁଃଖରେ ହେବ, ଆଉ ଅପମାନ ପାଇବା ହିଁ ସାର ହେବ ।’’ ତଥାପି ସୈରିନ୍ଧ୍ରୀଙ୍କ ମନ ଟଳିଲା ନାହିଁ । ପତିମାନଙ୍କ ଅଜ୍ଞାତରେ କିତବ ପ୍ରଣୟରେ ଲିପ୍ତ ରହିବା ପାଇଁ ସୈରିନ୍ଧ୍ରୀଙ୍କୁ ପ୍ରସ୍ତାବ ଦେବା ମାତ୍ରେ ଚପଳାକୁ ନିଜ ପାଖରୁ ଅନ୍ତର ହୋଇଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚପଳାର ସମସ୍ତ ଚାତୁରୀ ସୈରିନ୍ଧ୍ରୀଙ୍କୁ ବଶ କରିବାରେ ବ୍ୟର୍ଥ ହୋଇଛି । ଏଣୁ ସେ ଏକ ନୂତନ ଉପାୟ ଚିନ୍ତା କରି କୀଚକ ପାଶରେ କହିଛି – ‘‘ପ୍ରଭୋ ! ନାନୀଙ୍କ ପାଶେ, କହିବି କିଛି ଛଳ କରି ବିଶ୍ୱାସେ ।’’ କୀଚକର ଅନୁମତି ନେଇ ଚପଳା ଆସିଛି ସୁଦେଷ୍ଣାଙ୍କ ପାଶକୁ । ଏଠାରେ ଚପଳାର ଛଳନା ଅବଶ୍ୟ ଦର୍ଶନୀୟ ।’’ ଗତରାତ୍ରିରେ, ସ୍ୱପ୍ନରେ ଏକ ନାରୀର ରୂପ ଦର୍ଶନ କରି ତାକୁ ପାଇବା ପାଇଁ କୀତକ ଅସ୍ଥିର ହୋଇପଡ଼ିଛନ୍ତି । ଯାବତ ତା’ର ସାକ୍ଷାତ୍‌କାର ନୋହିଛି, ତାବତ ତାଙ୍କ ପାନାହାର ନାହିଁ । ଏହାପରେ ଚପଳା ପୁଣି କହୁଛି –

 

‘‘ଜାଣଇ ପୁତ୍ର କଥା ଗର୍ଭଧାରିଣୀ, ସେ ରୂପେ ଭାଇ କଥା ଜାଣେ ଭଗିନୀ

ତା ସୁଖ ଦୁଃଖେ ସୁଖ ଦୁଃଖ ତାଙ୍କର, ନୁହଁଇ ଉପଲଭ୍ୟ ଆଉ ଅନ୍ୟର

କୀଚକ ସୁଖ ଦୁଃଖ ଜାଣିବ ଲବେ, ମହାଦେବୀଙ୍କ ବିନା କେ ଅଛି ଭବେ

ପ୍ରଭୁ ଉତ୍କଣ୍ଠା ଦାସୀ ସହି ନ ପାରି, ଆଶ୍ରୟ ଜାଣି କରୁଅଛି ଗୁହାରି ।’’

 

ପ୍ରାଣସ୍ପର୍ଶୀ ଏହି ବଚନ ଶ୍ରବଣରେ ବିଚଳିତା ସୁଦେଷ୍ଣା ସେହି ନାରୀଟିର ପରିଚୟ ଜିଜ୍ଞାସା କରନ୍ତେ ‘ସୌରିନ୍ଧ୍ରୀ’ ବୋଲି ଚପଳା ପ୍ରକାଶ କରିଛି । ସୌରିନ୍ଧ୍ରୀ ନାମ ଶୁଣି ସୁଦେଷ୍ଣା ଏ ଅବସ୍ଥା ଦେଖି କହିଛି, ‘‘ବୀରବର କୀଚକ ତା’ର ଶରୀର ସ୍ପର୍ଶ କରିବେ ନାହିଁ, କେବଳ ତା’ର ମୁଖଦର୍ଶନ କରି ନୟନତୃଷ୍ଣା ମେଣ୍ଟାଇବେ ମାତ୍ର ।’’ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରି ‘‘ଏଥିରୁ ଆନ ହେଲେ ତୋ ଜୀବନ ନାଶ ସୁନିଶ୍ଚିତ, ପତ୍ରିବ୍ରତାର ମହିମା ସାମାନ୍ୟ ନୁହେଁ ।’’ ବୋଲି ସୁଦେଷ୍ଣା ଚପଳାକୁ ସତର୍କ କରାଇ ଦେଇଛନ୍ତି । ଏ ଅବସରରେ କବି ଗଙ୍ଗାଧର ଚପଳାର ଚିତ୍ତବୃତ୍ତିର ଯେଉଁ ପରିଚୟ ପ୍ରଦାନ କରିଛନ୍ତି, ତାହାହିଁ ଚପଳାର ବାସ୍ତବ ପରିଚୟ । ଚପଳା ଭାବୁଛି, ଯାର ପଞ୍ଚପତି, ସେ ପୁଣି ସତୀ ଶିରୋମଣି ! ପୁଣି –

 

‘‘ଥିଲେ ହେଁ ପତି ତା’ର ମୋ ଭୀତି କାହିଁ, କୀଚକ ବୀରବର ରାଣୀଙ୍କ ଭାଇ

ତାହାଙ୍କ ମନ ତୋଷି ଧନ ବହିବି, ସ୍ନେହ ଅରଜି ଚିର ସୁଖେ ରହିବି

ନିଶି ଶଶୀର ସନ୍ଧ୍ୟା କରି ମିଳନ, ପାଏ ଉଜ୍ଜ ରନ୍ ରଙ୍ଗ ବସନ

ରାହୁ ଗ୍ରାସଇ ଆଦି ଚନ୍ଦ୍ରକୁ ଯେବେ, ସନ୍ଧ୍ୟାର ଦୋଷ କାହିଁ ହୋଇଛି କେବେ ।’’

 

କୀଚକର ମନମୋହି ତା’ଠାରୁ ବିପୁଳ ଧନ ନେଇ ସୁଖରେ ଜୀବନ ଯାପନ କରିବାର ସ୍ୱାର୍ଥ ସର୍ବସ୍ୱ କାମନା ବ୍ୟତୀତ ତା’ର ଅନ୍ୟ କୌଣସି ଶୁଭଙ୍କରୀ କାମନା ନାହିଁ । ଏପରିକି କୀଚକର ମୃତ୍ୟୁରେ ମଧ୍ୟ ତା’ର କୌଣସି ପ୍ରତିକ୍ରିୟା ନାହିଁ ବୋଲି ଚପଳାଇ ଭାବନାରୁ ସ୍ପଷ୍ଟ । ଚପଳା ଏକଥା ଚିନ୍ତା କଲାବେଳେ ନୀରବ ଥିବାର ଲକ୍ଷ୍ୟ କରି ସୁଦେଷ୍ଣା ଚପଳା କଥାରେ କିଛି କପଟ ଥିବାର ଆଶଙ୍କା କରିବାରୁ ଚପଳା ତାଙ୍କୁ ବୁଝାଇ କହୁଛି, ‘‘ଏଥିରେ କିଛିମାତ୍ର କପଟ ନାହିଁ, ଧର୍ମ, ନୀତି କଥା କୀଚକ କ’ଣ ଜାଣି ନହାନ୍ତି ! ଖାଲି ନେତ୍ର ପିପାସା ମେଣ୍ଟାଇବା ପାଇଁ ଆଶା ପୋଷଣ କରିଛନ୍ତି । ନୟନର ପବିତ୍ରତା ସାଧନ ପାଇଁ ତ ବିଶ୍ୱସାଇଁ ସୌନ୍ଦର୍ଯ୍ୟ ସୃଷ୍ଟି କରିଛନ୍ତି; ତେଣୁ ଏଥିରେ ପାପ କ’ଣ ଅଛି ।’’ କି ଚମତ୍କାର ଏ ବାଣୀ ବୈଚିତ୍ର ! ଚପଳା କଥାରେ ବିଶ୍ୱାସ କରି ସୁଦେଷ୍ଣା କହିଲେ, ‘‘ପାନପତ୍ରରେ କିଛି ପାନୀୟ ନେଇ ସୈରିନ୍ଧ୍ରୀ କୀଚକ ପୁରକୁ ଯିବେ ଏବଂ ଏହି ଅବସରରେ କୀଚକ ତାଙ୍କୁ ଦର୍ଶନ କରି ନିଜର ଅଭିଳାଷ ଚରିତାର୍ଥ କରିବ ।’’ କାର୍ଯ୍ୟସିଦ୍ଧିର ଏହି ନିର୍ଭର ସୂଚନା ପାଇ ଚପଳା ତତ୍‌କ୍ଷଣାତ୍‌ କୀଚକ ନିକଟକୁ ଆସି ସକଳ ସମ୍ୱାଦ ଦେଇଛି । ଚପଳାର ଏହି ବୁଦ୍ଧି ବିଚକ୍ଷଣତାକୁ କୀଚକ ସାବାସି ନ ଦେଇ ରହି ପାରିଲା ନାହିଁ । ଏଇଠି ସରିଛି ଚପଳାର ସଂଯୋଜନା କାର୍ଯ୍ୟ ।

 

ଅଚ୍ୟୁତାନନ୍ଦଙ୍କ ହରିବଂଶ ଗ୍ରନ୍ଥଗର୍ଭିତ ବୃଦ୍ଧା ଦୂତିକା, ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟରେ ବିଚରଣ କରୁଥିବା ବୃଦ୍ଧାଦାସୀ ଓ ମାଲ୍ୟାଣୀମାନେ, କିଶୋର ଚନ୍ଦ୍ରାନନ ଚମ୍ପୂର ଲଳିତା, ଉମେଶ ଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’ରେ ଥିବା ବୃଦ୍ଧା ରାମିଆ ମା’ ପ୍ରଭୃତି ଚରିତ୍ର ସହିତ ଗଙ୍ଗାଧରଙ୍କ ଚପଳା ତୁଳନୀୟା । ପ୍ରାଚୀନ ଓ ମଧ୍ୟଯୁଗୀୟ ଦରବାରମାନଙ୍କରେ ରହିଥିବା ଏ ଜାତୀୟା ବୃଦ୍ଧା କୁଝିନୀମାନେ କେତେ ଯେ ନିରୀହ ସରଳା ଯୁବତୀ ତଥା କୁଳକାମିନୀମାନଙ୍କୁ ଭୁଲାଇ ନେଇ ଉଚ୍ଛିଷ୍ଟା କରାଇ ଦେଇଛନ୍ତି, ତା’ର କଳନା ନାହିଁ । ଏମାନେ କିନ୍ତୁ ବିପୁଳ ସମ୍ପତ୍ତି ପାଇ ବିଳାସଭୋଗରେ ଆକଣ୍ଠ ତୃପ୍ତି ଲାଭ କରୁଥିଲେ । ସ୍ୱାର୍ଥ ସର୍ବସ୍ୱା ଏହି ନାରୀମାନେ ସେହି ଦୁଷ୍କ୍ରିୟାଶୀଳ କାମୁକ ଚରିତ୍ରର ପତନ ଅବା ବିନାଶରେ ମଧ୍ୟ ବିଚଳିତା ନଥିଲେ; କିନ୍ତୁ ରାଜା ରାଣୀଙ୍କ ବିଶ୍ୱାସ ହରାଇ ବସିଲେ ଏମାନଙ୍କର ରାଜ ଅନ୍ନରେ ଧୂଳି ପଡ଼ିଯିବାର ଭୟ ହେତୁ ରାଜାରାଣୀଙ୍କ ଇଚ୍ଛା ବିରୁଦ୍ଧରେ ନେଉନଥିଲେ କୌଣସି ପଦକ୍ଷେପ । ତଥାପି ସଂପତ୍ତି ଲୋଭରେ ଛଳନାର ଆଶ୍ରୟ ନେଇ ବେଳେବେଳେ ରାଜାରାଣୀଙ୍କୁ ମଧ୍ୟ ଭଣ୍ଡିଦେବା ପାଇଁ ପଶ୍ଚାତ୍‌ପଦ୍‌ ନଥିଲେ ଏମାନେ । ବାସ୍ତବରେ ବଡ଼ ବିଚିତ୍ର ଥିଲେ ଏ ନାରୀମାନେ ! ଗଙ୍ଗାଧର ଯେ କେବଳ ମଧ୍ୟଯୁଗୀୟ କାବ୍ୟସାହିତ୍ୟ ପଢ଼ିଥିଲେ, ତାହାନୁହଁ; ବ୍ୟକ୍ତିଗତ ଭାବେ ସମକାଳୀନ ରାଜଦରବାର ସହିତ ସଂପୃକ୍ତ ଥିଲେ ମଧ୍ୟ । ତେଣୁ ତାଙ୍କ ଚପଳା ଅତୀବ ବିଚିତ୍ର ହୋଇପାରିଛି ।

 

ପ୍ରଣୟବଲ୍ଲରୀର ଅନସୂୟା, ପ୍ରିୟମ୍ୱଦା :

ବ୍ୟାସ ବିରଚିତ ସଂସ୍କୃତ ମହାଭାରତରେ ଅନସୂୟା ଓ ପ୍ରିୟମ୍ୱଦା ସଖୀଦ୍ୱୟଙ୍କ ଉଲ୍ଲେଖ ନାହିଁ । ଏଥିରେ ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ମଧ୍ୟରେ କୌଣସି ସଂଯୋଜକ ଚରିତ୍ରର ସହାୟତା ବ୍ୟତିରେକେ ପ୍ରଣୟ ସମ୍ପର୍କ ସ୍ଥାପିତ ହୋଇଛି । ମୁଖ୍ୟ ଚରିତ୍ର ଦେଇ ସଂଯୋଜନାର ସକଳ ବ୍ୟପାର ସାଧିତ ହୋଇଥିବାରୁ ବ୍ୟାସଦେବଙ୍କ ଶକୁନ୍ତଳା ବାସ୍ତବରେ ପ୍ରଗଳ୍ଭା ହୋଇଯାଇଛନ୍ତି । କବି କାଳିଦାସ ଏଥିପାଇଁ ଅନୁସୂୟା ଓ ପ୍ରିୟମ୍ୱଦା ସଖୀଦ୍ୱୟଙ୍କୁ ଆବିଷ୍କାର କଲେ । କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ ନାଟକରେ ଏହି ସଖୀ ଦ୍ୱୟ କେବଳ ପ୍ରଣୟ ସଂଯୋଜିକା ଚରିତ୍ର ରୂପେ ଉଦ୍ଭାସିତ ନୁହନ୍ତି; ବରଂ ନାୟକ ଦୁଷ୍ମନ୍ତଙ୍କୁ ନାୟିକାର ସବିଶେଷ ପରିଚୟ ପ୍ରଦାନ କରିବାରେ କବିଙ୍କର ଏକାନ୍ତ ସହାୟକ ହୋଇଛନ୍ତି । ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାଳିଦାସଙ୍କ ‘ଅଭିଜ୍ଞାନ ଶକୁନ୍ତଳମ୍‌’ର ଅନୁସରଣରେ ପରିକଳ୍ପିତ । ତଥାପି ଗୋଟିଏ ହସ୍ତୀର ଗତିପଥରେ ଅନ୍ୟ ଏକ ହସ୍ତୀ ପରିବର୍ତ୍ତେ ହଂସକୁ ଚଳାଇ ଆପଣା ନୈପଣ୍ୟ ପ୍ରତିଷ୍ଠା କରିଯାଇଛନ୍ତି କବି ଗଙ୍ଗାଧର । ତେବେ ବିଷୟ ବିନ୍ୟାସ, ନୂତନ ସଂଯୋଜକ, ମୁଖ୍ୟ ଚରିତ୍ର ଚିତ୍ରଣକୁ ବାଦ୍‌ ଦେଇ ସଂଯୋଜକ ଚରିତ୍ର ଚିତ୍ରଣରେ ଗଙ୍ଗାଧରଙ୍କ ସ୍ୱାତନ୍ତ୍ର୍ୟ ବିଚାର କରିବା ଏ ପ୍ରବନ୍ଧର ଧ୍ୟେୟ ବସ୍ତୁ ।

 

ନେପଥ୍ୟସ୍ଥିତ ନାୟକ ଦୁଷ୍କନ୍ତଙ୍କୁ ନାୟିକା ଶକୁନ୍ତଳାର ପରିଚୟ ଜଣାଇଦେବା ଲାଗି କାଳିଦାସ ଅନସୂୟା, ପ୍ରିୟମ୍ୱଦା ଓ ଶକୁନ୍ତଳାଙ୍କ ମଧ୍ୟରେ କଥୋପକଥନର ପରିବେଶଟିଏ ସୃଷ୍ଟି କଲେ । ତଥାପି ଶକୁନ୍ତଳା କ୍ଷତ୍ରିୟ ପରିଣୟ ଯୋଗ୍ୟା କି ନୁହଁ ତା’ର କୌଣସି ମୁଖରେ ନଦେଇ ଦୁଷ୍ମନ୍ତଙ୍କ ମନର ଏ କୌତୂହଳକୁ ପ୍ରଶମିତ କଲେ ନାହିଁ । ଗଙ୍ଗାଧର ଏ କ୍ଷେତ୍ରରେ ଆଉ ପାଦେ ଆଗେଇ ଯାଇ ପ୍ରିୟମ୍ୱଦା ମୁଖରେ ସୂଚନା ଦେଇଛନ୍ତି –

 

‘‘ପ୍ରିୟମ୍ୱଦା ତେଣେ ବୋଇଲା ସୁନ୍ଦରୀ, ଏଡ଼ି ରାଜ ପୁରୋହିତ

ସ୍ମରିବକି ମୋତେ ରାଜବର ପ୍ରେମ ଲୋଲୁପ ତୋ ଚଳଚିତ୍ତ ?’’

 

ଦୁଷ୍ମନ୍ତ ଶକୁନ୍ତଳାଙ୍କ ପ୍ରଥମ ସାକ୍ଷାତ ଦର୍ଶନ ପରେ ରାଜାଙ୍କ ବିଦାୟ ବେଳେ ଶକୁନ୍ତଳା କୁରୁବକ କଣ୍ଟାରୁ ମୁକ୍ତି ପାଇବା ଛଳରେ ସେହି ସ୍ଥାନରେ କିଛି ସମୟ ଅଟକି ଯାଇ ରାଜାଙ୍କ ପ୍ରତି ଦୃଷ୍ଟିନେକ୍ଷେପ କରିବାର ଚେଷ୍ଟା କରିଛି । ଏ ସୁନ୍ଦର ପରିସ୍ଥିତିରେ କାଳିଦାସଙ୍କ ସଖୀଦ୍ୱୟ ଶକୁନ୍ତଳାଙ୍କୁ କିଛି କହି ନ ଥିବା ବେଳେ, ଗଙ୍ଗାଧରଙ୍କ ପ୍ରିୟମ୍ୱଦା ଶକୁନ୍ତଳାଙ୍କ ମନୋଭାବ ବୁଝିପାରି ପରିହାସ କରି କହିଛି –‘‘ପୁରୁବର କଣ୍ଟା ମୀନାକ୍ଷି ଗଲାକି ଗଳି ?’’ ଉପଯୁକ୍ତ ଦୁଇଟି ଦୃଷ୍ଟାନ୍ତରୁ ସ୍ପଷ୍ଟ ପ୍ରତିପନ୍ନ ହୁଏ, ସଖ୍ୟଭାବର ଯଥାର୍ଥ ରୂପାୟନ ନିମିତ୍ତ ସଖୀ ମୁଖରେ ନାୟିକା ପ୍ରତି ଏ ସବୁ ପରିହାସପୁଷ୍ଟ ବଚନିକାର ପ୍ରୟୋଗ କରାଯାଇଛି । ନାୟିକା ପ୍ରତି ସଖୀମାନଙ୍କର ଆନ୍ତରିକତା ମଧ୍ୟ ଏ ପ୍ରକାର ବର୍ଣ୍ଣନାରୁ ସାବ୍ୟସ୍ତ ହୋଇଥାଏ ।

 

କାଳିଦାସଙ୍କ କୃତିରେ ଶକୁନ୍ତଳାଙ୍କ ଅସୁସ୍ଥତାର କାରଣ ଜାଣିବା ପରେ ପ୍ରିୟମ୍ୱଦା ତା’ର ପ୍ରତିକାର ବିଧାନ କଳ୍ପେ ଶକୁନ୍ତଳାଙ୍କୁ କହିଛି ପତ୍ର ଲେଖି ଦେବତାଙ୍କ ପ୍ରସାଦ ଛଳରେ ପୁଷ୍ପ ମଧ୍ୟରେ ଦୁଷ୍ମନ୍ତଙ୍କ ନିକଟକୁ ପ୍ରେରଣ କରିବା ପାଇଁ । ଶକୁନ୍ତଳା ପଦ୍ମପତ୍ରରେ ନିଜର ସୁତୀକ୍ଷ୍ମ ନଖ ସାହାଯ୍ୟରେ ପତ୍ରଲେଖି ଶୁଣାଇଛନ୍ତି ଏବଂ ପତ୍ରବିଷୟ ଶ୍ରବଣ ମାତ୍ରେ ନେପଥ୍ୟରୁ ଆସି ଦୁଷ୍ମନ୍ତ ସେମାନଙ୍କ ସମକ୍ଷରେ ନିଜକୁ ପ୍ରକଟ କରିଛନ୍ତି । କାବ୍ୟ ବିଷୟବସ୍ତୁର ଏହି ପରିବେଶରେ ଚରିତ୍ରମାନଙ୍କ ଉପସ୍ଥିତି ତଥା ମୁଖ୍ୟ ଚରିତ୍ରର ଭାବମୂର୍ତ୍ତି ବିବେଚନ ଦୃଷ୍ଟିରୁ ଗଙ୍ଗାଧରଙ୍କ କୃତିରେ ଏ ସମସ୍ତ ପ୍ରସଙ୍ଗ ହୋଇଛି ପରିହୃତ । ପରିବେଶ ଓ ପରିସ୍ଥିତି ଅନୁଯାୟୀ ସଖୀଦ୍ୱୟଙ୍କ ମୁଖରେ ସଙ୍ଗୀତର ପ୍ରୟୋଗ ଏବଂ ତା’ର ଶ୍ରବଣରେ ନାୟକଙ୍କ ଆବିର୍ଭାବ ଘଟାଇ ଗଙ୍ଗାଧର ଏ ପ୍ରସଙ୍ଗର ଔଚିତ୍ୟ ବିଚାରରେ ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା କରିଛନ୍ତି ।

 

ନାଟକରେ ସଖୀଦ୍ୱୟଙ୍କ କଥୋପକଥନ ଛଳରେ ନାଟ୍ୟକାର ବହୁ ରହସ୍ୟ ଉଦ୍‌ଘାଟନ କରିବା ପାଇଁ ଉଭୟ ଅନସୂୟା ଓ ପ୍ରିୟମ୍ୱଦାଙ୍କ ଉପରେ ସମାନ ଗୁରୁତ୍ୱ ପ୍ରଦାନ କରିଥିବା ବେଳେ (ନାଟକରେ ଥବା କେତେକ ବିଷ୍ମମ୍ଭକ ଏହାର ପ୍ରମାଣ) କାବ୍ୟରେ ସେସବୁର ଆବଶ୍ୟକତା କମ୍‌ ଥିବାରୁ ଏବଂ ପ୍ରଣୟୀଯୁଗଳଙ୍କ ମଧ୍ୟରେ କେବଳ ଯୋଗସୂତ୍ର ସ୍ଥାପନ ମୁଖ୍ୟ ଲକ୍ଷ୍ୟ ଥିବା ହେତୁ ଏ ଦୁଇ ସଖୀଙ୍କ ମଧ୍ୟରୁ ଜଣକୁ (ପ୍ରିୟମ୍ୱଦାକୁ) କାବ୍ୟକାର ଅଧିକ ଚତୁରୀ ଓ ପ୍ରଗଳ୍ଭା କରିବାକୁ ପ୍ରୟାସ କରିଛନ୍ତି । ଲକ୍ଷ୍ୟ କଲେ ଜଣାଯିବ, କାଳିଦାସ ଏ ଦୁଇଟି ଚରିତ୍ର ସୃଷ୍ଟି କରି ସେମାନଙ୍କ ଚିତ୍ରଣରେ ବହିର୍ଦ୍ୱନ୍ଦକୁ ଯେତିକି ଫୁଟାଇଛନ୍ତି, ଗଙ୍ଗାଧର କାଳିଦାସଙ୍କୁ ଅନୁସରଣ କରିଥିଲେ ମଧ୍ୟ ଏ ଦୁଇ ଚରିତ୍ର ରୂପାୟନ ବେଳେ ସେମାନଙ୍କ ଅନ୍ତର୍ଦ୍ୱନ୍ଦ୍ୱ ପ୍ରକାଶନରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ତେଣୁ ଆହୃତ ହେଲେ ମଧ୍ୟ ଚରିତ୍ର ଦୁଇଟି କବିଙ୍କ ଅଭିନବ ଚିନ୍ତା ସମନ୍ୱିତ ହୋଇ ଉଦ୍ଭାସିତ ହୁଅନ୍ତି ନବୀକୃତ ଚରିତ୍ର ରୂପରେ ।

 

ତପସ୍ୱିନୀର ତାପସୀ ସଖୀ :

ମୁଖ୍ୟ ଚରିତ୍ରର ବୈଶିଷ୍ଟ ପ୍ରକଟନ ତଥା କାବ୍ୟବିଷୟ ବସ୍ତୁର ଗତିଶୀଳତା ସମ୍ପାଦନ ଉଦ୍ଦେଶ୍ୟରେ କବି କିପରି ସଂଯୋଜକ ଚରିତ୍ରମାନଙ୍କୁ ଅବଲମ୍ୱନ କରିଥାଏ, ତା’ର ସାର୍ଥକ ଦୃଷ୍ଟାନ୍ତ ହେଉଛି, ତପସ୍ୱିନୀ କାବ୍ୟର ଏହି ତାପସୀ ସଖୀ । ପଞ୍ଚମ ସର୍ଗ ପରେ କଥାଭାଗକୁ ଅଗ୍ରସର କରାଇବାରେ ଏହି ଚରିତ୍ରଟି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଛି । କବି ଗଙ୍ଗାଧର ଏହି ସଖୀ ମୁଖରେ ତିନୋଟି ପ୍ରଶ୍ନ ଦେଇ, ତା’ର ଉତ୍ତର ଛଳରେ ସୀତାଙ୍କ ମୁଖରେ ସଂକ୍ଷିପ୍ତ ରାମାୟଣ କଥନର କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ଷଷ୍ଠ ଓ ସପ୍ତମ ସର୍ଗରେ । ଏତତ୍‌ବ୍ୟତୀତ ରାମାୟଣ କଥନ ଅନ୍ତରାଳରେ ମୁଖ୍ୟ ଚରିତ୍ର ସୀତାଙ୍କର ବୈଶିଷ୍ଟ ପ୍ରକଟନ ମଧ୍ୟ କବିଙ୍କ ଅଭିପ୍ରାୟ । ଏହି ଅଭିପ୍ରାୟ ତାପସୀ ସଖୀ ଚରିତ୍ରର ଜନ୍ମଦାତ୍ରୀ ।

 

ଏକଦା ଚନ୍ଦ୍ରିକା ଚର୍ଚ୍ଚିତ ଚୈତ୍ର ନିଶୀଥରେ ଦୈଦେହୀ ସଖୀ ସଙ୍ଗେ କୁଟୀରରୁ ଅଳ୍ପ ଦୂରରେ ବସିଥିବା ବେଳେ ଚକ୍ରବାକ କାରୁଣ୍ୟ ଶୁଣି ବିହ୍ୱଳିତ ହୋଇପଡ଼ିଲେ । ଏହା ଲକ୍ଷ୍ୟ କରି ସଖୀଟି ତାପସୀସୁଲଭ ସାଂସାରିକ ଅଜ୍ଞତାବଶତଃ ପ୍ରଶ୍ନ କଲା, ‘‘ରଜନୀ ଆସିଲେ ଚକ୍ରବାକ ରାବିବାର କାରଣ କ’ଣ ? ଏ ପକ୍ଷୀମାନେ କ’ଣ ନଗର ଭିତରେ ମଧ୍ୟ ମଧ୍ୟରାତ୍ରିରେ ଠିକ୍‌ ଏପରି ବିକଳ ରାବ ଦିଅନ୍ତି ? ତେବେ ନାଗରିକମାନେ ସେ ରାବ ଶୁଣି ଭାବନ୍ତି କ’ଣ ?’’ ସଖୀର ଏ ପ୍ରଶ୍ନ ବୈଦେହୀଙ୍କୁ ଆହୁରୀ ବିହ୍ୱଳିତ କରିଦେଲା; କଣ୍ଠରୁ ବଚନ ସ୍ଫୁରିଲା ନାହିଁ: ଲୋତକପୂର୍ଣ୍ଣ ହେଲା ନୟନ ଯୁଗଳ । ସୀତାଙ୍କ ଏ ଅବସ୍ଥା ଦେଖି ବିଚଳିତା ସଖୀ ଆପଣା ଚାପଲ୍ୟ ସକାଶେ ସତୀଙ୍କୁ କ୍ଷମାଭିକ୍ଷା କଲା । ସତୀ କିନ୍ତୁ କହିଲେ, ‘‘ସଖୀ ! ମୋର ଅବଶିଷ୍ଟ ଜୀବନ ତୁମରି ଗହଣରେ ବିତାଇବି ବୋଲି ମନସ୍ଥ କରିଛି । ଏଥିରେ ମୋ ଜୀବନ ଗାଥା ଯଦି ତୁମ ନିକଟରେ ପ୍ରକାଶ ନକରିବି, ତେବେ ତୁମେମାନେ ମୋତେ ଚିହ୍ନିବ କିପରି ? ମୋ ପ୍ରତି ତୁମମାନଙ୍କର ବିଶ୍ୱାସ ଜନ୍ମିବ କିମିତି ? ପୁଣି ଏହାଦ୍ୱାରା ମୋର ଦୁଃଖଭାର ସାମାନ୍ୟ ଲାଘବ ହେବା ସଙ୍ଗେ ସଙ୍ଗେ ସଂସାର ଅନଭିଜ୍ଞା ତୁମେ ତାପସୀମାନେ ସଂସାର କ’ଣ ତାହା ବୁଝିପାରିବ ।’’ ସଖୀକୁ ଆପଣାର ପରିଚୟ ଦେବାକୁ ଯାଇ ସତୀ ସୀତା ନିଜ ଜନ୍ମଠାରୁ ଆରମ୍ଭ କରି ବନବାସ କାଳରେ ଦିନେ ଚକ୍ରବାକ ସ୍ୱନ ଶୁଣି ରାମଚନ୍ଦ୍ର ତାଙ୍କୁ ଚୁମ୍ୱନ ଦେବା ଏବଂ କୌତୁହଳବଶତଃ ରାମଚନ୍ଦ୍ରଙ୍କୁ ଏହାର କାରଣ ପଚାରିବାରେ ରାମଚନ୍ଦ୍ର ଚକ୍ରବାକର ଜୀବନଚକ୍ର ବର୍ଣ୍ଣନା କରିବା ପର୍ଯ୍ୟନ୍ତ ସକଳ ଘଟଣା ପ୍ରକାଶ କଲେ । ପୁଣି କହିଲେ, ଅତୀତର ଏସବୁ ମୁହୂର୍ତ୍ତମାନଙ୍କରେ ବିରହର ଅନୁଭୂତି ତାଙ୍କର ନଥିଲା; ବର୍ତ୍ତମାନ ହିଁ ସେ ଅନୁଭବ ହେତୁ ତାଙ୍କ ନୟନଯୁଗଳ ଅଶ୍ରୁସିକ୍ତ ହୋଇଯାଇଛି ।

 

ସତୀଙ୍କର ଏହି ଘଟଣା ପରବର୍ତ୍ତୀ ଜୀବନବୃତ୍ତକୁ ଉଦ୍‌ଘାଟନ କରିବା ଉଦ୍ଦେଶ୍ୟରେ ଗଙ୍ଗାଧର ସଖୀଟି ମୁଖରେ ଆଉ ଦୁଇଟି ପ୍ରଶ୍ନ ଯୋଡ଼ିଦେଇଛନ୍ତି । ଦେବୀ ଯେତେବେଳେ କହିଲେ, ପ୍ରଥମେ ବିଚ୍ଛେଦ ବେଳେ ପତିଙ୍କ ସହ ମିଳିତ ହେବାର ଆଶା ତାଙ୍କର ଥିଲା; କିନ୍ତୁ ବର୍ତ୍ତମାନ ସେ ଆଶା ମରିଗଲାଣି, ‘‘ଏ ଆଶା କିପରି ଥିଲା ଏବଂ ମଲା କାହିଁକି ?’’ – ଏହା ହେଉଛି ସେତେବେଳେ ସଖୀର ପ୍ରଥମ ପ୍ରଶ୍ନ । ଦ୍ୱିତୀୟ ପ୍ରଶ୍ନ ହେଲା – ‘‘ତୋପରି ସାଧ୍ୱୀ ପାଇ ଦାରୁଣ ବ୍ୟଥା, ନନିନ୍ଦୁ ବିଧି ଏ ବିଚିତ୍ର କଥା’’ । ଏ ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପଞ୍ଚବଟୀ ଜୀବନ ଠାରୁ ସୀତା ପରିହାର ପର୍ଯ୍ୟନ୍ତ ସକଳ ଘଟଣାକୁ ବଡ଼ ମାର୍ମିକ ଭାବରେ ବୈଦେହୀ ପ୍ରକାଶ କଲେ । ଲକ୍ଷ୍ୟ କରିବାର କଥା, ସଂକ୍ଷିପ୍ତ ରାମାୟଣ କଥନ ଅନ୍ତରାଳରେ ସୀତାଙ୍କର ଏହି ଉକ୍ତି –

 

‘‘ବୋଇଲେ ସତୀ ସଖୀ ମୋ ଦୁର୍ବିପାକ, ଘଟାଇ ଅଛି ଏକା ମୋ ଦୁଖଃଯାକ

ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି, କାନ୍ତ ତ ସ୍ୱାଭାବେ ମୋ କରୁଣାନିଧି ।’’ଟିକୁ ପ୍ରମାଣିତ କରି ବୈଦେହୀ ଚରିତ୍ରର ମହନୀୟତା ପ୍ରତିପାଦନ ମଧ୍ୟ କବିଙ୍କ ଅନ୍ୟ ଏକ ଅଭିପ୍ରାୟ । ତେବେ କବି ଅଭିପ୍ରେତ ବସ୍ତୁ ପ୍ରକାଶନରେ କଳ୍ପିତ ତାପସୀ ସଖୀର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସଚେତନ ପାଠକମାନେ ସହଜରେ ବୁଝିପାରିବେ ।

 

ଅନୁକମ୍ପା :

ବାତ୍ସଲ୍ୟ ରସ ପ୍ରତି ଗଙ୍ଗାଧରଙ୍କ ଆକର୍ଷଣ ଅଧିକ । ଏହାର ପରିପ୍ରକାଶ ନିମିତ୍ତ ତାଙ୍କ କାବ୍ୟକୃତି ଗୁଡ଼ିକରେ ସେ ବହୁ ମାନବୀୟ ନାରୀ ସଂଯୋଜକ ଚରିତ୍ର ସୃଷ୍ଟି କରିଯାଇଛନ୍ତି । ଏମାନଙ୍କ ମଧ୍ୟରେ ‘ଇନ୍ଦୁମତୀ’ର ଅଜଜନନୀ, ‘ପ୍ରଣୟ ବଲ୍ଲରୀ’ର ଗୌତମୀ, ‘ତପସ୍ୱିନୀ’ର ଅନୁକମ୍ପା ପ୍ରଭୃତି ଚରିତ୍ର ପ୍ରଧାନ । ଏମାନଙ୍କ ମଧ୍ୟରୁ ଅଜଜନନୀ ଓ ଅନୁକମ୍ପା ଚରିତ୍ର ଦୁଇଟି କବିଙ୍କ କଳ୍ପନାଜାତ ନୂତନ ଚରିତ୍ର । ତେବେ ଇନ୍ଦୁମତୀ କାବ୍ୟ ପ୍ରବାହରେ ଅଜଜନନୀଙ୍କ ସ୍ୱପ୍ନ ଦର୍ଶନ ଓ ବିଳାପ ପ୍ରସଙ୍ଗ ସେପରି ଉଲ୍ଲେଖନୀୟ ଆବେଦନ ସୃଷ୍ଟି କରିପାରି ନାହିଁ, କିନ୍ତୁ ଅନୁକମ୍ପା ‘ତପସ୍ୱିନୀ’ କାବ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ।

 

‘ମୂଳ ରାମାୟଣ’, ‘ରଘୁବଂଶ’ ଏବଂ ‘ଉତ୍ତର ରାମଚରିତ’ରେ ଅନୁକମ୍ପାର ନାମ ସୁଦ୍ଧା ଉଚ୍ଚାରିତ ହୋଇନାହିଁ । ଏ ସବୁ ଗ୍ରନ୍ଥଗୁଡ଼ିକରେ ତାପସୀମାନଙ୍କର ଗତାଗତ ଦେଖିବାକୁ ମିଳେ । ‘ଦାଣ୍ଡୀ ରାମାୟଣ’ରେ ବଳରାମ ଦାସ ବାଲ୍ମୀକିଙ୍କ ସହଧର୍ମିଣୀ ରୂପେ ‘ଧର୍ମବତୀ’ଙ୍କୁ ଆବିଷ୍କାର କରିଛନ୍ତି । ଧର୍ମବତୀ ଆଶ୍ରମ ପରିବେଶ ମଧ୍ୟରେ ସୀତାଙ୍କୁ ଦୁହିତା ସମାନ ପ୍ରତିପାଳନ କରିଛନ୍ତି ବୋଲି କବି ଉଲ୍ଲେଖ କରିଥିଲେ ମଧ୍ୟ ତାଙ୍କ ପ୍ରତିପାଳନ କାର୍ଯ୍ୟର ରୂପରେଖ ସେତେ ପ୍ରାଞ୍ଚଳ ନୁହେଁ-। ଗଙ୍ଗାଧରଙ୍କ ଅନୁକମ୍ପା ବାଲ୍ମୀକି ଋଷିଙ୍କି ସହଧର୍ମିଣୀ ନୁହନ୍ତି, ତାଙ୍କ ଆଶ୍ରମସ୍ଥିତା ଜଣେ ବୃଦ୍ଧା ତାପସୀ ମାତ୍ର । ଆଶ୍ରମ ପରିବେଶ ମଧ୍ୟରେ ଅନ୍ତଃସତ୍ତ୍ୱା ସୀତାଙ୍କ ଶୁଶ୍ରୂଷା ନିମିତ୍ତ ଜଣେ ଜନନୀପ୍ରାଣ ନାରୀ ଚରିତ୍ରର ଆବଶ୍ୟକତା ଦୃଷ୍ଟିରୁ ଗଙ୍ଗାଧର ଅନୁକମ୍ପାକୁ ସୃଷ୍ଟି କରିଛନ୍ତି । ଅତଏବ ଆଶ୍ରମ ପ୍ରବେଶ ମାତ୍ରେ ଶୋକସନ୍ତପ୍ତା ଦୁଃଖିନୀ ସୀତାଙ୍କୁ କୋଳେଇ ନେଇ ସେ ନିଜ କର କମଳରେ ପୋଛି ଦେଇଛନ୍ତି ସତୀଙ୍କ ଭାଲ କପୋଳ । ବୈଦେହୀଶଙ୍କ ଦୁଃଖଦଗ୍ଧ ଜୀବନକୁ ମମତା-ପ୍ରପାତ-ସ୍ନେହ-ବାରିପାତରେ ଶୀତଳ କରିଦେଇ ତାଙ୍କୁ କୋମଳ ସ୍ୱରରେ ଅନୁକମ୍ପା କହିଛନ୍ତି –

 

‘‘ଦିନ ଯାକ କରି ନଥିବୁ ପରା କିଛି ଆହାର

ପୁଅ କରୁଥିବ ଗରଭେ ଚଳି ପାଦ ପ୍ରହାର

ଖାଅମା ! ଖାଅମା ! ମା’ ଘରେ ତୋର ଅଛି କି ଲାଜ

ଚାହିଁ ରହିଛନ୍ତି ତୋତେ ତୋ ଏହି ସଖୀ ସମାଜ ।’’

 

ତା’ପରେ

‘‘ଅବଶେଷ ଆଉ ଦିଓଟି ଆଉ ଦିଓଟି ବୋଲି

ଭୁଞ୍ଜାଇଲେ ସେହୁ ସତୀଙ୍କି ଆଠ ଦଶଟି କୋଳି ।’’

ଫଳରେ

‘‘ମାତୃସ୍ନେହ ସୁଖ ନ ଥିଲେ ବୁଝି ବାଲ୍ୟ ଜୀବନେ

ସେହି ସୁଖ ସତୀ ବୁଝିଲେ ଆଜି ବାଲ୍ମୀକି ବନେ ।’’

 

ତପସୀ କନ୍ୟାଙ୍କ ମେଳରେ ଆଶ୍ରମ ଉଦ୍ୟାନରେ ଜଳଦାନରତା ସୀତାଙ୍କୁ ଦେଖିଲେ ଅନୁକମ୍ପାଙ୍କ ଅନ୍ତର-ଗଙ୍ଗୋତ୍ରିରୁ ମାତୃସୁଲଭ ବାତ୍ସଲ୍ୟ-ଗଙ୍ଗା ସ୍ୱତଃ ପ୍ରସବି ଯାଉଥିଲା । ‘‘ସୀତା ମୋର ଜଳ ବୋହି ଜାଣେ ନାହିଁ, ତା’ର କୋମଳ ପ୍ରାଣକୁ କଷ୍ଟ ହେଉଥିବ, ସେ ଅଧିକ ପରିଶ୍ରମ କରିବା ଉଚିତ ନୁହେଁ । ଏପରି କହି ବିଶ୍ରାମ ନିମିତ୍ତ ଅନୁକମ୍ପା ସୀତାଙ୍କୁ ଘେନି ଆସୁଥିଲେ ବୃକ୍ଷତଳ ଶୀତଳ ଛାୟାକୁ । ବାସ୍ତବରେ ଦୟା, ସ୍ନେହ, ମମତା, ଶ୍ରଦ୍ଧା ଓ କରୁଣା ପ୍ରତି ଗଙ୍ଗାଧରୀୟ ବ୍ୟକ୍ତିତ୍ୱର ମୂର୍ତ୍ତିମନ୍ତ ଚରିତ୍ର ରୂପ ହେଉଛି ଅନୁକମ୍ପା । ଅନୁକମ୍ପା ପ୍ରକୃତରେ ଅନୁପମ, ଅତୁଳନୀୟ ।

 

ପ୍ରଣୟ ବଲ୍ଲରୀର ପରିବ୍ରାଜିକା :

ବିଷୟବସ୍ତୁ ପରିବେଷଣ ବେଳେ ଯେଉଁ ସବୁ ସମସ୍ୟା ଉତ୍ପନ୍ନ ହୁଏ, ତା’ର ସମାଧାନ ନିମିତ୍ତ କବି ଏକ କଳ୍ପିତ ଚରିତ୍ରର ଆଶ୍ରୟ ନେଇଥାଏ । ଏମାନେ ମାନବୀୟ କିମ୍ୱା ମାନବେତର ଅଥବା ମାନବୋତ୍ତର ଚରିତ୍ର ହୋଇପାରନ୍ତି । ବିଷୟବସ୍ତୁର ପରିବେଶ ପରିସ୍ଥିତି ଏବଂ ସମସ୍ୟାଟିର ଜଟିଳତାକୁ ଦୃଷ୍ଟିରେ ରଖି ଏପରି ସଂଯୋଜକ ଚରିତ୍ରମାନଙ୍କର ବଳପରାକାଷ୍ଠା, ଯୋଗ୍ୟତା ପ୍ରଭୃତି ନିରୂପିତ ହୋଇଥାଏ । ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ରେ ଏପରି ଏକ ମାନବୀୟ ନାରୀ ସଂଯୋଜକ ଚରିତ୍ରର ସନ୍ଧାନ ମିଳେ । ଏ କାବ୍ୟ ପରିବେଷଣ ବେଳେ କବି ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ତାହା ହେଲା-ପତି-ପୁର-ଗମନ କାଳରେ ଶକୁନ୍ତଳା ପାଇଁ କଣ୍ୱମୁନି ବହୁବିଧ ମହାର୍ଘ ଅଳଙ୍କାରର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଆଶ୍ରମ ପରିବେଶରେ ଆଜନ୍ମ ପରିପାଳିତା ମୁନିକୁମାରୀମାନେ ଶରୀରରେ ବିବିଧ ଅଳଙ୍କାର ନିଯୋଜନର ସ୍ଥାନ ଓ ପରିପାଟୀ ନଜାଣିବା ସ୍ୱାଭାବିକ । ତେବେ ଶକୁନ୍ତଳାକୁ ବର୍ତ୍ତମାନ ସେସବୁ ଅଳଙ୍କାର ନିର୍ଭୁଲ ଭାବରେ ପିନ୍ଧାଇବ କିଏ ? ଏହି ସମସ୍ୟା ସମାଧାନ ନିମିତ୍ତ ଗଙ୍ଗାଧରଙ୍କ ପରିକଳ୍ପନା ଭିତରକୁ ଆସିଯାଇଛି ପରିବ୍ରାଜିକାଟିଏ ।

 

‘‘କହିଦେଲା ତାହା ପରିବ୍ରାଜିକାଏ

ଥିଲା ତାପସୀଙ୍କ ସଙ୍ଗେ

 

ମୁଦେ ପ୍ରିୟମ୍ୱଦା ଭୂଷା ନେଇ ମଣ୍ଡି

ଦେଲା ଶକୁନ୍ତଳା ଅଙ୍ଗେ ।’’

 

ଏ ପରିବ୍ରାଜିକାଟିଏ କିଏ ? ସେ ବା କାହିଁକି ମୁନି ଆଶ୍ରମକୁ ଆସି ତାପସୀଙ୍କ ସଙ୍ଗେ ରହିଥିଲା ? କବି ଏ ସକଳ ପ୍ରଶ୍ନର ଉତ୍ତର ପ୍ରତି ନିସ୍ଫୃହ ରହି କେବଳ ସମସ୍ୟା ସମାଧାନ ନିମିତ୍ତ ଚରିତ୍ରଟିକୁ ଗୋଟିଏ ମୁହୂର୍ତ୍ତ ପାଇଁ ଆଣି ବିସ୍ତୃତ ହୋଇଯାଇଛନ୍ତି । ଏ କ୍ଷେତ୍ରରେ କାଳିଦାସଙ୍କ କଳ୍ପନା ଅବଶ୍ୟ ଉଲ୍ଲେଖନୀୟ । କାଳିଦାସଙ୍କ ‘ଅଭିଜ୍ଞାନଶାକୁନ୍ତଳମ୍‌’ରେ ଆଲୋଚ୍ୟ ପ୍ରସଙ୍ଗରେ କୌଣସି ନୂତନ ସଂଯୋଜକ ଚରିତ୍ରର ଆବିର୍ଭାବ ଘଟିନି । ସଖୀ ଅନସୂୟା ପ୍ରିୟମ୍ୱଦାଙ୍କ ମାଧ୍ୟମରେ ହିଁ ଏ ସମସ୍ୟା ହୋଇଛି ସମାହିତ । ସଖୀଦ୍ୱୟ ଶକୁନ୍ତଳାଙ୍କ କହୁଛନ୍ତି ‘‘ସଖୀ ! ଅଳଂକାରାଦିଭୂଷଣର ବ୍ୟବହାର ସମ୍ପର୍କରେ ଆମେ ଅଜ୍ଞ । ତେଣୁ ଚିତ୍ରକର୍ମ ବା ଚିତ୍ରପଟ୍ଟମାନଙ୍କରେ ଯେପରି ଦେଖିଛୁ, ସେହିପରି ତୋ ଦେହରେ ପିନ୍ଧାଇ ଦେଉଛୁ ।’’ କାଳିଦାସଙ୍କ ଏ ପରିକଳ୍ପନା କେତେ ଯଥାର୍ଥ, ତାହା ଲକ୍ଷ୍ୟ କରିବାର କଥା । କିନ୍ତୁ ଏପରି ବାସ୍ତବ ପରିକଳ୍ପନା ଥିବା ସତ୍ତ୍ୱେ ଗଙ୍ଗାଧର ଏ ପ୍ରସଙ୍ଗରେ ଜଣେ ଅଜ୍ଞାତ ପରିବ୍ରାଜିକାକୁ ସୃଷ୍ଟି କରିବାର କାରଣ ସମ୍ପର୍କରେ ଜିଜ୍ଞାସା ସୃଷ୍ଟି ହୁଏ । ବୋଧହୁଏ କବିଙ୍କ କଳ୍ପନାରେ, ଆଶ୍ରମ-ପାଳିତା ମୁନିକୁମାରୀମାନେ କୌଣସି ଏକ ଭୂଷଣ ବିଭୂଷଣ ଜନପଦ ନାରୀର ଚିତ୍ରପଟ ଦର୍ଶନର ସୁଯୋଗ ପାଇବା ସମ୍ଭବ ନହୋଇପାରେ । ପୁଣି ଏ ତାପସୀମାନେ ଚିତ୍ରପଟକୁ ତନ୍ନତନ୍ନ କରି ଆଗ୍ରହ ସହିତ ଦେଖିଥିଲେ ହିଁ ଅଳଙ୍କାର ପରିଧାନ ପରିପାଟୀକୁ ବୁଝିବା ସମ୍ଭବ ।

 

ଗଙ୍ଗାଧର ତାଙ୍କ ତାପସୀ କନ୍ୟାମାନଙ୍କୁ ଏ ପ୍ରକାର ମାନସିକ ରୂପ ଦେବାପାଇଁ ଅନିଚ୍ଛୁକ ଥିବେ ନିଶ୍ଚୟ । ତେଣୁ କାବ୍ୟ ସମସ୍ୟା ସମାଧନ ନିମିତ୍ତ ମେହେର କବିଙ୍କ କଳ୍ପନା ଭିତରକୁ ଆସିଯାଇଛି ଅନୁଭୂତି ସମ୍ପନ୍ନା ଏକ ପରିବ୍ରାଜିକା । (କ୍ରମଶଃ)

 

 

ଅଧ୍ୟାପକ, ଓଡ଼ିଆ ବିଭାଗ,

ଏରୋନଟିକ୍ସ ମହାବିଦ୍ୟାଳୟ, ସୁନାବେଡ଼ା, କୋରାପୁଟ

***

 

ଅନୁବାଦ ସାହିତ୍ୟ

ସ୍ୱିଡିସ୍‌ କବିତା ମାଳା

 

ପାର୍‌ ଲାଗର୍‌ ଭିସ୍ତ (୧୮୯୧-୧୯୭୪) ଆଧୁନିକ ସୁଇଡିସ୍‌ କବିତାର ଏକ ପ୍ରମୁଖ ସ୍ୱର-। ତାଙ୍କର ୯ଟି କବିତା ବହି ପ୍ରକାଶି । ଶେଷ କବିତାଗ୍ରନ୍ଥ ‘‘ସନ୍ଧ୍ୟାର ଦେଶ’’ ତାଙ୍କ ଜୀବନର ଶେଷ କେତେବର୍ଷର, ସନ୍ଧ୍ୟା-ସମୟର ସୃଷ୍ଟି । ପ୍ରଖ୍ୟାତ ଇଂରେଜୀ କବି W.H. Auden ଏଇ ସଙ୍କଳନ ସୁଇଡିସ ଭାଷାରେ Aftonland ର ଅନୁବାଦକ । ଏ ଅନୁବାଦ କାର୍ଯ୍ୟରେ ସେ ସୁଇଡିସ ଲେଖକ ଲାଇଫ୍‌ ସୋବର୍ଗଙ୍କ ସହାୟତା ନେଇଥିଲେ । ସେଇ ଇଂରେଜୀ ସଂକଳନରୁ ଏ ତିନୋଟି କବିତା ଅନୂଦିତ । ମୂଳଲେଖାରେ ଶୀର୍ଷକହୀନ । ଶୀର୍ଷକ ମୁଁ ଦେଇଛି ଲାଗର୍‌ଭିସ୍ତ କବିତା ପାଇଁ ନୁହେଁ । ତାଙ୍କ ଉପନ୍ୟାସ ‘‘ବାରମାସ୍‌’’ ପାଇଁ (ଯାହା ୧୯୫୦ରେ ପ୍ରକାଶିତ) ନୋବେଲ୍‌ ପୁରସ୍କାର ପାଇଥିଲେ । ଏଇ ତିନୋଟି କବିତା ପରି ତାଙ୍କର ‘ସନ୍ଧ୍ୟାର ଦେଶ’ର ସବୁ କବିତାରେ ଚାରୋଟି ସ୍ୱର ଲକ୍ଷଣୀୟ । ସେଗୁଡ଼ିକ ହେଲା- ମୃତ୍ୟୁର ଅନୁଭବ କଥା, ପୁରୁଣା ସୁଖ ଓ ଦୁଃଖ ଏକାତ୍ମ ହେବା କଥା, ପୃଥିବୀର ଅପାଶୋରା ସୌନ୍ଦର୍ଯ୍ୟଠୁଁ ବିଦାୟ ନେବା କଥା ଓ ହୁଏତ ନ ଥିବା ଜଣେ ବିଶ୍ୱନିୟନ୍ତାଙ୍କ ସହ ସମ୍ପର୍କର କଥା ।

ଅନୁବାଦକ

 

 

ପାର୍‌ ଲାଗର୍‌ ଭିସ୍ତଙ୍କ ତିନୋଟି କବିତା

ଅନୁବାଦ-ସୀତାକାନ୍ତ ମହାପାତ୍ର

 

Unknown

ମେଘମାଳା ପରି

 

ମେଘମାଳା ପରି

ପ୍ରଜାପତିଙ୍କ ପରି

ଦର୍ପଣ କାଚରେ ନିଃଶ୍ୱାସ ନେଉଥିବା

ଆଲୋକ ରଶ୍ମିପରି ।।

 

ସମ୍ପୁର୍ଣ୍ଣ ଆକସ୍ମିକ

କ୍ଷଣଭଙ୍ଗୁର ମୁହୂର୍ତ୍ତକେ ଅନ୍ତର୍ହିତ ।।

ସାରା ବିଶ୍ୱ । ସମଗ୍ର ଆକାଶର

ସୃଷ୍ଟିକର୍ତ୍ତା । ସଭିଙ୍କ ଭାଗ୍ୟନିୟନ୍ତା

ହେ ମହାପ୍ରଭୁ

ମୋତେ ସର୍ଜନା କରିବା ପଛରେ

ତୁମର କି ଉଦ୍ଦେଶ୍ୟ ନିହତ, ସତେ ! ।।

 

***

 

ଶୂନ୍ୟତା

 

ଅନୁପସ୍ଥିତିକୁ ବଳି ଆଉ କ’ଣ ଗଭୀରତର ?

ଶୂନ୍ୟତା ପରି ଆଉ କିଏ

ହୃଦୟକୁ ଭରିଦିଏ ? ।।

 

ଯାହା କେଉଠିଁ ବି ନ ଥାଏ

ସେଇ ନ ଥିବା କଥା ଅନ୍ତରାତ୍ମା ବି ଜାଣିଥାଏ

ତଥାପି ତା’ରି ପାଇଁ ଯେଉଁ ପିପାସା

ତାକୁ ବଳି ଆତ୍ମାକୁ ଆଉ କ’ଣ ଭରିଦେଇପାରେ ?

 

ତୁମଠିଁ ହିଁ ସଭିଏ ଶାନ୍ତି ପାଆନ୍ତି

ତୁମରି ଅଗ୍ନିରେ ଜଳି ଯାଆନ୍ତି

ତୁମରି ଜ୍ୱଳନ୍ତ ବାହୁରେ ଆଶ୍ରା ନିଅନ୍ତି ।।

 

କିନ୍ତୁ ମୋ ଶୂନ୍ୟତା ପାଖରେ

ତାଙ୍କର ଆନନ୍ଦ କେଡ଼େ ନିଊନ,

ତୁମ ସହ ମିଳନରେ ତାଙ୍କର ସେଇ ଦୀପ୍ତି

ମୋ ନିର୍ଜ୍ଜନତା ସହ ତୁଳନା ହୋଇପାରେନ ।।

***

 

ତୁମ ହାତରେ

 

ଅଚିହ୍ନା ତୁମ ହାତରେ

ମୋତେ ଧରି ରଖ;

ଛାଡ଼ି ଚାଲିଯାଅନି ।।

 

ମୋତେ ନେଇଯାଅ

ସକାଳର ଉଜ୍ଜ୍ୱଳ ପୋଲଙ୍କ ଉପରେ

ମୁଣ୍ଡ ଘୂରିଯିବା ସେଇ ଗଭୀରତା ଉପରେ

ଯୋଉଠି ତୁମେ ଅନ୍ଧାରକୁ

ବନ୍ଦୀ କରି ରଖିଛ ।।

 

କିନ୍ତୁ ଅନ୍ଧାର ଯେ ଦୀର୍ଘକାଳ

ବନ୍ଦୀ ହୋଇ ରହି ପାରିବନି

ଖୁବ୍‌ ଶୀଘ୍ର ତୁମ ପୋଲମାନଙ୍କ ଉପରେ

ସଞ୍ଜ ନଇଁ ଆସିବ:

ହୁଏତ ମୁଁ ସେତେବେଳେ

ନିଜକୁ ଖୁବ୍‌ ଏକେଲା ମଣିବି ।।

 

***

 

ରେଳପଥ

 

ରାତିଦୁଇ, ଜହ୍ନ ଆଲୁଅ

ରେଳଗାଡ଼ି ଅଟକିଛି ଗହନ ବିଲମାଳରେ;

 

ସହର ଆଲୋକମାଳା ଶୀତଳ, ଦପ୍‌ଦପ୍‌

କାହିଁ କେତେ ଦୂରରେ, ଦିଗନ୍ତରେ ।

 

ଠିକ୍‌ ଯେମିତି ମଣିଷଟିଏ ବୁଡ଼ିଯାଏ

ଏତେ ଗଭୀର ସ୍ୱପ୍ନରେ ଯେ

ପୁଣି ଥରେ ନିଜ କୋଠରୀକୁ ଫେରିଆସିଲେ

ତା’ର ଆଉ ମନେ ପଡ଼େନି ।

 

ଭୟଙ୍କର ଅସୁସ୍ଥତାରେ ହନ୍ତସନ୍ତ

ମଣିଷଟିର ସକଳ ଦିନଗୁଡ଼ିକ

କୁଳୁକୁଳୁ କରୁଛନ୍ତି ଯେମିତି

ନିଷ୍ପ୍ରଭ ଶୀତଳ ଦିଗନ୍ତରେ ।

 

***

 

ଗୋଧୂଳିରେ ସବୁ ଦିଶେ ସୁନ୍ତର......ସୁନ୍ଦର

 

ପାର୍‌ ଲାଗର୍‌ ଭିସ୍ତ

ଅନୁବାଦ – ଡଃ ଶକୁନ୍ତଳା ବଳିଆର ସିଂହ

 

ସବୁକିଛି ହାତରେ ସାଉଁଳା,

ସବୁକିଛି ସ୍ପର୍ଶରେ କାତର ।

ନିଜେ ଇ ଈଶ୍ୱର ଲିଭାଇ ଦିଅନ୍ତି ଯେତେ

ସୀମାରେଖା ବାଲୁକା ବେଳାର ।

 

ସବୁକିଛି ନିକଟରେ, ସବୁକିଛି ସୁଦୂର ସୁଦୂର ।

ସବୁକିଛି ଋଣ ଈଶ୍ୱରର

କିଛି ନୁହେଁ କିଛି ନୁହେଁ ନୁହେଁ ମଣିଷର ।

 

***

 

ପବିତ୍ର ଭୂମି

ମୂଳ ସ୍ୱୀଡିସ୍‌ ରଚନା – ପାର୍‌ ଲାଗର୍‌ ଭିସ୍ତ୍‌

ଅନୁବାଦ – କ୍ଷୀରୋଦ ପରିଡ଼ା

 

ପାର ଫାବିୟାନ ଲାଗର୍‌ ଭିସ୍ତ – ୧୯୮୧ ମସିହା ମେ, ୨୩ରେ ସ୍ୱୀଡ଼େନର ଭେଖିଓ ନାମକ ଛୋଟ ସହରରେ ତାଙ୍କର ଜନ୍ମ । ପ୍ରଥମ ବିଶ୍ୱଯୁଦ୍ଧ କାଳରେ ଡେନମାର୍କରେ ଅବସ୍ଥାନ ସମୟରେ ତାଙ୍କର ଲେଖକ ଜୀବନର ଆରମ୍ଭ । ୧୯୨୦ ମସିହାର ପରବର୍ତ୍ତୀ କାଳରେ ତାଙ୍କର ଇଟାଲି ଓ ପ୍ରାନ୍ସରେ କିଛି ବର୍ଷ ଅତିବାହିତ । ୧୯୧୩ ମସିହାରେ ପ୍ରଥମ ପୁସ୍ତକ ଭାବରେ ତାଙ୍କର ପ୍ରବନ୍ଧ ସଙ୍କଳନ ପ୍ରକାଶିତ ହୁଏ । ଠିକ୍‌ ଏଇ ସମୟରୁ ସେ ସମାଜବାଦ ପ୍ରତି ବିଶେଷଭାବେ ଆକୃଷ୍ଟ ହୁଅନ୍ତି । ମଣିଷ ସମାଜର ବିଭିନ୍ନ ସ୍ଥିତିକୁ ନେଇ ତାଙ୍କ ଭିତରେ ଈଶ୍ୱରଙ୍କ ଅସ୍ତିତ୍ୱରେ ସଂଶୟ, ନୈରାଶ୍ୟ ସ ନାଜିବାଦ ପ୍ରତି ବିଦ୍ରୋହାତ୍ମକ ସ୍ୱର ଦେଖାଦିଏ । ଫଳତଃ ତାଙ୍କ ରଚନା ସମାଜବାଦ, ନୈରାଶ୍ୟ ଓ ଈଶ୍ୱରଙ୍କ ସମ୍ପର୍କରେ ଦାର୍ଶନିକ ପ୍ରଶ୍ନ ସମାହିତ । ୧୯୫୦ରେ ପ୍ରକାଶିତ ତାଙ୍କର ‘ବାରବାସ’ ଉପନ୍ୟାସ ଆନ୍ତର୍ଜାତୀୟ ସ୍ତରରେ ଖୁବ୍‌ ଲୋକପ୍ରିୟତା ଅର୍ଜନ କରେ । ୧୯୫୧ ମସିହାରେ ତାଙ୍କୁ ସ୍ୱୀଡ଼ିଶ୍ ଭାଷାର ସୃଜନ କୃତି ନିମିତ୍ତ ନୋବେଲ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଏ । ତାଙ୍କର ଅଧିକାଂଶ ଉପନ୍ୟାସର ନାଟ୍ୟରୂପ ତଥା ମୌଳିକ ନାଟକ ମଞ୍ଚସ୍ଥ ହୋଇ ବିପୁଳ ସମ୍ମାନର ଅଧିକାରୀ ହୁଅନ୍ତି । ଏକ ପ୍ରତିଷ୍ଠିତ ସ୍ୱୀଡିଶ୍‌ ସାହିତ୍ୟ ପତ୍ରିକାର ନାଟ୍ୟ ସମାଲୋଚକ ଭାବେ ମଧ୍ୟ ସେ କଛିକାଳ କାର୍ଯ୍ୟ କରିଛନ୍ତି । ତାଙ୍କର ଚିନ୍ତାଶୀଳ ପ୍ରବନ୍ଧ ପୁସ୍ତକଗୁଡ଼ିକ ମଧ୍ୟରେ ସମାଜବାଦ-ଦର୍ଶନର ‘ଲିଟେରାରୀ ଆଣ୍ଡ ପିକ୍ଟୋରିଆଲ୍‌ ଆର୍ଟ’ (୧୯୧୩), ନୈରାଶ୍ୟବାଦର ପ୍ରବନ୍ଧ ‘ଆଙ୍ଗଇସ୍‌’ (୧୯୧୬), ପୁନଶ୍ଚ ଆଶାବାଦ ଉପରେ ପର୍ଯ୍ୟବେସିତ ‘ଦି ଏକ୍‌ଷ୍ଟ୍ରନାଲ ସ୍ମାଇଲ୍‌’ (୧୯୩୪), ଆତ୍ମଜୀବନୀ ମୂଳକ ପ୍ରବନ୍ଧ ‘ଗେଷ୍ଟ ଅଫ ରିଅଲିଟି’ (୧୯୨୫) ଓ ସ୍ୱଗତୋକ୍ତି ମୂଳକ ପ୍ରବନ୍ଧ ‘ଟ୍ରାମ୍ଫି ଓଭର ଲାଇଫ୍‌’ (୧୯୨୭) ପ୍ରଭୃତି ଅନ୍ୟତମ ।

 

ବାରାବାସ, ଦି ସିବିଲ୍‌, ଦି ଡେଥ୍‌ ଅଫ୍‌ ଆବାସୋରସ୍‌ ଏବଂ ପିଲ୍‌ଗ୍ରିମ୍‌ ଆଟ୍‌ ସି ପ୍ରଭୃତି ଧାରାବାହିକ ଉପନ୍ୟାସ କ୍ରମରେ ‘ଦି ହୋଲିଲ୍ୟାଣ୍ଡ’ ହେଉଛି ପଞ୍ଚମ ଓ ଅନ୍ତିମ ଉପନ୍ୟାସ ଯାହା ୧୯୬୪ ମସିହାରେ ପ୍ରକାଶିତ । ‘ଦି ହୋଲିଲ୍ୟାଣ୍ଡ’ରେ ସରଳ ନିଷ୍ପାପ ମଣିଷମାନଙ୍କର ଈଶ୍ୱରଙ୍କ ଅସ୍ତିତ୍ୱକୁ ନେଇ କୌତୁହଳ, ସଂଶୟ, ବିତର୍କର କଥା କୁହାଯାଇଛି, ଯେଉଁଥିରେ ମଧ୍ୟ ରହିଛି ଓ ନୈରାଶ୍ୟର ପଟ୍ଟଭୂମି । ତହିଁରେ ତରଙ୍ଗାୟିତ ହୁଏ ଦର୍ଶନର ଉର୍ମିମାଳା । ମୂଳ ସ୍ୱୀଡ଼ିଶ୍‌ ଉପନ୍ୟାସର ଇଂରାଜୀ ଭାଷା ମଧ୍ୟରେ ଓଡ଼ିଆ ରୂପାନ୍ତରିତ ହୋଇଛି ଏହାର ପ୍ରଥମ ପରିଚ୍ଛେଦ । ସମଗ୍ର ଉପନ୍ୟାସର ଭିତ୍ତି, ସ୍ଥିତି, କଥନ ଓ ଚିନ୍ତନ ଏଥିରେ ଉଣାଧିକେ ପ୍ରତିଫଳିତ ଯାହାକୁ ପ୍ରାୟତଃ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଉପନ୍ୟାସର ସଂକ୍ଷିପ୍ତ ତଥା ମର୍ମରୂପ ବୋଲି ବିଚାର କରାଯାଇପାରେ । ଏଇ ବିଶ୍ୱବିଖ୍ୟାତ ଲେଖକଙ୍କର ବିଶ୍ୱସାହିତ୍ୟକୁ ରହିଛି ବହୁ ଉପନ୍ୟାସ, ଗଳ୍ପ, ପ୍ରବନ୍ଧ, ନାଟକ ଓ ଖଣ୍ଡେ କବିତାର ପୁସ୍ତକ । ୧୯୭୪ ଜୁଲାଇ ୧୧ ତାରିଖରେ ତାଙ୍କର ପରଲୋକ ପ୍ରାପ୍ତି ହୁଏ ।
 

ଯେତେବେଳେ ଗିଓଭାନି ବାର୍ଦ୍ଧକ୍ୟ ଓ ଅନ୍ଧତ୍ୱ ହେତୁ ଜାହାଜ ଭିରେ କାର୍ଯ୍ୟ ନିମିତ୍ତ ଆପାଙ୍‌କ୍ତେୟ ହୋଇଗଲା ଦିନେ ତାକୁ ସମୁଦ୍ର କୂଳର ଏକ ଅଜଣା ଜାଗାରେ ଓହ୍ଲାଇ ଦିଆଗଲା । ଟୋବ୍ୟାସ୍‌ ମଧ୍ୟ ଥିଲା ତାହା ସହିତ । ଗୋଧୂଳି ବେଳା, ଅନ୍ଧାର ଘନେଇ ଆସୁଛି; ରାତି ବିତାଇବା ପାଇଁ ଟିକିଏ ଆଶ୍ରୟ ସକାଶେ ଟୋବ୍ୟାସ ଚାହିଁଲା ଚାରିଆଡ଼କୁ । ଦିଶୁନଥାଏ କେଉଁଠି ହେଲେ ରହଣି ପାଇଁ ଘରଟିଏ । ଗିଓଭାନିକୁ ତ କିଛି ଦିଶୁନଥାଏ । ବିସ୍ତୀର୍ଣ୍ଣ ଅପନ୍ତରାରେ କେବଳ ଦିଶୁଥାଏ କିଛି ଭଗ୍ନ ଗମ୍ୱୁଜ ଓ କାନ୍ଥ–ପ୍ରାଚୀନ କାଳର କେଉଁ ଏକ ଧ୍ୱଂସାବଶେଷ ଯେମିତି ନିଷ୍ଠୁର ଆକାଳ ତଳେ କାଳ ସହିତ ମୁକାବିଲା କରି ଠିଆହୋଇଛି । ସେଇ ରାତିର ଶୀତ ଓ ଥଣ୍ଡା ଲହରୀ ଦାଉରୁ ରକ୍ଷା ପାଇବାକୁ ଇଏ ହୁଏତ ରାତିଟିଏ ପାଇଁ ହୋଇପାରେ ବିଶ୍ରାମସ୍ଥଳୀ । ଯାହା ବ୍ୟତିରେକ ଆଉ କେଉଁଠି କିଛି ହେଲେବି ଆଶ୍ରୟସ୍ଥଳୀ ଦିଶୁନି । ଦୁହେଁ ଆଗେଇଲେ ତାହାରିଆଡ଼େ । ଅନ୍ଧବୃଦ୍ଧର ହାତଧରି ଟୋବ୍ୟାସ ଚାଲିଲା ଏକ ତୀର୍ଥଯାତ୍ରୀ ଭଳି ସମୁଦ୍ର କୂଳର ସେଇ ଆଡ଼କୁ । ସେଇଠି ସବୁ କିଛି ସ୍ଥିର; ଅତୀତର ମୂକସାକ୍ଷୀ ପରିତ୍ୟକ୍ତ ଭଗ୍ନ ପ୍ରାସାଦର ଅବଶେଷ ପରି । ଚାରିଆଡ଼େ ଖାଲି ଯାହା ବହଳ ସବୁଜ ଘାସର ବିସ୍ତରଣ । ଅନ୍ଧ ଲୋକଟି ପଚାରିଲା କେଉଁଠିକୁ ତାକୁ ନିଆଯାଉଛି । କିନ୍ତୁ ଟୋବ୍ୟାସ୍‌ ରହିଥିଲା ନିରୁତ୍ତର ।

 

ଅନ୍ଧାର ମାଡ଼ିଆସୁଥିଲା । ପ୍ରସ୍ତର ସ୍ତମ୍ଭ ଓ ଭଗ୍ନ ଛାତର ଝୁଲନୀ ଅବସ୍ଥା ତାଙ୍କର ଗତିରୋଧ କଲା । ସେଇଠି ଅନ୍ତତଃ ରାତି କଟେଇ ପାରିବା ଭଳି, ଏକ କୋଣରେ ଆଉଜି ହେଲା ଭଳି ସ୍ଥାନଟିଏ ନିରୂପଣ କରିଲା ଟୋବ୍ୟାସ୍‌ । ଥକ୍କା ହେତୁ ନେଇ ମୁହୂର୍ତ୍ତ ପରେ ଶୋଇପଡ଼ିଲେ ଦୁହେଁ ସେଇ ଜାଗାରେ । ଖୁବ୍‌ ସକାଳୁ ନିଦରୁ ଉଠିଲେ ଓ ଟୋବ୍ୟାସ୍‌ ଚାହିଁ ଚକିତ ହେଲା ଗତରାତିଟି କଟାଇଥିବା ପରିତ୍ୟକ୍ତ ପ୍ରାସାଦର ସେଇ ଅପାଙ୍‌କ୍ତେୟ ଥାନଟିକୁ ଦେଖି । କହିଲା ଏଇ ଜାଗାଟି କେବେ ମଣିଷମାନଙ୍କ ପାଇଁ ରହିବାର ଜାଗା ହୋଇ ନପାରେ ଏବଂ ତା’ର ଅନ୍ଧ ସହଚରକୁ ସେଇ ପାରପାଶ୍ୱିକ ଅବସ୍ଥା ସଂକ୍ରାନ୍ତରେ ବୁଝାଇବାକୁ ଚେଷ୍ଟାକଲା । ଗିଓଭାନି ଉଠିପଡ଼ିଲା ଓ ତା’ର ଶିରାଳ ବୟସ୍କ ହାତ ଦୁଇଟିରେ ଅଣ୍ଡାଳିଲା ଆକାଶ ଆଡ଼କୁ ଉତ୍‌କ୍ଷିପ୍ତ ସ୍ତମ୍ଭମାନଙ୍କୁ । ବୃଦ୍ଧଟି ଜୋର୍‌ ଦେଇ କହିଲା – ‘ନା, ଇଏ ତା’ ହୋଇ ନ ପାରେ । ପଥର ସବୁ କ୍ଷୟପ୍ରାପ୍ତ ହୋଇ ଗଲାଣି ବହମାନ ଋତୁଚକ୍ରରେ । ସିଏ ଠିଆ ହୋଇ ଚାହିଁ ରହିଲା ସତେ ଯେମିତି ସେ ମୋଟେ ଅନ୍ଧ ନୁହେଁ ଆଉ ଚତୁଃପାର୍ଶ୍ୱର ସମସ୍ତ ପରିବେଶକୁ ତନଖି ପାରିବାର ଓ ଅନୁଭବ କରିପାରିବାର ସାମର୍ଥ୍ୟ ତାହାହିଁ ରହିଛି ।

 

‘‘ଆମେ ସବୁ ବହୁଦିନ ସମୁଦ୍ରରେ ରହିଲେ, ମନ୍ଦିର ସବୁ ପରିତ୍ୟକ୍ତ ଧ୍ୱଂସାଭିମୁଖୀ ହୋଇଗଲା । ଆଉ ୟା’ଭିତରେ ଈଶ୍ୱରମାନେ କ’ଣ ମୃତ ହୋଇଗଲେ ? ସତରେ କ’ଣ ତମେ ସେମିତି ଏକ ଘଟଣାକୁ ସ୍ୱାଗତ କରୁଛ ?’’ – ଟୋବ୍ୟାସ୍‌ କହିଲା । ମାତ୍ର ତା’ର ସ୍ୱର ତା’ର ପ୍ରତିବାଦକୁ ପ୍ରତାରଣା କରୁଥିଲା ।

 

ବୁଦ୍ଧ କହିଲା- ‘ହଁ ସତରେ । ମାତ୍ର ଟୋବ୍ୟାସ୍‌ ବୁଦ୍ଧର ସେଇ ଶୂନ୍ୟ, ସଙ୍କେତହୀନ ଆଖି ଦୁଇଟିକୁ ଆଡ଼େଇ ଯିବାକୁ ଚେଷ୍ଟା କରୁଥିଲେ ଓ ସେଇ ଭଗ୍ନାବେଶକ ଉପରେ ଛିଡ଼ା ହୋଇଥିବା ଅବକ୍ଷୟୀ ସ୍ତମ୍ଭମାନଙ୍କ ଆଡ଼େ ଚାହିଁଲା।

 

ସକାଳୁ ସକାଳୁ ଖୁବ୍‌ ଥଣ୍ଡା ଲାଗୁଛି । ଯାଏଁ, କିଛି ଜାଲେଣି ସଂଗ୍ରହ କରି ଆଣେ, ନିଆଁ ପୋଇଁବା- ସେ କହିଲା ଓ ଆଗେଇ ଗଲା । ଅତୀତରେ ଏଇ ମନ୍ଦିରଟିର ଚାରିକଡ଼ରେ ଥିଲା ବୋଧେ ଘଞ୍ଚ ଗଛବୃକ୍ଷର ଏକ ଉପବନ । ଏସବୁ ଯେମିତି ଏକ ପବିତ୍ର ସଂଯୋଗ ମନ୍ଦିର ସହିତ । ଜଣାପଡ଼ୁଛି ସେଇ ଉପବନ ସବୁ ଏବେ ଧ୍ୱଂସ ପ୍ରାପ୍ତ । ନିଆଁ ଲଗେଇ ଦେଇଛି ବୋଧେ କେହି କେବେ । ସେଇ ସବୁ ଗଛମାନଙ୍କର ଅଧାପୋଡ଼ା ମୂଳସବୁ ଠାଏଠାଏ ଦିଶୁଚି । କଳାରଙ୍ଗର ଦରପୋଡ଼ା ମୂଳସବୁ । ସେମିତି କିଛି ଗଛମୂଳକୁ ଅନାୟସରେ ଭାଙ୍ଗି ସଂଗ୍ରହ କଲା । ଆଉ କିଛି ଶୁଖିଲା ଘାସ ଓ କାଠମୂଳ ସହିତ ଫେରିଲା ସେଇ ମନ୍ଦିର ଓ ଅନ୍ଧବୃଦ୍ଧଙ୍କ ନିକଟକୁ ।

 

ପବନ ବହୁଥାଏ । ସେଇ ଭଙ୍ଗା କାନ୍ଥ ଓ ଖମ୍ୱ କଡ଼ର ଆଶ୍ରୟ ସ୍ଥଳୀରେ ଶୁଖିଲା ମୂଳ ଓ ଘାସରେ ନିଆଁ ଲଗାଇବାରୁ ପ୍ରଚୁର ଧୂଆଁରେ ଆଚ୍ଛାଦିତ ହୋଇଗଲା ସେଇ ଅଞ୍ଚଳ । ସେଇ ଜାଳେଣି ହିଁ ଥିଲା ପ୍ରକୃତରେ କେଉଁ ଦୂରଅତୀତର । ଛୁଇଁଲା ମାତ୍ରେ ହିଁ ଗୁଣ୍ଡ ହୋଇଯାଉଥିଲା । ନିଆଁର ତେଜ ଥିଲା ଖୁବ୍‌ କମ୍‌ । ସେଇ ପ୍ରାଚୀନ ଅଟ୍ଟାଳିକାର ଏଇ ସ୍ଥାନଟି ଥିଲା ବୋଧେ ଗୋଟିଏ କୋଠରୀର ଅଂଶ ବିଶେଷ । ସବୁ କିଛି ମାଟିରେ ମିଶିଯିବାକୁ ଅପେକ୍ଷା କରିଥିଲା ସେଇ ଅବକ୍ଷୟର ଅବୟବ । ମାତ୍ର ସେଇ କୋଣଟି ଠିଆ ଆକାଶକୁ ଚାହିଁରହି । ତାହା ହିଁ ଥିଲା ସେମାନଙ୍କ ରାତ୍ରୀଯାପନର ସ୍ଥାନ । ନିଆଁ ଜଳିଲା ଆଉ ଉଷ୍ମତାରେ ହୋଇଉଠିଲେ ଦୁହେଁ ବିଭୋର-

 

କିଛିକ୍ଷଣ ପରେ ନିକଟେଇ ଆସୁଥିବା କିଛି ପାଦଶବ୍ଦ ଆଉ କ୍ଷୀଣ କଣ୍ଠସ୍ୱରରେ ସେମାନେ ଚକିତ ହୋଇ ଯାଇଥିଲେ । ସେଇ ଭଗ୍ନକାନ୍ଥ ନିକଟରେ ଠିଆ ହୋଇଥିଲେ ଦୁହେଁ ନୀରବରେ, ବିନା କାବ୍ୟ ବିନିମୟରେ । ସେମାନେ ପିନ୍ଧିଥିଲେ ପୁରୁଣା, ଛିଣ୍ଡା, ଢିଲା ପୋଷାକ ଓ ହାତରେ ଧରିଥିଲେ ଛେଳି ଚରାଳିଙ୍କ ପରି ବାଡ଼ି ଖଣ୍ଡେ । ସତରେ ସେଇ ଦୁଇଜଣ ଥିଲେ ଛେଳି ଚରାଳି । ଛେଳି ସବୁ ଆସୁଥିଲେ ପଛେ ପଛେ । ଏଇ ଅଜଣା ଦୁଇ ଆଗନ୍ତୁକଙ୍କୁ ସେଇ ନିରୀହ ପଶୁମାନେ ଚାହିଁଥିଲେ ସେମାନଙ୍କ ପୀତାଭ ଦୃଷ୍ଟିରେ । ଦ୍ୱିଧା ସମାହିତ ଇସାରାରେ ଅନ୍ଧ ଓ ଟୋବ୍ୟାସଙ୍କ ଅନୁମତି ନେଇ ସେଇ ଧୁନି ପାଖରେ ବସିବାକୁ ଚାହିଁଲେ । ଧୂଆଁର କୁଣ୍ଡଳୀ ଦେଖି ସେମାନେ ଏଇ ଧ୍ୱଂସାବଶେଷ ଆଡ଼କୁ ଆସିଥିଲେ; ଭାବିଥିଲେ ହୁଏତ ଏଇଠି କେହି ମଣିଷ ବସବାସ ଆରମ୍ଭ କରିଛନ୍ତି ବୋଲି ଏକ ଧାରଣା ନେଇ ।

 

ସେମାନେ କଥା ହେଉଥିଲେ ଖୁବ୍‌ ଧୀରେଧୀରେ । ପତଳା ମୁହଁରେ ଥିଲା ଦୟାର୍ଦ ସଂକେତ, ଆଖିରେ ଥିଲେ ତନ୍ମୟତାର ଚାହାଣି । ସେଇ ପବିତ୍ର କୋଠରୀର ପଡ଼ିଥିବା କେଉଁକାଳର ସେଇ ସ୍ତମ୍ଭଗୁଡ଼ିକ ଯେମିତି ମୁଣ୍ଡ ଉଠାଇ ଏସବୁ ପ୍ରତ୍ୟକ୍ଷ କରୁଥିଲା ।

 

ଗିଓଭାନି ସେଇ ଦୁଇ ଆଗନ୍ତୁକ ଛେଳି ଚରାଳିଙ୍କୁ ପଚାରିଲା – ‘କ’ଣ ହୋଇପାରେ ଅଜଣା ପ୍ରାସାଦଟି, ସତରେ କ’ଣ ଇଏ ଏକ ମନ୍ଦିର ?’ ପରସ୍ପରକୁ ଚାହିଁଲେ ସେମାନେ । ଜଣେ ଉତ୍ତର ଦେଲା-‘ଆମେ ଜାଣୁନା, ହୋଇପାରେ ସେଇୟା । ପ୍ରକୃତରେ ସେମାନେ ଏ ବିଷୟରେ କିଛି ଜାଣିନଥିଲେ । ସ୍ତମ୍ଭ ସବୁ ସେଇମିତି ଠିଆ ହୋଇଛି ଏଇ ଜାଗାରେ । ମାତ୍ର କେବେଠାରୁ ଓ କେମିତି ଏସବୁ ଘଟିଛି ସେ ସମ୍ପର୍କରେ ସେମାନଙ୍କର କୌଣସି ଧାରଣା ନାହିଁ । ସେଇ ଛେଳିଚରାଳି କହିଲେ – ‘‘ହଠାତ୍‌ ଆମେ ସକାଳୁ ଦେଖିଲୁ ଏଠି ଧୁନି ଜଳୁଛି, ଭାବିଲୁ କେହି ଲୋକ ବୋଧହୁଏ ଏଠାରେ ବସବାସ ଆରମ୍ଭ କଲେଣି ।’’ ଗିଓଭାନି ଉତ୍ତର ଦେଲା – ‘ହଁ, ଏକଥା ଆଶ୍ଚର୍ଯ୍ୟ ଲାଗିପାରେ, ମାତ୍ର ଆମେ ଅନ୍ୟ କୌଣସି ଜାଗା ପାଇଲୁ ନାହିଁ, ଠିକ୍‌ ମଣିଷ ରହିପାରିଲା ଭଳି; କହିପାରିବ ଏଇ ମନ୍ଦିର କେଉଁ ଠାକୁରଙ୍କର ?’’

 

‘‘କେଉଁ ଠାକୁର ? କେଉଁ ଠାକୁରଙ୍କର ??- ପରସ୍ପର ପଚାରିଚାଲିଲେ ଛେଳି ଚରାଳି ଦିହେଁ । କହିଲେ – ‘ନା, ଆମେ ଜାଣିନାହୁଁ ।’’ କିଛିକ୍ଷଣ ସଭିଏଁ ନୀରବ ରହିଲେ । ତା’ପରେ ଅତି ସଂଭ୍ରମ ଓ ଦ୍ୱିଧାଗ୍ରସ୍ତ ଭାବେ ଜଣେ ଛେଳି ଚରାଳି ପଚାରିଲା – ‘ଆପଣମାନେ କେଉଁଠୁ ଆସିଲେ, ଆଉ କେମିତି ଆସିଲେ ।’ ଦୟାକରି କୁହନ୍ତୁ’ – ଆର ଜଣକ ପଚାରିଲା । ଗିଓଭାନିର ଉତ୍ତର ଥିଲା- ‘ସମୁଦ୍ରରୁ’ । ଯଦିଓ ଏଇ ଉତ୍ତର ଅପ୍ରତ୍ୟାଶିତ ନଥିଲା । ସେମାନେ କିନ୍ତୁ ଚକିତ ହୋଇଯାଇଥିଲେ । କେବଳ ଟୋବ୍ୟାସ ସେମାନଙ୍କର ଚକିତ ହୋଇଯିବାର ଦୃଶ୍ୟ ଦେଖୁଥିଲା ଓ କହିଲା – ‘ଆଗରୁ କ’ଣ କେହି କେବେ ସମୁଦ୍ରରୁ ଏଠାକୁ ଆସି ନଥିଲେ ?’ ‘ନା, କେବେ ନୁହେଁ’- ସେମାନେ କହିଲେ । ଗିଓଭାନି କିଛିକ୍ଷଣ ପରେ ବୁଝାଇ କହିଥିଲା – ‘ଆମକୁ ଏଇ ସମୁଦ୍ର କୂଳରେ ଜାହାଜରୁ ଓହ୍ଲାଇ ଦିଆଗଲା !’

 

-      ଜାହାଜ ? ହଁ, ଜାହାଜ । ଏଇ କୂଳରେ ଜାହାଜ ଲାଗିବାର କଥା ନ ହେଉପଛେ ତମେ କ’ଣ କେବେ ଏଇ ସମୁଦ୍ରରେ ଜାହାଜ ଯିବାର ଦେଖିନାହିଁ ?

 

-      ‘ନା, କେବେ ନୁହେଁ ।

 

-      ଆଶ୍ଚର୍ଯ୍ୟ !

 

-      ତାହାଲେ କୁହନ୍ତୁ ତ ଆପଣମାନେ ଏଠାରେ ଓହ୍ଲାଇ ପଡ଼ିବାର କାରଣ କ’ଣ ?

 

-      ଆମେ ନିଜଇଚ୍ଛାରେ ଓହ୍ଲାଇ ନାହୁଁ । ସେମାନେ ଆମକୁ ଏଇଛି ଓହ୍ଲାଇ ଦେଇଛନ୍ତି-

 

-      ଏମିତି ତାହେଲେ ଘଟିଛି !

 

ଦୁଇଜଣଯାକ ଛେଳିଚରାଳି ପରସ୍ପରକୁ ଚାହିଁଲେ । ଆଉ କହିଲେ – ‘ଆମେ ଭାବୁଛୁ ତାହେଲେ ଆପଣମାନେ ନିଜ ଇଚ୍ଛାରେ ଏଠିକୁ ଆସିନାହାନ୍ତି । ଅନ୍ୟ କେଉଁଠାକୁ ଯାଉଥିଲେ, ଅନ୍ୟ କୌଣସି କାମରେ, ଏଇଠି ଆପଣମାନଙ୍କୁ ଓହ୍ଲେଇ ଦିଆଯାଇଛି ।

 

ହଁ, ‘ବିନା ଖାଦ୍ୟରେ, ବଞ୍ଚିରହିବାର ବିନା ସାଧନରେ, କେବେ ଖଣ୍ଡେ ରୁଟି ନେଇ ଏଇଠି ଓହ୍ଲେଇ ପଡ଼ିଛୁ । ରୁଟି ଖଣ୍ଡିକ ପୁଣି ଲୁଚାଇ ଆଣିଛୁ । ସେଇ ଜାହାଜରୁ’ ଟୋବ୍ୟାସ୍‌ କହିଲା ଓ ପକେଟରୁ ସେଇ ରୁଟି ଖଣ୍ଡିକ ବାହାର କରି ଦେଖାଇଲା । ସେଇ ଛେଳି ଚରାଳି ଦିହିଁଙ୍କ ଅଣ୍ଟାରେ ବନ୍ଧାଥିବା ଚମଡ଼ା ଥଳିରୁ ଛେଳି ଦୁଧରୁ ତିଆରି ବଡ଼ ଛେନା ଖଣ୍ଡେ ବାହାର କରି ଏଇ ଦୁଇ ଅନ୍ୟ ରାଇଜର ଆଗନ୍ତୁକଙ୍କୁ ଯାଚିଲେ । ଅନ୍ଧ ବୃଦ୍ଧ ଓ ଟୋବ୍ୟାସ୍‌ ବହୁବେଳଯାଏଁ ଥିଲେ କ୍ଷୁଧାର୍ତ୍ତ, ଏମିତିକା ଚଟକା, ମଧୁର ଓ ସୁସ୍ୱାଦୁ ଖାଦ୍ୟ ପାଇ ଖାଇବାକୁ ଆରମ୍ଭ କଲେ । ଗୋଟିଏ ହାତରେ ରୁଟି ଓ ଅନ୍ୟ ହାତରେ ଛେନା ଧରି ଖାଇବାକୁ ପରମ ଆନନ୍ଦରେ, ଏମିତିକି ଭୁଲିଗଲେ ସେଇ ଦୁଇଜଣକୁ ଧନ୍ୟବାଦ ଜଣାଇବାକୁ । ଏଇ କ୍ଷୁଧାର୍ତ୍ତ ଦୁଇଜଣଙ୍କୁ ସେମାନେ ପ୍ରତ୍ୟକ୍ଷ କରୁଥିଲେ ଖୁବ୍‌ ଆଗ୍ରହରେ ଓ ମୁଣ୍ଡ ନୁଆଁଇ ପରସ୍ପର ଫୁସ୍‌ଫାସ୍‌ ହୋଇ କଥା ହେବାକୁ ଲାଗିଲେ । ଏସବୁ ଦେଖି ଟୋବ୍ୟାସ୍‌ ପଚାରିଲା- ‘‘କ’ଣ କହୁଛ ତୁମେମାନେ ?’’ ପ୍ରଥମେ ସେମାନେ ରହିଲେ ନିରୁତ୍ତର ଓ ଚାହିଁ ରହିଲେ; ଭାବିଲେ – ଏମାନେ ତାହେଲେ କ’ଣ ଖାଉଛନ୍ତି ଛେନା ସହିତ ? ରୁଟି ଟୁକୁଡ଼ାଟିଏ ବଢ଼ାଇ ଦେବାପରେ ତାକୁ ଏପଟସେପଟ କରି ଦେଖିଲେ ଓ ଫେରାଇଦେଲେ ।

 

-      ତମେ କ’ଣ ୟାକୁ ପୂର୍ବରୁ କେବେ ଦେଖିନାହିଁ ?

 

-      ନା, କେବେ ନୁହେଁ ।

 

-      ତାହେଲେ କ’ଣ ଖାଇ ବଞ୍ଚ ।

 

-      ଓଃ ! ଆମେ ଛେଳି ଆଉ ମେଣ୍ଢାର ଦୁଧ, ଛେନା ଓ ମାଂସ ଖାଉ । ତମେ ଖାଉଥିବା ଏମିତିକା ସବୁ ଖାଦ୍ୟ ନୁହେଁ ।

 

-      ଟୋବ୍ୟାସ୍‌ ତାଙ୍କୁ ରୁଟି ଚାଖିବାକୁ କହିଲା । ସେମାନେ ମନାକଲେ, ଏମିତିକି ୟା’ଙ୍କ ଠାରୁ କିଛି ହେଲେ ନେବାକୁ ପ୍ରସ୍ତୁତ ନଥିଲେ । ଖାଇବା ପର୍ବ ଶେଷ ହେଲା ଓ ପରସ୍ପର ସେମାନେ କଥା ହେବାକୁ ଲାଗିଲେ ।

 

-      ତା ହେଲେ ସେମାନେ ସବୁ ଦୁଷ୍ଟ ଲୋକମାନେ, ତମ ସହିତ ଖୁବ୍‌ ଖରାପ ବ୍ୟବହାର କରିଛନ୍ତି ।

 

ଗିଓଭାନି ଉତ୍ତରରେ କହିଲା – ‘ହଁ, ତାହା ହିଁ ଧରି ନିଆଯାଉ’ । ଟୋବ୍ୟାସ କିନ୍ତୁ ଅତି ଉତ୍‌କ୍ଷିପ୍ତ ଭାବରେ କହିଲା – ‘ସେମାନେ ଦୁଷ୍ଟ, ବଦ୍‌ମାସ୍‌ ଆଉ ଖଣ୍ଟ । ସେଇ ସମଗ୍ର ଜାହାଜଟି ଥିଲା ବଦ୍‌ମାସ୍‌, ଚୋରମାନଙ୍କର, ଯେଉଁଠି ନଥିଲା ସାମ୍ୟ ଓ ସଂପ୍ରୀତି ।’ ଗିଓଭାନି କିନ୍ତୁ ତାକୁ ଶାନ୍ତ କରିବାକୁ ଚାହିଁଲା ଏବଂ କହିଲା- ‘ସେମାନେ ଥିଲେ ଠିକ୍‌ ଅନ୍ୟ ଲୋକମାନେ ଯେମିତି ଓ ପ୍ରଶଂସାମୂଳକ ଭାବେ କାନ୍ଧ ଉପରେ ହାତରଖି ହଲେଇ ଦେଲେ ଟୋବ୍ୟାସ୍‌କୁ ।

 

-      ‘ଆମେମାନେ ସେଇ ଜାହାଜରେ ସେମାନଙ୍କର ଅଂଶୀଦାର ଥିଲୁ ।’

 

-      କ’ଣ ହେଲା ? ଆପଣମାନେ ତାଙ୍କରି ଦଳର ?

 

-      ‘ହଁ, ଆମେ, ଆମେ ତାହା ମନା କରିପାରିବୁ ନାହିଁ । ପାରିବୁ କି ? ଟୋବ୍ୟାସ୍‌ ଆଡ଼କୁ ଚାହିଁ ଗିଓଭାନି ପୁଣି କହିଲା – ‘କ’ଣ ସତ ନୁହେଁ ? ଖୁବ୍‌ ଧୀରେ ଟୋବ୍ୟାସ୍‌ କହିଲା – ‘ହିଁ’ ।

 

ପୁଣି ସମସ୍ତେ କିଛି ସମୟ ନୀରବ ରହିଗଲେ । ଆଉ ଜଣେ ଛେଳି ଚରାଳି କହିଲା – ‘ଆପଣମାନେ ଏମିତି ଏକ ଜାହାଜରେ, ଏମିତିକା ଲୋକମାନଙ୍କ ସହିତ ତାହେଲେ କେଉଁଠିକୁ ଯାଉଥିଲେ ?’’ ଦୁହେଁ କୌଣସି ଉତ୍ତର ଦେଲେନାହିଁ । ଟୋବ୍ୟାସ୍‌ ମାଟିରେ ଗାର ଟାଣିଲା । ଆଉ ଅନ୍ଧ ଲୋକଟି ସେଇ ଛେଳିଚରାଳିମାନଙ୍କ ଆଡ଼କୁ ମୁହିଁ କରି ଚାହିଁଲା ତା’ର ଶୂନ୍ୟ ନୟନରେ । ଯେମିତି ଅନାଗ୍ରହରେ, ଖୁବ୍‌ ଅସ୍ପେଷ୍ଟ ଓ କ୍ଷୀଣସ୍ୱରରେ କହିଲା-‘ଏକ ପବିତ୍ର ଭୂମିକୁ ।’

 

-      ପବିତ୍ର ଭୂମିକୁ ?

 

-      ପବିତ୍ର ଭୂମିକୁ ? ସିଏ କେଉଁ ପ୍ରକାରର ଦେଶ ?

 

ସେମାନଙ୍କର ଏପରି ପ୍ରଶ୍ନର କୌଣସି ଉତ୍ତର ନଥିଲା । ଛେଳି ଚରାଳିମାନେ ବାରମ୍ବାର ପଚାରି ଚାଲିଯାଆନ୍ତି ଏକେଇ ପ୍ରଶ୍ନ, କ’ଣ ସେଇ ଭୂମି, କେଉଁଠି ତାହା – ଯାହା ବିଷୟରେ କେବେ ବି ସେମାନେ ଶୁଣି ନାହାନ୍ତି । ଟୋବାସ୍‌ ରହିଥିଲା ନୀରବ, ନିରୁତ୍ତର । ବୃଦ୍ଧ ଅନ୍ଧଲୋକଟି ତା’ର ଶୂନ୍ୟ ଦୃଷ୍ଟିକୁ ନିବଦ୍ଧ କରିଥାଏ ସେଇ ଦୁଇ ଛେଳି ଚରାଳିମାନଙ୍କ ଆଡ଼କୁ ।

 

ପବିତ୍ର ଭୂମି ? ପବିତ୍ର ଭୂମି ?? ଫୁସ୍‌ଫାସ୍‌ ହୋଇ ଉଚ୍ଚାରଣ କରୁଥାନ୍ତି ଦୁଇଜଣଯାକ ପରମ ଆଗ୍ରହରେ । ଆସ୍ତେ ଆସ୍ତ ନୀରବି ଗଲେ ଦିହେଁ । କ୍ରମେ କ୍ରମେ ସେମାନେ ସେଇ ଭୂମି ବିଷୟରେ ଜାଣିବାକୁ ଅତ୍ୟନ୍ତ ଆଗ୍ରହୀ ହୋଇ ଉଠୁଥିଲେ ଆଉ ଭାବୁଥିଲେ ଏଇ ଆଗନ୍ତୁକ ଦୁହେଁ ହୁଏତ ସେଇ ଭୂମି ସମ୍ପର୍କରେ କିଛି ଜାଣିନାହାନ୍ତି, ଦେଖି ନାହାନ୍ତି କେବେ ବି ସେଠାକୁ ଯାଇନାହାନ୍ତି-। ସମ୍ଭବତଃ ସେ ଏମିତି ଏକ ରାଜ୍ୟ ଯେଉଁଠିକୁ ପୂର୍ବରୁ କେବେ ବି କେହି ଯାଇ ଫେରି ଆସିନାହିଁ ।

 

ପୁନଶ୍ଚ ସମସ୍ତେ କିଛିକ୍ଷଣ ନୀରବରେ ବସି ରହିଲେ ଖୁବ୍‌ ଶାନ୍ତ ଭାବେ, ଅସୀମ ଧୈର୍ଯ୍ୟ ସହକାରେ । ଯେମିତିକି ଏକତ୍ର ନିଶ୍ଚଳ ଭାବରେ ବସିବାରେ ସେମାନେ ଥିଲେ ଅଭ୍ୟସ୍ତ । ସେମାନେ ସମସ୍ତେ ଥିଲେ ବୃଦ୍ଧ; କିନ୍ତୁ ବୟସ ନିକଟରେ ଥିଲା ପରାସ୍ତ । ଏମିତିକି ସେମାନେ କେତେ ବୟସର ତାହା ବି କଳନା କରି ହେଉନଥିଲା।

 

ଜଣେ ହଠାତ୍‌ ଗିଓଭାନି ଆଡକୁ ବୁଲିପଡ଼ି କହିଲା – ‘ଆପଣ କ’ଣ ଅନ୍ଧ ନୁହନ୍ତି ?’ ଗିଓଭାନି ମୁଣ୍ଡ ହଲାଇ ‘ହଁ’ ଭରିଲା ।

 

-      କେମିତି ଅନ୍ଧ ହୋଇଗଲେ ?

 

-      ଅନ୍ଧଲୋକଟି ତରଫରୁ ଟୋବ୍ୟାସ୍‌ କହିଲା – ଆମେ ଜାଣୁନା । ହୁଏତ କେହି ତାଙ୍କ ଉପରେ ପ୍ରତିଶୋଧ ନେଇ ଏମିତି କରିଛି ।

 

-      କିଏ ?

 

-      ସମ୍ଭବତଃ ଈଶ୍ୱର ?

 

-      ଈଶ୍ୱର ?

 

-      ହଁ, କିନ୍ତୁ ପ୍ରକୃତ କଥା ହେଉଛି ଆମେ ଏ ବିଷୟରେ ନିଶ୍ଚିନ୍ତ ନୋହୁଁ ।

 

-      ତାହେଲେ କାହିଁକି ଏମିତି ଜଣେ ପ୍ରତିଶୋଧ ନେବାକୁ ଚାହିଁଲେ ?

 

-      କାରଣ ଆମେ ତାଙ୍କର ଅସ୍ତିତ୍ୱ ସମ୍ପର୍କରେ ନିନ୍ଦା କରି କହିଛୁ । ପ୍ରକୃତ କ’ଣ ତାହା ଆମେ ଜାଣୁନା । କେବଳ ତାହାହିଁ କଳ୍ପନା କରିଛୁ ମାତ୍ର ।

 

-      ‘ତା ହେଲେ ଆପଣ ନିଜେ ଏ ବିଷୟରେ କ’ଣ ବିଚାରନ୍ତି ?’ ଜଣେ ଛେଳି ଚରାଳି ଅନ୍ଧବୃଦ୍ଧଙ୍କୁ ପଚାରିଲା ।

 

-      ‘ସେ ଯାହାଙ୍କ କଥା କହୁଛନ୍ତି ପ୍ରକୃତରେ ତାଙ୍କର ସ୍ଥିତି ଅଛି ବୋଲି ମୋର ସନ୍ଦେହ ରହିଛି । ଯଦି ଥାଆନ୍ତି ତାହେଲେ କହିବି ଇଏ ତାଙ୍କରି କାମ ।’

 

ଟୋବ୍ୟାସ୍‌ ଏପରି ଉତ୍ତରରେ ଥିଲା ଅପ୍ରତିଭ । ସମ୍ଭବତଃ ଏହା ପୁଣି ଏକ ଈଶ୍ୱରକୁ ନିନ୍ଦା କରିବାର କଥା । ତାଙ୍କ ଅସ୍ତିତ୍ୱକୁ ଅବିଶ୍ୱାସ କରିବାର କଥା । ଛେଳିଚରାଳିମାନେ ମଧ୍ୟ ଅନ୍ଧବୃଦ୍ଧଙ୍କର ଏପରି କଥାବାର୍ତ୍ତାରେ ପ୍ରସନ୍ନ ନଥିଲେ । ସେମାନେ ବୃଦ୍ଧଙ୍କର ବୟସ୍କ ମୁହଁ, ବିଶାଳ ଶରୀରର କଥା ଭାବୁଥିଲେ । ତାଙ୍କର ପ୍ରଶସ୍ଥ ଛାତି ଉପରେ ଛିଣ୍ଡା ଚେନ୍‌ରେ ଏକ ଝୁଲନ୍ତ ପଦାର୍ଥ ଦେଖି ବିସ୍ମିତ ହେଉଥିଲେ । ଟୋବ୍ୟାସ୍‌କୁ ଚୁପ୍‌ଚାପ୍‌ ପଚାରିଲେ- ‘ବୃଦ୍ଧଙ୍କ ଛାତି ଉପରେ ସେ କ’ଣ ଝୁଲୁଛି’ । ପଚାରିଲେ ଏତେ ଧୀରେ ଧୀରେ ଯେ ଭାବିଲେ ବୃଦ୍ଧ ଏକଥା ଶୁଣିପାରିବେ ନାହିଁ । ମାତ୍ର ସେମାନେ ଯାହା କହୁଥିଲେ ସବୁ କିଛି ସେ ଶୁଣିପାରୁଥିଲେ । ମାତ୍ର ଟୋବ୍ୟାସ୍‌ ଉତ୍ତର ଦେଲେ- ‘ତାହା ଏକ ଲକେଟ୍‌’ । ସେମାନେ ବୁଝିପାରୁନଥଲେ ଆଉ ପଚାରିଲେ- ଲକେଟ୍‌ ? ସିଏ ପୁଣି କ’ଣ ?

 

-‘‘ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ତାହା । ମାତ୍ର ଖୁବ୍‌ ମୂଲ୍ୟବାନ୍‌ । ପିନ୍ଧିଥିବା ଲୋକ ତାକୁ କେବେ ହରାଇବାକୁ ଚାହେଁନା । ସେଇଥିପାଇଁ ତାକୁ ଛାତିରେ ହୃଦୟର ଖୁବ୍‌ ନିକଟରେ, ଝୁଲାଇ ଥାଏ । ମୋଟେ ହାତଛଡ଼ା କରେନା ।’’

 

-      ତାହେଲେ ସେଥିରେ ଅଛି କ’ଣ ? ଏଥର ଟୋବ୍ୟାସ୍‌ କିନ୍ତୁ ବିଳମ୍ୱ କଲା ଉତ୍ତର ଦେବାକୁ ।

 

-      ଆମେ ବୁଝୁଛୁ ଏଥିରେ ତାହେଲେ କିଛି ଗୋପନୀୟତା ରହିଛି ।

 

-      ‘ହଁ’

 

-      ଟୋବ୍ୟାସ୍‌ ନୀରବ ରହିଲା ଘଡ଼ିଏ । ତା‘ପରେ କହିଲା – ଏଥିରେ କିଛି ନାହିଁ, ନିହାତି ଫମ୍ପା କଥା ।

 

-      ଫମ୍ପା କଥା ? ତାହେଲେ ତହିଁରେ କିଛି ମୂଲ୍ୟ ନାହିଁ ?

 

-      ମାତ୍ର ଏଇଟି ହେଉଛି ଅନ୍ଧର ଏକମାତ୍ର ସମ୍ପତ୍ତି । ମୁଁ ଦେଖିଛି ସେ ତାକୁ କେବେ ହାତଛଡ଼ା କରେନା । ମୁଁ ଭାବି ପାରେନା ଏଇ ଲକେଟ୍ ବ୍ୟତିରେକ ସିଏ ବଞ୍ଚି ରହିପାରିବ ବୋଲି ।

 

-      ଯଦିଓ ତାହା ଏକ ଈଶ୍ୱରକୁ ଅବିଶ୍ୱାସର କଥା ? ଆଶ୍ଚର୍ଯ୍ୟ, ଏକ ଶୂନ୍ୟ କଥା ପୁଣି ଏତେ ମୂଲ୍ୟବାନ୍‌ ହେଲା କେମିତି । ତାହେଲେ ତାହା ଯାହା ମୂଲ୍ୟଧାରିତ ହେବା କଥା । ହେଲେ ତହିଁରେ ତାହା ମୋଟେ ହଁ ନାହିଁ । ଆମେ କିଛି ବୁଝିପାରୁ ନାହୁଁ । ଆମକୁ ଟିକେ ବୁଝେଇ ଦେଇ ପାରିବେ ?

 

-      ସବୁ କଥା ବୁଝାଇ ଦିଆଯାଇ ପାରିବ ନାହିଁ । ସିଏ ଯାହା-ସେୟା ।

 

-      ଛେଳିଚରାଳିମାନେ ନୀରବ ରହିଲେ । ଅଧିକ ପ୍ରଶ୍ନ ନ ପଚାରି କେବଳ ବୃଦ୍ଧଙ୍କ ଧୂସର ଲୋମଶ ଛାତି ଉପରେ ଝୁଲୁଥିବା ଲକେଟକୁ ଚାହିଁ ରହିଥିଲେ । ଜଣେ ଫୁସ୍‌ଫାସ୍‌ ହୋଇ ନୀରବ କଣ୍ଠରେ କହିଲା – ହିଁ, ହଁ, ଏମିତି ଅନେକ କଥା ଅଛି ଯାହାକୁ ବୁଝାଇ କହି ହୁଏ ନାହିଁ । ତାହା କେବଳ ଯାହା – ସେଇୟା ।

 

-      ଅଧିକରୁ ଅଧିକ ଲୋକଙ୍କ ପାଦଶହ ଓ ସ୍ୱର ଶୁଭିଲା ମନ୍ଦିର ବାହାରେ ପଶୁମାନଙ୍କ ଖରାର ଶବ୍ଦ ସହ । ବୋଧହୁଏ ଅନ୍ୟ ଛେଳି ଚରାଳିମାନେ ସେମାନଙ୍କ ଛେଳି ସହିତ ଆସି ପହଞ୍ଚିଲେ ସେଇ ଧୁନି-ଧୂଆଁର ସୂଚନାରେ । ୟା’ ଭିତରେ ପଡ଼ିଥିବା ପଥର ଖଣ୍ଡ ଉପରକୁ ଛେଳି ସବୁ ଉଠିସାରିଥିଲେ, ସ୍ତମ୍ଭଗୁଡ଼ିକ ଉହାଡ଼ରୁ ମୁଣ୍ଡ ଟେକି ଚାହୁଁଥିଲେ ଏଇ ଦୁଇ ଅଜଣା ଆଗନ୍ତୁକଙ୍କୁ ସେମାନଙ୍କ ଅପ୍ରସାରିତ ଦୃଷ୍ଟିରେ । ସତରେ ସେଇ ଅଜଣା ଲୋକଦୁଇଟିକୁ; ସେଇଠି ବସି ରହିଥିବା ପୂର୍ବ ପରିଚିତ ଦୁଇ ଛେଳି ଚରାଳିଙ୍କୁ ନୁହେଁ । କାରଣ ସେମାନେ ଦେଖି ଆସୁଥିବା ମଣିଷମାନଙ୍କ ଠାରୁ ଆଗନ୍ତୁକ ଦ୍ୱୟ ଥିଲେ ଭିନ୍ନ, ନିଆରା । ପଲେ ମେଣ୍ଢା ବାହାରେ ଜମା ହୋଇଥିଲେ ଆଉ ଏସବୁ ଆଡ଼କୁ ନିଘା ନକରି ସେମାନେ ଶୁଖିଲା ଘାସ ଚୋବାଇବାରେ ଥିଲେ ବ୍ୟସ୍ତ । ଛେଳିମାନଙ୍କ ପରି ମେଣ୍ଢାମାନେ ମନ୍ଦିର ଭିତରକୁ ପଶୁନଥିଲେ । ସେଇଲୋକମାନେ ପହଞ୍ଚି ସାରିଥିଲେ ଏଇ ଚାରିଜଣଙ୍କ ନିକଟରେ । ଆଉ ନୀରବରେ ସମ୍ଭାଷଣ ଜଣାଇ ଆଣ୍ଠୁଜାକି ନିଆଁ ଚାରିପଟେ ଘେରି ବସିଗଲେ । ସେମାନେ ସମସ୍ତେ ଏମାନଙ୍କ ସମବୟସ୍କ ପରି ଜଣାପଡ଼ୁନଥିଲେ । ତାଙ୍କ ଭିତରେ କେହି ଯୁବକ ଅଥବା ମଧ୍ୟ ବୟସ୍କ ପରି ଜଣାପଡ଼ୁନଥିଲେ । ବହୁ ଦିନର ବହୁ ବୟସର ମଣିଷପରି ପ୍ରତୀୟମାନ ହେଉଥିଲେ ସେମାନେ ।

 

ପଛ ଦଳରେ ପହଞ୍ଚିଥିବା ମଣିଷମାନେ ଦୁଇ ଆଗନ୍ତୁକଙ୍କ ବିଷୟରେ ନଥିଲେ କୌତୁହଳୀ, ପଚାରୁନଥିଲେ କୌଣସି ପ୍ରଶ୍ନ । ବରଂ ପ୍ରଥମେ ଆସିଥିବା ଦୁଇ ଛେଳିଚରାଳି ଏଇ ଅନ୍ଧବୃଦ୍ଧ ଓ ଟୋବ୍ୟାସ୍‌ଙ୍କ ଠାରୁ ଜାଣିବାକୁ ପାଇଥିବା ସେମାନଙ୍କ ଦୁଃସାହସିକ ଅଭିଯାନ ଓ ଅବସ୍ଥାନ ସମ୍ପର୍କରେ ସୂଚନା ଦେଉଥିଲେ ସେମାନଙ୍କୁ । ଅନ୍ୟମାନେ ଖୁବ୍‌ ଆଗ୍ରହରେ ଶୁଣୁଥିଲେ – ସମୁଦ୍ର ଦେଇ ଏଇଠି ପହଞ୍ଚିବାର କୌତୁହଳପୂର୍ଣ୍ଣ କଥା ସବୁଠୁ ଯାହା ତାଙ୍କୁ ଚକିତ କରିଥିଲା ତାହାହେଲା ‘ପବିତ୍ର ଭୂମି’କୁ ସେମାନଙ୍କ ଯାତ୍ରାର କଥା ।

 

‘ପବିତ୍ର ଭୂମି ?’ ସେମାନେ ବାରମ୍ବାର ଖୁବ୍‌ କୋମଳ ଭାବରେ ଉଚ୍ଚାରଣ କରୁଥାନ୍ତି ଓ ପରସ୍ପରକୁ ଚାହୁଁଥାନ୍ତି ବିସ୍ମୟରେ । ସତରେ ଏମିତି କେଉଁ ଦେଶ ହୋଇପାରେ ତାହା ? ତାହା ବିଷୟରେ ଶୁଣିବାକୁ, ଜାଣିବାକୁ ଆଗ୍ରହୀ ହୋଇ ଉଠୁଥାନ୍ତି ସମସ୍ତେ । ପୂର୍ବ ଦୁଇ ଛେଳିଚରାଳି ଏଇ ବିଷୟରେ କିଛି ଚର୍ଚ୍ଚା କରୁନଥାନ୍ତି । କିଛି ଜାଣନ୍ତି ନାହିଁ । ସମ୍ଭବତଃ ଅନ୍ଧବୃଦ୍ଧ ଓ ଟୋବ୍ୟାସ୍ ମଧ୍ୟ ସେ ବିଷୟରେ ଥିଲେ ଅଜ୍ଞ । ସେମାନେ କେବେ ଦେଖିନାହାନ୍ତି ସେଇ ଭୂମିକୁ । କେବଳ ସେମାନଙ୍କ ଅଭିଯାନ ଥିଲା ସେଇ ପବିତ୍ର ଭୂମିକୁ । ପବିତ୍ର ଭୂମି ??

 

କେମିତିକା ହୋଇପାରେ ସେଇ ଭୂମି- ସମସ୍ତେ ଘାରି ହେଉଥିଲେ ଏଇ ପ୍ରଶ୍ନରେ । ପବିତ୍ର ? ତାହା ପୁଣି କ’ଣ ?? ସେମାନଙ୍କ ଭିତରୁ ଜଣେ ଅନ୍ଧ ବ୍ୟକ୍ତି ଓ ଟୋବ୍ୟାସକୁ ଚାହିଁ ଅତିଭଦ୍ର, ବୟସ୍କ ଆଖିରେ ପଚାରିଲା । କିନ୍ତୁ ତାକୁ ମିଳିଲା ନାହିଁ କୌଣସି ଉତ୍ତର ।

 

ତା’ପରେ ପୂର୍ବ ଦୁଇଜଣ ଯାକ ସେମାନଙ୍କୁ ଅନ୍ଧର ଲକେଟ୍‌ ବିଷୟରେ କହିଲେ । କେମିତି ତାହା ଈଶ୍ୱରକୁ ଅସ୍ୱୀକାର କରି ମଧ୍ୟ ମୂଲ୍ୟବାନ୍‌ । କେମିତି ତାକୁ ବୃଦ୍ଧ ମୋଟେ ହରାଇବାକୁ ଚାହେଁନା । ହୁଏତ ସେଥିରେ ଖୁବ୍‌ ମୂଲ୍ୟବାନ ପଦାର୍ଥ ରହିବା କଥା ଅଥଚ ତାହା ଆଦୌ ନଥିଲା ତହିଁରେ । ବୃଦ୍ଧ ଅନ୍ଧଟି ମୋଟେ ସୁଖୀ ନଥିଲା, କେହି ହୁଏତ ପ୍ରତିଶୋଧ ପରାୟଣ ହୋଇ ତା’ର ଆଖି ଦୁଇଟିକୁ ନଷ୍ଟ କରି ଦେଇଛି । ତେଣୁ ସେ ଆଜି ଅନ୍ଧ । ସେମାନେ ସବୁ କ’ଣ କହୁଥିଲେ ସେଥିରେ ଗିଓଭାନି ଥିଲା ଅବିଚଳିତ । ପ୍ରକୃତରେ ତାହା ସବୁ ସେହିପରି ଘଟିଥିଲା କି ନାହିଁ କେହି କହି ପାରିବେ ନାହିଁ ।

 

ତା’ପରେ ସେଇ ମେଳ ଭିତରେ ଆଉ କୌଣସି ବାକ୍ୟାଳାପ ନଥିଲା । ଧୁନି ଚାରିପଟେ ସମସ୍ତେ ବସିରହିଥାନ୍ତି ଅଭ୍ୟସ୍ତ ଲୋକଙ୍କ ପରି । ଯିବାବେଳେ ଏଇ ଦୁଇ ଆଗନ୍ତୁକଙ୍କୁ ସେମାନଙ୍କ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାକୁ ଚାହିଁଥିଲେ । ବିନୀତ ଭାବରେ; ତା’ପରେ ସେମାନେ ଚାଲିଯାଇଥିଲେ । ଛେଳି ସବୁ ଥିଲେ ସେଠାରେ ଖୁବ୍‌ ସ୍ୱଚ୍ଛନ୍ଦ, ବେଦୀ ଓ ଖମ୍ୱ ଦେହରେ ଘଷି ହେଉଥିଲେ, ସୁଉଁ ସୁଉଁ ହେବା ସହିତ ଛିଙ୍କୁଥିଲେ । ଆନନ୍ଦରେ ଡେଉଁଥିଲେ ସେଇ ଧ୍ୱଂସାବଶେଷର ଭଙ୍ଗା ପଥର ଖଣ୍ଡ ଓ ସ୍ତମ୍ଭ-ସନ୍ଧିମାନଙ୍କରେ । ମେଣ୍ଢା ସବୁ ଫେରିଯାଇଥିଲେ ସେମାନଙ୍କ ଚରାଳିଙ୍କ ସହିତ । ପରିଶେଷରେ ଗିଓଭାନି ଓ ଟୋବ୍ୟାସ୍‌ ଦିହେଁ ତାଙ୍କର ସେଇ ନିଆଁ ପାଖରେ ବସି ରହିଥିଲେ ।

 

ସେଇ ଧୁନିର ଶେଷକାଠ ଜଳି ନିଃଶେଷ ହୋଇଯିବା ପର୍ଯ୍ୟନ୍ତ ସେମାନେ ବସି ରହିଥିଲେ-। ପକ୍ଷୀମୁଣ୍ଡ ପରି ଏକ ଲମ୍ୱା ମୁଣ୍ଡିଆ ଲୋକ ଏକ ସ୍ତମ୍ଭ ଉହାଡ଼ରୁ ଉଙ୍କି ଚାହିଁଲା । ପକ୍ଷୀର ଚାହାଣିରେ, ଖୁବ୍‌ ତୀବ୍ର ଦୃଷ୍ଟିରେ ସେ ଦୁହିଁଙ୍କୁ ଦେଖିଲା ଏବଂ ତା’ପରେ ଯେମିତି ଆସିଥିଲା ଠିକ୍‌ ସେମିତି ସବୁରି ଅଜ୍ଞାତରେ ଧୀରେ ଧୀରେ ନିଜକୁ ଅପସାରଣ କରିନେଲା । ଟୋବ୍ୟାସ୍‌ ତାକୁ ମୋଟେ ଦେଖିନାହିଁ । କେବଳ ଯାହା ସେଇ ଅନ୍ଧଲୋକଟିର ଶୂନ୍ୟ ଚାହାଣି ତାହାରି ଆଡ଼କୁ ଅଜଣାରେ ବୁଲି ଯାଇଥିଲା ।

 

 

ବି.ଏଲ୍‌-୧୦, ଭି.ଏସ୍‌.ଏସ୍‌. ନଗର

ଭୁବନେଶ୍ୱର – ୭୫୧୦୦୪

 

***

 

ସୁଇସ୍‌ ସାହିତ୍ୟରେ ନୋବେଲ ବିଜେତା

ଶ୍ରୀ ରାହୁଲ ଗୌତମ

 

ସ୍ୱୀଡ଼େନ୍‌ ଦେଶ ନୋବେଲ ପୁରସ୍କାରର ଜନ୍ମଦାତା ଓ ପୃଷ୍ଠପୋଷକ ହୋଇଥିବାରୁ ଏହି ଦେଶର ଲବ୍‌ଧ ପ୍ରତିଷ୍ଠା ସାହିତ୍ୟିକମାନେ ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ମାନିତ ହେବାରେ ଆଶ୍ଚର୍ଯ୍ୟ ହେବାର ଆବଶ୍ୟକତା ନାହିଁ । ବିଶ୍ୱର ବିଭିନ୍ନ ଦେଶର ଲେଖକ ଓ ସେମାନଙ୍କର କୃତିଗୁଡ଼ିକ ଏଠାରେ ଆଲୋଚିତ ହୁଏ । ସୁଇଡ଼େନ୍‌ର ସାହିତ୍ୟିକମାନେ ବିଶ୍ୱର ପ୍ରଥିତଯଶା ସାରସ୍ୱତ ସାଧକ ଓ ସେମାନଙ୍କର କୃତି ସମ୍ୱନ୍ଧରେ ଜ୍ଞାନ ଆହରଣ କରିବା ଓ ସେମାନଙ୍କ ଦ୍ୱାରା ପ୍ରଭାବିତ ଓ ଅନୁପ୍ରେରିତ ହେବାର ଅନାୟାସ ସୁଯୋଗ ଲାଭ କରିଥାନ୍ତି । ବୋଧହୁଏ ଏହାହିଁ କାରଣ ଯେ ସୁଇସ୍‌ ସାହିତ୍ୟିକମାନେ ନୋବେଲ ପୁରସ୍କାର ସମ୍ମାନିତ ହେବାବେଳେ ଅନ୍ୟମାନେ ଏହାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ସୁଇଡେନ୍‌ର ସାହିତ୍ୟ ଯଥେଷ୍ଟ ସମୃଦ୍ଧ ମାତ୍ର ସୁଇସ୍‌ ଭାଷାକୁ ଅନୂଦିତ ହେବାପାଇଁ ଅନ୍ୟଭାଷାର ପୁସ୍ତକଟିଏ ଲେଖକ ଭିତରେ ଯେଉଁ ବ୍ୟାକୁଳତା ସୃଷ୍ଟି କରିଥାଏ, ସେହି ତୁଳନାରେ ସୁଇଡେନ୍‌ର ପୁସ୍ତକଗୁଡ଼ିକ ବିଶ୍ୱର ଅନ୍ୟଭାଷା ଗୁଡ଼ିକରେ ବିଶେଷ ଅନୂଦିତ ହୋଇପାରିନାହିଁ । ୧୯୨୫ ମସିହାର ନୋବେଲ ପୁରସ୍କାର ବିଜୟୀ ନାଟ୍ୟକାର ଜର୍ଜ ବର୍ଣ୍ଣାଡ୍‌ ଶ’ଙ୍କୁ ଯେତେବେଳେ ଏହି ପୁରସ୍କାର ଦେବାପାଇଁ ଘୋଷଣା କରାଗଲା ସେ ତାଙ୍କର ନୋବେଲ ଅଭିଭାଷଣରେ ଯାହା କରିଥିଲେ ତାହା ଏଠାରେ ଉଲ୍ଲେଖ କରିବା ସମୀଚୀନ । ସେ କହିଥିଲେ ଯେ ନୋବେଲ ପୁରସ୍କାର ସହ ଜଡ଼ିତ ସମ୍ମାନ ସେ ନମ୍ରତାର ସହ ଗ୍ରହଣ କରିବେ ମାତ୍ର ସେ ବାବଦ ଅର୍ଥ ଏକ ଟ୍ରଷ୍ଟ ଗଠନ କରାଯାଇ ସେଥିରେ ଜମା ରଖାଯିବ । ଇଂରେଜୀ ଭାଷାରୁ ସୁଇସ୍‌ଭାଷା ଓ ସୁଇସ୍‌ଭାଷା ଇଂରେଜୀ ଭାଷାକୁ ଉଭୟ ଦେଶର ସାହିତ୍ୟ ଅନୂଦିତ ହେବା ପାଇଁ ଏହି ଅର୍ଥ ବ୍ୟୟ କରାଯିବା ଉଚିତ । ବୋଧହୁଏ ଶ’ଙ୍କର ପ୍ରତ୍ୟୁତ୍ପନ୍ନ ମତିତା ଏବଂ ଦୂରଦୃଷ୍ଟି ଯୋଗୁଁ ସେ ଏଭଳି ଟ୍ରଷ୍ଟ ଗଠନର କଳ୍ପନା କରିଥିଲେ ।

 

୧୯୦୧ ରୁ ୧୯୯୯ ମଧ୍ୟରେ ଏଯାବତ୍‌ ସମୁଦାୟ ୯୬ ଜଣ ସାହିତ୍ୟିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ତନ୍ମଧ୍ୟରେ ସ୍ୱୀଡ଼େନ୍‌ର ସମୁଦାୟ ୬ ଜଣ ସାହିତ୍ୟିକ ଏହି ପୁରସ୍କାରରେ ସମ୍ମାନିତ । ୧୯୦୯ ମସିହାରେ ଔପନ୍ୟାସିକା ଲାଗେ ରୋଲ୍‌ଫ । ୧୯୧୬ ମସିହାରେ କବି ଓ ପ୍ରାବନ୍ଧିକ ହେଡ଼େନ୍‌ ଷ୍ଟାମ । ୧୯୩୧ ମସିହାରେ କବି କାର୍ଲଫେଟ୍‌ ୧୯୫୧ ମସିହାରେ ଔପନ୍ୟାସିକ ଲାଗକ୍‌ଭିଷ୍ଟ, ୧୯୬୬ ମସିହାରେ କବୟିତ୍ରୀ ନେଲି ସାକ୍‌ସ ଏବଂ ୧୯୭୪ ମସିହାରେ ଇଭିଣ୍ଡ ଜନ୍‌ସନ୍‌ଙ୍କୁ ତାଙ୍କର ଉପନ୍ୟାସ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

 

ଔପନ୍ୟାସିକା ଲାଗେରୋଲ୍‌ଫ ନୋବେଲ ବିଜୟିନୀ ହେବାରେ ସ୍ୱୀଡେନ୍‌ର କେବଳ ପ୍ରଥମ ନାଗରିକ ନୁହଁନ୍ତି । ସେ ମଧ୍ୟ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତା ପ୍ରଥମ ମହିଳା । ନେଲି ସାକ୍‌ସ ହେଉଛନ୍ତି ସ୍ୱୀଡ଼େନ୍‌ର ପଞ୍ଚମ ନୋବେଲ ବିଜେତା ଓ ଦ୍ୱିତୀୟ ମହିଳା ଯେ କି ଏହି ପୁରସ୍କାର ଲାଭକଲେ ମାତ୍ର ତାଙ୍କୁ ପୋଲାଣ୍ଡର ସାମୁଏଲ ଯୋସେଫ୍‌ ଆଗ୍‌ନନ୍‌ଙ୍କ ସହ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

 

କାର୍ଲଫେଟ୍‌ଙ୍କୁ ୧୯୧୮ ରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲେ ବି ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ତେଣୁ ୧୯୩୧ ମସିହାରେ ତାଙ୍କ ମୃତ୍ୟୁପରେ ତାଙ୍କୁ ମରଣୋତ୍ତର ନୋବେଲ ସମ୍ମାନ ଦିଆଯାଇଥିଲା । ଏହା ଥିଲା ନୋବେଲ ପୁରସ୍କାର ଇତିହାସରେ ପ୍ରଥମ ଉଦାହରଣ ।

 

୧. (୧୦ମ) ସେଲ୍‌ମା ଓଟିଲିଆନା ଲୋଭିସା ଲାଗେରାଲ୍‌ଫ (୧୯୦୯) : ଦଶମ

The nobel committee appreciates his “lofty idealism, vivid imagination and spiritual perception” ଏହା ଥିଲା ଲାଗେରୋଲାଫ୍‌ଙ୍କ ଉପନ୍ୟାସ ସମ୍ୱନ୍ଧରେ ନୋବେଲ୍‌ କମିଟିର ମତ । ଲାଗେରୋଲ୍‌ଫଙ୍କର ଜନ୍ମ ସ୍ୱିଡେନ୍‌ର ଭାମ୍‌ଲାଣ୍ଡ ନିକଟସ୍ଥ ମାର୍‌ବାକା ସ୍ଥାନରେ । ୧୮୫୮ ମସିହା ନଭେମ୍ୱର ୨୦ ତାରିଖରେ ତାଙ୍କର ଜନ୍ମ । ସେ ହେଉଛନ୍ତି ସାହିତ୍ୟରେ ନୋବେଲ ବିଜୟିନୀ ହେବାରେ ପ୍ରଥମ ମହିଳା ଓ ନୋବେଲ ପୁରସ୍କାର ପାଇବାରେ ସ୍ୱିଡେନ୍‌ର ପ୍ରଥମ ନାଗରିକ । ଆଧୁନିକ ସାହିତ୍ୟର ଜଣେ ପ୍ରମୁଖ କଥାକାର ଭାବେ ଲାଗେରୋଲ୍‌ଫ ସୁନାମ ଅର୍ଜନ କରିଛନ୍ତି । ଶାସ୍ତ୍ରୀୟ ମତ, ଲୋକ କାହାଣୀ ଓ କିମ୍ୱଦନ୍ତୀରୁ ସେ କାହାଣୀ ରଚନା କରିବାର ପ୍ରେରଣା ପାଇଛନ୍ତି । ତାଙ୍କର ରଚନାରେ ଆଦର୍ଶବାଦ, ଗଭୀର କଳ୍ପନା ସହ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟିର ପରିଚୟ ମିଳେ । ମାତ୍ର ୫୧ ବର୍ଷ ବୟସରେ ନୋବେଲ୍‌ ପୁରସ୍କାର ବିଜୟିନୀ ହୋଇଥିବା ଲାଗେରୋଇ୍‌ଫ ୧୯୪୦ ମସିହା ମାର୍ଚ୍ଚ ୧୬ ତାରିଖରେ ନିଜର ଜନ୍ମସ୍ଥାନ ମାର୍‌ବାକାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

 

୨. (୧୫ତମ) କାର୍ଲ ଗୁସ୍ତାଫ୍‌ ଭର୍ଣ୍ଣର ଭନ୍‌ ହେଡ଼େନ୍‌ଷ୍ଟାମ୍‌ (୧୯୧୬) : ପଞ୍ଚଦଶତମ

ହେଡ଼େନ୍‌ଷ୍ଟାମ୍‌ ସ୍ୱିଡେନ୍‌ର ନାର୍କେରେ ୧୮୫୯ ମସିହା ଜୁଲାଇ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସ୍ୱିଡ଼େନ୍‌ର ଜଣେ ଜାତୀୟବାଦୀ ସାହିତ୍ୟିକ ଭାବେ ପରିଚିତ ଏହି ଲେଖକ ତାଙ୍କ ଜୀବନକାଳ ମଧ୍ୟରେ ଅନେକ କବିତା ଓ ପ୍ରବନ୍ଧ ରଚନା କରିଥିଲେ । ୫୭ ବର୍ଷ ବୟସରେ ୧୯୧୬ ମସିହାରେ ବିଶ୍ୱ ସାହିତ୍ୟକୁ ତାଙ୍କର ବହୁମୂଲ୍ୟ ଅବଦାନ ନିମନ୍ତେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା । ୧୯୪୦ ମସିହା ମେ’ ମାସ ୨୦ ତାରିଖରେ ମୃତ୍ୟୁ ହୋଇଥିଲା ।

 

୩. (୩୧ତମ) ଏରିଜ୍‌ ଏକ୍‌ସେଲ କାର୍ଲଫେଟ୍‌ (୧୯୩୧) : ୨୯ତମ ବିଜେତା

କବି କାର୍ଲଫେଟ୍‌ ୧୯୧୮ ମସିହାରେ ନୋବେଲ ପୁରସ୍କାର ପାଇଁ ନିର୍ବାଚିତ ହୋଇଥିଲେ ମଧ୍ୟ ଏହି ପୁରସ୍କାର ପ୍ରତ୍ୟାଖ୍ୟାନ କରିଥିଲେ । ୧୯୩୧ ମସିହା ଏପ୍ରିଲ ୮ ତାରିଖରେ ସ୍ୱିଡେନ୍‌ର ଷ୍ଟକ୍‌ ହୋମ୍‌ରେ ତାଙ୍କର ମୃତ୍ୟୁ ପରେ ତାଙ୍କୁ ମରଣୋତ୍ତର ନୋବେଲ୍‌ ସମ୍ମାନରେ ସମ୍ମାନରେ ସମ୍ମାନିତ କରାଗଲା । ଧର୍ମ, ପରମ୍ପରା ଓ ଆଞ୍ଚଳିକ ସଂସ୍କୃତିକୁ ନେଇ ଅସଂଖ୍ୟ କବିତା ରଚନା କରି ସେ ଅତ୍ୟନ୍ତ ଲୋକପ୍ରିୟ ହୋଇ ଉଠୁଥିଲେ । ସ୍ୱିଡ଼େନ୍‌ର ଫାର୍କାନାରେ ୧୮୬୪ ମସିହା ଜୁଲାଇ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିବା କାର୍ଲଫେଟ ଗ୍ରାମ୍ୟ ସଂସ୍କୃତି ଓ କୃଷକର ଜଞ୍ଜାଳଗ୍ରସ୍ତ ଜୀବନର ସମସ୍ୟା ଦ୍ୱାରା ଯଥେଷ୍ଟ ପ୍ରଭାବତ ହୋଇଥିଲେ । ୬ ଟି ଖଣ୍ଡରେ ସଙ୍କଳିତ ତାଙ୍କର କବିତାଗୁଡ଼ିକ ପ୍ରକାଶିତ ହେଲାପରେ ସେ ସ୍ୱିଡ଼େନ୍‌ରେ ବହୁଚର୍ଚ୍ଚିତ ହୋଇଯାଇଥିଲେ ।

 

୪. (୪୪ତମ) ପାର ଫେବିଆନ୍‌ ଲାଗକ୍‌ଭିଷ୍ଟ (୧୯୫୧) : ତମ ବିଜେତା

‘ବାରାବାସ୍‌’ ଉପନ୍ୟାସ ପାଇଁ ବିଶ୍ୱ ସାହିତ୍ୟ ଜଗତରେ ସ୍ୱୀକୃତି ଲାଭ କରିଥିବା ଲାଗକ୍‌ଭିଷ୍ଟ ସ୍ୱିଡେନ୍‌ର ଭାକ୍ସଜୋରେ ୧୮୯୧ ମସିହା ମେ ମାସ ୨୩ ତାରିଖରେ ଜନ୍ମଲାଭ କରିଥିଲେ । ୧୯୪୦ ମସିହାରେ ତାଙ୍କ ରଚିତ ଏକ ଅନନ୍ୟ ନାଟକ ‘ଷ୍ଟେଜ୍‌ ଓରାଟୋରିଓ’ ତାଙ୍କୁ ବହୁଚର୍ଚ୍ଚିତ କରିଥିଲା । ‘ଲେଟ୍‌ ମ୍ୟାନ୍‌ ଲିଭ୍‌’ ଶୀର୍ଷକରେ ଏହା ୧୯୫୧ ମସିହାରେ ପ୍ରକାଶିତ ହୋଇଥିଲା । ଏକାଧାରାରେ ଜଣେ କବି ଔପନ୍ୟାସିକ ଓ ନାଟ୍ୟକାର ଲାଗକ୍‌ଭିଷ୍ଟଙ୍କର ପ୍ରମୁଖ କୃତି ମଧ୍ୟରେ ରହିଛି ‘ଦି ଡ୍ୱାର୍ଫ’ ଉପନ୍ୟାସ ଯାହାକି ୧୯୪୫ ମସିହାରେ ପ୍ରକାଶିତ ହୋଇ ସର୍ବାଧିକ ପାଠକର ଦୃଷ୍ଟି ଆକର୍ଷଣ କରିଥିଲା ଓ ସମଗ୍ର ୟୁରୋପ୍‌ରେ ଚହଳ ପକାଇଥିଲା । ୬୦ ବର୍ଷ ବୟସରେ ନୋବେଲ୍‌ ବିଜୟୀ ହୋଇଥିବା ଏହି ପ୍ରଥିତଯଶା ସାରସ୍ୱତ ସାଧକଙ୍କୁ ବିଶ୍ୱ ସାହିତ୍ୟକୁ ତାଙ୍କର ବହୁମୂଲ୍ୟ ଅବଦାନ ନିମନ୍ତେ ୧୯୫୧ ମସିହାରେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା ଓ ୧୯୭୪ ମସିହା ଜୁଲାଇ ୧୧ ତାରିଖରେ ପ୍ୟାରିନେସ୍‌ରେ ତାଙ୍କର ଦେହାବସାନ ଘଟିଥିଲା ।

 

୫. (୬୦ ତମ) ନେଲି ସାକ୍‌ସ (୧୯୬୬): ୬୦ ତମ ନୋବେଲ ବିଜେତା

ଆଗନଙ୍କ ସହ ସଂଯୁକ୍ତ ଭାବରେ ୧୯୬୬ ମସିହାରେ ନୋବେଲ ପୁରସ୍କାର ବିଜୟନୀ କବି ଓ ନାଟ୍ୟକାର ସାକ୍‌ସ ବର୍ଲିନ୍‌ରେ ୧୯୮୧ ମସିହା ଡିସେମ୍ୱର ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଇହୁଦୀମାନଙ୍କର କରୁଣ କାହାଣୀକୁ କବିତାରେ ରୂପାୟିତ କରିଥିବା ସାକ୍‌ସ ୭୫ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ‘ଓ ଦ ଚିମ୍‌ନିସ୍‌’ ତାଙ୍କର ଏକ କାଳଜୟୀ କବିତା । ଜର୍ମାନୀରେ ଜନ୍ମହୋଇ ସ୍ୱିଡେନ୍‌ର ନାଗରିକତା ଗ୍ରହଣ କରିଥିବା ଏହି ଲେଖିକା ୧୯୭୦ ମସିହା ମେ ୧୨ ତାରିଖରେ ଷ୍ଟକ୍‌ ହୋମ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

 

୬. (୬୭ତମ) ଇଭିଣ୍ଡ୍‌ ଜନ୍‌ସନ୍‌ (୧୯୭୪) ୬୭ ତମ ନୋବେଲ୍‌ ବିଜେତା

ସ୍ୱିଡେନ୍‌ର ବୋଡ଼େନ୍‌ ନାମକ ସ୍ଥାନରେ ଜନ୍ମଲାଭ କରିଥିବା ଜନ୍‌ସନ୍‌ଙ୍କର ଜନ୍ମ ୧୯୦୦ ମସିହା ଜୁଲାଇ ୨୯ ତାରିଖରେ । ଔପନ୍ୟାସିକ ମାର୍ଟିନ୍‌ସନଙ୍କ ସହ ସଂଯୁକ୍ତ ଭାବେ ନୋବେଲ୍‌ ପୁରସ୍କାର ଭାବେ ନୋବେଲ୍‌ ପୁରସ୍କାର ବିଜୟୀ ହୋଇଥିବା ଜନ୍‌ସନ୍‌ଙ୍କୁ ମେହନତୀ ମଣିଷର ରୂପକାର ଭାବେ କୁହାଯାଏ । ୭୪ ବର୍ଷ ବୟସରେ ନୋବେଲ୍‌ ବିଜୟୀ ହୋଇଥିବା ଏହି ଲେଖକ ଆଧୁନିକ ଶୈଳୀ ଓ ବର୍ଣ୍ଣନା ଚାତୁରୀ ଦ୍ୱାରା ତାଙ୍କର ଉପନ୍ୟାସ ପ୍ରତି ଅଗଣିତ ପାଠକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ୧୯୭୬ ମସିହା ଅଗଷ୍ଟ ୨୫ ତାରିଖରେ ଷ୍ଟକ୍‌ହୋମ୍‌ଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

 

 

ବି/୭, ସେଣ୍ଟ୍ରାଲ ୱର୍କସପ୍‌ କଲୋନୀ

ବନ୍ଧ୍ୱାହଲ, ଝାରସୁଗୁଡ଼ା – ୭୬୮୨୧୧

(ଓଡ଼ିଶା)

 

***

 

ବିଷାଦ

ରବୀନ୍ଦ୍ର କୁମାର ସ୍ୱାଇଁ

 

ବସାଘର ହେଉଛି ରୁଚି ସମ୍ପର୍ଣ୍ଣ ‘ନିଶାନ୍ତ’ ପତ୍ରିକାର ସମ୍ପାଦକ ସଂଗ୍ରାମ ଜେନାଙ୍କର ପ୍ରଥମ କବିତା ସଂକଳନ । ଏହି ବହି ସହିତ ଆମ୍ଭେମାନେ ତାଙ୍କୁ କବି ଭାବେ ଜାଣିବାକୁ ପାଉଛେ । ଦିଲ୍ଳୀପ ନାୟକଙ୍କ ଭଳି ସେ କେବେ କେଉଁ ପତ୍ରିକାରେ ପୂର୍ବରୁ କବିତା ଛପାଇ ନାହାନ୍ତି । ପତ୍ର ପତ୍ରିକା ମାଧ୍ୟମରେ କବିମାନେ ସାଧାରଣତଃ ପରିଚିତ ହୋଇଥାଆନ୍ତି । ତେଣୁ ଯେତେବେଳେ ସେହି ସବୁ କବିତା ସଂକଳନରେ ଆସେ, ପାଠକଙ୍କର ଆଶା ଆକାଙ୍‌କ୍ଷା ଥାଏ କିନ୍ତୁ ବସାଘର କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଅଲଗା, ଏଥିରେ ଥିବା କବିତା ଏହାର ଦୃଢ଼ତା ବା ଦୁର୍ବଳତାର ସ୍ୱାକ୍ଷର ବହନ କରିବ ।

 

‘ବସାଘର’ର ସମ୍ପୂର୍ଣ୍ଣ କବିତା ସଂଖ୍ୟା ବାଉନ । ସେ ସବୁ ପ୍ରାୟତଃ କ୍ଷୁଦ୍ର –ଦୁଇ ବା ତିନି ପୃଷ୍ଠା ବିଶିଷ୍ଟ; ଏପରିକି ଅନେକ ଏକ ପୃଷ୍ଠାରେ ସୀମିତ । କବିତାମାନ ଅତ୍ୟନ୍ତ ସରଳଭାବେ ପ୍ରତିପାଦିତ; କାରଣ ସେଥିରେ ଜ୍ୟାମିତିକ ଢଙ୍ଗରେ ଗୋଟିଏ କଥାର ଉପସ୍ଥାପନା କରାଯାଇ ତାହାର ପୂର୍ଣ୍ଣାଙ୍ଗ ଭାବେ ଯବନିକା ଟଣା ଯାଇଛି । ଅର୍ଥାତ୍‌, ସଂଗ୍ରାମ ଜେନାଙ୍କ କବିତାରେ ଢଗ କହିବାର ଶୈଳୀ ଅନୁସୃତ । ସେ ଗଳ୍ପ ହୋଇପାରେ ସାଙ୍କେତିକ ବା ଆଙ୍ଗିକ, ଏଇ ଯେମିତି ‘‘ପଲାସା ଷ୍ଟେସନ’, ‘ଚିଠି’, ଏବଂ ‘ସେହି ବୁଢ଼ା ଲୋକ’, କିନ୍ତୁ ଏହି କଥା କୁହା ଶୈଳୀରେ ଅଛି ଗଭୀର ଅନୁଭବ ଓ ଅନୁଭୂତି, ପୃଥିବୀକୁ ଭିନ୍ନ ଦୃଷ୍ଟିରେ ଦେଖିବାର ଢଙ୍ଗ, ଯାହାକି କବିତାର ଛତ୍ରେ ଛତ୍ରେ ବାରି ହୋଇପଡ଼ିଥାଏ । ଯଥା : ଘଣ୍ଟା, ଏହାର ଆରମ୍ଭ ଏହିପରି :

 

‘‘ଘଣ୍ଟା ଶବ୍ଦ ମୁଁ ଆଦୌ ସହ୍ୟ କରିପାରେନା’’ ।

 

ଥରେ ଏଭଳି ନାଟକୀୟ ଆରମ୍ଭର ମୁହାଁମୁହିଁ ହେଲେ ସେଥିରୁ ନିସ୍ତାର ନାହିଁ । କବିତା ଭିତରକୁ ହିଁ ଯିବାକୁ ପଡ଼ିବ । ସେଠି ପହଞ୍ଚିଲେ ଦେଖିବାକୁ ମିଳିବ:

 

‘‘ନଈ ମଝିରେ ଦିଶୁଥିବା ମିଞ୍ଜି ମିଞ୍ଜି ଆଲୁଅ ଓଢ଼ଣା ତଳୁ କାହାକୁ ଖୋଜୁଥିବା/ସେଇ ଦୁଇଟି ଅଧା ବୁଜିଲା ଆଖି’’

 

କିନ୍ତୁ ସଂଗ୍ରାମ ଜେନାଙ୍କ କବିତ୍ୱର ସଫଳ ନିଦର୍ଶନ ମିଳେ ସେ ଯେପରି ଭାବେ କବିତାକୁ ଶେଷ କରନ୍ତି । ସେଥିପାଇଁ ଶେଷ କବିତାକୁ ଉଦାହରଣ ସ୍ୱରୂପ ବିଶ୍ଳେଷଣ କରାଯାଇ ପାରେ ।

 

ଏହାର ନାମ ‘‘ବେଳ ବୁଡ଼ିଲେ’’ ବେଳ ବୁଡ଼ିଲେ କ’ଣ କ’ଣ ଘଟେ ତା’ର ଏକ ଅଦୃଶ୍ୟ ଟିପ୍ପଣୀ ପ୍ରସ୍ତୁତ କରନ୍ତି ଜେନା: ‘‘ବାହାଘର ମୋହ ଛାଡ଼ି’’ ପକ୍ଷୀମାନେ ଘରମୁହାଁ; ‘ନୂଆଁ ଫୁଳ ଫୁଟିବାର ବାସ୍ନା’; ‘ଶୂନ୍‌ଶାନ୍‌ ଲାଗୁଥିବା ଘର ଭିତରେ/ପୁଣି ଥରେ କୋଳାହଳ’: ‘ବାହାରର ସମ୍ପର୍କ ସବୁ କଟିଆସେ ଏବଂ ‘ଘର ବାହାରେ ଅନ୍ଧାର ଓ ଭିତରେ ଅନ୍ଧାର’ । ଏହି ବିରଳ ମନୋଭାବକୁ ନେଇ ହିଁ କବିତାର ସୃଷ୍ଟି । ଏହି କବିତାର ଅସ୍ପଷ୍ଟ ଅନ୍ଧାରର ଦୁନିଆ ମନରେ ଏକ ବିଷାରଦ ଭାବ ଆଣିଥାଏ ଏବଂ ସେହି ବିଷାଦ ଭାବ ଘନୀଭୂତ ହୁଏ କବିତାର ଶେଷ ପଂକ୍ତିରେ :

 

ପୁଣି ଥରେ ସେହି ନୀରବତା

ସେହି ନୀର୍ଜନତା

ଆଉ କୋଳାହଳ ନାହିଁ ।

କଥାବାର୍ତ୍ତା ନାହିଁ

ଲାଗେ ଯେମିତି ସମସ୍ତେ

ଅଲଗା ଅଲଗା ଘରେ ରହିଛନ୍ତି

ନିଜ ନିଜ ଭିତରେ ବଞ୍ଚୁଛନ୍ତି ।

ଏହା କ’ଣ ‘ବସାଘରର’ ସଂଜ୍ଞା ?

 

ଏହିଭଳି ଅନେକ ସୂକ୍ଷ୍ମ ଭାବ ଭରା କବିତାର ପରିଚୟ ମିଳେ ‘ଇତହାସ’ କବିତାରେ ଯାହାକି ଜେନାଙ୍କର ଶ୍ରେଷ୍ଠ କବିତା ବୋଲି କୁହାଯାଇପାରେ । ସେ ଯେ ଭଳି ଭାବେ ଇତିହାସକୁ ଦେଖିଛନ୍ତି ତାହାର ପଟାନ୍ତର ଓଡ଼ିଆ କବିତାରେ ଅନ୍ୟତ୍ର ଦେଖାଯାଏ ନାହିଁ । ସେ ଇତିହାସର କିଛି ନୂତନ ଦିଗ ଦେଖାଇନାହାନ୍ତି ସତ, କିନ୍ତୁ ତାଙ୍କର ସମ୍ବେଦନଶୀଳ ମନ ଓ ହୃଦୟ ଏହି କବିତାକୁ ଉଚ୍ଚକୋଟୀର କରିପାରିଛି ଏବଂ ସେ ସବୁର ମୂଳଦୂଆ ହେଉଛି ସେହି ବିଷାଦ ଭାବ ।

 

‘‘ସବୁ ଶୁଣିସାରିବା ପରେ (ଇତିହାସ) ପୁଣିଥରେ କଡ଼ ଲେଉଟାଏ’’ ଏବଂ ଇତିହାସ ଛୋଟ ଛୋଟ ଘଟଣାକୁ ନ ଦେବା ସମସ୍ତେ ଜାଣନ୍ତି କିନ୍ତୁ ଜେନା ଯେମିତି ଏହାକୁ ପ୍ରକାଶ କରନ୍ତି ତାହା ନିଆରା:

 

‘‘ଇତିହାସ ଜାଣେ ନାହିଁ

କେମିତି ଲାଗେ ମାଟିର ଗନ୍ଧ ପ୍ରଥମ ବର୍ଷାରେ

ଇତିହାସ ରାଧାରାଧା ହୁଏ

ନାମହୀନ ଗୋପୀସବୁ ରହିଯାନ୍ତି କଦମ୍ୱ ଛାଇରେ’’

 

ଇତିହାସ ପୃଷ୍ଠାରେ ସ୍ଥାନ ପାଇନଥିବା ସାଧାରଣ ମଣିଷଙ୍କ ଦୈନନ୍ଦିନ ସଂଗ୍ରାମ ହେଉଛି ସଂଗ୍ରାମ ଜେନାଙ୍କ ଭାଷାରେ :

 

‘‘ଜମା ଖରା ପଡ଼ୁନଥିବା ପାହାଡ଼ ସେ ପଟେ

ଅଙ୍କା ବଙ୍କା ନଈ ଆର ପାର’’

 

ଜେନାଙ୍କର ଏହିଭଳି ସଫଳ କବିତା ସୃଷ୍ଟି ପଛରେ ଯେଉଁ ପୂର୍ବ ସୁରୀମାନଙ୍କର ସ୍ୱର ଶୁଣାଯାଏ ସେମାନେ ହେଉଛନ୍ତି ଗୁରୁପ୍ରସାଦ ମହାନ୍ତି ରମାକାନ୍ତ ରଥ ଏବଂ ସୌଭାଗ୍ୟ ମିଶ୍ର ।

 

ଏଭଳି ମଙ୍ଗଳ କବିତା ରଚନା ପାଇଁ କବି ଜେନା ଧନ୍ୟବାଦାର୍ହ । କିନ୍ତୁ ଏହି ସଂକଳନରେ ଏପରି ଅନେକ ଦୁର୍ବଳ କବିତାମାନ ଅଛି ଯାହାକୁ ମଧ୍ୟ ସଂକଳନରୁ ବାଦ ଦିଆଯାଇ ପାରିଥାଆନ୍ତା-। ସେସବୁ ହେଉଛି ‘‘ଫୁଲଟିଏ ଫୁଟିଥାଏ’’, ‘‘ଆସିଲେ ଦେଖିବ’’ ‘‘ଆଖି’’, ‘‘ଦେହ’’ କାରଣ ଏହିସବୁ କବିତାଗୁଡ଼ିକରେ ଚର୍ଚ୍ଚିତ ବିଷୟ ନିଜର ଆକାଂକ୍ଷିତ ଗଭୀରତାକୁ ସ୍ପର୍ଶ କରିପାରିନାହାନ୍ତି । ସର୍ବୋପରି ସଂଗ୍ରାମ ଜେନାଙ୍କର କବିତା ସଂକଳନ ‘ବସାଘର’ ଏହାର ସରଳତା ଓ ସାବଲୀଳତା ପାଇଁ ଆଦୃଢ଼ ହେବ ।

 

***

 

‘‘ଆମାର ମେୟେ ବେଲା’’

ସମୀକ୍ଷା : ଡକ୍ଟର କୁଳମଣି ଜେନା

 

ଭାରତୀୟ ଉପମହାଦେଶ ଓ ବିଶ୍ୱରେ ଚହଳ ପକାଇଥିବା ଲେଖିକା ତସ୍‌ଲିମା ନାସରିନ୍‌-। ତସ୍‌ଲିମାନଙ୍କର ଖ୍ୟାତି ତାଙ୍କର ମୌଳବାଦ ବିରୁଦ୍ଧରେ ବେସାଲିସ୍‌ ସଂଗ୍ରାମ ପାଇଁ; ଯେଉଁଥି ପାଇଁ ସେ ଆଜି ବାଂଲାଦେଶରୁ ନିର୍ବାସିତା । ତସ୍‌ଲିମା ବର୍ତ୍ତମାନ ଭାରତର ସର୍ବାଧିକ ଜନପ୍ରିୟ ଲେଖିକା । ଏପରିକି ଓଡ଼ିଶାରେ ଏକଦା ସବୁଠାରୁ ଅଧିକ ବିକ୍ରି ହୋଇଥିବା ଲେଖିକା ତସଲିମା ନାସରିନ ।

 

ତସଲିମାଙ୍କ ସଦ୍ୟତମ ସାହିତ୍ୟ ସୃଷ୍ଟି ବଙ୍ଗ ଭାଷାରେ ରଚିତ ତାଙ୍କର ଆତ୍ମ ଜୀବନୀ ‘‘ଆମାର ମେୟେ ବେଲା’’। ପୁସ୍ତକଟି ଓଡ଼ିଆରେ ଅନୂଦିତ । ‘‘ଆକାର ମେୟେ ବେଲା’’ ପୁସ୍ତକ ପ୍ରଥମ କରି ଜୁଲାଇ-୧୯୯୯ ମସହାରେ କଲିକତାର ‘‘ପିପୁଲସ୍‌ ସୋସାଇଟି’’ ପକ୍ଷରୁ ପ୍ରକାଶିତ ହୁଏ । ଇତି ମଧ୍ୟରେ ପୁସ୍ତକଟିର ୮ଟି ସଂସ୍କରଣ ହୋଇ ସାରିଛି । ବଙ୍ଗଳାର ପ୍ରସିଦ୍ଧ ଆନନ୍ଦ ପୁରସ୍କାର ଗୌରବ ମଧ୍ୟ ମିଳିଛି ତସ୍‌ଲିମାକୁ ଏହି ପୁସ୍ତକ ସକାଶେ ।

 

‘‘ଆମାର ମେୟେ ବେଲା’’ ତସ୍‌ଲିମାଙ୍କ ନିଜସ୍ୱ ଜୀବନାଭୂତିର ସମ୍ୱେଦନଶୀଳ ନିରଳସ ପରିପ୍ରକାଶ । କୌଣସି ପ୍ରକାର ପୂର୍ବାନୁଗ୍ରହ ନଥାଇ କୌଣସି ଚାପର ବଶବର୍ତ୍ତୀ ନହୋଇ ତାଙ୍କ ଜୀବନର ସମସ୍ତ ଅନୁଭୂତିଗୁଡ଼ିକ ରୋକ୍‌ଠୋକ୍‌ ଭାବରେ ଆତ୍ମପ୍ରକାଶ କରିଛି ଏହି ପୁସ୍ତକରେ । ବାଂଲାଦେଶୀ ଇତିହାସର ଏକ ଯୁଗ ସନ୍ଧିର ସାମାଜିକ ସାଂସ୍କୃତିକ ଜୀବନ ଧାରାର ପ୍ରମାଣିକ ଦଲିଲ ପୁସ୍ତକଟି ।

 

ଆତ୍ମଜୀବନୀ ଗ୍ରନ୍ଥରେ ନିଜ ଜୀବନର ନିଭୃତ ଓ ଗୋପନ ଘଟଣାମାନଙ୍କୁ ଅକପଟ ଭାବରେ ଅଭିବ୍ୟକ୍ତ କରି ପାରିଛନ୍ତି ପୃଥିବୀର ଅନେକ ଲେଖକ । ବର୍ଣ୍ଣାଡ଼ଶଙ୍କଠାରୁ ଆରମ୍ଭ କରି ଗାନ୍ଧୀ ଅମୃତା ପ୍ରିତମ ବହୁ ଲେଖକଙ୍କ ଲେଖାରେ ଅନୁଭୂତିର ଭରପୂର ଆତ୍ମପ୍ରକାଶ ଲକ୍ଷ୍ୟ କରାଯାଇଥାଏ । ଗାନ୍ଧିଜୀଙ୍କ ଆଭା ଓ ମିରାଙ୍କ ସହିତ ଉଲଗ୍ନ ରାତ୍ରୀ ଯାପନର ବ୍ରହ୍ମଚର୍ଯ୍ୟ ପାଳନ ଅନୁଭୂତିଠାରୁ ଆରମ୍ଭ କରି ବିମ୍‌ସଙ୍କର କନିକା ରାଜାଙ୍କର ୬୮ ତମ ରାଣୀ ଗ୍ରହଣର ଦର୍ଶନ ପର୍ଯ୍ୟନ୍ତ ବହୁ ଚିତ୍ତାକର୍ଷକ ଅନୁଭୂତିମାନଙ୍କର ବିପୁଳ ସମ୍ଭାର ଆତ୍ମଜୀବନୀ ପୁସ୍ତକ । ଅମ୍ରୀତା ପ୍ରୀତମ୍‌ଙ୍କ ପ୍ରଥମ ପତି ତ୍ୟାଗର ସୁଖଠାରୁ ଆରମ୍ଭ କରି ଫକିରମୋହନଙ୍କ ପ୍ରଥମା ପତ୍ନୀ ବିୟୋଗ ଜନିତ ହର୍ଷ ଉତ୍‌ଫୁଲତାର ରଦ୍ଧିମନ୍ତ ଓ ମୁଖର ଆତ୍ମ ଜୀବନୀର ଅନୁଭୂତିମାନ ।

 

ଏହା ଲକ୍ଷଣୀୟ ଯେ ପୃଥିବୀର ଅଧିକାଂଶ ଆତ୍ମଜୀବନୀ ଗ୍ରନ୍ଥ ବାସ୍ତବତା ପ୍ରକାଶ କରୁ କରୁ ହଠାତ୍‌ ଆଦର୍ଶ ଆଡ଼କୁ ମୁହାଁଇ ଯାଇଥାଏ । ଉପରୋକ୍ତ ସମସ୍ତ ଆତ୍ମ ଜୀବନୀକାରଙ୍କର ଆତ୍ମଜୀବନୀରେ ଆଦର୍ଶର ଅଳ୍ପ ବିସ୍ତର ପରିପ୍ରକାଶ ଘଠିବାଟା ସ୍ୱାଭାବିକ । ଉପରୋକ୍ତ ସମସ୍ତ ଆତ୍ମ ଜୀବନୀକାର ଓ ସେମାନଙ୍କର ଆତ୍ମଜୀବନୀ ଗ୍ରନ୍ଥ ସହ ତସ୍‌ଲିମାଙ୍କର ‘‘ଆମାର ମେୟେ ବେଲା’’ ବା ‘‘ମୋ ପିଲାଦିନ’’କୁ ତୁଳନା କଲେ ମନେହୁଏ ଭାରତୀୟ ଉପମହାଦେଶ ଏପରିକି ପୃଥିବୀର ଅନ୍ୟାନ୍ୟ ବହୁ ଭାଷାରେ ଅନାସକ୍ତ ଭାବରେ ନିଜ ଜୀବନର ଅତ୍ୟନ୍ତ ଗୋପନୀୟ ଅନୁଭୂତିମାନଙ୍କୁ କେହି କେହି ପ୍ରକାଶ କରିଯାଇ ପାରନ୍ତି ତାଙ୍କର ଆତ୍ମଜୀବନୀ ଗ୍ରନ୍ଥରେ, କିନ୍ତୁ ନିଜର ପରିବାର, ପିତାମାତା, ସମ୍ପର୍କୀୟମାନଙ୍କ ଜୀବନର ନିହାତି କିଛି – ଅପ୍ରିୟ କଟୁ ତିକ୍ତ କ୍ରିୟା ସମ୍ପର୍କରେ ବ୍ୟକ୍ତ କରିବା କ୍ୱଚିତ ଆତ୍ମ ଜୀବନୀକାରଙ୍କ କ୍ଷେତ୍ରରେ ସମ୍ଭବ ହୋଇଥାଏ । ଅନ୍ୟମାନେ ବିଶେଷ କରି ନିଜର ପିତାମାତାଙ୍କ ଜୀବନର ଆବୃତ କିଛି ଘଟଣାମାନଙ୍କୁ ଅନାବୃତ କଳାବେଳେ ସ୍ପର୍ଶକାତର ହେବାଟା ଆମ ପାଣିପାଗରେ ସ୍ୱାଭାବିକ । ଏହି ସ୍ୱାଭାବିକତାକୁ ଭାବରେ ଭାଙ୍ଗି ଦେବାର ଦୃଢ଼ତା ଓ ସାହସ ସହ ବେଶ୍‌ ସ୍ୱାଭାବିକ ଆତ୍ମପ୍ରକାଶ ତସ୍‌ଲିମାଙ୍କ ‘‘ଆମାର ମେୟେ ବେଲା’’ । ଅନେକ ସମୟରେ କୁହାଯାଏ ଯେ ସେଇ ବ୍ୟକ୍ତିଟି ସେତେ ସ୍ୱଳ୍ପ, ନିର୍ମଳ ଓ ନିଷ୍ପାପ ଯିଏ ନିଜ ଜୀବନର ଯାହା କିଛି ଗୋପନୀୟତାକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରି ଦେଇଥାଏ । ଆମେ ଆମ ବ୍ୟକ୍ତିଗତ ଜୀବନର ଅଳ୍ପ କେତୋଟି ଗୋପନ କାହାଣୀକୁ କିଛି ବନ୍ଧୁମାନଙ୍କ ନିକଟରେ ପ୍ରକାଶ କରିଥାଉ । ତସ୍‌ଲିମା କିନ୍ତୁ ତାଙ୍କ ଜୀବନର (ପ୍ରାୟତଃ ୧୪ ବର୍ଷ ଯାଏ) ଆବଶ୍ୟକୀୟ ପ୍ରାୟ ସମସ୍ତ ଗୋପନ କଥାକୁ କେବଳ ନିଜର ବନ୍ଧୁମାନଙ୍କ ପାଖରେ ପ୍ରକାଶ କରି ନାହାନ୍ତି, ନିଖିଳ ବିଶ୍ୱବାସୀଙ୍କ ପାଖରେ ପ୍ରକାଶ କରି ଦେଇ ଅଛନ୍ତି । ଏହା କେବଳ ସେ ବାହାଦୂରୀ ଦେବା ପାଇଁ କରି ନାହାନ୍ତି ଅଥବା ବାହାବା ପାଇବା ପାଇଁ କରି ନାହାନ୍ତି । ଏହା କରିବା ପଛେ ସେ ମଣିଷର ନିଜକୁ ଅନାବୃତ କରିବାର ଅପାରଗତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତାଙ୍କ ଆତ୍ମଜୀବନୀ ଗ୍ରନ୍ଥରେ ତସ୍‌ଲିମା ସତେ ଯେମିତି କହିବାକୁ ଚାହିଁଛନ୍ତି ‘‘ମୋ ଜୀବନଟା ଏକ ଖୋଳା ମେଲା ଇତିହାସ, ୟା ଭିତରକୁ ଯେ କେହି ପ୍ରବେଶ କରିପାରେ ।’’ ତସ୍‌ଲିମାଙ୍କ ଆତ୍ମ ଜୀବନୀ ଗ୍ରନ୍ଥଟି କେବଳ ଶିକ୍ଷଣୀୟ ନୁହଁ- ଏହା ଏପରି ଏକ ଦଲିଲ ଯାହାର ଐତିହାସିକ ଗୁରୁତ୍ୱ ଯଥେଷ୍ଟ । ନିଜ ଜୀବନର ବେଶ୍‌ କିଛି ଘଟଣା ସହ ପ୍ରସଂଗାନୁକ୍ରମେ ସଂପୃକ୍ତ ବା ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷ ଓ ଆତ୍ମୀୟମାନଙ୍କର ଅନେକ ଦୁର୍ବଳତାକୁ ଅନାବରଣ କରିବା ଏହି ଗ୍ରନ୍ଥଟିର ନିଆରାପଣ । ଉଦାହରଣ ସ୍ୱରୁପ ବାଲାଂଦେଶୀ ମୌଳବାଦୀ ସାଂସ୍କୃତିକ ଓ ସାମାଜିକ ବ୍ୟବସ୍ଥାରେ ନୈତିକତା ଓ ମୂଲ୍ୟବୋଧକୁ ନେଇ ମଣିଷ ଭୋଗୁଥିବା ମାନସିକ ଦାରିଦ୍ର୍ୟ ରୋଗ ଯେ ଭୟଙ୍କର ଓ ବିପଦ୍‌ଜନକ ଏହାର ପରଦା-ଫାଶ୍‌ କରିଛନ୍ତି ତସ୍‌ଲିମା ତାଙ୍କର –‘‘ଆମାର ମେୟେବେଲା’’ ପୁସ୍ତକରେ । ଏହି ଦାରିଦ୍ର୍ୟର କଦର୍ଯ୍ୟ ରୂପକୁ ବର୍ଣ୍ଣନା କଲାବେଳେ ତାଙ୍କର ଲେଖକୀୟ ତଲୱାର ଅନ୍ୟ କାହାକୁ କ୍ଷତବିକ୍ଷତ କରିନି, କରିଛି ତାଙ୍କର ବାପା ଓ ମାଙ୍କୁ । କାଳି ଝିଅକୁ ବାହା ହେବାର ତଥାକଥିତ ଦୁଃଖକୁ ଭୁଲିଯିବା ପାଇଁ ତସ୍‌ଲିମାଙ୍କର ବାପା ରେଜିଆ ବେଗମ୍‌ ସହ ଶର୍ଯ୍ୟାସାଥୀ ଥିବା ସମୟରେ ହଠାତ୍‌ ଦିନେ ତାଙ୍କ ମାଙ୍କ ଦ୍ୱାରା ଧରା ପଡ଼ିଛନ୍ତି । ପରିଣତିରେ ସ୍ୱାମୀ ସମ୍ପର୍କ ଖରାପ ହୋଇଛି । ଆହତ ନାଗୁଣି ସମା ତସ୍‌ଲିମାଙ୍କ ମା’ ଏଥର ବାପାଙ୍କୁ ବିଦ୍ରୁପ ବାଣ ପ୍ରୟୋଗ କରିବାକୁ ଭୁଲି ନାହାନ୍ତି । ଏମିତି ହୋଇଛି ତସ୍‌ଲିମାର ବାପାଙ୍କ ଭିତରେ ଥିବା ପୁରୁଷ ସିଂହ ଦିନେ ଗର୍ଜି ଉଠିଛି । ଶାରୀରିକ ନିର୍ଯ୍ୟାତନାର ଶୀକାର ହେବାକୁ ପଡ଼ିଛି ତସଲିମାର ମାଙ୍କୁ । ପ୍ରତିବଦଳରେ ବା ଏହାର ଯବାବ୍ ସ୍ୱରୂପ ଶ୍ୟାଳକ ମହାଶୟ ଅର୍ଥାତ୍ ତସ୍‌ଲିମାର ମାମୁ ଭଗ୍ନୀ ନିର୍ଯ୍ୟାତନାର ପ୍ରତିଶୋଧ ସ୍ୱରୂପ ତା’ର ବାପାଙ୍କୁ ମାଡ଼ ମାରି ବେଶ୍‌ କିଛିଦିନ ଶର୍ଯ୍ୟାଶାୟୀ ହେବାର ସୁଯୋଗ ସୃଷ୍ଟି କରିଛନ୍ତି । ଅନ୍ୟ ଏକ ଅପରାଧରେ ତସ୍‌ଲିମାର ଭାଇକୁ ତା’ର ବାପାଙ୍କ ଦ୍ୱାରା ମାଡ଼ ଖାଇବାକୁ ପଡ଼ିଛି । ତାହାପୁଣି ଖୁଣ୍ଟରେ ବନ୍ଧାହୋଇ ଚାବୁକ୍‌ ଦ୍ୱାରା । ଏହା ଯେ ଏକ ଶିକ୍ଷିତ ବାଂଲାଦେଶୀ ପରିବାର ମଧ୍ୟରେ ବିରାଜମାନ କରୁଥିବା ମାନସିକ ଦାରିଦ୍ୟ ଜନିତ ମଧ୍ୟଯୁଗୀୟ ବର୍ବରତାର ସୂଚକ କହିବା ବାହୁଲ୍ୟ ।

 

ନାରୀ ପୁରୁଷ ସମ୍ପର୍କ କ୍ଷେତ୍ରରେ ସାମନ୍ତି ସାଂସ୍କୃତିକ ଧାରାର ଯୌନ ନିପୀଡ଼ନ ପ୍ରସଙ୍ଗ ତସ୍‌ଲିମାଙ୍କ ‘‘ଆମାର ମେୟେ ବେଲା’’ ପୁସ୍ତକର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ୮ ବର୍ଷର ତସ୍‌ଲିମାଙ୍କୁ ଭଲ ଜିନିଷ ଦେଖାଇବା ବାହାନାରେ ତସ୍‌ଲିମାର ମାମୁ ତସ୍‌ଲିମାକୁ ଚାଳିଆ ଘରକୁ ଡାକିନେଇ ତାକୁ ଉଲଗ୍ନ କରି ଚିତ୍‌ କରି ଶୁଆଇ ଦେବା ଓ ଉଷ୍ଣ ଚାପ ଦେବା ପ୍ରସଙ୍ଗଟି ଅପ୍ରାପ୍ତ ବୟସ୍କଙ୍କ ଯୌନଶିକ୍ଷା ଅଭାବ ଜନିତ ଯୌନ ନିପୀଡ଼ନର ଚେହେରାକୁ ପ୍ରକଟିତ କରିଥାଏ । ବାଂଲାଦେଶ ମୁକ୍ତି ସଂଗ୍ରାମରେ ଯୁବକମାନଙ୍କର ତ୍ୟାଗ ଓ ସେଇ ତ୍ୟାଗକୁ ପୁଞ୍ଜି କରି ସ୍ୱାଧୀନ ବାଂଲାଦେଶରେ ମୁଜିବ୍‌ ସମର୍ଥକଙ୍କ ଉଚ୍ଛୃଙ୍ଖଳତା; ମରୁଡ଼ି ସମୟରେ ମଣିଷର ଅସହାୟବୋଧ, ସ୍ୱାର୍ଥପରତା ଇତ୍ୟାଦି ଦିଗମାନଙ୍କର ଜ୍ୱଳନ୍ତ ସୁନ୍ତର ଅନୁମୂତିମୟ ଆଲେଖ୍ୟ ‘‘ଆମାର ମେୟେ ବେଲା’’ । ମାତ୍ର ୧୪ ବର୍ଷର ଅନୁଭୂତିକୁ ବହନ କରିଥିବା ଆତ୍ମକଥନ ମଧ୍ୟରେ ଅଛି ଗୋଟା ଜଗତର ଦୁଃଖ ଓ ଦାରିଦ୍ର୍ୟତାର କାହାଣୀ । ଗ୍ରନ୍ଥଟି ତସ୍‌ଲିମାଙ୍କ ଭଳି ଏକ ମୁକ୍ତିକାମୀ କାବ୍ୟ ବ୍ୟକ୍ତିତ୍ୱର ସମ୍ଭାବନାମୟ ଭବିଷ୍ୟତର ଆତ୍ମପ୍ରକାଶକୁ ସୂଚିତ କରିଥାଏ । ବସ୍ତୁତଃ ୧୪ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ କରିଥିବା ସମସ୍ତ ପୂତିଗନ୍ଧମୟ ପରିସ୍ଥିତିକୁ ଏଡ଼େଇ ଦେଇ ଅସମ୍ଭବ ଦୃଢ଼ତାର ସହ ନିଜସ୍ୱ ଜଟିଳ, ଦୁରୂହ ପରାକ୍ରମୀ ପଥକୁ ବାଛି ନେଇଛନ୍ତି ତସ୍‌ଲିମା । ପୁରୁଷାଧିପତ୍ୟ ବିରୁଦ୍ଧରେ ସତେଜ ଓ ସୁନ୍ଦର ହୋଇଛି ତସ୍‌ଲିମାଙ୍କର ଅନୁଭୂତିମୟ ‘‘ଆମାର ମେଁ ବେଲା’’ ପୁସ୍ତକ-

 

‘‘ଆମାର ମେୟେ ବେଲା’’ ପୁସ୍ତକର ଅନ୍ୟତମ ବୈଶିଷ୍ଟ ଏହାର ନିହିତ ଭାବଧାରା ଓ ଚୈତନ୍ୟ ନିର୍ଯ୍ୟାସ; ଯାହା ଅଭିବ୍ୟକ୍ତ କରିଯାଏ ଏକ ନିଆରା ଅଥଚ ମଜବୁତ ତତ୍ତ୍ୱକୁ । କେବଳ ସୂଚନାତ୍ମକ ଭାବରେ ଗ୍ରନ୍ଥ ମଧ୍ୟରେ ନିର୍ଦ୍ଦେଶିତ ଏହି ତତ୍ତ୍ୱ ହେଲା – ‘‘ସଂସ୍କୃତିଗତ ଦାରିଦ୍ୟ ଗୋଟାଏ ଜାତିର ଅର୍ଥନୈତିକ ଦାରିଦ୍ରତାର ପରିପୂରକ’’ । ବେଳେ ବେଳେ ଏହା ଅର୍ଥନୈତିକ ଦାରିଦ୍ରତାର ନିୟାମକ ହୋଇଥାଏ । ତୃତୀୟ ବିଶ୍ୱର ଅଧିକାଂଶ ଦେଶ ଯେହେତୁ ସାଂସ୍କୃତିକ ଓ ଶୈକ୍ଷିକ ଅନଗ୍ରସରତାର ମାତ୍ରା ଅଧିକ ତେଣୁ ତାହା ଦୂର ନହେଲା ପର୍ଯ୍ୟନ୍ତ ଏ ସମସ୍ତ ଦେଶର ନିସ୍ତାର ନାହିଁ । ପ୍ରକାରାନ୍ତରେ ହେଲେ ମଧ୍ୟ ତସ୍‌ଲିମାଙ୍କ ‘‘ଆମାର ମେୟେ ବେଲା’’ ନିପୀଡ଼ିତ ଜାତିମାନଙ୍କର ତଥାକଥିତ ସାଂସ୍କୃତିକଗତ ମୁଁ ତ୍ୱର ବିରୋଧୀ ।

 

‘‘ଆମାର ମେୟେ ବେଲା’’ରେ ଏହା ସ୍ପଷ୍ଟ ସୂଚିତ ଯେ ବାଂଲାଦେଶ ବା ସେଇପରି ପଛରେ ପଡ଼ିଥିବା ଦେଶ ଏପରିକି ଭାରତବର୍ଷ ତା’ର ତଥାକଥିତ ସାଂସ୍କୃତିକ ମୁଁତ୍ୱକୁ ଯେପର୍ଯ୍ୟନ୍ତ ପରିହାର ନ କରିଛି ସେ ପର୍ଯ୍ୟନ୍ତ ସେ ସମସ୍ତ ଦେଶମାନଙ୍କ ପ୍ରକୃତ ଅଗ୍ରଗତିର ରାସ୍ତା ରୁଦ୍ଧ ।

 

୧୭, ସତ୍ୟନଗର

ଭୁବନେଶ୍ୱର ।

 

***

 

ହାଏ ଟାଇଡ୍‌ ଏବ୍‌ ଟାଇଡ୍‌

ମୂଳରେଖା : ଗୋପୀନାଥ ମହାନ୍ତି

ଇଂରାଜୀ ଅନୁବାଦ : ଡକ୍ଟର ବିକ୍ରମ କେଶରୀ ଦାସ

ସମୀକ୍ଷା : ଅଶ୍ୱିନୀ କୁମାର ମିଶ୍ର

 

ପ୍ରଥିତ ଯଶା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ଲୟ ବିଲୟ’ର ଏହା ଇଂରାଜୀ ଅନୁବାଦ । ଗୋପୀନାଥଙ୍କ ଭାଷା ତାଙ୍କ ଅନ୍ୟ ଉପନ୍ୟାସ ସମୂହ ଯଥା ‘ମାଟି ମଟାଳ’ ‘ପରଜା’, ‘ଅମୃତର ସନ୍ତାନ’ ଇତ୍ୟାଦିରେ ଯେଉଁ ଗ୍ରାମୀଣ ଜନଜୀବନର ସଂସ୍କୃତି ଉପରେ ପର୍ଯ୍ୟବେସିତ ଥିଲା ଏହାର ବ୍ୟତିକ୍ରମ ଘଟିଛି ଶଂସିତ ଉପନ୍ୟାସଟିରେ । ଏଥିର ପ୍ଲଟ୍‌ ଓ କ୍ୟାନ୍‌ଭାସ ଅନ୍ୟ ଉପନ୍ୟାସମାନଙ୍କଠୁ ଅଲଗା । ଚରିତ୍ର ସମୂହ ନିଘଂଚ ଅରଣ୍ୟ ବେଷ୍ଟିତ ଆଦିବାସୀ ଜନଜୀବନ (ମାଟି ମଟାଳ ନୁହେ)ର ସ୍ରୋତରୁ ବାହାରି ଆସି ନିଜ ବ୍ୟକ୍ତିତ୍ୱର ପସରା ମେଲିବା ଭଳି ସ୍ଫୁରଣ ଘଟେଇ ନାହାନ୍ତି ‘ଲୟ ବିଲୟ’ରେ । ବର୍ଣ୍ଣନାତ୍ମକ କିଂବା ବିଶ୍ଲେଷଣାତ୍ମକ ପଦ୍ଧତି ଯାହା ପାରମ୍ପରିକ ଉପନ୍ୟାସମାନଙ୍କରେ ବହୁଳ ଭାବରେ ଦେଖାଦିଏ । ସେଭଳି ଧାରା ଏଠି ବ୍ୟାହତ ହୋଇଛି । ପ୍ରଥାବହୁଳ ଚାରିତ୍ରିକ ଚିତ୍ରଣ, ପାତ୍ରପାତ୍ରୀ ବର୍ଗ, ଅନୁଭୂତିର ବ୍ୟାପକତା ପ୍ରତି ଏଠି ଗୁରୁତ୍ୱ ଦିଆ ହୋଇନାହିଁ । ଏହା କୌଣସି ପରିବାର ଯେଉଁମାନେ ପୁରୀରେ ପଦାର୍ପଣ କରନ୍ତି, ଏକ ଅସୀମ ସମ୍ଭାବନା ନେଇ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସାଙ୍ଗକୁ ଝିଅ ଛଳନା କେମିତି ଅଚିରେ ହାତରୁ ଦି’ ହାତ ହୋଇଯିବ, ଏଇ କଥା ଉଭୟ ସ୍ୱାମୀ ସ୍ତ୍ରୀ ଯଥା ତରୁଣ ରାୟ ଓ କାନ୍ତିମୟୀଙ୍କୁ ବ୍ୟାକୁଳତା କରିଛି । ସାଧାରଣ କଥାବସ୍ତୁ ସ୍ୱପ୍ନର ଔଜ୍ଜ୍ୱଲ୍ୟ ମଧ୍ୟବିତ୍ତ ଜୀବନର କିଛିଟା କାଳ୍ପନିକ ରଙ୍ଗ ତାକୁ ଫେଣ୍ଟିବାର ବାହାନାରେ ସେମାନେ ପୁରୀ ମହୋଦଧି କୂଳରେ ନିଜକୁ ଆବିଷ୍କାର କରି ନିଅନ୍ତି ଦିନେ ସକାଳ ସମୟରେ । ଏହି ଆସିବାର ଅଭୀପ୍‌ସା ମୁଖ୍ୟତଃ ପରିଭ୍ରମଣର । ଜୀବନର ଏକ ଭିନ୍ନ ସ୍ୱାଦକୁ ଚାଖିବା ପାଇଁ । କିନ୍ତୁ ସତରେ କ’ଣ ସେଇ ଚାଖିବାଟା ମିଠା ଜଣା ପଡ଼ିଛି । ନା ମୋଟେ ନୁହେଁ । ଖଟା ଅଙ୍ଗୁର ଫଳ ଭଳି ସେମାନେ ପୁଣି ତାଙ୍କ ଗତି ପଥରୁ ନିଜକୁ ମୁକୁଳେଇ ନେଇ ଫେରି ଯାଇଛନ୍ତି ସେଇ ପୁରୁଣା ସହର କଲିକତାକୁ । ସବୁ କିଛି ସ୍ୱପ୍ନର ଜୁଆରରେ ଭଟ୍ଟା ଆସି ଯାଇଛି ।

 

ଗୋପୀନାଥଙ୍କ କହିବାନୁଯାୟୀ ଏହି ଉପନ୍ୟାସର ନାୟକ ହେଉଛନ୍ତି ସ୍ୱୟଂ ଜଗନ୍ନାଥ ନିଜେ । ଓଡ଼ିଶାର ମାଟି, ପାଣ, ପବନର ମିଳନାତ୍ମକ ପୃଷ୍ଠଭୂମିରେ ଜଗନ୍ନାଥ ଚେତନାର ଉଦ୍‌ଗ୍ରୀବ ତୋରଣଙ୍କୁ ବାନ୍ଧି ରଖିବାର ଲାଳସା ସମସ୍ତ ମଣିଷକୁ ପ୍ରାୟତଃ ଆପ୍ୟାୟିତ କରି ରଖେ । ତରୁଣଙ୍କ ପରିବାର ଏଥିରୁ ବାଦ୍‌ ଯିବେ କିପରି ? କାୟାମନୋବାକ୍ୟରେ ମଣିଷ ଜଗନ୍ନାଥ ଆରାଧାନାରେ ଅନୁବ୍ରତୀ । ସମୁଦ୍ରର ଫେନିଳ ତରଙ୍ଗ ଭଳି ମଣିଷର ହୃଦୟ ଜଗନ୍ନାଥ ରସ ଓ କଳ୍ପରେ ସଦା ବିଧୌତ । ଏଠି ଭାଷାର ଗୁରୁତ୍ୱକୁ ଉପେକ୍ଷା କରାଯାଇ ନିର୍ବାକ୍‌ ହୃଦୟର ଭାଷାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।

 

ଶ୍ରୀ ମନ୍ଦିର ଦୃଷ୍ଟି ପଥାରୃଢ଼ ହୁଏ ସେଇ ତିନି ଜଣଙ୍କର । ଉଦ୍‌ବେଳିତ ହୋଇ ଉଠନ୍ତି ଉଭୟ ସ୍ୱାମୀ ସ୍ତ୍ରୀ । ଝିଅ ଛଳନା ମଧ୍ୟ କିଛିଟା । ହୃଦୟରେ ଭାବବିହ୍ୱଳତା, ଭକ୍ତିର ପ୍ରଚଣ୍ଡ ଝଡ଼ ।

 

ସମୁଦ୍ରର ହିଲ୍ଳୋଳକୁ କାନେଇଛନ୍ତି ତରୁଣ । ପରିବାରର ପ୍ରତିଟି ମଣିଷ ଖୁସିରେ ଆତ୍ମହରା । ବର୍ଣ୍ଣନାର ଚମତ୍କାରିତା ଗୋପୀବାବୁଙ୍କ ବ୍ୟକ୍ତିଗତ । ସୋଲ ଟୋପି ପିନ୍ଧା ନାକରେ ନୋଳକ ଲଗା ରିକ୍‌ସାବାଲା ନାଇଡ଼ୁର ଝାଲୁଆ ଶରୀର ଉପରେ ଚିରା ସାର୍ଟ ଭଳି ସାଧାରଣ ଜୀବନର ଛାୟାଛବିକୁ ପାସୋରି ନାହାନ୍ତି ଔପନ୍ୟାସିକ କେଉଁଠି ହେଲେ । ସମୁଦ୍ର ଓ ବାଲିକୁ ଜୀବନ୍ୟାସ ମିଳିଲା ଭଳି ଶ୍ରଦ୍ଧାନୁଭବ ଯାହା ବିକ୍ରମ ବାବୁଙ୍କ ଅନୁବାଦନୀୟ ଉତ୍କର୍ଷକୁ ଧରି ରଖିବାକୁ ବିଶେଷ ସକ୍ଷମ ହୋଇଛି ବୋଲି କହିବାକୁ ହେବ । ‘‘From unimagined distances the waves came dashing in, laughing, exuberant” ଛଳନା ଦୌଡ଼ୁଛି ପ୍ରତ୍ୟାବର୍ତ୍ତନଶୀଳ ଢେଉଙ୍କ କହୁଛନ୍ତି “Be careful don’t go so close to the water !” ଜିତନ୍ଦ୍ରେବାବୁ ମନେ ପକେଇ ଦେଇଥିଲେ ସମୁଦ୍ରର ଭୟାବହତାକୁ । ତାଙ୍କ ଭାଇ ସମୁଦ୍ରରେ ଡୁବି ମରିଥିଲା ଦିନେ । ପରେ ପରେ ରେଜାଲ୍‌ଟ ବାହାରିଥିଳା ତା’ର ସ୍କଲାରସିପ୍‌ର । ଏଇତ ଦୁନିଆଁ ।

 

ସମୁଦ୍ରସ୍ନାନ ପରେ ସୋରିଷବଟା ମାଛଝୋଳ, ବଙ୍ଗାଳୀଙ୍କ ପ୍ରିୟ ଖାଦ୍ୟ । ଖାଇବା, ବୁଲିବା, ଫୁର୍ତ୍ତି କରିବା ପାଇଁ ଯେମିତି ପୁରୀର ସାର୍ବଜନୀକ ସଜବାଜ । ଅନ୍ୟ ଜଣେ ଟୁରିଷ୍ଟ ବିମାନ ବାବୁଙ୍କ ସାହଚର୍ଯ୍ୟ ମିଳିଗଲା ସେଠି । ଇଂରେଜୀରେ ନିର୍ଦ୍ଦିଷ୍ଟ ଦୃଶ୍ୟପଟକୁ ସୁନ୍ଦର ଭାବେ ସାଇତି ରଖି ପାରିବାର କଳା କୌଶଳ ବିକ୍ରମବାବୁଙ୍କ ଏକାନ୍ତ ନିଜସ୍ୱ । ‘‘Except for the occasional bird gliding across the sea, there was nothing but empty sky” । ମଧ୍ୟଯୁଗୀୟ କୃଷ୍ଣପ୍ରେମର ଗୌଡ଼ୀୟ ଚିନ୍ତନ ‘‘କୃଷ୍ଣ ! କୃଷ୍ଣ !!’’ ଯେମିତି ଫେଣେଇ ଉଠୁଛି ସମୁଦ୍ର ବକ୍ଷରେ ନୁହେ, ତରୁଣ ରାୟଙ୍କ ମାନସିକତାରେ । ବାହ୍ୟଦୃଷ୍ଟିକୁ ଘୋଡ଼େଇ ରଖୁଛି ଅନ୍ତର୍ଦୃଷ୍ଟି ।

 

କାନ୍ତିମୟୀ ସାମୁଦ୍ରିକ ରୂପ ଗଢ଼ଣରେ ବିଭୋର୍‌ ହେଲାବେଳକୁ ସେ ଦେଖିଛନ୍ତି ଛଳନାକୁ-। ପୁଣି ଭାବୀ ଜୁଆଇଁ ରୂପରେ ଅଇଁଠୁ ସାମସ୍ତସିଂହାରକୁ । ଉଭୟଙ୍କର ସାନ୍ନିଧ୍ୟ ନିବିଡ଼ ହେଲା ବେଳକୁ ଦୂରେଇ ଯାଇଛନ୍ତି ସେମାନେ ବାପମା’ଙ୍କଠୁ ।

 

ଏଠି ପୁରୁଣା ଗାଉଁଳି ପ୍ରଥାର ଜାତି, ଗୋତ୍ର କଥା ଆଦୌ ଉଠୁନି । ତଥାକଥିତ ଭାବବିନୋଦିଆ, ପରିକଳ୍ପିତ ‘ସ୍ୱାମୀ’କୁ ଜଳାଞ୍ଜଳୀ ଦେଇ ‘ଭାଇ’ ହୋଇଯିବାର ଦୃଶ୍ୟରାଜି କାନ୍ତିମୟୀଙ୍କୁ ବରାବର ଆନ୍ଦୋଳିତ କରୁଛି । ଇଂରେଜୀ ଭାଷା ଯେଉଁ ପାଶ୍ଚାତ୍ୟ ସଂସ୍କୃତିର ବାର୍ତ୍ତାବହ, ସେଠି ଏଭଳି ଚିନ୍ତାଧାରା ବିଡ଼ମ୍ୱନା ମାତ୍ର ।

 

ଅନୁବାଦକ କେତୋଟି ଶବ୍ଦକୁ ଅବିକଳ ସେଭଳି ରଖିଛନ୍ତି ଯଥା ନୋଳିଆ (Nulia) । ଅସ୍ତୋନ୍ମୁଖୀ ସୂର୍ଯ୍ୟଙ୍କ କନକ ରଶ୍ମି ପ୍ରତିଫଳିତ ହୋଇଛି ତା’ରି ଶରୀରରେ । ଜୀବନର ମହାଉଧୃତି ଭଳି ଅନୁଭବଟିଏ ସାକାର ହୋଇଛି ସାମୁଦ୍ରିକ ବେଳାଭୂଇଁଟିରେ ଯଥା : ‘‘How small is the share of happiness for each one of us ! Let each one find happiness in their own way, only, let each one keep smiling”

 

ଗୋବିନ୍ଦ ଭାଇର ପହିଲ୍‌ମାନୀ କିଛି କ୍ଷଣ ପାଇଁ ସବାର୍‌ ହୋଇଛି ଉପନ୍ୟାସର ପୃଷ୍ଠାରେ-। ଆଖଡ଼ା ଘର, ବାର୍‌ବେଲ, ଛାତି-ଚୌଡ଼ାର ସରଞ୍ଜାମ ସ୍ୱଭାବସୁଲଭ ଭଙ୍ଗୀରେ ଆବିଷ୍କୃତ ହୋଇଛି । ପୁଣି ଅଭୁଲା ସୂର୍ଯ୍ୟାସ୍ତର ମୋହ । ଯାହା କେବେ ଦିଶି ନଥିଲା । ଆକାଶ ସାରା ଭେଳିକି-। ଉଜ୍ୱଳ ଅଙ୍ଗ ରାଶିକୁ ଗ୍ରାସି ଯାଉଛି ଅନ୍ଧକାର ଆସ୍ତେ ଆସ୍ତେ । ବର୍ଣ୍ଣନାର ଚମତ୍କାରିତାରେ ମୁଗ୍ଧ ହେବା ହିଁ ଶ୍ରେୟସ୍କର । ଏତେ ସ୍ୱପ୍ନରେ ଶୋଭାବନ ଭିତରେ ଉକୁଟି ଅଇଁଠୁ ସାମନ୍ତସିଂହାରର ରାଜକୀୟ ମୁହଁ । ଛଳନା ଓ ଅଇଁଠୁ । ଅଇଁଠୁ ଓ ଛଳନା । ଉଭୟେ ଏକାକାର କେଉଁ ସ୍ୱପ୍ନର ବେଦୀ ଉପରେ । ଅଇଁଠୁର ଗାଇଡ଼୍‌ ଜୀବନ ଯେମିତି ଖୋଜି ଚାଲିଛି ଭଲ ପାଇବାର ସୂକ୍ଷ୍ମ ଅଭ୍ୟନ୍ତରକୁ ।

 

ବେଳାଭୂଇଁରେ କଙ୍କଡ଼ାଙ୍କ ଲୁଚକାଳି । ଯେମିତି These tiny crabs were wiser than he, their bright little eyes, raised like telescopes scanning the sky ।

 

ଏଠି ହୈମବତୀ ଭଳି ଚରିତ୍ରର କାକୁତି । ‘‘But even Death avoided me, Biman Bhai” । ରିଫ୍ୟୁଜି କ୍ୟାମ୍ପରେ କଲେରାର ଆବିର୍ଭାବ, ଚେତନା ପ୍ରବାହକୁ ଭିନ୍ନ ବାଗରେ ଟାଣି ନେଇଛି । ଜଣେ ନିରାଶ୍ରତା ମହିଳା, ତା’ର ଦିଟା ଛୁଆଙ୍କୁ ଧରି ପଡ଼ି ରହିଛି ମଲା ମଣିଷ ପରି-। ଆଉ ଜଣେ ନାରୀ ତା’ର ତିନି ବର୍ଷର ଛୁଆଟିକୁ ହରେଇବା ଉପରେ, କଲେରା ଯୋଗୁ । ସତ୍ୟର ସ୍ଥାୟିତ୍ୱ ପ୍ରଶ୍ନବାଚୀ ପାଲଟିଛି । ଯେମିତି ତା’ରି ମୂଳଦୁଆବି ନାହିଁ । ବିଧବା କପାଳର ଚଳନ ସାଙ୍ଗକୁ ମହୋଦଧିର ଉଲ୍ଲାସ ଗୋଟିଏ ପଟେ, ଅନ୍ୟ ପଟରେ ପ୍ରଭୁ ଜଗନ୍ନାଥ । ସବୁ କିଛି ସ୍ୱର୍ଗଦ୍ୱାରରେ ଭେଳିକି । ସମୁଦ୍ର ସହିତ ବିମାନ ବାବୁ ତଥା ଅନ୍ୟମାନଙ୍କ ଆଦିମ ଅନ୍ତରଙ୍ଗ ଭାବ ।

 

ସମୁଦ୍ର, ତା’ର ବେଳାଭୂଇଁ ଓ ପ୍ରଭୁ ଜଗନ୍ନାଥ । ତା’ରି ଭିତରେ ମଣିଷ ଧନ ଖୋଜୁନି, ଖୋଜୁଛି ଶରଧାରୁ କାଣିଚାଏ । ଯେଉଁଠି ଛଳନାର ହସ ନାହିଁ, ଭିନ୍ନେଦେଶୀ ଜଣେ ପାଖେଇ ଆସେ ନିକଟକୁ ବନ୍ଧୁ ରୂପରେ । ଗର୍ବ ଅହମିକା ସବୁକିଛି ଚୁର୍‌ମାର୍‌ ହୋଇଯାଏ । ନିଜ ସ୍ଥିତକୁ ଅନାନ୍ତି ତରୁଣ ରାୟ । ତା’ରି ଭିତରେ ବିଚ୍ଛୁରିତ ହୋଇ ଯା’ନ୍ତି ବିଭିନ୍ନ ରଙ୍ଗରେ...ବାଗରେ । କଲିକତାର କେଉଁ ବ୍ୟବସାୟିକ ଫାର୍ମର ଜଣେ କିରାଣୀ ତରୁଣ ରାୟ ଏଠାକୁ ଖୋଜିବାକୁ ଆସନ୍ତି ଜୀବନର ସତ୍ତାକୁ....ଠିକଣାକୁ । ଅସୀମ ଅନନ୍ତ ଉଲ୍ଲାସ ଭିତରେ ସେ ଭାବନ୍ତି ନାହିଁ ନିଜର ଅବକ୍ଷୟକୁ, ଅନୁଶୋଚନାକୁ । ଏଠି ମଣିଷ ତିଆରି ଯୁଦ୍ଧାସ୍ତ୍ରକୁ ପ୍ରକୃତି ହେବ ଦୃଷ୍ଟିରେ ଅନଉଛି । ଯେମିତି Natrure has no fear of weapons made by human hands, the winds will scatter them like choff. The weapons will only destroy each other nature and creation will remain unharmed. ସର୍ବୋପରି କାନ୍ତିମୟୀ ଓ ତରୁଣଙ୍କ ଉଦଗ୍ର ମିଳନର ଅବସରରେ ପଦୁଟିଏ “The night is so beautiful !”

 

ଶେଷ ବେଳକୁ ଜଗନ୍ନାଥଙ୍କ ପାଖରେ ଭକ୍ତବାହିନୀଙ୍କ ଅସୁମାରୀ ଭିଡ଼ । ତା’ରି ଭିତରେ ଘିଅ ସଳିତା ଧରି ଛିଡ଼ା ହୁଅନ୍ତି ପରିବାରର ସଭିଏଁ । ଯେମିତି ଲକ୍ଷ୍ମୀ ଠାକୁରାଣୀଙ୍କ ସାମ୍ନାରେ ହୃଦୟାଗତ ଆତ୍ମିକ ମିଳନ ।

 

ସେମାନେ ରେଳରେ ଫେରିଯାନ୍ତି ନିଜର କର୍ମଭୂଇଁ କଲିକତା ସହରକୁ । ପଣ୍ଡା ଜଣେ ସହସା ବଧେଇ ଦିଏ ‘‘ଫେରିବା ପାଇଁ ପଇସା ଅଛି ନା ନାହିଁ, ମୋ ପ୍ରାପ୍ୟ ମତେ ପରେ ପଠେଇ ଦେବେ ।’’ କାନ୍ତିମୟୀ ଆଶ୍ଚର୍ଯ୍ୟ ହୁଅନ୍ତି ଏ ଭାଷା ଶୁଣି । କିନ୍ତୁ ଆଶ୍ଚର୍ଯ୍ୟ ଲାଗେନି ତରୁଣ ରାୟଙ୍କୁ । ଯେମିତି ଏ ସ୍ୱଭାବ ସୁଲଭ ।

 

କିନ୍ତୁ ଶେଷରେ ହୁଏ କ’ଣ ? ସବୁ ଲୟର ବିଳୟ ଭଳି ମନ ଫିକା ଧରେ ତିନି ଜଣଙ୍କର । ଛଳନା ପାଇଁ ଅଇଁଠୁ ସାମନ୍ତସିଂହାର Godot ପାଲଟି ଯାଏ । (ସାମୁଏଲ୍‌ ବେକେଟ୍‌ଙ୍କ ଭାଷାରେ)। ବିଫଳ ମନୋରଥ ହେଲା ଭଳି ସେମାନେ ପୁଣି ଗାଡ଼ି ଧରନ୍ତି ଫେରିଯିବାକୁ, ନିଜର କର୍ମସ୍ଥଳୀକୁ । ଜୀବନ କିଛି ଲାଭପ୍ରଦ ଜଣା ପଡ଼େନି । ଏକ ନିର୍ବେଦ ଶୂନ୍ୟତାରେ ଆକ୍ତାମାକ୍ତା ହୋଇଯାଏ ଦେହ, ମନ ସବୁକିଛି ।

 

ବିକ୍ରମ କେଶରୀଙ୍କ ଅନୁବାଦ ଶୈଳୀ ବେଶ୍‌ ପରିଚ୍ଛନ୍ନ । ଓଡ଼ିଆ ଶବ୍ଦଙ୍କ ବ୍ୟୁପତ୍ତି ତଥା ଅବବୋଧକୁ ଧରି ରଖିବାରେ ଇଂରେଜୀ ଶବ୍ଦମାନେ ବହୁଳାଂଶରେ ସାମର୍ଥ ହାସଲ କରି ପାରିଛନ୍ତି-। ଏହାହିଁ ଅନୁବାଦଙ୍କ ଲୟଭାବ । ତେବେ ଏହା କହିଲା ବେଳକୁ ଅନୁବାଦକ ହାଏ ଟାଇଡ଼୍‌ ଏବ୍‌ ଟାଇଡ୍‌ ଭାବେ ଲୟ ବିଲୟକୁ କହିଲା ବେଳେ କାହିଁ କେଉଁଠଇ ଟିକେ ଅଡ଼ୁଆ ରହିଗଲା ଭଳି ଲଗୁଛି । ଏହା ଟ୍ରାନ୍‌ସଲେସନ୍‌ ନା ଟ୍ରାନ୍‌ସକ୍ରିଏସନ୍‌ ।

 

ପୁସ୍ତକଟି ଏହି ମାଟିର, ଜୀବନର ଅନ୍ତଃସ୍ୱରକୁ ବାହାରେ ସୂଚେଇବାର ଦକ୍ଷତା ତା’ର ଅନୁଦିତ ଶକ୍ତି ମାଧ୍ୟମରେ ଅକ୍ତିଆର କରି ପାରିଛି ବୋଲି ମୋର ବିଶ୍ୱାସ । ଅଣଓଡ଼ିଆ ପାଠକ ବର୍ଗ ଏହି ପୁସ୍ତକଟିରୁ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ଚେତନା ଦ୍ୱାରା ଅନୁପ୍ରାଣିତ ହେବାର ସମ୍ଭାବନା ରହିଛି । ଜେମ୍‌ସ ଜଏସ୍‌ଙ୍କ ‘ୟୁଲେସିସ୍‌’ ଉପନ୍ୟାସର ଛାୟାରେ ‘ଚେତନା ପ୍ରବାହ’କୁ ରୂପ ଦେଲାବେଳେ ଗୋପୀନାଥ ନିଜସ୍ୱ ଭାବବୋଧ ଓ ମୌଳିକତାକୁ କେଉଁଠି ହେଲେ ହାତଛଡ଼ା କରିନାହାନ୍ତି। ‘ଲାର୍କ ବୁକ୍‌ସ’ ଏହି ପୁସ୍ତକଟି ପ୍ରକାଶ କରି ଏକ ଜାତୀୟ କର୍ତ୍ତବ୍ୟ ସଂପାଦନ କରିଛନ୍ତି । ଏଣୁ ଧନ୍ୟବାଦାର୍ହ । ମୁଁ ପୁସ୍ତକଟିର ବହୁଳ ପ୍ରସାର କାମନା କରୁଛି ।

 

***

 

ସାକ୍ଷାତ୍‌କାର

ଖ୍ୟାତନାମା ସାରସ୍ୱତ ସ୍ରଷ୍ଟା

ବୀଣାପାଣି ମହାନ୍ତିଙ୍କ ସହ

ଉପସ୍ଥାପନା : ଡକ୍ଟର ବିଜୟାନନ୍ଦ ସିଂହ

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ବୀଣାପାଣି ମହାନ୍ତି ଏକ ଉଜ୍ୱଳ ପ୍ରତିଭାର ସ୍ୱାକ୍ଷର ଅର୍ଜନ କରିଛନ୍ତି । ପିଲାଟି ଦିନରୁ ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି । ସେଦିନର ଗଭୀର ଅନୁରକ୍ତି ତାଙ୍କୁ ପ୍ରଦାନ କରିଛି ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ମର୍ଯ୍ୟାଦା । ଗଳ୍ପ, ଉପନ୍ୟାସ, କବିତା, ଏକାଙ୍କିକା, ଅନୁବାଦ ରଚନା କରି ଓଡ଼ିଶାର ପାଠକମାନଙ୍କଠାରୁ ବୀଣାପାଣି ପାଇଛନ୍ତି ଅଜସ୍ର ସ୍ନେହ, ଶ୍ରଦ୍ଧା, ସମ୍ମାନ । ତାଙ୍କ କଥା ସାହିତ୍ୟ କେବଳ ଆବେଗଧର୍ମୀ ଓ ମନନଶୀଳ ବୈଚିତ୍ର୍ୟରେ ପରିପୂର୍ଣ୍ଣ ନୁହେଁ ତାହା ସାଧାରଣ, ଅବହେଳିତ ମଣିଷର ବାସ୍ତବ ମର୍ମଲିପି । ନିଜର ବିପୁଳ ସାରସ୍ୱତ ସଂଭାର ମଧ୍ୟରେ ନାରୀକୁ ନାରୀ ଭାବରେ କେବଳ ନୁହେଁ ସମାଜର ଏକ ଅଙ୍ଗ ଭାବରେ ସର୍ବୋପରି ମଣିଷ ଭାବରେ ପ୍ରତିଷ୍ଠା ଦେବା ପାଇ ସେ ଗଢ଼ି ତୋଳିଛନ୍ତି ଏକ ବିପ୍ଲବ ।

 

ଏହି ଜୀବନବାଦୀ ସାହିତ୍ୟ ସ୍ରଷ୍ଟା ବୀଣାପାଣି ସ୍ୱପ୍ନ, ସମ୍ଭାବନା, ବାସ୍ତବତାର ସମନ୍ୱୟରେ ଏକ ଅମୃତମୟ ଜଗତର ସଂଧାନ ଦେଇଛନ୍ତି । ଯେଉଁଠି ଅଛି କେବଳ ମାନବିକତାର ବାସ୍ନା । ସୃଜନଶୀଳ ସାହିତ୍ୟ ଭିତରେ ଆତ୍ମବିଭୋର ହୋଇଥିବା ଏହି ଶ୍ରଦ୍ଧାଶୀଳା ଖ୍ୟାତନାମା ସାରସ୍ୱତ ସ୍ରଷ୍ଟା ବୀଣାପାଣି ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କର ବାଦାମବାଡ଼ି, କଟକସ୍ଥିତ ବାସଭବନରେ ସାକ୍ଷାତ ଆଲୋଚନା କରିଥିଲେ ଅଧ୍ୟାପକ ଡକ୍ଟର ବିଜୟାନନ୍ଦ ସିଂହ—

 

ସୃଜନ ସଂଳାପ

ପ୍ର:

ଆପଣଙ୍କ ସାହିତ୍ୟିକ ଜୀବନର ଆରମ୍ଭ କେଉଁଠୁ ?

ଉ:

ଖୁବ୍‌ ପିଲାଦିନୁ । ଷଷ୍ଠ, ସପ୍ତମରେ ପଢ଼ିଲାବେଳେ ଅର୍ଥାତ୍‌ ୧୯୪୭/୪୮ରୁ । ସେସବୁ ଲେଖା ଅପ୍ରକାଶିତ । ମୋର କବିତା ପ୍ରକାଶିତ ହୁଏ ୧୯୫୫ ମସିହାରେ ପ୍ରଥମ କରି ।

ପ୍ର:

ତେବେ ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ?

ଉ:

ମୋର ଠିକ୍‌ ମନେ ନାହିଁ । କବିତା ତ ପ୍ରଥମେ ପ୍ରକାଶ ପାଇଥିଲା, କିନ୍ତୁ ମୋର ପ୍ରଥମ ପ୍ରକାଶିତ ଗଳ୍ପ ‘‘ଗୋଟିଏ ରାତ୍ରିର କାହାଣୀ’’ ୧୯୫୭ ମସିହାରେ ପ୍ରଜାତନ୍ତ୍ର ସାହିତ୍ୟ ବିଭାଗରେ ପ୍ରକାଶିତ ହୋଇଥିଲା ।

ପ୍ର:

ପ୍ରଥମେ ତ କବିତା ଲେଖୁଥିଲେ ତେବେ ଗଳ୍ପ ଲେଖିବାକୁ କାହିଁକି ଇଚ୍ଛା କଲେ ?

ଉ :

କବିତା ଲେଖୁଥିଲି । କିନ୍ତୁ ମଝିରେ ମୁଁ ଦୁଇଟି ଗଳ୍ପ ଲେଖିପକାଇଲି । ସେ ଗଳ୍ପ ପଢ଼ି ମୋତେ ବହୁ ବିଶିଷ୍ଟ ସାହିତ୍ୟିକ ପ୍ରଶଂସା କଲେ । ଯଶସ୍ୱୀ କବି ଅନନ୍ତ ପଟ୍ଟନାୟକ, ପ୍ରସିଦ୍ଧ କଥାକାର ମହାପାତ୍ର ନୀଳମଣି ସାହୁ ପ୍ରମୁଖ ମୋତେ ଗଳ୍ପ ଲେଖିବା ପାଇଁ ବାରମ୍ୱାର କହିଲେ । ଏହି ପ୍ରେରଣାରେ ମୁଁ ଉଦ୍‌ବୁଦ୍ଧ ହୋଇ ଗଳ୍ପ ଲେଖିଲି । ‘ନାଉଗଛ’ ଗଳ୍ପଟି ୧୯୬୦ ମସିହାରେ ‘ପ୍ରଜତନ୍ତ୍ର’ ସାହିତ୍ୟ ବିଭାଗରେ ପ୍ରକାଶିତ ହେଲା ପରେ ପାଠକମାନେ ମୋତେ ଚିଠି ଲେଖିଲେ ଓ ଅନୁରୋଧ କଲେ ଆଉ ଗଳ୍ପ ଲେଖିବା ପାଇଁ । ୧୯୬୫ ମସିହା ପର୍ଯ୍ୟନ୍ତ କବିତା, ଗଳ୍ପ ମିଶା ମିଶା କରି ଲେଖୁଥିଲି । ୧୯୬୫-୧୯୯୧ ପର୍ଯ୍ୟନ୍ତ ମୋର ପ୍ରାୟ କବିତା ପ୍ରକାଶିତ ହୋଇନାହିଁ । ଏଇ କେତେ ବର୍ଷ ହେବ ମୋର କେତୋଟି କବିତା ବିଭିନ୍ନ ପତ୍ରିକାର କଳେବର ବୃଦ୍ଧି କରିଛି । କିନ୍ତୁ ପାଠକମାନଙ୍କ ଆଗ୍ରହ ମୋତେ ଗଳ୍ପ ସୃଷ୍ଟି କରିବା ପାଇଁ ଉତ୍ସାହିତ କରିଛି । ମୁଁ ମଧ୍ୟ ନିରବଛିନ୍ନ ଭାବେ ଗଳ୍ପ/ଉପନ୍ୟାସ ଲେଖିଚାଲିଛି । ତଥାପି କବିତା ପ୍ରତି ମୋର ଭୀଷଣ ଆସକ୍ତି ଥିଲା ଓ ଏବେ ବି ଅଛି ।

ପ୍ର:

ଗଳ୍ପ ପ୍ରତି ଆପଣଙ୍କର ପ୍ରତିବଦ୍ଧତା କ’ଣ ?

ଉ:

ଗଳ୍ପପ୍ରତି ପ୍ରତିବଦ୍ଧତା ମୋର ସୃଷ୍ଟିରେ ପ୍ରତିଫଳିତ । ମଣିଷ ସମାଜ ଗଠନ ଏବଂ ଏକ ସୁନ୍ଦର ପୃଥିବୀର ପରିକଳ୍ପନା, ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ମୁଁ ଗଳ୍ପ ଲେଖେ

ପ୍ର:

ଗଳ୍ପ ବା ଉପନ୍ୟାସ ପାଇଁ ଚରିତ୍ର, ବିଷୟବସ୍ତୁ ଆପଣ କେଉଁଠୁ ଉପଲବ୍ଧି କରନ୍ତି ?

ଉ:

ଚରିତ୍ରମାନେ ଚତୁର୍ଦ୍ଦିଗରେ ମୋର ରହିଛନ୍ତି । ବିଷୟ ମଧ୍ୟ ସେହିପରି ଘଟୁଥାଏ ସମାଜରେ-। ଯାହା ମୁଁ ଦେଖେ, ଯେଉଁଥିରେ ମୁଁ ଆତ୍ମିକ ସ୍ତରରେ ଆନ୍ଦୋଳିତ ହୁଏ ସେ ବିଷୟରେ ଲେଖେ। ଆକାଶ କଇଁଆ ଚିଳିକା ମାଛର ସ୍ୱପ୍ନ ଦେଖି ଥାଇପାରେ ମାତ୍ର ସେ ସବୁକୁ ମୁଁ ଲେଖେନାହିଁ । ଦେଶ, ସମାଜ, ମଣିଷ ଓ ମାଟି ମୋ ଗଳ୍ପର ପ୍ରେରଣାର ଉତ୍ସ କହିଲେ ଭୁଲ ହେବନି ।

ପ୍ର.

ଆପଣଙ୍କ ଗଳ୍ପର ଚରିତ୍ରମାନେ ସାଧାରଣତଃ ନିମ୍ନବର୍ଗର କେଉଁଥି ପାଇଁ ?

ଉ.

ଜାଣିନି । ତେବେ ନିମ୍ନବର୍ଗର ଯନ୍ତ୍ରଣା, ଜୀବନ ସଂଗ୍ରାମ ଉଚ୍ଚବର୍ଗଠାରୁ ଭିନ୍ନ । ନିମ୍ନବର୍ଗ ଆମ ଦେଶରେ ବହୁଳ ସଂଖ୍ୟାରେ ରହିଛନ୍ତି । ଦୁଃଖ ଯେଉଁମାନଙ୍କର ବିଳାସ ସେମାନଙ୍କ କଥା ଲେଖିନି ନା ଯେଉଁମାନଙ୍କ ଜୀବନ ଦୁଃଖଯନ୍ତ୍ରଣାରେ ଭରପୂର ସେମାନଙ୍କ କଥା ଲେଖିବି ?

ପ୍ର.

ଆପଣଙ୍କ ଗଳ୍ପରେ ନାରୀ ସ୍ୱାଧୀନତା ଏବଂ ନାରୀର ସ୍ୱାଭିମାନ ଓ ପ୍ରତିସ୍ପର୍ଦ୍ଧା ଭାବକୁ ପ୍ରକାଶ କରିବା ପାଇଁ କେଉଁଭଳି ସଫଳ ହୋଇଛନ୍ତି ବୋଲି ଭାବୁଛନ୍ତି ?

ଉ.

ସଫଳ ହୋଇଛି ବୋଲି ମୁଁ ତ ଭାବିନାହିଁ । ସେ କଥା କହିବାତ ଆରମ୍ଭ ମାତ୍ର, ସରିଲା ବୋଲି ଲୋକଙ୍କର ଭ୍ରମ ହୋଇଛି କିନ୍ତୁ ମୁଁ ଏ ସମ୍ପର୍କରେ କହିବି ଯେ – ନାରୀ ଆଉ ପୁରୁଷ ସମାଜର ଦୁଇଟି ଅଙ୍ଗ । ଆମ ସମାଜରେ ନାରୀମାନେ ନିର୍ଯ୍ୟାତିତା ହୋଇ ରହିଛନ୍ତି । ଅବହେଳିତ ବି ହୋଇଛନ୍ତି । ନାରୀମାନେ ଯେ ପର୍ଯ୍ୟନ୍ତ ସମାଜରେ ସକ୍ଷମ ହୋଇ ସମାନ ଅଧିକାର ପାଇନାହାନ୍ତି ସେ ପର୍ଯ୍ୟନ୍ତ ସମାଜର ସାମୂହିକ ବିକାଶ ଅସମ୍ଭବ । ସେଥିପାଇଁ ମୁଁ ମୋ ଗଳ୍ପରେ ନାରୀମାନଙ୍କ ସ୍ୱାଧିନତା, ସ୍ୱାଭିମାନ ପ୍ରତି ଗୁରୁତ୍ୱ ଦେଇଛି ।

ପ୍ର.

ନାରୀମାନଙ୍କ କଥା କହିବାକୁ ଯାଇ ଆପଣ ପୁରୁଷ ଚରିତ୍ରମାନଙ୍କୁ ନିମ୍ନମାନର ବୋଲି ବର୍ଣ୍ଣନା କରିଛନ୍ତି – ତେବେ ପୁରୁଷ ଚରିତ୍ରର ଉଚ୍ଚ ବ୍ୟକ୍ତିତ୍ୱ କ’ଣ ଆପଣଙ୍କୁ ପ୍ରଭାବିତ କରିପାରିନାହିଁ ?

ଉ.

ଭୁଲ କଥା । ମୋର ବହୁ ଗଳ୍ପରେ ପୁରୁଷର ଭଲ ଗୁଣଗୁଡ଼ିକ ପ୍ରାଧାନ୍ୟ ଦେଇଛି । କିନ୍ତୁ ଯେଉଁ ଯେଉଁ ଘଟଣାରେ ପୁରୁଷମାନଙ୍କ ଦ୍ୱାରା ନାରୀମାନେ ନିର୍ଯ୍ୟାତିତ ହୁଅନ୍ତି, କ୍ରୋଧର ଶୀକାର ହୁଅନ୍ତି ସେହି କଥା ଦର୍ଶାଇବାକୁ ଯାଇ ପୁରୁଷର ବିଭିନ୍ନ ଅବସ୍ଥାକୁ ପ୍ରକାଶ କରିଛି । ତାହା ଉଦ୍ଦେଶ୍ୟମୂଳକ ନୁହେଁ ।

ପ୍ର.

‘ପାଟଦେଈ’ ଗଳ୍ପଟି ଆମ ସାହିତ୍ୟର ଗୌରବପୂର୍ଣ୍ଣ ସୃଷ୍ଟି-ଏହି ଗଳ୍ପଟି ସମ୍ପର୍କରେ ଆପଣଙ୍କ ଦୃଷ୍ଟିଭଙ୍ଗୀ ?

ଉ.

ଏପରି ଗଳ୍ପ ମୁଁ ତ ଅନେକ ଗୁଡ଼ିଏ ବିଭିନ୍ନ ଦୃଷ୍ଟିକୋଣରୁ ଲେଖିଛି । ମୁଁ ଭାବିଥିଲି ସମାଜ ଓ ମଣିଷର ତୁଣ୍ଡ ଖୋଲିଯିବ ।

***

 

ଜନ୍ମ ଓ କର୍ମ ବୃତ୍ତାନ୍ତ

 

ପ୍ରସିଦ୍ଧ ଗାଳ୍ପିକା ବୀଣାପାଣି ମହାନ୍ତିଙ୍କର ଜନ୍ମ ୧୯୩୬ ମସିହା ନଭେମ୍ୱର ମାସ ୧୧ ତାରିଖରେ । ତାଙ୍କର ପିତୃସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ଗ୍ରାମ । ତାଙ୍କ ପିତାଙ୍କ ନାମ ଚତୁର୍ଭୁଜ ମହାନ୍ତି, ମାତାଙ୍କ ନାମ କୁମୁଦିନୀ ମହାନ୍ତି । ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ନିକଟରେ ଦୋହଲୀ ମଡ଼େଲ ହାଇସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରି ୧୯୫୩ ମସିହାରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଆଇ.ଏ.ପାଶ୍‌ କରିଥିଲେ । ୧୯୫୯ରେ ଅର୍ଥନୀତିରେ ଏମ୍‌.ଏ. ପାଶ୍‌ କରି ୧୯୬୦ରେ ବାଲେଶ୍ୱରସ୍ଥିତ କୁନ୍ତଳାକୁମାରୀ ସାବତ୍‌ ମହିଳା ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଭାବରେ କର୍ମମୟ ଜୀବନ ଆରମ୍ଭ କରି ୧୯୯୪ରେ ପ୍ରଧ୍ୟାପିକା ଭାବରେ ସରକାରୀ ଚାକିରିରୁ ଅବସର ଗ୍ରହଣ ।

 

ସମ୍ମାନ ଓ ସ୍ୱୀକୃତି

୧୯୬୧

ଝଙ୍କାର ପୁରସ୍କାର (କବିତା ପାଇଁ)

୧୯୭୦

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

୧୯୭୪

ଝଙ୍କାର ପୁରସ୍କାର (ଗଳ୍ପପାଇଁ)

୧୯୯୦

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

୧୯୯୯

ଆଦିକବି ସମ୍ମାନ

୨୦୦୦

ବିଷୁବ ପୁରସ୍କାର

 

ହେଲା ନାହିଁ । ନୀରବ ପ୍ରତିବାଦରେ ସମାଜର ଆଖି ଖୋଲିବନି । ନାରୀ ନିଜେ ମୁହଁ ଖୋଲି ପ୍ରତିରୋଧ କରୁ । ମୁକାବିଲା କରୁ ପରିସ୍ଥିତିର ଏବଂ ସତ୍ୟକୁ ସାମ୍‌ନା କରୁ ।

 

ପ୍ର.

ଆପଣ ଉପନ୍ୟାସ ରଚନା କରିବାରେ ମଧ୍ୟ ଯଥେଷ୍ଟ ସଫଳତା ଅର୍ଜନ କରିଛନ୍ତି । ‘କୁନ୍ତି, କୁନ୍ତଳା, ଶକୁନ୍ତଳା, ନାରୀ ମନସ୍ତତ୍ତ୍ୱର ସଫଳ ରୂପାୟନ ବୋଲି ଆମେ ଭାବୁ ।

ଉ.

ଏଥିରେ ଦ୍ୱିମତ ହେବାର ମୋର ଶକ୍ତି ନାହିଁ । ସମୀକ୍ଷକଙ୍କ ମତକୁ ମୁଁ ସମ୍ମାନ ଦିଏ । ତେବେ ମୋର ଅନୁଭବ ନାରୀ ମନସ୍ତତ୍ତ୍ୱର ଏହା ଶେଷ କଥା ନୁହେଁ । ଆହୁରି ଲେଖିବାକୁ ଅଛି ।

ପ୍ର.

ଆମ ଦେଶରେ ନାରୀ ଯଥେଷ୍ଟ ସ୍ୱାଧୀନତା ପାଇଥିଲେ ମଧ୍ୟ ଆପଣ ତଥାପି ସନ୍ତୁଷ୍ଟ ନୁହନ୍ତି ବୋଲି ମନେହୁଏ ।

ଉ.

ଏଥିପାଇଁ ସବୁ ସ୍ୱାଧୀନତା କାଗଜ, ନଥିପତ୍ର, ସମ୍ୱିଧାନରେ ରହିଛି । ବାସ୍ତବକ୍ଷେତ୍ରରେ ନାରୀ ସ୍ୱାଧୀନତା ବ୍ୟକ୍ତି କରିପାରେନା । ସେ ଶିକ୍ଷିତ ହୋଇ ଉପାର୍ଜନକ୍ଷମ ହେଲେ ମଧ୍ୟ ତା’ର ଅର୍ଜୁନକୁ ପରିବାର ନିୟନ୍ତ୍ରଣ କରେ । ପ୍ରତିବାଦ କଲେ ମଧ୍ୟ ଫଳ କିଛି ମିଳେନା ଯେହେତୁ ତା’ର ଶାରୀରିକ ଶକ୍ତି ପୁରୁଷ ତୁଳନାରେ କମ୍‌ ଏବଂ ଘରେ ବାହାରେ କର୍ମସ୍ଥଳୀରେ ଏପରିକି ବିପୁଳ ଜନଗହଳି ମଧ୍ୟରେ ତା’ର ନିରାପତ୍ତାର ଘୋର ଅଭାବ । ଜଣେ କାଗଜ କଲମ ବା ମଞ୍ଚ ଉପରେ ସ୍ଲୋଗାନ ଶୁଣିଲେ ସ୍ୱାଧୀନ ହୁଏ ନାହିଁ । ମଣିଷର ଦୃଷ୍ଟିକୋଣର ପରିବର୍ତ୍ତନ ନ ହେଲେ, ସାମାଜିକ ଜୀବନ ତ ବଦଳେ ନାହିଁ । ତେଣୁ ଆଜିର ନାରୀ ବହୁ କାର୍ଯ୍ୟ ବହୁ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଲେ ମଧ୍ୟ ସଂପୂର୍ଣ୍ଣ ସ୍ୱାଧୀନ ହୋଇନି-

ପ୍ର.

ଆପଣଙ୍କର ରଚିତ ‘କସ୍ତୁରୀ ମୃଗ ଓ ସବୁଜ ଧରଣୀ, ଏକ ସାର୍ଥକ କୃତି-ଏହି କୃତି ସମ୍ପର୍କରେ ଆପଣଙ୍କ ନିଜସ୍ୱ ଅଭିମତ ?

ଉ.

ପାଠକ ଓ ସମୀକ୍ଷକ କୃତି ସମ୍ୱନ୍ଧରେ ଆକଳନ କରିବା ଉଚିତ । ସେଥିରେ ଗଳ୍ପ ଗୁଡ଼ିକରେ ବିଭିନ୍ନ ଧାରାରେ ବଞ୍ଚିଥିବା ମଣିଷ ଓ ସମାଜର କଥା କହିଛି । ସୁଖ ନିଜ ମନ ଭିତରେ ଥାଏ ଅଥଚ ଏ ମର ଜଗତରେ ଆମେ ତାକୁ ଧନ, ମାନ, ବାହ୍ୟ ଯଶ ପ୍ରଶଂସା ଭିତରେ ଖୋଜି ଖୋଜି ଥକ୍କା ହୋଇପଡ଼ୁ ।

ପ୍ର.

‘ନାଉଗଛ’ ଗଳ୍ପ ଆପଣଙ୍କ ଗଳ୍ପ କଥନର ଦକ୍ଷତାକୁ ପ୍ରମାଣିତ କରିଥିଲା । ଏହି ଗଳ୍ପର ପୃଷ୍ଠଭୂମି ସମ୍ପର୍କରେ କିଛି କହିବେ କି ?

ଉ.

ଇତିହାସର ପଟ୍ଟ ପରିବର୍ତ୍ତନ ଉପରେ ସମ୍ୟକ ସୂଚନା । ପାଶ୍ଚାତ୍ୟ ପ୍ରଭାବ, ସ୍ୱାର୍ଥପରତା, ଅର୍ଥନୈତିକ ଦୁର୍ଗତି ଫଳରେ ଯୌଥ ପରିବାର ଭାଙ୍ଗିଯାଇଛି । ଜୀବନର ଚିରନ୍ତନ ମୂଲ୍ୟବୋଧ ଯାହା ଦୟା କ୍ଷମା ପରସ୍ପରକୁ ଭଲ ପାଇ ସାହାଯ୍ୟ କରିବା ଏବଂ ଏକାଠୀ ଜୀଇଁବାର ପିପାସାକୁ ନଷ୍ଟ କରିଦେଇଛି । ଅବକ୍ଷୟ, ସାଂସ୍କୃତିକ ମୂଲ୍ୟବୋଧର ଅପଚୟରେ ନିଷ୍ଠୁରତା, ‘ନାଉଗଛ’ ଗଳ୍ପରେ ମୁଁ ସୂଚନା ଦେଇଛି । ନାଉଗଛ ଏକ ପ୍ରତୀକ ।

ପ୍ର.

ଅନୁବାଦ ଆପଣଙ୍କ ସାରସ୍ୱତ ସାଧନାର ଅନ୍ୟ ଏକ ବିଭବ । ଅନୁବାଦ ସାହିତ୍ୟକୁ ଆପଣ ମୌଳିକ ସାହିତ୍ୟ ବୋଲି ଗ୍ରହଣ କରନ୍ତି କି ?

ଉ.

ଅନୁବାଦ ମୁଁ ଖୁସିରେ କରିଥାଏ ମୌଳିକ ସୃଷ୍ଟି ପାଇଁ ଯେଉଁ ଅଙ୍ଗୀକାରବୋଧ ଯେଉଁ ତାଡ଼ନା, ମୋ ଅନ୍ତରରେ ସୃଷ୍ଟି ହୁଏ ସେପରି ତାଡ଼ନା ଅନୁବାଦ ପାଇଁ ମୁଁ ଅନୁଭବ କରିନି । ଏହା ମୌଳିକ ସାହିତ୍ୟ ନୁହେଁ ଇଏ ସୃଷ୍ଟିର ସୃଷ୍ଟି ।

ପ୍ର.

ଆପଣ ଏକାଙ୍କିକା ବି ଲେଖନ୍ତି । ‘କ୍ରାନ୍ତି’ ଏହାର ପ୍ରମାଣ ।

ଉ.

ସୃଷ୍ଟିରେ କିଛି ରହସ୍ୟ ଥାଏ ବୋଲି ଶୁଣିଛି । ‘କ୍ରାନ୍ତି’ରେ ଯୌତୁକ ନିର୍ଯ୍ୟାତନା, କନ୍ୟା ଜନ୍ମ କରିବାର ସାମାଜିକ ଯନ୍ତ୍ରଣାର ବର୍ଣ୍ଣନା କେବଳ ନାହିଁ । ଦୃଶ୍ୟ ଓ ସଂଳାପ ମାଧ୍ୟମରେ ସମାଜକୁ ସତର୍କ କରାଇ ଦିଆଯାଇଛି ।

ପ୍ର.

ଆପଣ ଯେଉଁମାନଙ୍କ ପାଇଁ ସାହିତ୍ୟରେ ଲୁହ ଝରାଇଛନ୍ତି, ସେମାନଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିଛି କି ?

ଉ.

କିଛି କିଛି ପ୍ରଭାବ ଯେ ନ ପଡ଼ିଛି ଏପରି କହି ପାରିବି ନାହିଁ । ଅନେକ ଚିଠି ଆସେ, ଏପରିକି ଗାଁ ଗହଳୀରୁ ମହିଳା, ଛାତ୍ର ଓ ବୟସ୍କ ବ୍ୟକ୍ତି ଗଳ୍ପ ପଢ଼ି ଲେଖିଥିବା ଚିଠିରୁ ତହା ମୋର ହୃଦ୍‌ବୋଧ ହୁଏ । ଲେଖକ ସିଧା ସଳଖ ବିପ୍ଳବ କରେନା । ଲେଖନୀ ମାଧ୍ୟମରେ ସେ ସଚେତନତା ସୃଷ୍ଟି କରେ ଧୀରେ ଧୀରେ ତାହା ସଂକ୍ରମିତ ହୋଇ ସମାଜର ପରିବର୍ତ୍ତନ ଆଣେ ।

ପ୍ର.

ଆପଣ ସମାଜ ପରିବାର ବିଶେଷ କରି ନାରୀ ପ୍ରଗତି କଥା କହିଲାବେଳେ ଆପଣ ଅବିବାହିତା, ଏକଥା ଆପଣ ମନେ ରଖିଛନ୍ତି ନା ନାହିଁ ?

ଉ.

ଲେଖକର ବିବାହ ସହିତ ନାରୀ ପ୍ରଗତିର ସମ୍ପର୍କ ବିଷୟରେ କିଛି ସମ୍ୱନ୍ଧ ନାହିଁ । ମୁଁ କେବଳ ବିବାହ କରନି, ସେମିତି ଅନେକ କାର୍ଯ୍ୟ ବି କରିନି ଯେପରି ମୁଁ ରାଜନୀତି କରିନି, ମନ୍ତ୍ରୀ ହୋଇନି, ଗୁଣ୍ଡାମି କରିନି, ନାଚ ଗୀତ ଶିଖିନି ଇତ୍ୟାଦି ବହୁକାର୍ଯ୍ୟ କରିନି । ତା ବୋଲି ମୁଁ କ’ଣ ଏସବୁ ବିଷୟରେ ଚିନ୍ତା ବ୍ୟକ୍ତ କରିପାରିବି ନାହିଁ ?

ପ୍ର.

ସୃଷ୍ଟିର ପ୍ରଥମ ପ୍ରକାଶପରେ ସେଦିନର ଅନୁଭବ ।

ଉ.

ବର୍ଷା ପରେ ଭିଜାମାଟିର ଗନ୍ଧରେ ଅମୋଦିତ ହେବାର ଶିହରଣ ।

ପ୍ର.

ଭଲ ଗଳ୍ପ କହିଲେ ଆପଣ କ’ଣ ବୁଝନ୍ତି ?

ଉ.

ଯାହା ହୃଦୟକୁ ଆପ୍ଲୁତ କରେ, ଚରିତ ଘଟଣା ପ୍ରତି ସଂବେଦନଶୀଳତା ସୃଷ୍ଟିକରେ । ଲେଖକର ସୃଷ୍ଟି ଭିତରେ ପାଠକ ନିଜର ପ୍ରତିଛବି ନ ଦେଖି ପାରିଲେ ଗଳ୍ପ ମୂଲ୍ୟହୀନ ହୋଇପଡ଼େ ।

ପ୍ର.

ଆପଣଙ୍କ ଜୀବନର ସବୁଠାରୁ ଆନନ୍ଦକର ମୁହୂର୍ତ୍ତ ?

ଉ.

ମୋ ସୃଷ୍ଟିକୁ ନେଇ ଅନ୍ୟମାନେ ଗୌରବାନ୍ୱିତ ମନେ କରିବାର ପରମ ମୁହୂର୍ତ୍ତ ।

ପ୍ର.

ଜୀବନର ସବୁଠୁଁ ଦୁଃଖ –

ଉ.

ମୋ ମା’ଙ୍କ ମୃତ୍ୟୁ ।

ପ୍ର.

ଆପଣଙ୍କ ଭବିଷ୍ୟତର ରୂପରେଖ ?

ଉ.

ଯୋଜନା ତ ଅନେକ ମନେ ମନେ ପ୍ରସ୍ତୁତ କରେ, ମାତ୍ର ତାକୁ କାର୍ଯ୍ୟକାରୀ କରିବା ସମ୍ଭବ ହୁଏନା । ତେବେ କିଛି ଉପନ୍ୟାସ, ଆତ୍ମଜୀବନୀ, ଏକାଙ୍କିକା ଓ କବିତା ଲେଖିବି ବୋଲି ଭାବିଛି । ଭଲ ଭଲ ବହି ପଢ଼ିବାର ପରିକଳ୍ପନା ମଧ୍ୟ ରହିଛି ।

ପ୍ର.

ଭାରତ ବର୍ଷରେ ସାହିତ୍ୟିକମାନଙ୍କ ପାଇଁ ବହୁ ପୁରସ୍କାର ପ୍ରବର୍ତ୍ତିତ ହୋଇଛି – ଏ ପୁରସ୍କାର ସମ୍ପର୍କରେ ଆପଣଙ୍କ ବକ୍ତବ୍ୟ କ’ଣ?

ଉ.

ପୁରସ୍କାର ଉଦ୍ଦେଶ୍ୟ ଲେଖକକୁ ଉତ୍ସାହିତ କରିବା । ମାତ୍ର ନିରପେକ୍ଷ ବିଚାରର ଅଭାବ ଓ ଲେଖକମାନଙ୍କର ଲାଳସା, ଖୋସାମତି ଗୋଷ୍ଠୀଗଠନ ପ୍ରଭୃତି ପୁରସ୍କାରକୁ ତିରସ୍କାରରେ ପରିଣତ କରୁଛି ।

ପ୍ର.

ତରୁଣ ସାହିତ୍ୟସ୍ରଷ୍ଟାମାନଙ୍କ ପାଇଁ ଆପଣଙ୍କ ବାର୍ତ୍ତା ।

ଉ.

ତରୁଣ କଥାକାରମାନେ ଆମ ସାହିତ୍ୟ ପାଇଁ ସମ୍ଭାବନାର ଗୌରବ ବୋଲି କହିବା ବାହୁଲ୍ୟମାତ୍ର । ସେମାନଙ୍କ ମଧ୍ୟରୁ ଅନେକ ନୂଆ ନୂଆ ଚିନ୍ତା ଓ ଭାବପ୍ରକାଶ କରି ବେଶ୍‌ ଚହଳ ସୃଷ୍ଟି କରୁଛନ୍ତି । ସେମାନେ ଯଦି ତୁଚ୍ଛା ପ୍ରଶଂସା ନିନ୍ଦାରେ ବା ପୁରସ୍କାର ସମ୍ମାନ ଅପ୍ରାପ୍ତିରେ ପଥଚ୍ୟୁତ ନହୁଅନ୍ତି ଏବଂ କଠିନ ସାଧନା କରନ୍ତୁ ତେବେ ସେମାନେ ଭବିଷ୍ୟତରେ ଓଡ଼ିଆ ସାହିତ୍ୟରେ ମର୍ଯ୍ୟାଦା ବୃଦ୍ଧି କରିବେ ଏବଂ ସେମାନଙ୍କ ପଦତଳେ ଅନେକ ପୁରସ୍କାର ଓ ସମ୍ମାନ ସ୍ୱୀକୃତି ପାଇଁ ଅପେକ୍ଷା କରିବ ।

 

ବୀଣାପାଣିଙ୍କ ବିପୁଳ ସୃଷ୍ଟି ସମ୍ଭାର

 

ଗଳ୍ପ ସଂକଳନ: ନବତରଙ୍ଗ, ପାନ୍ଥଶାଳା ଓ ରକ୍ତ କରବୀ, କସ୍ତୁରୀମୃଗ ଓ ସବୁଜ ଅରଣ୍ୟ, ତଟିନୀର ତୃଷ୍ଣା, ସାୟାହ୍ନର ସ୍ୱର, ଅନ୍ଧକାରର ଛାଇ, କାଳାନ୍ତର, ଆରୋହଣ, ମଧ୍ୟାନ୍ତର, ବସ୍ତ୍ରହରଣ, ଅନ୍ୟ ଅରଣ୍ୟ, ଇଣ୍ଟରଭିଉ, ଖେଳଣା, ଦୃଶ୍ୟାନ୍ତର, ଚରିତ୍ର ହସୁଛି, ପାଟଦେଈ, ତୃତୀୟପାଦ, ବହ୍ନିବଳୟ, ଜନ୍ମାନ୍ତର, ଅଶ୍ରୁଅନଳ, ଶକୁନିର ଛଳନା, ଏକାକୀ ପରାଶର, ଅଭିନେତ୍ରୀ, ଖେଳ ଚାଲିଛି ଓ ପାଚେରୀ ସେପଟ ନଈ ।

 

କବିତା ସଂକଳନ

ଆସିବାର ବେଳ

ଉପନ୍ୟାସ

କୁନ୍ତୀ କୁନ୍ତଳା ଶକୁନ୍ତଳା, ଶୀତଳ ଶୋଣୀତ ।

ଅନୁବାଦ

ପ୍ରେମଚାନ୍ଦ, ସୁନ୍ଦରୀ ଭାସିଲିସା,

ଏକାଙ୍କିକା

କ୍ରାନ୍ତି

ଇଂରାଜୀ ଗ୍ରନ୍ଥ

–.

Musk Deer and Green Forest

 

***

 

ଏକାଡେମୀ ପୁରସ୍କାର

କାଳିନ୍ଦୀଚରଣ ପାଣିଗ୍ରାହୀ ଜୟନ୍ତୀ :

ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ସବୁଜ ଗୋଷ୍ଠୀର ଅନ୍ୟତମ ପ୍ରବକ୍ତା କାଳିନ୍ଦୀଚରଣଙ୍କ ଜୟନ୍ତୀ ତା ୦୨.୦୭.୧୦୦୦ ରିଖ ସନ୍ଧ୍ୟାରେ କଟକସ୍ଥ ଦି ୟୁନିଭର୍ସଠାରେ ଏକାଡେମୀର ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

 

ଏହି ସାରସ୍ୱତ ସଭାର ମୁଖ୍ୟ ଅତିଥି ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ କାଳିନ୍ଦୀ ଚରଣଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ । ସଭା ପ୍ରାରମ୍ଭରେ ଏକାଡେମୀରେ ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡକ୍ଟର ବୈରାଗୀ ଚରଣ ଜେନା ଓ ଡକ୍ଟର ପ୍ରସନ୍ନ କୁମାର ମିଶ୍ର ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି କାଳିନ୍ଦୀଚରଣଙ୍କ ସାରସ୍ୱତ ସ୍ମୃତି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ବହୁ ସାହିତ୍ୟ ପ୍ରେମୀ ଜନସାଧାରଣ ଏଥିରେ ଯୋଗଦାନ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

କର୍ମବୀର ଗୌରୀଶଙ୍କର ରାୟ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗୌରୀଶଙ୍କର ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ଜୟନ୍ତୀ ପାଳନ ଅବସରରେ ତା.୧୩.୦୭.୨୦୦୦ରିଖ ସନ୍ଧ୍ୟାରେ କଟକ ଟାଉନ୍ ହଲ୍‌ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

 

ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ସ୍ମୃତି ସଂସଦର ସଭାପତି ଶ୍ରୀ କାର୍ତ୍ତିକଚନ୍ଦ୍ର ଚାନ୍ଦ ସମ୍ମାନିତ ଅତିଥି ଏବଂ ଡକ୍ଟର ବାଉରୀବନ୍ଧୁ କର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଘୋର ଦୁର୍ଦ୍ଦିନରେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଦିଗରେ ଗୌରୀଶଙ୍କରଙ୍କ ଅବିସ୍ମରଣୀୟ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏକାଡେମୀର ସଭାପତି ଶ୍ରୀଯୁକ୍ତ ପଠାଣୀ ପଟ୍ଟନାୟକ ଏଥିରେ ପୌରୋହିତ୍ୟ କରି ଗୌରୀଶଙ୍କରଙ୍କ ନିର୍ଭୀକ ସାଂବାଦିକତା କିଭଳି ସେ ସମୟରେ ବହୁ ସଚେତନ ତଥା ଶିକ୍ଷିତ ଓଡ଼ିଆ ମନପ୍ରାଣକୁ ଆକୃଷ୍ଟ କରିଥିଲା ତାହା ଭାଷଣ ପ୍ରସଙ୍ଗରେ ବର୍ଣ୍ଣନା କରିଥିଲେ । ସଭା ପ୍ରାରମ୍ଭରେ ଏକାଡେମୀ ସମ୍ପାଦକ କବି ଶ୍ରୀ ଅଶ୍ୱିନୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଶ୍ରୀରାମଚନ୍ଦ୍ରପୁରସ୍ଥିତ ଆଚର୍ଯ୍ୟ ଯୁବ ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ତା ୦୫.୦୮.୨୦୦୦ରିଖ ସନ୍ଧ୍ୟାରେ କବିଙ୍କ ଜନ୍ମପୀଠ ଶ୍ରୀରାମଚନ୍ଦ୍ରପୁର ଶାସନରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏକାଡେମୀର ସଭାପତି ଶ୍ରୀ ପଠାଣି ପଟ୍ଟନାୟକଙ୍କ ଅଧ୍ୟକତାରେ ଅନୁଷ୍ଠିତ ଏହି ଉତ୍ସବରେ ଡକ୍ଟର ଶ୍ରୀନିବାସ ମିଶ୍ର ମୁଖ୍ୟ ଅତିଥି, ଡକ୍ଟର ନିତ୍ୟାନନ୍ଦ ଶତପଥୀ ସମ୍ମାନିତ ଅତିଥି ଏବଂ ଶ୍ରୀମତୀ ରମାଦେବୀ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରିଥିଲେ ।

 

ମୁଖ୍ୟ ଅତିଥି ଡକ୍ଟର ଶ୍ରୀନିବାସ ମିଶ୍ର ପଣ୍ଡିତ ନୀଳକଣ୍ଠଙ୍କ ନିର୍ଭୀକ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରି ସେ କିପରି ପ୍ରତ୍ୟେକ କ୍ଷେତ୍ରରେ ଗତାନୁଗତିକତାର ଅଧୀନ ନ ହୋଇ ନିଜର ସ୍ୱାଧୀନ ମତ ବ୍ୟକ୍ତ କରୁଥିଲେ ତାହା ଭାଷଣ ପ୍ରସଙ୍ଗରେ ପ୍ରତିପାଦନ କରୁଥିଲେ । ଡକ୍ଟର ନିତ୍ୟାନନ୍ଦ ଶତପଥୀ ଏବଂ ଶ୍ରୀମତୀ ରମାଦେବୀ ପଣ୍ଡିତ ନୀଳକଣ୍ଠଙ୍କ ବହୁମୂଖୀ ପ୍ରତିଭାର ଆକଳନ କରି ତାଙ୍କର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ଏକାଡେମୀ ସମ୍ପାଦକ ଶ୍ରୀ ଅଶ୍ୱିନୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

ବିଶିଷ୍ଟ କଥାକାର କାହ୍ନୁଚରଣ ମହାନ୍ତି ଜୟନ୍ତୀ :

ଲବ୍ଧ ପ୍ରତିଷ୍ଠା କଥାକାର କାହ୍ନୁଚରଣ ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷେ ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥ ହୋଟେଲ କେଶରୀ ସମ୍ମିଳନୀ କକ୍ଷରେ ତା ୧୧.୦୮.୨୦୦୦ରିଖ ସନ୍ଧ୍ୟାରେ ଏକ ସାରସ୍ୱତ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏକାଡେମୀର ସଦସ୍ୟ ଡକ୍ଟର ଗଣେଶ୍ୱର ମିଶ୍ରଙ୍କ ମଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ କବି ରବି ସିଂ ଓ ଶ୍ରୀ ଗୌରହରି ଦାସ ସମ୍ମାନିତ ଅତିଥି ଏବଂ ଅଧ୍ୟାପକ ବିଶ୍ୱରଞ୍ଜନ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି କଥାକାର କାହ୍ନୁଚରଣଙ୍କ ସାହିତ୍ୟିକ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ କବି ଶ୍ରୀ ଅଶ୍ୱିନୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ସାହିତ୍ୟାନୁରାଗୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ :

ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୩୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ (ବରପାଲି)ଙ୍କ ମିଳିତ ଆନୁକୂଲ୍ୟରେ ତା ୧୫.୦୮.୨୦୦୦ ରିଖ ସନ୍ଧ୍ୟାରେ ବରପାଲିସ୍ଥିତ ଗଙ୍ଗାଧର ସ୍ମୃତିମଣ୍ଡପଠାରେ ଏକ ସାରସ୍ୱତ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

 

ଏକାଡେମୀର ସଭାପତି ବିଶିଷ୍ଟ ସମାଲୋଚକ ଶ୍ରୀ ପଠାଣି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବରେ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ଶରତ କର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଡକ୍ଟର ବିଜୟାନନ୍ଦ ସିଂହ ଏବଂ ଡକ୍ଟର ପାର୍ଥସାରଥି ଅଜୟ ବାରିକ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ମେହେର ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଲୋକପାତ କରି କବିଙ୍କୁ ଜଣେ ସଫଳ ସ୍ରଷ୍ଟା ତଥା ଉଚ୍ଚକୋଟୀର ମାନବବାଦୀ କବି ବୋଲି ଅଭିହିତ କରିଥିଲେ । ସଭା ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ଶେଷରେ ଏକାଡେମୀର ଉପସଭାପତି ଶ୍ରୀ ଉମାଶଙ୍କର ପଣ୍ଡା ଧନ୍ୟବାଦାର୍ପଣ କରିଥିଲେ । ଏହି ଅବସରରେ ଗଙ୍ଗାଧର ମେହେର କ୍ଳବ ତରଫରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

 

ପଣ୍ଡିତ ଗୋପୀନାଥନନ୍ଦ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ‘‘ସାହିତ୍ୟ ଶ୍ୱେତପଦ୍ମା’’ଙ୍କ ମିଳିତ ଆନୁକୂଲ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ପାଳନ ଅବସରରେ ତା ୨୮.୦୮.୨୦୦୦ରିଖ ସନ୍ଧ୍ୟାରେ ପାରଳାଖେମୁଣ୍ଡିସ୍ଥିତ ଟାଉନ୍‌ ହଲ୍‌ରେ ଏକ ସ୍ମତିସଭାର ଆୟୋଜନ କରାଯାଇଥିଲା । ଏକାଡେମୀର ବରିଷ୍ଟ ସହକାରୀ ଶ୍ରୀ ବସନ୍ତ କୁମାର ଜେନାଙ୍କ ଅତିଥି ପରିଚୟ ପ୍ରଦାନ ପରେ ଜୟନ୍ତୀ ସଭା ଆରମ୍ଭ ହୋଇଥିଲା ।

 

‘‘ସାହିତ୍ୟ ଶ୍ୱେତପଦ୍ମା’’ର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡକ୍ଟର ପ୍ରଫୁଲ୍ଳ କୁମାର ତ୍ରିପାଠୀ, ଶ୍ରୀ ପଦ୍ମଚରଣ ସାହୁ ଏବଂ ଶ୍ରୀ ରମେଶ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ପଣ୍ଡିତ ନନ୍ଦଙ୍କ ବିଭିନ୍ନ ସୃଜନଶୀଳ ବିଭାବ ଉପରେ ଆଲୋକପାତ କରିଥିଲେ । ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଭାଷାତତ୍ତ୍ୱ କ୍ଷେତ୍ରରେ ପଣ୍ଡିତ ଗୋପୀନାଥ କିଭଳି ଜଣେ ଯୋଗଜନ୍ମା ସାଧକ ତାହା ତାଙ୍କ ଭାଷଣରେ ପ୍ରତିପାଦନ କରିଥିଲେ। ‘‘ସାହିତ୍ୟ ଶ୍ୱେତପଦ୍ମା’’ର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓଡ଼ିଆ ସମାଲୋଚନା କ୍ଷେତ୍ରରେ ପଣ୍ଡିତ ନନ୍ଦ କିଭଳି ଏକ ବଳିଷ୍ଠ ପରମ୍ପରାର ସୂତ୍ରପାତ କରିଅଛନ୍ତି ତାହା ତାଙ୍କ ଭାଷଣ ପ୍ରସଙ୍ଗରେ ବର୍ଣ୍ଣନା କରିଥିଲେ । ଶେଷରେ ଶ୍ୱେତପଦ୍ମା’ର ସମ୍ପାଦକ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

 

ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ:

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯୁଗଜ୍ୟୋତି ସାହିତ୍ୟ ସଂସଦ, ବ୍ରହ୍ମଗିରିଙ୍କ ମିଳିତ ଆନୁକୂଲ୍ୟରେ ତା.୦୫.୦୯.୨୦୦୦ରିଖ ପବିତ୍ର ରାଧାଷ୍ଟମୀ ଦିନ ସନ୍ଧ୍ୟାରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷେ ବ୍ରହ୍ମଗିରିସ୍ଥ ଅଲାରନାଥ ମନ୍ଦିର ପରିସରରେ ଏକ ସାରସ୍ୱତ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଅଶ୍ୱିନୀ ମିଶ୍ର ଅତିବଡ଼ୀଙ୍କ ଜୟନ୍ତୀ ଏକାଡେମୀ ସ୍ତରରେ ପାଳନ କରାଯିବାର ପ୍ରାସଙ୍ଗିକତା ସମ୍ପର୍କରେ ସୂଚନା ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ପୌରୋହିତ୍ୟ କରି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ହରେକୃଷ୍ଣ ଶତପଥୀ ଓଡ଼ିଆମାନଙ୍କୁ ଶିକ୍ଷିତ, ସଂସ୍କୃତି ସମ୍ପନ୍ନ ଓ ଆଧ୍ୟାତ୍ମିକ ଚେତନାର ସଫଳ ପ୍ରତିନିଧି ବୋଲି କହିବା ସଙ୍ଗେ ସଙ୍ଗେ ଏକ ଦାର୍ଶନିକ ଜାତିରେ ପରିଣତ କରିବାରେ ଜଗନ୍ନାଥ ଦାସଙ୍କ ଭାଗବତ କିପରି ସହାୟକ ହୋଇଛି ତାହା ତାଙ୍କ ସଭାପତି ଅଭିଭାଷଣରେ ବର୍ଣ୍ଣନା କରିଥିଲେ । ଶ୍ରୀ ଫକୀର ମୋହନ ଦାସ ଓ କୁମାର କବି ଅରକ୍ଷିତ ପ୍ରଧାନ ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ଭାଗବତ ଗ୍ରନ୍ଥକୁ ଧର୍ମପ୍ରାଣ ଓଡ଼ିଆ ଜାତିର ଗତିମୁକ୍ତିରୁ ଏକମାତ୍ର ପାଥେୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଆସରର ମୁଖ୍ୟବକ୍ତା ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ ଅତିବଡ଼ୀଙ୍କ ସାହିତ୍ୟକୃତି ଓ ଜୀବନ ଦର୍ଶନ ଉପରେ ଆଲୋକପାତ କରି ଓଡ଼ିଆ ଭାଗବତକୁ ଓଡ଼ିଆ ଜାତିର ବେଦ ସ୍ୱରୂପ ବୋଲି ଭାଷଣ ଛଳରେ ଶ୍ରୋତାବର୍ଗଙ୍କୁ ଅବହିତ କରେଇଥିଲେ ।

 

କବିବର ରାଧାନାଥ ରାୟ ଜୟନ୍ତୀ :

ଓଡ଼ିଆ ସାହିତ୍ୟ ଏକାଡେମୀ ଓ କବିବର ରାଧାନାଥ ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଅବସରରେ ତା ୨୮.୦୯.୨୦୦୦ ରିଖ ସନ୍ଧ୍ୟାରେ କେଦାରପୁର, ସୋରଠାରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏକାଡେମୀର ଉପସଭାପତି ଶ୍ରୀ ଉମାଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବରେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି ସମ୍ମାନିତ ଅତିଥି, ଶ୍ରୀ ରମାକାନ୍ତ ରାଉତ ମୁଖ୍ୟବକ୍ତା ଏବଂ ଶ୍ରୀ ଲକ୍ଷ୍ମୀନାରାୟଣ ନାୟକ ସମ୍ମାନିତ ବକ୍ତାଭାବେ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ରାଧାନାଥ ସ୍ମୃତି ସଂସଦ ତରଫରୁ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା ।

 

ବୈକୁଣ୍ଠନାଥ ପଟ୍ଟନାୟକ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୧୪.୦୯.୨୦୦୦ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ସଭାକକ୍ଷରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀ ଶରତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କବି ବୈକୁଣ୍ଠନାଥ ଶୃଙ୍ଗାର, ପ୍ରଣୟ ଓ ବିଭୁଚେତନାର ଜଣେ ଦରଦୀ କବି ଭାବେ ଚିତ୍ରଣ କରିଥିଲେ । ସେ କହିଲେ ଯେ ପ୍ରକୃତ ପକ୍ଷେ ସାହିତ୍ୟିକ ବ୍ୟକ୍ତିତ୍ୱ ଆଜିକାଲି ଆଗ ଭଳି ଚର୍ଚ୍ଚିତ ହେଉନାହାନ୍ତି ଓ ବୈକୁଣ୍ଠନାଥଙ୍କୁ ମଧ୍ୟ ଲୋକେ ଭୁଲିସାରିଲେଣି । ତେବେ ତାଙ୍କ ଲେଖନୀ ଓଡ଼ିଶାର ଜନମାନସକୁ ଯେତେ ପ୍ରଭାବିତ କରିଛି ତାହା ଏଭଳି ସ୍ମୃତିସଭା ମାଧ୍ୟମରେ ପାଠକମାନଙ୍କ ନିକଟକୁ ପହଞ୍ଚାଇ ପାରିବ ।

 

ରେଭେନ୍‌ସା ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରଫେସର ବାଉରୀ ବଂଧୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦାନ କରି କବିଙ୍କର ଉଲ୍ଲେଖନୀୟ ପଂଙ୍‍କ୍ତି ଯଥା – ଯହିଁ ସନ୍ଧ୍ୟାସ୍ନିଗ୍ଧ ଅଳସ ନୟନେ ଚାହେଁ, ସେ ଦେଶେ ଯିବି ଓ ଯହିଁ ପ୍ରଣୟି ସାଙ୍ଗରେ ପ୍ରଣୟିନୀ ମେଳେ ଦୋଳି ଇତ୍ୟାଦିର ଉଦାହରଣ ଦେଇ କବିଙ୍କୁ ଜଣେ ମହାନ୍‌ ସ୍ରଷ୍ଟା ଭାବେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି କବି ଡକ୍ଟର ପ୍ରତିଭା ଶତପଥୀ କବିଙ୍କୁ ଜଣେ ବିଷାଦବାଦୀ ଭାବେ ଚିତ୍ରଣ କରି କହିଲେ ଯେ ତାଙ୍କ ବିଷାଦବାଦ ନେ’ତିବାଦ ନଥିଲା । ତାଙ୍କ ଲେଖନୀରେ ଖାଲି ମଣିଷ ନୁହେଁ, ଦେବତା ମଧ୍ୟ ଜରାକୁ ଦେଖି କ୍ରନ୍ଦନ କରୁଛି । ସେ କିଷା ଗୌତମୀ କବିତାର ଉଦାହରଣ ଦେଇ କବିଙ୍କୁ ଜଣେ ରହସ୍ୟ ଚେତନାର ସ୍ରଷ୍ଟା ଭାବେ ଚିତ୍ରଣ କରିଥିଲେ ।

 

ଅନ୍ୟତମ ସମ୍ମାନିତା ଅତିଥି ଗାଳ୍ପିକା ଡକ୍ଟର ଅର୍ଚ୍ଚନା ନାୟକ କବିଙ୍କ ସ୍ମୃତିଚାରଣ କରି କହିଲେ ସାହିତ୍ୟ ହୁଏତ ଜାତିକୁ ଭରଣପୋଷଣ କରିପାରେନି କିନ୍ତୁ ଜାତିକୁ ନିଶ୍ଚୟ ଆତ୍ମହତ୍ୟାରୁ ରକ୍ଷା କରେ । କବିଙ୍କ ପଂଙ୍‍କ୍ତି ‘ଯୌବନ ମସ୍ତକରେ ରାଜଟୀକା ପିନ୍ଧାଇ ଦେବା’ ତତ୍ତ୍ୱରେ ଏତେ ଉତ୍ତାପ ରହିଛି ତାହାହିଁ ଆଜି ବିଚାର୍ଯ୍ୟର ବିଷୟ । ବୈକୁଣ୍ଠନାଥ ଜଣେ ସଚେତନ ସ୍ରଷ୍ଟା ଭାବରେ ଓଡ଼ିଆ କବିତାର ଆବଦ୍ଧ ଚେତନାରୁ ଜୀଣ୍ଣତା ଓ ଦୀନତାର ନିର୍ମୋକକୁ ହଟାଇଛନ୍ତି । ଭାବାଦର୍ଶରେ ଦେଇଛନ୍ତି ବଳିଷ୍ଠ ପୁରୋଦୃଷ୍ଟି । ଯୌବନର ଉଦ୍ଦାମତାକୁ, ଭୂଗୋଳର ସୀମାରେଖାକୁ କବିତା ମାଧ୍ୟମରେ ଅତିକ୍ରମ କରିଛନ୍ତି । ତାଙ୍କ କବିତା ସମାଜକୁ ବଦଳାଇ ଦେବାର ଶକ୍ତିରେ ଭରପୂର ଏବଂ ଏଥିପାଇ ସ୍ୱପ୍ନ ଦେଖୁଥିବା, ସ୍ୱପ୍ନ ଝୁଣ୍ଟୁଥିବା ଐତିହ୍ୟର ମଧୁ ସ୍ୱାଦରେ ତାହା ଗରୀୟାନ । ଏକାଡେମୀର ସଭାପତି ବିଶିଷ୍ଟ ସମାଲୋଚକ ଶ୍ରୀ ପଠାଣି ପଟ୍ଟନାୟକ କବିଙ୍କ ପ୍ରତିଭାର ସ୍ମୃତିଚାରଣ କରି ତାଙ୍କ ସଭାପତୀୟ ଅଭିଭାଷଣରେ କବିଙ୍କ ଲିଖିତ ଗଦ୍ୟ ତଥା ନାଟକରୁ କିଛି କିଛି ଉଦାହରଣ ଦେଇ ତାହା କିଭଳି ସେହି ସମୟରେ ସମାଜ ସଂସ୍କାରର ରୂପ ନେଇଥିଲା ତାହା ନିଖୁଣ ଭାବେ ବର୍ଣ୍ଣନା କରିଥିଲେ । ସେ ସ୍ୱାମୀ ଶିବାନନ୍ଦଙ୍କ ଉଦାହରଣ ଦେଇ କହିଲେ ଯେ ଏ ପୃଥିବୀ ଦୁଃଖୀ ଗନ୍ତାଘର । ଜନ୍ମ, ମୃତ୍ୟୁ ପ୍ରେମ ସବୁକିଛି ଯନ୍ତ୍ରଣା ଜର୍ଜରିତ । ତେଣୁ ସବୁଜ କବିଙ୍କର ବ୍ୟାଖ୍ୟାରେ ଯଦି ବିଷାଦ କିଛି ସ୍ଥାନ ପାଇଲା ସେଥିରେ ଅଲୌକିକ କିଛି ନାହିଁ ବୋଲି ବୁଝିବାକୁ ହେବ । ଏକାଡେମୀର ସଂପାଦକ କବି ଶ୍ରୀ ଅଶ୍ୱିନୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାହିତ୍ୟ ଅନୁରାଗୀ ଜନସାଧାରଣ ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ସଭାଟିକୁ ସାଫଳ୍ୟ ମଣ୍ଡିତ କରିଥିଲେ ।

 

କବିତା ଆସର ଓ ଆଲୋଚନାଚକ୍ର :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ସଂସ୍କୃତି ପରିଷଦ ଭଦ୍ରକଙ୍କ ସହଯୋଗରେ ତା୨୭.୦୮.୨୦୦୦ ଦିନ ଭଦ୍ରକସ୍ଥିତ ଶହୀଦ ସ୍ମୃତିଭବନ (ଟାଉନ୍‌ହଲ)ଠାରେ ଏକ କବିତା ଆସର ଓ ଆଲୋଚନା-ଚକ୍ରର ଆୟୋଜନ କରାଯାଇଥିଲା । ଏକାଡେମୀର ସଭାପତି ଶ୍ରୀ ପଠାଣି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ପ୍ରଖ୍ୟାତ କବି ଶ୍ରୀ ରମାକାନ୍ତ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

 

ପୂର୍ବାହ୍ନ ଦଶଘଣ୍ଟା ସମୟରେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା । ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଶ୍ରୀ ରମାକାନ୍ତ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶ୍ରୀ ବ୍ରଜନାଥ ରଥ ଓ ଡକ୍ଟର ସନାତନ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ଏହାପରେ ପରେ ଆଲୋଚନ-ଚକ୍ର ଆରମ୍ଭ ହୋଇଥିଲା । ଆଲୋଚନାର ବିଷୟବସ୍ତୁ ଥିଲା ‘‘ବିଜ୍ଞାନ ଓ ବୈଷେୟିକ ବିଦ୍ୟାର ପରିବର୍ତ୍ତିତ ପୃଷ୍ଠଭୂମିରେ ସମକାଳୀନ କବିତାର ସ୍ୱରୂପ’’ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଶ୍ରୀ ଶତ୍ରୁଘ୍ନ ପାଣ୍ଡବ ନିଜ ନିଜର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏକାଡେମୀର ଉପସଭାପତି ଶ୍ରୀ ଉମାଶଙ୍କର ପଣ୍ଡା, ଡକ୍ଟର ହୃଷୀକେଶ ମଲ୍ଳିକ, ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ, ଶ୍ରୀଦେବ, ଶ୍ରୀ ସମରେନ୍ଦ୍ର ମହାପାତ୍ର ଆଲୋଚକ ଭାବେ ଯୋଗ ଦେଇ ମୁଖ୍ୟ ବିଷୟବସ୍ତୁ ଉପରେ ଆଲେଚନା କରିଥିଲେ ।

 

ଅପରାହ୍ନ ତିନିଘଣ୍ଟା ସମୟରେ ଏକ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହି କବିତା ଆସରରେ ଶ୍ରୀ ଅପୂର୍ବ ରଞ୍ଜନ ରାୟ ସଭାପତିତ୍ୱ କରିଥିଲେ । ଡକ୍ଟର ପ୍ରସନ୍ନ କୁମାର ମିଶ୍ର ଏବଂ ସଦାଶିବ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଡକ୍ଟର ରାଧାରାଣୀ ମହାପାତ୍ର ଏବଂ ଶ୍ରୀ ପବିତ୍ର ପାଣିଗ୍ରାହୀ ପଠିତ କବିତାଗୁଡ଼ିକର ସଂଯୋଜନା କରିଥିଲେ । ଏକାଡେମୀ ଦ୍ୱାରା ନିମନ୍ତ୍ରିତ ବହୁ କବି ଏଥିରେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ପୁସ୍ତକର ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ତଥା ଏକ କବିତା ସଂକଳନ ‘‘ଅନ୍ତରଙ୍ଗ ସାଳନ୍ଦୀ’’ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

 

***